ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଆମ୍ଭମାନଙ୍କ ପିତାଙ୍କ ସିନ୍ଦୁକ ଇସ୍ରାଏଲକୁ ଗୃହକୁ ଫେରିଆସେ

ଯାଜକମାନେ ସୁନାର ଗଣ୍ଡ ଓ ମୂଷା ସହିତ ସିନ୍ଦୁକକୁ ଘରକୁ ଫେରାଇ ପଠାଇବାକୁ ପରାମର୍ଶ ଦିଅନ୍ତି, ଏପରି ଏକ ଶଗଡ଼ରେ ଯାହାକୁ ଦୁଇଟି ଗାଈ ଟାଣନ୍ତି ଓ ସେମାନଙ୍କ ବାଛୁରିଗୁଡ଼ିକୁ ଘେରରେ ବନ୍ଦ କରାଯାଇଥାଏ। ଗାଈ ଦୁଇଟି ହମ୍ବାରଡ଼ି ଦେଉ ଦେଉ ସିଧା ବେଥ୍-ଶେମଶକୁ ଚାଲିଯାଆନ୍ତି। ଫସଲ କାଟୁଥିବା ଲୋକେ ଆନନ୍ଦ କରନ୍ତି, ତାହାପରେ ଭିତରକୁ ଚାହିଁଥିବାରୁ ସତୁରି ଜଣ ମରନ୍ତି, ଏବଂ ନଗରବାସୀ ପଚାରନ୍ତି, ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ କିଏ ଠିଆ ହୋଇପାରିବ?

ଅଧ୍ୟାୟ 6।

ପଲେଷ୍ଟୀୟମାନଙ୍କ ଅଞ୍ଚଳରେ ଆମ୍ଭମାନଙ୍କ ପିତାଙ୍କ ସିନ୍ଦୁକ ସାତ ମାସ ରହିଲା। ପଲେଷ୍ଟୀୟମାନେ ଯାଜକ ଓ ମନ୍ତ୍ରଜ୍ଞମାନଙ୍କୁ ଡାକି କହିଲେ, “ସଦାପ୍ରଭୁଙ୍କ ସିନ୍ଦୁକ ପ୍ରତି ଆମ୍ଭେମାନେ କଅଣ କରିବୁ? ଏହାକୁ କିପରି ଆପଣା ସ୍ଥାନକୁ ପଠାଇବୁ, ତାହା ଆମ୍ଭମାନଙ୍କୁ ଜଣାଅ।”

ସେମାନେ କହିଲେ, “ଯଦି ତୁମ୍ଭେମାନେ ଇସ୍ରାଏଲର ଈଶ୍ଵରଙ୍କ ସିନ୍ଦୁକ ଫେରାଇ ପଠାଅ, ତେବେ ତାହା ଶୂନ୍ୟ ପଠାଅ ନାହିଁ, ମାତ୍ର ତାହାଙ୍କୁ ଅବଶ୍ୟ ଦୋଷାର୍ଥକ ବଳି ଦେଇ ଫେରାଅ। ସେତେବେଳେ ତୁମ୍ଭେମାନେ ସୁସ୍ଥ ହେବ, ପୁଣି ତାହାଙ୍କ ହସ୍ତ ତୁମ୍ଭମାନଙ୍କଠାରୁ କାହିଁକି ଫେରି ନାହିଁ, ତାହା ଜାଣିବ।”

ସେମାନେ ପଚାରିଲେ, “ଆମ୍ଭେମାନେ ତାହାଙ୍କୁ କେଉଁ ଦୋଷାର୍ଥକ ବଳି ଫେରାଇ ଦେବୁ?” ସେମାନେ ଉତ୍ତର ଦେଲେ, “ପଲେଷ୍ଟୀୟ ଅଧିପତିମାନଙ୍କ ସଂଖ୍ୟା ଅନୁସାରେ ପାଞ୍ଚ ସୁବର୍ଣ୍ଣ ଅର୍ଶ ଓ ପାଞ୍ଚ ସୁବର୍ଣ୍ଣ ମୂଷା; କାରଣ ତୁମ୍ଭ ସମସ୍ତଙ୍କୁ ଓ ତୁମ୍ଭମାନଙ୍କ ଅଧିପତିମାନଙ୍କୁ ସେହି ଏକ ମହାମାରୀ ଆକ୍ରମଣ କଲା।

