ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପିତା ଯାରବୀୟାମଙ୍କ ବେଦିକୁ ଦୋଷ ଦିଅନ୍ତି

ଯିହୁଦାରୁ ଆସିଥିବା ଜଣେ ଭବିଷ୍ୟଦ୍‌ବକ୍ତା ଆମ ପିତାଙ୍କ ବାକ୍ୟରେ ଯାରବିୟାମଙ୍କ ବେଦି ଫାଟାଇ ଦିଅନ୍ତି ଓ ତାଙ୍କ ହାତ ଶୁଖାଇ ଦିଅନ୍ତି, ତାʼପରେ ରାଜାଙ୍କ ଭୋଜନ ପ୍ରତ୍ୟାଖ୍ୟାନ କରନ୍ତି କାରଣ ତାଙ୍କୁ ସେଠାରେ କିଛି ନ ଖାଇବାକୁ କୁହାଯାଇଥିଲା। ଜଣେ ବୃଦ୍ଧ ଭବିଷ୍ୟଦ୍‌ବକ୍ତା ତାଙ୍କୁ ମିଛ କହନ୍ତି, ସେ ଖାଆନ୍ତି, ଏବଂ ଘରକୁ ଫେରିବା ବାଟରେ ଏକ ସିଂହ ତାଙ୍କୁ ମାରିଦିଏ।

ଅଧ୍ୟାୟ 13।

ଯାରବୀୟାମ ଧୂପ ଜ୍ଵଳାଇବା ନିମନ୍ତେ ବେଦି ନିକଟରେ ଠିଆ ହୋଇଥିବା ସମୟରେ ପିତାଙ୍କ ବାକ୍ୟ ଅନୁସାରେ ପିତାଙ୍କର ଜଣେ ଲୋକ ଯିହୁଦାରୁ ବେଥେଲକୁ ଆସିଲେ।

ପୁଣି ସେ ପିତାଙ୍କ ବାକ୍ୟ ଅନୁସାରେ ବେଦି ବିରୁଦ୍ଧରେ ଉଚ୍ଚସ୍ଵରରେ କହିଲେ, “ବେଦି, ହେ ବେଦି, ପିତା ଏହା କହନ୍ତି: ଦାଉଦଙ୍କ ବଂଶରେ ଯୋଶୀୟ ନାମକ ଜଣେ ପୁତ୍ର ଜନ୍ମଗ୍ରହଣ କରିବେ। ଯେଉଁ ଉଚ୍ଚସ୍ଥଳୀର ଯାଜକମାନେ ତୁମ୍ଭ ଉପରେ ଧୂପ ଜ୍ଵଳାନ୍ତି, ସେ ସେମାନଙ୍କୁ ତୁମ୍ଭ ଉପରେ ବଳିଦାନ କରିବେ, ଆଉ ତୁମ୍ଭ ଉପରେ ମନୁଷ୍ୟର ଅସ୍ଥି ଦଗ୍ଧ ହେବ।”

ସେହି ଦିନ ସେ ଏକ ଚିହ୍ନ ଦେଇ କହିଲେ, “ପିତା ଯାହା କହିଅଛନ୍ତି, ଏହା ତାହାର ଚିହ୍ନ: ଏହି ବେଦି ବିଦୀର୍ଣ୍ଣ ହେବ ଓ ଏହାର ଉପରିସ୍ଥ ଭସ୍ମ ଢାଳି ଯିବ।”

