ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଯେଉଁ ଆହ୍ଵାନରୁ ଯୂନସ ପଳାୟନ କଲେ

ଜଣେ ଭବିଷ୍ୟଦ୍‌ବକ୍ତା ଇସ୍ରାଏଲର ଶତ୍ରୁମାନଙ୍କ ନିକଟରେ ପ୍ରଚାର କରିବା ପାଇଁ ପିତାଙ୍କ ଆହ୍ୱାନରୁ ପଳାୟନ କରନ୍ତି, ଏକ ବୃହତ୍ ମତ୍ସ୍ୟ ଦ୍ୱାରା ଗିଳାଯାଆନ୍ତି, ଏବଂ ଅନିଚ୍ଛାରେ ଶିଖନ୍ତି ଯେ ଆମ୍ଭମାନଙ୍କ ପିତାଙ୍କ କରୁଣା ତାଙ୍କ ନିଜ କରୁଣାଠାରୁ ବହୁତ ବିସ୍ତୃତ।

ଅଧ୍ୟାୟ 1।

ଅମୀତ୍ତୟଙ୍କ ପୁତ୍ର ଯୂନସଙ୍କ ନିକଟରେ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଉପସ୍ଥିତ ହେଲା,

“ଉଠ, ନୀନିବୀ ନାମକ ସେହି ମହାନଗରକୁ ଯାଅ ଓ ତାହା ବିରୁଦ୍ଧରେ ଘୋଷଣା କର, କାରଣ ସେମାନଙ୍କ ଦୁଷ୍ଟତା ଆମ୍ଭ ସମ୍ମୁଖରେ ଉପସ୍ଥିତ ହୋଇଅଛି।”

ମାତ୍ର ଯୂନସ ଆମ୍ଭମାନଙ୍କ ପିତାଙ୍କ ଛାମୁରୁ ତର୍ଶୀଶକୁ ପଳାୟନ କରିବା ନିମନ୍ତେ ଯାତ୍ରା କଲେ। ସେ ଯାଫୋକୁ ଓହ୍ଲାଇ ଯାଇ ତର୍ଶୀଶଗାମୀ ଗୋଟିଏ ଜାହାଜ ପାଇ ତହିଁର ଭଡ଼ା ଦେଲେ ଓ ଆମ୍ଭମାନଙ୍କ ପିତାଙ୍କ ଛାମୁରୁ ତର୍ଶୀଶକୁ ସେମାନଙ୍କ ସଙ୍ଗରେ ଯିବା ନିମନ୍ତେ ଜାହାଜରେ ଚଢ଼ିଲେ।

ସେତେବେଳେ ଆମ୍ଭମାନଙ୍କ ପିତା ସମୁଦ୍ର ଉପରେ ପ୍ରବଳ ବାୟୁ ପ୍ରେରଣ କଲେ; ଏକ ଭୟଙ୍କର ଝଡ଼ ଉଠିଲା ଓ ଜାହାଜ ଭାଙ୍ଗିଯିବା ପରି ହେଲା। ନାବିକମାନେ ଭୀତ ହୋଇ ପ୍ରତ୍ୟେକେ ଆପଣା ଆପଣା ଦେବତା ନିକଟରେ କ୍ରନ୍ଦନ କଲେ ଓ ଜାହାଜକୁ ହାଲୁକା କରିବା ନିମନ୍ତେ ତହିଁରେ ଥିବା ମାଲପତ୍ର ସମୁଦ୍ରକୁ ଫିଙ୍ଗିଦେଲେ। ମାତ୍ର ଯୂନସ ଜାହାଜର ଭିତର ଭାଗକୁ ଓହ୍ଲାଇ ଯାଇ ଗଭୀର ନିଦ୍ରାରେ ଶୋଇ ପଡ଼ିଥିଲେ। ତହିଁରେ ନାବିକମାନଙ୍କ ଅଧ୍ୟକ୍ଷ ଆସି କହିଲା, “ତୁମ୍ଭେ କିପରି ଶୋଇ ପଡ଼ିଅଛ? ଉଠ, ଆପଣା ଦେବତା ନିକଟରେ ପ୍ରାର୍ଥନା କର! କେଜାଣି ସେହି ଦେବତା ଆମ୍ଭମାନଙ୍କ ପ୍ରତି ମନୋଯୋଗ କରିବେ, ଆଉ ଆମ୍ଭେମାନେ ବିନଷ୍ଟ ହେବୁ ନାହିଁ।”

ଏଉତ୍ତାରେ ଲୋକମାନେ ପରସ୍ପର କହିଲେ, “ଆସ, ଆମ୍ଭମାନଙ୍କ ଉପରେ ଏହି ବିପଦ କାହା ହେତୁରୁ ଘଟିଲା, ତାହା ଜାଣିବା ନିମନ୍ତେ ଗୁଲିବାଣ୍ଟ କରୁ।” ତହୁଁ ସେମାନେ ଗୁଲିବାଣ୍ଟ କରନ୍ତେ, ତାହା ଯୂନସଙ୍କ ନାମରେ ଉଠିଲା। ସେତେବେଳେ ସେମାନେ ତାହାଙ୍କୁ କହିଲେ, “ଆମ୍ଭମାନଙ୍କୁ କୁହ, କାହା ହେତୁରୁ ଆମ୍ଭମାନଙ୍କ ଉପରେ ଏହି ବିପଦ ଘଟିଲା? ତୁମ୍ଭର ବ୍ୟବସାୟ କʼଣ? ତୁମ୍ଭେ କେଉଁଠାରୁ ଆସୁଅଛ? ତୁମ୍ଭର ଦେଶ କʼଣ? ତୁମ୍ଭେ କେଉଁ ଜାତିର ଲୋକ?”