ଏଣୁ ତୁମ୍ଭେମାନେ ଆପଣା ଆପଣା ଅର୍ଶର ଓ ଦେଶ ବିନାଶକାରୀ ମୂଷାମାନଙ୍କର ପ୍ରତିମା ନିର୍ମାଣ କର; ପୁଣି ଇସ୍ରାଏଲର ଈଶ୍ଵରଙ୍କୁ ମହିମା ଦିଅ। ହୋଇପାରେ ସେ ତୁମ୍ଭମାନଙ୍କଠାରୁ, ତୁମ୍ଭମାନଙ୍କ ଦେବତାଗଣଠାରୁ ଓ ତୁମ୍ଭମାନଙ୍କ ଦେଶଠାରୁ ଆପଣା ହସ୍ତ ଉଠାଇ ନେବେ। ମିସର ଓ ଫାରୋ ଯେପରି ଆପଣା ଆପଣା ହୃଦୟ କଠିନ କଲେ, ତୁମ୍ଭେମାନେ କାହିଁକି ସେପରି ଆପଣା ଆପଣା ହୃଦୟ କଠିନ କରିବ? ସେ ସେମାନଙ୍କ ପ୍ରତି କଠୋର ବ୍ୟବହାର କଲା ପରେ, ସେମାନେ କି ଶେଷରେ ଲୋକମାନଙ୍କୁ ଛାଡ଼ିଦେଲେ ନାହିଁ, ଆଉ ସେମାନେ ଚାଲିଗଲେ ନାହିଁ?”

“ଏବେ ତୁମ୍ଭେମାନେ ଗୋଟିଏ ନୂତନ ଶଗଡ଼ ନିଅ, ପୁଣି କେବେ ଯୁଆଳିବନ୍ଧା ହୋଇ ନ ଥିବା ଦୁଗ୍ଧବତୀ ଦୁଇ ଗାଈ ଆଣ, ପୁଣି ସେହି ଗାଈମାନଙ୍କୁ ଶଗଡ଼ରେ ଯୋତ, ମାତ୍ର ସେମାନଙ୍କ ବାଛୁରୀମାନଙ୍କୁ ସେମାନଙ୍କଠାରୁ ଗୃହକୁ ଫେରାଇ ନିଅ। ପୁଣି ସଦାପ୍ରଭୁଙ୍କ ସିନ୍ଦୁକ ନେଇ ଶଗଡ଼ ଉପରେ ଥୁଅ, ଆଉ ଯେଉଁ ସୁବର୍ଣ୍ଣ ଦ୍ରବ୍ୟ ଦୋଷାର୍ଥକ ବଳିରୂପେ ତାହାଙ୍କୁ ଫେରାଇ ଦେଉଅଛ, ତାହା ତହିଁ ପାଖରେ ଗୋଟିଏ ପେଡ଼ିରେ ରଖ; ତହୁଁ ତାହା ପଠାଇ ଦିଅ, ଯେପରି ତାହା ଚାଲିଯାଏ। ପୁଣି ଦେଖ, ଯଦି ତାହା ଆପଣା ଅଞ୍ଚଳର ପଥ ଦେଇ ବେଥ୍-ଶେମଶକୁ ଯାଏ, ତେବେ ସେ ହିଁ ଆମ୍ଭମାନଙ୍କ ଉପରେ ଏହି ମହା ଅମଙ୍ଗଳ ଘଟାଇଅଛନ୍ତି; ମାତ୍ର ଯଦି ନ ଯାଏ, ତେବେ ତାହାଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରି ନାହିଁ, ଏହା ଆକସ୍ମିକ ଘଟଣା ବୋଲି ଆମ୍ଭେମାନେ ଜାଣିବୁ।”