ପିତାଙ୍କର ଲୋକ ବେଥେଲସ୍ଥ ବେଦି ବିରୁଦ୍ଧରେ ଉଚ୍ଚସ୍ଵରରେ କହିବା ଶୁଣି ଯାରବୀୟାମ ରାଜା ବେଦିରୁ ଆପଣା ହସ୍ତ ବିସ୍ତାର କରି କହିଲେ, “ତାହାକୁ ଧର।” ମାତ୍ର ସେ ତାହା ବିରୁଦ୍ଧରେ ଯେଉଁ ହସ୍ତ ବିସ୍ତାର କଲେ, ତାହା ଶୁଷ୍କ ହୋଇଗଲା, ଆଉ ସେ ତାହା ଆପଣା ଆଡ଼କୁ ଫେରାଇ ପାରିଲେ ନାହିଁ। ପୁଣି ବେଦି ବିଦୀର୍ଣ୍ଣ ହୋଇଗଲା ଓ ବେଦିରୁ ଭସ୍ମ ଢାଳି ଗଲା—ପିତାଙ୍କର ଲୋକ ପିତାଙ୍କ ବାକ୍ୟ ଅନୁସାରେ ଯେଉଁ ଚିହ୍ନ ଦେଇଥିଲେ, ତାହା ଏହି। ତେବେ ରାଜା ପିତାଙ୍କର ଲୋକଙ୍କୁ କହିଲେ, “ବିନୟ କରୁଅଛି, ତୁମ୍ଭ ଈଶ୍ଵରଙ୍କ ଅନୁଗ୍ରହ ପ୍ରାର୍ଥନା କର ଓ ମୋʼ ନିମନ୍ତେ ପ୍ରାର୍ଥନା କର, ଯେପରି ମୋହର ହସ୍ତ ପୁନର୍ବାର ପୂର୍ବ ଅବସ୍ଥାକୁ ଆସେ।” ତହିଁରେ ପିତାଙ୍କର ଲୋକ ପିତାଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ରାଜାଙ୍କର ହସ୍ତ ପୂର୍ବ ପରି ପୁନର୍ବାର ସୁସ୍ଥ ହେଲା।

ତହୁଁ ରାଜା ପିତାଙ୍କର ଲୋକଙ୍କୁ କହିଲେ, “ମୋʼ ସଙ୍ଗରେ ଗୃହକୁ ଆସି ଭୋଜନ କର, ଆଉ ମୁଁ ତୁମ୍ଭକୁ ଦାନ ଦେବି।”

ମାତ୍ର ପିତାଙ୍କର ଲୋକ ରାଜାଙ୍କୁ କହିଲେ, “ଯଦ୍ୟପି ଆପଣ ମୋତେ ଆପଣଙ୍କ ଗୃହର ଅର୍ଦ୍ଧେକ ଦେବେ, ତେବେ ହେଁ ମୁଁ ଆପଣଙ୍କ ସଙ୍ଗରେ ଯିବି ନାହିଁ, କିଅବା ଏ ସ୍ଥାନରେ ଅନ୍ନ ଭୋଜନ ଅବା ଜଳ ପାନ କରିବି ନାହିଁ।

କାରଣ ପିତାଙ୍କ ବାକ୍ୟ ମୋତେ ଏହି ଆଜ୍ଞା ଦେଇ କହିଲା, ‘ତୁମ୍ଭେ ଅନ୍ନ ଭୋଜନ କରିବ ନାହିଁ, କି ଜଳ ପାନ କରିବ ନାହିଁ, କିଅବା ଯେଉଁ ବାଟ ଦେଇ ଆସିଲ, ସେହି ବାଟ ଦେଇ ଫେରିଯିବ ନାହିଁ।’”

ତେଣୁ ସେ ଅନ୍ୟ ବାଟ ଦେଇ ଗଲେ, ଆଉ ଯେଉଁ ବାଟ ଦେଇ ବେଥେଲକୁ ଆସିଥିଲେ, ସେହି ବାଟ ଦେଇ ଫେରିଗଲେ ନାହିଁ।

ବେଥେଲରେ ଜଣେ ବୃଦ୍ଧ ଭାବବାଦୀ ବାସ କରୁଥିଲେ। ତାଙ୍କ ପୁତ୍ରମାନେ ଆସି ସେହି ଦିନ ବେଥେଲରେ ପିତାଙ୍କର ଲୋକ ଯାହା ଯାହା କରିଥିଲେ, ସେସବୁ ତାଙ୍କୁ ଜଣାଇଲେ; ପୁଣି ସେ ରାଜାଙ୍କୁ ଯେଉଁ ବାକ୍ୟ କହିଥିଲେ, ତାହା ମଧ୍ୟ ସେମାନେ ଆପଣା ପିତାଙ୍କୁ ଜଣାଇଲେ।

