ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଏଷ୍ଟର ରାଜାଙ୍କ ସିଂହାସନ ନିକଟକୁ ଯାଆନ୍ତି

ଏଷ୍ଟର ରାଜକୀୟ ବସ୍ତ୍ର ପିନ୍ଧି ବିନା ନିମନ୍ତ୍ରଣରେ ଭିତର ପ୍ରାଙ୍ଗଣରେ ଠିଆ ହୁଅନ୍ତି; ସୁବର୍ଣ୍ଣ ରାଜଦଣ୍ଡ ବଢ଼ାଇ ଦିଆଯାଏ, ଏବଂ ତାଙ୍କୁ ଅର୍ଦ୍ଧ ରାଜ୍ୟ ଦେବାକୁ କୁହାଯାଏ। ସେ କେବଳ ଏକ ଭୋଜି ମାଗନ୍ତି, ତାʼପରେ ଆଉ ଏକ। ହାମନ ଆନନ୍ଦରେ ବାହାରି ଯାଆନ୍ତି, ମର୍ଦ୍ଦଖୟଙ୍କୁ ଦେଖି କ୍ରୋଧିତ ହୁଅନ୍ତି, ଏବଂ ଏକ ଖୁଣ୍ଟ ତିଆରି କରନ୍ତି।

ଅଧ୍ୟାୟ 5।

ତୃତୀୟ ଦିନରେ ଏଷ୍ଟର ରାଜକୀୟ ବସ୍ତ୍ର ପରିଧାନ କରି ରାଜଗୃହର ଭିତର ପ୍ରାଙ୍ଗଣରେ ରାଜାଙ୍କ ସଭାଗୃହ ସମ୍ମୁଖରେ ଠିଆ ହେଲେ। ରାଜା ସେହି ସଭାଗୃହରେ ରାଜଗୃହର ଦ୍ଵାର ସମ୍ମୁଖରେ ଆପଣା ରାଜସିଂହାସନ ଉପରେ ବସିଥିଲେ। ରାଜା ପ୍ରାଙ୍ଗଣରେ ଠିଆ ହୋଇଥିବା ରାଣୀ ଏଷ୍ଟରଙ୍କୁ ଦେଖନ୍ତେ, ସେ ତାହାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଲେ, ଆଉ ରାଜା ଆପଣା ହସ୍ତସ୍ଥିତ ସୁବର୍ଣ୍ଣ ଦଣ୍ଡ ବିସ୍ତାର କଲେ। ସେତେବେଳେ ଏଷ୍ଟର ନିକଟକୁ ଯାଇ ତାହାର ଅଗ୍ରଭାଗ ସ୍ପର୍ଶ କଲେ।

ରାଜା ପଚାରିଲେ, “ହେ ରାଣୀ ଏଷ୍ଟର, କଅଣ ହୋଇଅଛି? ତୁମ୍ଭର କି ନିବେଦନ? ରାଜ୍ୟର ଅର୍ଦ୍ଧେକ ପର୍ଯ୍ୟନ୍ତ ତୁମ୍ଭକୁ ଦିଆଯିବ।”

ଏଷ୍ଟର କହିଲେ, “ଯଦି ରାଜା ସନ୍ତୁଷ୍ଟ ହୁଅନ୍ତି, ତେବେ ମୁଁ ଯେଉଁ ଭୋଜ ପ୍ରସ୍ତୁତ କରିଅଛି, ସେଥିକୁ ରାଜା ଓ ହାମନ ଆଜି ଆଗମନ କରନ୍ତୁ।”

ତହିଁରେ ରାଜା କହିଲେ, “ଏଷ୍ଟରର କଥା ଅନୁସାରେ କରିବା ନିମନ୍ତେ ହାମନକୁ ଶୀଘ୍ର ଆଣ।” ଏଣୁ ଏଷ୍ଟର ପ୍ରସ୍ତୁତ କରିଥିବା ଭୋଜକୁ ରାଜା ଓ ହାମନ ଆସିଲେ।

ଦ୍ରାକ୍ଷାରସ ପାନ ସମୟରେ ରାଜା ପଚାରିଲେ, “ହେ ଏଷ୍ଟର, ତୁମ୍ଭର କି ପ୍ରାର୍ଥନା? ତାହା ମଞ୍ଜୁର ହେବ। ପୁଣି ତୁମ୍ଭର କି ନିବେଦନ? ରାଜ୍ୟର ଅର୍ଦ୍ଧେକ ପର୍ଯ୍ୟନ୍ତ ହେଉ, ତାହା ତୁମ୍ଭର।”

