ରାଜା ମର୍ଦ୍ଦଖୟଙ୍କୁ ସମ୍ମାନିତ କଲେ
ରାଜାଙ୍କୁ ନିଦ ଆସେ ନାହିଁ, ସେ ଇତିହାସ ପୁସ୍ତକ ପଢ଼ାନ୍ତି, ଏବଂ ଜାଣନ୍ତି ଯେ ମର୍ଦ୍ଦଖୟଙ୍କୁ କେବେ ପୁରସ୍କାର ଦିଆଯାଇ ନାହିଁ। ହାମନ ତାଙ୍କର ମୃତ୍ୟୁଦଣ୍ଡ ମାଗିବାକୁ ଆସନ୍ତି, ଏବଂ ଜଣେ ଲୋକକୁ କିପରି ସମ୍ମାନ ଦେବେ ବୋଲି ପଚରାଯାଏ — ସେ ନିଜ ସ୍ୱପ୍ନ ବର୍ଣ୍ଣନା କରନ୍ତି, ତାʼପରେ ମର୍ଦ୍ଦଖୟଙ୍କୁ ତାହା ଘୋଷଣା କରି ରାସ୍ତାରେ ବୁଲାଇ ନେବାକୁ ପଡ଼େ। ତାଙ୍କ ପରିବାର ତାଙ୍କ ବିନାଶ ଆସୁଥିବା ଦେଖେ।
6 1ସେହି ରାତ୍ରିରେ ରାଜାଙ୍କର ନିଦ୍ରା ହେଲା ନାହିଁ; ତେଣୁ ସେ ରାଜକୀୟ ବୃତ୍ତାନ୍ତ-ପୁସ୍ତକ, ଅର୍ଥାତ୍ ଇତିହାସ-ପୁସ୍ତକ ଆଣି ଆପଣା ନିକଟରେ ପାଠ କରିବାକୁ ଆଜ୍ଞା ଦେଲେ। 2ତହିଁରେ ରାଜା କ୍ଷଶୟର୍ଷଙ୍କୁ ବଧ କରିବା ନିମନ୍ତେ ଦ୍ଵାର-ରକ୍ଷକ ବିଗ୍ଥନ ଓ ତେରଶ ନାମକ ରାଜାଙ୍କ ଦୁଇ ନପୁଂସକ ଚେଷ୍ଟା କରିବା ବିଷୟ ମର୍ଦ୍ଦଖୟ ଜଣାଇ ଥିବା କଥା ଲେଖାଯାଇଥିବାର ଦେଖାଗଲା। 3ତେବେ ରାଜା ପଚାରିଲେ, “ଏଥିପାଇଁ ମର୍ଦ୍ଦଖୟ କି ସମ୍ମାନ ଓ ମର୍ଯ୍ୟାଦା ପ୍ରାପ୍ତ ହୋଇଅଛି?” ତହୁଁ ରାଜାଙ୍କ ପରିଚାରକମାନେ ଉତ୍ତର ଦେଲେ, “ତାହା ନିମନ୍ତେ କିଛି କରାଯାଇ ନାହିଁ।”
4ସେତେବେଳେ ରାଜା ପଚାରିଲେ, “ପ୍ରାଙ୍ଗଣରେ କିଏ ଅଛି?” ଏହି ସମୟରେ ହାମନ୍ ଆପଣା ପ୍ରସ୍ତୁତ କରିଥିବା ଫାଶୀକାଠରେ ମର୍ଦ୍ଦଖୟଙ୍କୁ ଟଙ୍ଗାଇବା ବିଷୟ ରାଜାଙ୍କୁ କହିବା ନିମନ୍ତେ ରାଜଗୃହର ବାହାର ପ୍ରାଙ୍ଗଣରେ ପ୍ରବେଶ କରିଥିଲା।
5ତହିଁରେ ରାଜାଙ୍କ ପରିଚାରକମାନେ ତାହାଙ୍କୁ କହିଲେ, “ଦେଖନ୍ତୁ, ହାମନ୍ ପ୍ରାଙ୍ଗଣରେ ଠିଆ ହୋଇଅଛି।” ତେବେ ରାଜା କହିଲେ, “ତାହାକୁ ଭିତରକୁ ଆଣ।”
6ଏଥିରେ ହାମନ୍ ଭିତରକୁ ଆସିଲା। ତହୁଁ ରାଜା ତାହାକୁ ପଚାରିଲେ, “ଯାହାକୁ ସମ୍ମାନ କରିବାକୁ ରାଜା ସନ୍ତୁଷ୍ଟ, ସେହି ବ୍ୟକ୍ତି ପ୍ରତି କʼଣ କରାଯିବା ଉଚିତ?” ତେବେ ହାମନ୍ ମନେ ମନେ ଭାବିଲା, “ମୋʼ ଅପେକ୍ଷା ଆଉ କାହାକୁ ସମ୍ମାନ କରିବାକୁ ରାଜା ସନ୍ତୁଷ୍ଟ ହେବେ?”