ତହିଁରେ ସେ ଉତ୍ତର ଦେଲେ, “ମୁଁ ଜଣେ ଏବ୍ରୀୟ ଲୋକ, ପୁଣି ଯେ ସମୁଦ୍ର ଓ ଶୁଷ୍କ ଭୂମିର ସୃଷ୍ଟି କରିଅଛନ୍ତି, ସେହି ସ୍ଵର୍ଗର ପିତା, ଆମ୍ଭମାନଙ୍କ ପିତାଙ୍କୁ ମୁଁ ଭୟ କରେ।”

ତେବେ ସେହି ଲୋକମାନେ ଅତ୍ୟନ୍ତ ଭୀତ ହୋଇ ତାହାଙ୍କୁ କହିଲେ, “ତୁମ୍ଭେ ଏ କʼଣ କଲ?” କାରଣ ସେ ଆମ୍ଭମାନଙ୍କ ପିତାଙ୍କ ଛାମୁରୁ ପଳାୟନ କରୁଅଛନ୍ତି ବୋଲି ସେମାନେ ଜାଣିଥିଲେ, ଯେଣୁ ସେ ସେମାନଙ୍କୁ ଜଣାଇଥିଲେ।

ଏଥିଉତ୍ତାରେ ସେମାନେ ତାହାଙ୍କୁ କହିଲେ, “ଆମ୍ଭମାନଙ୍କ ପାଇଁ ସମୁଦ୍ର ଶାନ୍ତ ହେବା ନିମନ୍ତେ ଆମ୍ଭେମାନେ ତୁମ୍ଭ ପ୍ରତି କʼଣ କରିବୁ?” କାରଣ ସମୁଦ୍ର ଅଧିକରୁ ଅଧିକ ଉତ୍ତାଳ ହୋଇ ଉଠୁଥିଲା।

ତହିଁରେ ସେ ସେମାନଙ୍କୁ କହିଲେ, “ମୋତେ ଉଠାଇ ସମୁଦ୍ରକୁ ଫିଙ୍ଗିଦିଅ, ତେବେ ସମୁଦ୍ର ତୁମ୍ଭମାନଙ୍କ ପାଇଁ ଶାନ୍ତ ହେବ। ମୋʼ ହେତୁରୁ ତୁମ୍ଭମାନଙ୍କ ଉପରେ ଏହି ପ୍ରବଳ ଝଡ଼ ଘଟିଅଛି ବୋଲି ମୁଁ ଜାଣେ।”

ତଥାପି ସେହି ଲୋକମାନେ କୂଳରେ ଲାଗିବା ନିମନ୍ତେ ବହୁତ ବୈଠା ମାରିଲେ, ମାତ୍ର ପାରିଲେ ନାହିଁ, କାରଣ ସମୁଦ୍ର ସେମାନଙ୍କ ବିରୁଦ୍ଧରେ ଅଧିକରୁ ଅଧିକ ଉତ୍ତାଳ ହୋଇ ଉଠୁଥିଲା। ତେଣୁ ସେମାନେ ଆମ୍ଭମାନଙ୍କ ପିତାଙ୍କ ନିକଟରେ କ୍ରନ୍ଦନ କରି କହିଲେ, “ହେ ଈଶ୍ଵର, ଆମ୍ଭେମାନେ ବିନତି କରୁଅଛୁ, ଏହି ମନୁଷ୍ୟର ପ୍ରାଣ ନେବା ହେତୁ ଆମ୍ଭମାନଙ୍କୁ ବିନଷ୍ଟ ହେବାକୁ ଦିଅ ନାହିଁ। ନିର୍ଦ୍ଦୋଷ ରକ୍ତ ଲାଗି ଆମ୍ଭମାନଙ୍କୁ ଦୋଷୀ କର ନାହିଁ, କାରଣ ତୁମ୍ଭେ ଯାହା ଇଚ୍ଛା, ତାହା କରିଅଛ।” ଏଉତ୍ତାରେ ସେମାନେ ଯୂନସଙ୍କୁ ଉଠାଇ ସମୁଦ୍ରକୁ ଫିଙ୍ଗିଦେଲେ, ତହୁଁ ଉତ୍ତାଳ ସମୁଦ୍ର ଶାନ୍ତ ହେଲା। ତେବେ ସେହି ଲୋକମାନେ ଆମ୍ଭମାନଙ୍କ ପିତାଙ୍କୁ ଅତିଶୟ ଭୟ କଲେ ଓ ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ବଳିଦାନ କରି ମାନତ କଲେ।

ଏଥିମଧ୍ୟରେ ଆମ୍ଭମାନଙ୍କ ପିତା ଯୂନସଙ୍କୁ ଗ୍ରାସ କରିବା ନିମନ୍ତେ ଗୋଟିଏ ବୃହତ ମତ୍ସ୍ୟ ନିରୂପଣ କଲେ, ଆଉ ଯୂନସ ତିନି ଦିନ ଓ ତିନି ରାତ୍ରି ସେହି ମତ୍ସ୍ୟର ଉଦରରେ ରହିଲେ।