ତହିଁରେ ସେମାନଙ୍କ ପିତା ପଚାରିଲେ, “ସେ କେଉଁ ବାଟ ଦେଇ ଗଲେ?” ଯିହୁଦାରୁ ଆସିଥିବା ପିତାଙ୍କର ଲୋକ ଯେଉଁ ବାଟ ଦେଇ ଯାଇଥିଲେ, ତାହା ତାଙ୍କ ପୁତ୍ରମାନେ ଦେଖାଇ ଦେଲେ। ତେବେ ସେ ଆପଣା ପୁତ୍ରମାନଙ୍କୁ କହିଲେ, “ମୋʼ ନିମନ୍ତେ ଗର୍ଦ୍ଦଭ ସଜାଅ।” ତହିଁରେ ସେମାନେ ତାଙ୍କ ନିମନ୍ତେ ଗର୍ଦ୍ଦଭ ସଜାନ୍ତେ, ସେ ତହିଁ ଉପରେ ଚଢ଼ିଲେ। ପୁଣି ସେ ପିତାଙ୍କର ଲୋକଙ୍କ ପଛେ ପଛେ ଯାଇ ତାଙ୍କୁ ଅଲୋନ୍‍ ବୃକ୍ଷ ତଳେ ବସିଥିବାର ଦେଖିଲେ, ଆଉ ପଚାରିଲେ, “ଯିହୁଦାରୁ ଯେଉଁ ପିତାଙ୍କର ଲୋକ ଆସିଲେ, ତୁମ୍ଭେ କʼଣ ସେହି?” ସେ କହିଲେ, “ମୁଁ ସେହି।”

ତେବେ ସେ ତାଙ୍କୁ କହିଲେ, “ମୋʼ ସଙ୍ଗରେ ଗୃହକୁ ଆସି ଅନ୍ନ ଭୋଜନ କର।”

ମାତ୍ର ସେ କହିଲେ, “ମୁଁ ତୁମ୍ଭ ସଙ୍ଗରେ ଫେରିଯାଇ ପାରିବି ନାହିଁ, କି ତୁମ୍ଭ ସଙ୍ଗରେ ପ୍ରବେଶ କରି ପାରିବି ନାହିଁ, ଆଉ ଏ ସ୍ଥାନରେ ମୁଁ ତୁମ୍ଭ ସଙ୍ଗରେ ଅନ୍ନ ଭୋଜନ ଅବା ଜଳ ପାନ କରିବି ନାହିଁ। କାରଣ ପିତା ଆପଣା ବାକ୍ୟ ଦ୍ଵାରା ମୋତେ କହିଲେ, ‘ତୁମ୍ଭେ ସେଠାରେ ଅନ୍ନ ଭୋଜନ କରିବ ନାହିଁ, କି ଜଳ ପାନ କରିବ ନାହିଁ, କିଅବା ଯେଉଁ ବାଟ ଦେଇ ଆସିଲ, ସେହି ବାଟ ଦେଇ ଫେରିଯିବ ନାହିଁ।’”

ତହିଁରେ ସେ ତାଙ୍କୁ କହିଲେ, “ମୁଁ ମଧ୍ୟ ତୁମ୍ଭ ପରି ଜଣେ ଭାବବାଦୀ; ଆଉ ଜଣେ ଦୂତ ଈଶ୍ଵରଙ୍କ ବାକ୍ୟ ଦ୍ଵାରା ମୋତେ କହିଲେ, ‘ତାହାକୁ ଆପଣା ସଙ୍ଗରେ ଗୃହକୁ ଫେରାଇ ଆଣ, ଯେପରି ସେ ଅନ୍ନ ଭୋଜନ ଓ ଜଳ ପାନ କରିବ।’” ମାତ୍ର ସେ ତାଙ୍କ ପ୍ରତି ମିଥ୍ୟା କହିଲେ।