7ତେଣୁ ହାମନ୍ ରାଜାଙ୍କୁ କହିଲା, “ଯାହାକୁ ସମ୍ମାନ କରିବାକୁ ରାଜା ସନ୍ତୁଷ୍ଟ, ସେହି ବ୍ୟକ୍ତି ନିମନ୍ତେ 8ରାଜା ଯେଉଁ ରାଜକୀୟ ବସ୍ତ୍ର ପରିଧାନ କରିଅଛନ୍ତି, ତାହା ଓ ରାଜା ଯେଉଁ ଅଶ୍ଵ ଉପରେ ଚଢ଼ିଅଛନ୍ତି, ତାହା, ପୁଣି ତାହାର ମସ୍ତକ ନିମନ୍ତେ ରାଜକୀୟ ମୁକୁଟ ଅଣାଯାଉ। 9ଆଉ, ସେହି ବସ୍ତ୍ର ଓ ଅଶ୍ଵ ରାଜାଙ୍କ ଅଧିପତିମାନଙ୍କ ମଧ୍ୟରୁ ଜଣେ ସମ୍ଭ୍ରାନ୍ତ ଲୋକ ହସ୍ତରେ ସମର୍ପିତ ହେଉ, ଆଉ ଯାହାକୁ ସମ୍ମାନ କରିବାକୁ ରାଜା ସନ୍ତୁଷ୍ଟ, ସେହି ବ୍ୟକ୍ତିକୁ ସେହି ବସ୍ତ୍ର ପରିଧାନ କରାଉ ଓ ଅଶ୍ଵ ଉପରେ ଆରୋହଣ କରାଇ ନଗରର ଛକରେ ଭ୍ରମଣ କରାଉ, ପୁଣି ତାହାର ଆଗେ ଆଗେ ଘୋଷଣା କରୁ, ‘ଯାହାକୁ ସମ୍ମାନ କରିବାକୁ ରାଜା ସନ୍ତୁଷ୍ଟ, ସେହି ବ୍ୟକ୍ତି ପ୍ରତି ଏହିପରି କରାଯାଉଅଛି!’”
10ତେବେ ରାଜା ହାମନ୍କୁ କହିଲେ, “ଶୀଘ୍ର ଯାଇ ତୁମ୍ଭର କଥାନୁସାରେ ସେହି ବସ୍ତ୍ର ଓ ଅଶ୍ଵ ନେଇ ରାଜଦ୍ଵାରରେ ବସିଥିବା ଯିହୁଦୀୟ ମର୍ଦ୍ଦଖୟ ପ୍ରତି ସେହିପରି କର। ତୁମ୍ଭେ ଯାହା କହିଅଛ, ତହିଁରୁ କିଛି ତ୍ରୁଟି କର ନାହିଁ।”
11ତହୁଁ ହାମନ୍ ସେହି ବସ୍ତ୍ର ଓ ଅଶ୍ଵ ନେଇ ମର୍ଦ୍ଦଖୟଙ୍କୁ ବସ୍ତ୍ର ପରିଧାନ କରାଇ ତାହାଙ୍କୁ ଅଶ୍ଵ ଉପରେ ଆରୋହଣ କରାଇ ନଗରର ଛକରେ ଭ୍ରମଣ କରାଇଲା ଓ ତାହାଙ୍କ ଆଗେ ଆଗେ ଘୋଷଣା କଲା, “ଯାହାକୁ ସମ୍ମାନ କରିବାକୁ ରାଜା ସନ୍ତୁଷ୍ଟ, ସେହି ବ୍ୟକ୍ତି ପ୍ରତି ଏହିପରି କରାଯାଉଅଛି।”
12ଏଥିଉତ୍ତାରେ ମର୍ଦ୍ଦଖୟ ପୁନର୍ବାର ରାଜଦ୍ଵାରକୁ ଫେରିଗଲେ, ମାତ୍ର ହାମନ୍ ଶୋକ କରୁ କରୁ ମସ୍ତକ ଢାଙ୍କି ଶୀଘ୍ର ଆପଣା ଗୃହକୁ ଗଲା। 13ପୁଣି ହାମନ୍ ଆପଣା ଭାର୍ଯ୍ୟା ସେରଶ ଓ ଆପଣାର ସମସ୍ତ ବନ୍ଧୁଙ୍କ ନିକଟରେ ଯାହା ଯାହା ଘଟିଥିଲା, ସେହିସବୁ କଥା ଜଣାଇଲା। ତେବେ ତାହାର ଜ୍ଞାନୀ ପରାମର୍ଶଦାତାଗଣ ଓ ଆପଣା ଭାର୍ଯ୍ୟା ସେରଶ ତାହାକୁ କହିଲେ, “ଯେଉଁ ମର୍ଦ୍ଦଖୟ ଆଗରେ ତୁମ୍ଭର ପତନ ଆରମ୍ଭ ହୋଇଅଛି, ସେ ଯଦି ଯିହୁଦୀୟ ବଂଶଜ, ତେବେ ତୁମ୍ଭେ ତାହାକୁ ପରାସ୍ତ କରିପାରିବ ନାହିଁ, ବରଂ ତାହା ଆଗରେ ତୁମ୍ଭର ନିଶ୍ଚୟ ପତନ ହେବ।” 14ସେମାନେ ତାହା ସହିତ କଥାବାର୍ତ୍ତା କରୁଥିବା ସମୟରେ ରାଜାଙ୍କ ନପୁଂସକମାନେ ଉପସ୍ଥିତ ହୋଇ ଏଷ୍ଟେର ପ୍ରସ୍ତୁତ କରିଥିବା ଭୋଜକୁ ହାମନ୍କୁ ଶୀଘ୍ର ନେଇଗଲେ।