ସ୍ଵର୍ଗରୁ ଚିହ୍ନ ମାଗିବା
ପିତର ତାଙ୍କୁ ଖ୍ରୀଷ୍ଟ, ଜୀବିତ ପିତାଙ୍କ ପୁତ୍ର ବୋଲି ଘୋଷଣା କରନ୍ତି, ଏବଂ କିଛି ମିନିଟ ପରେ ଏହି ଖ୍ରୀଷ୍ଟଙ୍କୁ ବଧ କରାଯିବା କଥା ଶୁଣିବାକୁ ମନା କରିବାରୁ ତାଙ୍କୁ ଶୟତାନ ବୋଲି କୁହାଯାଏ। ଯୀଶୁ କୁହନ୍ତି, ଅନୁସରଣ କରିବାର ଅର୍ଥ ନିଜକୁ ଅସ୍ୱୀକାର କରି କ୍ରୁଶ ବହନ କରିବା, କ୍ରୁଶରୁ ରକ୍ଷା ପାଇବା ନୁହେଁ।
16 1ଫାରୂଶୀ ଓ ସାଦ୍ଦୂକୀମାନେ ତାହାଙ୍କୁ ପରୀକ୍ଷା କରିବା ନିମନ୍ତେ ଆସି ସେମାନଙ୍କୁ ସ୍ଵର୍ଗରୁ ଗୋଟିଏ ଚିହ୍ନ ଦେଖାଇବାକୁ ତାହାଙ୍କୁ ଅନୁରୋଧ କଲେ।
2ସେ ଉତ୍ତର ଦେଲେ, “ସନ୍ଧ୍ୟା ହେଲେ ତୁମ୍ଭେମାନେ କହିଥାଅ, ‘ଆକାଶ ରକ୍ତବର୍ଣ୍ଣ ହୋଇଅଛି, ଏଣୁ ପାଗ ନିର୍ମଳ ହେବ।’
3“ପୁଣି ପ୍ରଭାତରେ କହିଥାଅ, ‘ଆଜି ଝଡ଼ ହେବ, କାରଣ ଆକାଶ ରକ୍ତବର୍ଣ୍ଣ ଓ ମେଘାଚ୍ଛନ୍ନ।’ ତୁମ୍ଭେମାନେ ଆକାଶର ମୁଖ ଚିହ୍ନିବାକୁ ଜାଣ, କିନ୍ତୁ କାଳର ଚିହ୍ନ ଚିହ୍ନି ପାର ନାହିଁ।
4“ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଚିହ୍ନ ଅନ୍ଵେଷଣ କରେ, କିନ୍ତୁ ଯୂନସଙ୍କ ଚିହ୍ନ ବିନା ଆଉ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ।” ଏହା କହି ସେ ସେମାନଙ୍କୁ ଛାଡ଼ି ଚାଲିଗଲେ।
ମିଥ୍ୟା ଶିକ୍ଷାର ତାଡ଼ି
5ଶିଷ୍ୟମାନେ ଅପର ପାରିକୁ ଯାଇଥିବା ସମୟରେ ରୁଟି ଆଣିବାକୁ ପାସୋରି ଯାଇଥିଲେ।
6ଯୀଶୁ ସେମାନଙ୍କୁ କହିଲେ, “ସାବଧାନ, ଫାରୂଶୀ ଓ ସାଦ୍ଦୂକୀମାନଙ୍କ ତାଡ଼ିଠାରୁ ସତର୍କ ହୋଇ ରୁହ।”
7ସେଥିରେ ସେମାନେ ପରସ୍ପର ମଧ୍ୟରେ ବିଚାର କରି କହିଲେ, “ଆମ୍ଭେମାନେ ରୁଟି ଆଣି ନାହୁଁ ବୋଲି ଏହା କହୁଅଛନ୍ତି।”
8ଯୀଶୁ ଏହା ଜାଣି କହିଲେ, “ହେ ଅଳ୍ପ ବିଶ୍ଵାସୀମାନେ, ତୁମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି କାହିଁକି ପରସ୍ପର ମଧ୍ୟରେ ବିଚାର କରୁଅଛ? 9ତଥାପି କʼଣ ବୁଝୁ ନାହଁ? ପାଞ୍ଚ ହଜାର ଲୋକଙ୍କ ନିମନ୍ତେ ସେହି ପାଞ୍ଚୋଟି ରୁଟି, ଆଉ ତୁମ୍ଭେମାନେ କେତେ ଟୋକେଇ ସଂଗ୍ରହ କଲ, ତାହା କʼଣ ମନେ ନାହିଁ?