ଏଷ୍ଟର ଉତ୍ତର ଦେଲେ, “ମୋହର ପ୍ରାର୍ଥନା ଓ ନିବେଦନ ଏହି: ଯଦି ମୁଁ ରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଆଉ ମୋହର ପ୍ରାର୍ଥନା ମଞ୍ଜୁର କରିବାକୁ ଓ ମୋହର ନିବେଦନ ସଫଳ କରିବାକୁ ଯଦି ରାଜା ସନ୍ତୁଷ୍ଟ ହୁଅନ୍ତି, ତେବେ ମୁଁ ସେମାନଙ୍କ ନିମନ୍ତେ ଯେଉଁ ଭୋଜ ପ୍ରସ୍ତୁତ କରିବି, ସେଥିକୁ ରାଜା ଓ ହାମନ ଆଗମନ କରନ୍ତୁ। ଆଉ କାଲି ମୁଁ ରାଜାଙ୍କ କଥାନୁସାରେ କରିବି।”

ହାମନର କ୍ରୋଧ ମର୍ଦ୍ଦଖୟଙ୍କ ବିରୁଦ୍ଧରେ ଘୂରିଯାଏ

ସେହି ଦିନ ହାମନ ଆନନ୍ଦିତ ଓ ହୃଷ୍ଟଚିତ୍ତ ହୋଇ ବାହାରିଗଲା। ମାତ୍ର ରାଜଦ୍ଵାରରେ ଥିବା ମର୍ଦ୍ଦଖୟଙ୍କୁ ଆପଣା ସମ୍ମୁଖରେ ନ ଉଠିବାର ଓ କମ୍ପିତ ନ ହେବାର ଦେଖି ହାମନ ମର୍ଦ୍ଦଖୟଙ୍କ ପ୍ରତି କ୍ରୋଧରେ ପରିପୂର୍ଣ୍ଣ ହେଲା। ତଥାପି ହାମନ ଆପଣାକୁ ସମ୍ଭାଳି ଗୃହକୁ ଗଲା। ପୁଣି ଲୋକ ପଠାଇ ଆପଣା ବନ୍ଧୁମାନଙ୍କୁ ଓ ଆପଣା ଭାର୍ଯ୍ୟା ସେରଶଙ୍କୁ ଡକାଇଲା, ଆଉ ହାମନ ସେମାନଙ୍କୁ ଆପଣା ଧନର ଐଶ୍ଵର୍ଯ୍ୟ, ଆପଣା ଅନେକ ପୁତ୍ର, ପୁଣି ରାଜା କିପରି ତାହାକୁ ସମ୍ମାନିତ କରି ରାଜାଙ୍କ ଅଧିପତି ଓ ଦାସମାନଙ୍କ ଅପେକ୍ଷା ଉଚ୍ଚ ପଦରେ ଉନ୍ନତ କରିଅଛନ୍ତି, ତାହା ବର୍ଣ୍ଣନା କଲା।

ହାମନ ଆହୁରି କହିଲା, “ଏତିକି ନୁହେଁ। ରାଣୀ ଏଷ୍ଟର ଆପଣା ଭୋଜକୁ ରାଜାଙ୍କ ସଙ୍ଗରେ କେବଳ ମୋତେ ନିମନ୍ତ୍ରଣ କଲେ, ଆଉ କାଲି ମଧ୍ୟ ରାଜାଙ୍କ ସଙ୍ଗରେ ମୁଁ ପୁନର୍ବାର ନିମନ୍ତ୍ରିତ ହୋଇଅଛି। ତଥାପି ଯେତେବେଳେ ମୁଁ ସେହି ଯିହୁଦୀୟ ମର୍ଦ୍ଦଖୟଙ୍କୁ ରାଜଦ୍ଵାରରେ ବସିଥିବା ଦେଖେ, ସେତେବେଳେ ଏହିସବୁ ମୋʼ ପ୍ରତି ବୃଥା ହୁଏ।”

ତହିଁରେ ତାହାର ଭାର୍ଯ୍ୟା ସେରଶ ଓ ତାହାର ସମସ୍ତ ବନ୍ଧୁ ତାହାକୁ କହିଲେ, “ପଞ୍ଚସ୍ତରି ଫୁଟ ଉଚ୍ଚ ଗୋଟିଏ ସ୍ତମ୍ଭ ପ୍ରସ୍ତୁତ କରିବାକୁ କୁହ। ଆଉ ପ୍ରଭାତରେ ତାହା ଉପରେ ମର୍ଦ୍ଦଖୟଙ୍କୁ ଫାଶୀ ଦେବା ନିମନ୍ତେ ରାଜାଙ୍କୁ ନିବେଦନ କର। ତେବେ ଆନନ୍ଦିତ ହୋଇ ରାଜାଙ୍କ ସଙ୍ଗରେ ଭୋଜକୁ ଯାଅ।” ଏହି କଥା ହାମନକୁ ଭଲ ଲାଗିଲା, ଆଉ ସେ ସେହି ସ୍ତମ୍ଭ ପ୍ରସ୍ତୁତ କରାଇଲା।