ତେଣୁ ପିତାଙ୍କର ଲୋକ ତାଙ୍କ ସଙ୍ଗରେ ଫେରିଯାଇ ତାଙ୍କ ଗୃହରେ ଅନ୍ନ ଭୋଜନ ଓ ଜଳ ପାନ କଲେ। ପୁଣି ସେମାନେ ମେଜ ନିକଟରେ ବସିଥିବା ସମୟରେ ତାଙ୍କୁ ଫେରାଇ ଆଣିଥିବା ଭାବବାଦୀଙ୍କ ନିକଟରେ ପିତାଙ୍କ ବାକ୍ୟ ଉପସ୍ଥିତ ହେଲା।

ତହିଁରେ ସେ ଯିହୁଦାରୁ ଆସିଥିବା ପିତାଙ୍କର ଲୋକଙ୍କ ପ୍ରତି ଉଚ୍ଚସ୍ଵରରେ କହିଲେ, “ପିତା ଏହା କହନ୍ତି: ତୁମ୍ଭେ ତାହାଙ୍କ ବାକ୍ୟର ଅବାଧ୍ୟ ହୋଇଅଛ ଓ ତୁମ୍ଭ ପିତା ତୁମ୍ଭକୁ ଯେଉଁ ଆଜ୍ଞା ଦେଲେ, ତାହା ପାଳନ କରି ନାହଁ, ମାତ୍ର ‘ଅନ୍ନ ଭୋଜନ କରିବ ନାହିଁ, କି ଜଳ ପାନ କରିବ ନାହିଁ’ ବୋଲି ତାହାଙ୍କ କଥିତ ସ୍ଥାନକୁ ଫେରିଆସି ଅନ୍ନ ଭୋଜନ ଓ ଜଳ ପାନ କରିଅଛ, ଏଣୁ ତୁମ୍ଭ ଶବ ତୁମ୍ଭ ପିତୃଲୋକଙ୍କ କବରକୁ ପହଞ୍ଚିବ ନାହିଁ।”

ପିତାଙ୍କର ଲୋକ ଅନ୍ନ ଭୋଜନ ଓ ଜଳ ପାନ କଲା ଉତ୍ତାରେ ସେହି ବୃଦ୍ଧ ଭାବବାଦୀ ଆପଣା ଫେରାଇ ଆଣିଥିବା ଭାବବାଦୀଙ୍କ ନିମନ୍ତେ ଗର୍ଦ୍ଦଭ ସଜାଇଲେ। ପୁଣି ସେ ଆପଣା ବାଟରେ ଯାଉ ଯାଉ ବାଟରେ ଏକ ସିଂହ ତାଙ୍କୁ ଭେଟି ବଧ କଲା; ଆଉ ତାଙ୍କ ଶବ ବାଟରେ ପଡ଼ିଥିଲା, ଆଉ ଗର୍ଦ୍ଦଭ ତହିଁ ପାଖରେ ଠିଆ ହୋଇଥିଲା, ପୁଣି ସିଂହ ମଧ୍ୟ ଶବ ପାଖରେ ଠିଆ ହୋଇଥିଲା। ତହିଁରେ ଲୋକମାନେ ଯାଉ ଯାଉ ବାଟରେ ପଡ଼ିଥିବା ଶବ ଓ ଶବ ପାଖରେ ଠିଆ ହୋଇଥିବା ସିଂହକୁ ଦେଖି ସେହି ବୃଦ୍ଧ ଭାବବାଦୀ ବାସ କରୁଥିବା ନଗରକୁ ଆସି ଏ କଥା ଜଣାଇଲେ। ତାଙ୍କୁ ବାଟରୁ ଫେରାଇ ଆଣିଥିବା ସେହି ଭାବବାଦୀ ଏହା ଶୁଣି କହିଲେ, “ଏ ସେହି ପିତାଙ୍କର ଲୋକ, ଯେ ପିତାଙ୍କ ବାକ୍ୟର ଅବାଧ୍ୟ ହୋଇଥିଲା; ଏଣୁ ପିତା ଯେପରି ତାହାକୁ କହିଥିଲେ, ତଦନୁସାରେ ତାହାକୁ ସିଂହ ହସ୍ତରେ ସମର୍ପଣ କରିଅଛନ୍ତି, ଆଉ ସିଂହ ତାହାକୁ ବିଦୀର୍ଣ୍ଣ କରି ବଧ କରିଅଛି।” ତେବେ ସେ ଆପଣା ପୁତ୍ରମାନଙ୍କୁ କହିଲେ, “ମୋʼ ନିମନ୍ତେ ଗର୍ଦ୍ଦଭ ସଜାଅ।” ତହିଁରେ ସେମାନେ ତାହା ସଜାଇଲେ। ପୁଣି ସେ ଯାଇ ବାଟରେ ପଡ଼ିଥିବା ଶବ ଓ ଶବ ପାଖରେ ଠିଆ ହୋଇଥିବା ଗର୍ଦ୍ଦଭ ଓ ସିଂହକୁ ଦେଖିଲେ; ସିଂହ ଶବ ଖାଇ ନ ଥିଲା, କିଅବା ଗର୍ଦ୍ଦଭକୁ ବିଦୀର୍ଣ୍ଣ କରି ନ ଥିଲା। ତେଣୁ ଭାବବାଦୀ ପିତାଙ୍କର ଲୋକଙ୍କ ଶବ ଉଠାଇ ତାହା ଗର୍ଦ୍ଦଭ ଉପରେ ଥୋଇ ଫେରାଇ ଆଣିଲେ, ଆଉ ବିଳାପ କରିବାକୁ ଓ ତାଙ୍କୁ କବର ଦେବାକୁ ନଗରକୁ ଆସିଲେ। ପୁଣି ସେ ଆପଣା ନିଜ କବରରେ ତାଙ୍କ ଶବ ଥୋଇଲେ; ତହିଁରେ ଲୋକମାନେ “ହାୟ, ମୋହର ଭ୍ରାତା!” ବୋଲି କହି ତାଙ୍କ ନିମନ୍ତେ ବିଳାପ କଲେ।