10“କିମ୍ବା ଚାରି ହଜାର ଲୋକଙ୍କ ନିମନ୍ତେ ସେହି ସାତୋଟି ରୁଟି, ଆଉ ତୁମ୍ଭେମାନେ କେତେ ଟୋକେଇ ସଂଗ୍ରହ କଲ, ତାହା କʼଣ ମନେ ନାହିଁ?
11“ମୁଁ ତୁମ୍ଭମାନଙ୍କୁ ରୁଟି ବିଷୟରେ କହି ନ ଥିଲି, ଏହା ତୁମ୍ଭେମାନେ କାହିଁକି ବୁଝୁ ନାହଁ? ଫାରୂଶୀ ଓ ସାଦ୍ଦୂକୀମାନଙ୍କ ତାଡ଼ିଠାରୁ ସାବଧାନ ହୋଇ ରୁହ।”
12ସେତେବେଳେ ସେମାନେ ବୁଝିଲେ ଯେ, ସେ ରୁଟିର ତାଡ଼ିଠାରୁ ସତର୍କ ହେବାକୁ ନ କହି, ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଶିକ୍ଷାଠାରୁ ସତର୍କ ହେବାକୁ କହିଥିଲେ।
ପିତର ପିତାଙ୍କ ପୁତ୍ରଙ୍କୁ ସ୍ଵୀକାର କଲେ
13ଯୀଶୁ କାଇସରିୟା ଫିଲିପ୍ପୀ ଅଞ୍ଚଳକୁ ଆସି ଆପଣା ଶିଷ୍ୟମାନଙ୍କୁ ପଚାରିଲେ, “ମନୁଷ୍ୟପୁତ୍ର କିଏ ବୋଲି ଲୋକେ କହନ୍ତି?”
14ସେମାନେ କହିଲେ, “କେହି କେହି ବାପ୍ତିଜକ ଯୋହନ, କେହି କେହି ଏଲୀୟ, ଆଉ କେହି କେହି ଯିରିମିୟ ବା ଭାବବାଦୀମାନଙ୍କ ମଧ୍ୟରୁ ଜଣେ ବୋଲି କହନ୍ତି।”
15ସେ ସେମାନଙ୍କୁ କହିଲେ, “କିନ୍ତୁ ତୁମ୍ଭେମାନେ ମୋତେ କିଏ ବୋଲି କହୁଅଛ?”
16ଶିମୋନ ପିତର ଉତ୍ତର ଦେଲେ, “ଆପଣ ଖ୍ରୀଷ୍ଟ, ଜୀବନ୍ତ ପିତାଙ୍କ ପୁତ୍ର।”
17ଯୀଶୁ ଉତ୍ତର ଦେଲେ, “ହେ ଯୂନସଙ୍କ ପୁତ୍ର ଶିମୋନ, ତୁମ୍ଭେ ଧନ୍ୟ, କାରଣ ରକ୍ତମାଂସ ତୁମ୍ଭ ନିକଟରେ ଏହା ପ୍ରକାଶ କରି ନାହିଁ, ମାତ୍ର ମୋହର ସ୍ଵର୍ଗସ୍ଥ ପିତା ପ୍ରକାଶ କରିଅଛନ୍ତି।
18“ପୁଣି ମୁଁ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ଆଉ ଏହି ଶୈଳ ଉପରେ ମୁଁ ମୋହର ମଣ୍ଡଳୀ ନିର୍ମାଣ କରିବି, ପୁଣି ପାତାଳର ଦ୍ଵାରସମୂହ ତାହା ଉପରେ ଜୟଯୁକ୍ତ ହେବ ନାହିଁ।
19“ମୁଁ ତୁମ୍ଭକୁ ଆମ୍ଭମାନଙ୍କ ପିତାଙ୍କ ରାଜ୍ୟର କଞ୍ଚିସବୁ ଦେବି; ତୁମ୍ଭେ ପୃଥିବୀରେ ଯାହା ବନ୍ଧନ କରିବ, ତାହା ସ୍ଵର୍ଗରେ ବନ୍ଧାଯାଇଥିବ, ଆଉ ପୃଥିବୀରେ ଯାହା ମୁକ୍ତ କରିବ, ତାହା ସ୍ଵର୍ଗରେ ମୁକ୍ତ ହୋଇଥିବ।”
20ତତ୍ପରେ ସେ ଆପଣା ଖ୍ରୀଷ୍ଟ ବୋଲି କାହାକୁ ନ କହିବା ନିମନ୍ତେ ଶିଷ୍ୟମାନଙ୍କୁ ଦୃଢ଼ରୂପେ ଆଜ୍ଞା ଦେଲେ।