ତହୁଁ ଲୋକମାନେ ସେପରି କଲେ; ଦୁଗ୍ଧବତୀ ଦୁଇ ଗାଈ ନେଇ ଶଗଡ଼ରେ ଯୋତିଲେ, ଆଉ ସେମାନଙ୍କ ବାଛୁରୀମାନଙ୍କୁ ଗୃହରେ ବନ୍ଦ କରି ରଖିଲେ। ପୁଣି ସେମାନେ ଆମ୍ଭମାନଙ୍କ ପିତାଙ୍କ ସିନ୍ଦୁକ ଓ ସୁବର୍ଣ୍ଣ ମୂଷା ଏବଂ ଆପଣାମାନଙ୍କ ଅର୍ଶର ପ୍ରତିମାସବୁ ଥିବା ପେଡ଼ି ଶଗଡ଼ ଉପରେ ଥୁଇଲେ। ତହିଁରେ ଗାଈମାନେ ବେଥ୍-ଶେମଶର ପଥ ଆଡ଼କୁ ସିଧା ଚାଲିଗଲେ; ସେମାନେ ରାଜପଥ ଧରି ହମ୍ବାରବ କରି କରି ଗଲେ, ଦକ୍ଷିଣ କି ବାମ ଆଡ଼କୁ ଫେରିଲେ ନାହିଁ; ପୁଣି ପଲେଷ୍ଟୀୟ ଅଧିପତିମାନେ ବେଥ୍-ଶେମଶର ସୀମା ପର୍ଯ୍ୟନ୍ତ ସେମାନଙ୍କ ପଛେ ପଛେ ଗଲେ। ସେତେବେଳେ ବେଥ୍-ଶେମଶର ଲୋକମାନେ ଉପତ୍ୟକାରେ ଗହମ କାଟୁଥିଲେ; ସେମାନେ ଆଖି ଉଠାଇ ସିନ୍ଦୁକ ଦେଖିଲେ, ପୁଣି ତାହା ଦେଖି ଆନନ୍ଦ କଲେ। ଆଉ ଶଗଡ଼ ବେଥ୍-ଶେମଶୀୟ ଯିହୋଶୂୟର କ୍ଷେତ୍ରକୁ ଆସି ସେଠାରେ ଗୋଟିଏ ବୃହତ ପ୍ରସ୍ତର ପାଖରେ ଠିଆ ହେଲା; ତହୁଁ ସେମାନେ ଶଗଡ଼ର କାଠ ଚିରି ସେହି ଗାଈମାନଙ୍କୁ ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ହୋମବଳିରୂପେ ଉତ୍ସର୍ଗ କଲେ। ପୁଣି ଲେବୀୟମାନେ ଆମ୍ଭମାନଙ୍କ ପିତାଙ୍କ ସିନ୍ଦୁକ ଓ ତହିଁ ପାଖରେ ଥିବା ସୁବର୍ଣ୍ଣ ଦ୍ରବ୍ୟ ଥିବା ପେଡ଼ି ଓହ୍ଲାଇ ସେହି ବୃହତ ପ୍ରସ୍ତର ଉପରେ ରଖିଲେ; ଆଉ ବେଥ୍-ଶେମଶର ଲୋକମାନେ ସେହିଦିନ ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ବଳିଦାନ ଉତ୍ସର୍ଗ କଲେ। ପୁଣି ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି ଏହିସବୁ ଦେଖି ସେହିଦିନ ଇକ୍ରୋଣକୁ ଫେରିଗଲେ। ପଲେଷ୍ଟୀୟମାନେ ଆମ୍ଭମାନଙ୍କ ପିତାଙ୍କୁ ଦୋଷାର୍ଥକ ବଳିରୂପେ ଯେଉଁ ସୁବର୍ଣ୍ଣ ଅର୍ଶ ଫେରାଇ ଦେଲେ, ତାହା ଏହି—ଅସ୍‌ଦୋଦ ନିମନ୍ତେ ଗୋଟିଏ, ଗଜ୍ଜା ନିମନ୍ତେ ଗୋଟିଏ, ଅସ୍କିଲୋନ ନିମନ୍ତେ ଗୋଟିଏ, ଗାଥ୍ ନିମନ୍ତେ ଗୋଟିଏ ଓ ଇକ୍ରୋଣ ନିମନ୍ତେ ଗୋଟିଏ। ଆଉ ପ୍ରାଚୀରବେଷ୍ଟିତ ନଗର ଓ ଗ୍ରାମ୍ୟ ପଲ୍ଲୀ ସମେତ ପାଞ୍ଚ ଅଧିପତିଙ୍କ ଅଧୀନ ପଲେଷ୍ଟୀୟମାନଙ୍କ ସମସ୍ତ ନଗରର ସଂଖ୍ୟା ଅନୁସାରେ ସୁବର୍ଣ୍ଣ ମୂଷା ଥିଲା। ଆଉ ଯେଉଁ ବୃହତ ପ୍ରସ୍ତର ଉପରେ ସେମାନେ ଆମ୍ଭମାନଙ୍କ ପିତାଙ୍କ ସିନ୍ଦୁକ ରଖିଥିଲେ, ତାହା ବେଥ୍-ଶେମଶୀୟ ଯିହୋଶୂୟର କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ସାକ୍ଷୀ ସ୍ଵରୂପ ଅଛି। ମାତ୍ର ବେଥ୍-ଶେମଶର ଲୋକମାନେ ନିୟମ-ସିନ୍ଦୁକ ଭିତରକୁ ଚାହିଁଥିବାରୁ ଆମ୍ଭମାନଙ୍କ ପିତା ସେମାନଙ୍କ ମଧ୍ୟରୁ କେତେକ ଲୋକଙ୍କୁ ଆଘାତ କଲେ, ଆଉ ସେ ସତୁରି ଜଣଙ୍କୁ ବଧ କଲେ; ଏହିପରି ମହା ଆଘାତରେ ସେ ଲୋକମାନଙ୍କୁ ଆଘାତ କରିବାରୁ ଲୋକମାନେ ବିଳାପ କଲେ। ତହୁଁ ବେଥ୍-ଶେମଶର ଲୋକମାନେ କହିଲେ, “ଏହି ପବିତ୍ର ଈଶ୍ଵର ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ କିଏ ଠିଆ ହୋଇ ପାରେ? ପୁଣି ସେ ଆମ୍ଭମାନଙ୍କ ନିକଟରୁ କାହା ନିକଟକୁ ଯିବେ?”

ପୁଣି ସେମାନେ କିରୀୟଥ୍-ଯିୟାରୀମ ନିବାସୀମାନଙ୍କ ନିକଟକୁ ଦୂତ ପଠାଇ କହିଲେ, “ପଲେଷ୍ଟୀୟମାନେ ଆମ୍ଭମାନଙ୍କ ପିତାଙ୍କ ସିନ୍ଦୁକ ଫେରାଇ ଆଣିଅଛନ୍ତି; ତୁମ୍ଭେମାନେ ଓହ୍ଲାଇ ଆସି ତାହା ଆପଣାମାନଙ୍କ ନିକଟକୁ ନେଇଯାଅ।”