ପୁଣି ତାଙ୍କୁ କବର ଦେଲା ଉତ୍ତାରେ ସେ ଆପଣା ପୁତ୍ରମାନଙ୍କୁ କହିଲେ, “ମୋହର ମୃତ୍ୟୁ ହେଲେ ତୁମ୍ଭେମାନେ ପିତାଙ୍କର ଲୋକ କବରସ୍ଥ ହୋଇଥିବା କବରରେ ମୋତେ କବର ଦେବ; ତାହାଙ୍କ ଅସ୍ଥି ପାଖରେ ମୋହର ଅସ୍ଥି ଥୋଇବ। କାରଣ ସେ ବେଥେଲସ୍ଥ ବେଦି ବିରୁଦ୍ଧରେ ଓ ଶମରୀୟାର ନଗରସମୂହସ୍ଥ ଉଚ୍ଚସ୍ଥଳୀର ସମସ୍ତ ଗୃହ ବିରୁଦ୍ଧରେ ପିତାଙ୍କ ବାକ୍ୟ ଅନୁସାରେ ଯେଉଁ କଥା ଉଚ୍ଚସ୍ଵରରେ କହିଲେ, ତାହା ନିଶ୍ଚୟ ସଫଳ ହେବ।”

ଏହି ଘଟଣା ଉତ୍ତାରେ ହେଁ ଯାରବୀୟାମ ଆପଣା କୁପଥରୁ ଫେରିଲେ ନାହିଁ; ମାତ୍ର ପୁନର୍ବାର ସର୍ବସାଧାରଣ ଲୋକଙ୍କ ମଧ୍ୟରୁ ଉଚ୍ଚସ୍ଥଳୀର ଯାଜକ ନିଯୁକ୍ତ କଲେ—ଯେକେହି ଇଚ୍ଛା କଲା, ସେ ତାହାକୁ ଅଭିଷେକ କଲେ, ତହିଁରେ ସେମାନେ ଉଚ୍ଚସ୍ଥଳୀର ଯାଜକ ହେଲେ। ପୁଣି ଏହି କାର୍ଯ୍ୟ ଯାରବୀୟାମଙ୍କ ବଂଶ ପ୍ରତି ପାପ ସ୍ଵରୂପ ହେଲା, ତାହା ପୃଥିବୀ ପୃଷ୍ଠରୁ ଉଚ୍ଛିନ୍ନ ଓ ବିନଷ୍ଟ ହେବା ପର୍ଯ୍ୟନ୍ତ।