ପୁତ୍ରଙ୍କୁ ଅବଶ୍ୟ ଦୁଃଖଭୋଗ କରି ପୁନରୁତ୍ଥିତ ହେବାକୁ ହେବ
21ସେହି ସମୟଠାରୁ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିବାକୁ ଆରମ୍ଭ କଲେ ଯେ, ତାହାଙ୍କୁ ଅବଶ୍ୟ ଯିରୂଶାଲମକୁ ଯାଇ ପ୍ରାଚୀନବର୍ଗ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ଵାରା ବହୁ ଦୁଃଖ ଭୋଗ କରିବାକୁ, ହତ ହେବାକୁ ଓ ତୃତୀୟ ଦିନରେ ପୁନରୁତ୍ଥିତ ହେବାକୁ ହେବ।
22ସେଥିରେ ପିତର ତାହାଙ୍କୁ ଏକ ପାର୍ଶ୍ଵକୁ ନେଇ ଅନୁଯୋଗ କରିବାକୁ ଲାଗିଲେ, “ହେ ପ୍ରଭୁ, ଏହା କେବେ ହେଉ ନାହିଁ; ଆପଣଙ୍କ ପ୍ରତି ଏହା କଦାପି ନ ଘଟୁ।”
23କିନ୍ତୁ ସେ ବୁଲିପଡ଼ି ପିତରଙ୍କୁ କହିଲେ, “ହେ ଶୟତାନ, ମୋʼ ପଛକୁ ଯାଅ; ତୁମ୍ଭେ ମୋʼ ପ୍ରତି ବିଘ୍ନ ସ୍ଵରୂପ, କାରଣ ଆମ୍ଭମାନଙ୍କ ପିତା ଯାହା ଚାହାନ୍ତି, ତୁମ୍ଭେ ତାହା ଭାବୁ ନାହଁ, ମାତ୍ର ମନୁଷ୍ୟ ଯାହା ଚାହେଁ, ତାହା ଭାବୁଅଛ।”
24ତତ୍ପରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, “ଯେ କେହି ମୋʼ ପଛେ ଆସିବାକୁ ଇଚ୍ଛା କରେ, ସେ ଆପଣାକୁ ଅସ୍ଵୀକାର କରୁ, ଆପଣା କ୍ରୁଶ ବହୁ ଓ ମୋହର ଅନୁଗମନ କରୁ।
25“କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋʼ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ପାଇବ।
26“ଯଦି କୌଣସି ଲୋକ ସମଗ୍ର ଜଗତ ଲାଭ କରି ଆପଣା ପ୍ରାଣ ହରାଏ, ତେବେ ତାହାର କି ଲାଭ? ଅବା ଲୋକ ଆପଣା ପ୍ରାଣ ବଦଳେ କʼଣ ଦେଇ ପାରିବ?
27“କାରଣ ମନୁଷ୍ୟପୁତ୍ର ଆପଣା ପିତାଙ୍କ ମହିମାରେ ଆପଣା ଦୂତମାନଙ୍କ ସହିତ ଆସିବାକୁ ଉଦ୍ୟତ, ପୁଣି ସେତେବେଳେ ସେ ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ପ୍ରତିଫଳ ଦେବେ।
28“ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଏଠାରେ ଠିଆ ହୋଇଥିବା ଲୋକଙ୍କ ମଧ୍ୟରୁ କେହି କେହି ମନୁଷ୍ୟପୁତ୍ରଙ୍କୁ ଆପଣା ରାଜ୍ୟରେ ଆସିବା ନ ଦେଖିବା ପର୍ଯ୍ୟନ୍ତ କଦାପି ମୃତ୍ୟୁର ଆସ୍ଵାଦ ପାଇବେ ନାହିଁ।”