ମାପିବା ଦଉଡ଼ି ଧରିଥିବା ଜଣେ ବ୍ୟକ୍ତି
ଜଣେ ମାପକ ଯିରୂଶାଲମକୁ ମାପିବାକୁ ବାହାରେ ଓ ତାହାକୁ କୁହାଯାଏ ଚିନ୍ତା କର ନାହିଁ — ନଗର ଯେକୌଣସି ପ୍ରାଚୀରକୁ ଉଛୁଳି ଯିବ। ଆମ ପିତା ନିଜେ ତାହା ଚାରିପାଖରେ ଅଗ୍ନିର ପ୍ରାଚୀର ଓ ତାହା ଭିତରେ ଗୌରବ ହେବେ, ଏବଂ ଅନେକ ଜାତି ତାଙ୍କ ସହିତ ଯୋଗ ଦେଇ ତାଙ୍କର ସନ୍ତାନ ହେବେ।
2 1ତହୁଁ ମୁଁ ଉର୍ଦ୍ଧ୍ଵକୁ ଅନାଇ ହସ୍ତରେ ମାପିବା ଦଉଡ଼ି ଧରିଥିବା ଜଣେ ବ୍ୟକ୍ତିଙ୍କୁ ଦେଖିଲି। 2ମୁଁ ପଚାରିଲି, “ଆପଣ କେଉଁଠାକୁ ଯାଉଅଛନ୍ତି?” ସେ ମୋତେ କହିଲେ, “ଯିରୂଶାଲମ କେତେ ପ୍ରସ୍ଥ ଓ କେତେ ଦୀର୍ଘ, ତାହା ଦେଖିବା ନିମନ୍ତେ ତାହାକୁ ମାପିବାକୁ ଯାଉଅଛି।”
3ମୋʼ ସହିତ କଥାବାର୍ତ୍ତା କରୁଥିବା ଦୂତ ବାହାରିଗଲେ, ପୁଣି ଆଉ ଜଣେ ଦୂତ ତାହାଙ୍କୁ ଭେଟିବା ନିମନ୍ତେ ବାହାରି ଆସିଲେ, 4ଆଉ ତାହାଙ୍କୁ କହିଲେ, “ଦୌଡ଼ି ଯାଇ ଏହି ଯୁବକକୁ କୁହ: ‘ଯିରୂଶାଲମ ଆପଣା ମଧ୍ୟରେ ଏତେ ଅଧିକ ଲୋକ ଓ ପଶୁ ଥିବା ହେତୁ ପ୍ରାଚୀରବିହୀନ ଗ୍ରାମ ପରି ବସତି ହେବ।’
5ଆମ୍ଭେ ସ୍ଵୟଂ ତାହାର ଚତୁର୍ଦ୍ଦିଗରେ ଅଗ୍ନିମୟ ପ୍ରାଚୀର ସ୍ଵରୂପ ହେବା, ଏହା ଆମ୍ଭମାନଙ୍କ ପିତା କହନ୍ତି, ପୁଣି ଆମ୍ଭେ ତାହା ମଧ୍ୟରେ ମହିମାସ୍ଵରୂପ ହେବା।’”
6“ଆସ! ଆସ! ଉତ୍ତର ଦେଶରୁ ପଳାଅ, ଏହା ଆମ୍ଭମାନଙ୍କ ପିତା କହନ୍ତି; କାରଣ ଆମ୍ଭେ ତୁମ୍ଭମାନଙ୍କୁ ଆକାଶର ଚତୁର୍ଦ୍ଦିଗସ୍ଥ ବାୟୁ ପରି ଛିନ୍ନଭିନ୍ନ କରିଅଛୁ, ଏହା ଆମ୍ଭମାନଙ୍କ ପିତା କହନ୍ତି। 7ହେ ସିୟୋନ, ଆସ! ହେ ବାବିଲ କନ୍ୟା ସହିତ ବାସ କରୁଥିବା ତୁମ୍ଭେ, ରକ୍ଷା ପାଅ!
8ଯେଉଁ ଗୋଷ୍ଠୀସମୂହ ତୁମ୍ଭମାନଙ୍କୁ ଲୁଣ୍ଠନ କଲେ, ସେମାନଙ୍କ ବିରୁଦ୍ଧରେ ଆପଣା ମହିମା ନିମନ୍ତେ ସେ ମୋତେ ପ୍ରେରଣ କଲା ଉତ୍ତାରେ ସ୍ଵର୍ଗୀୟ ସୈନ୍ୟବାହିନୀର ପିତା ଏହା କହନ୍ତି: ଯେ ତୁମ୍ଭମାନଙ୍କୁ ସ୍ପର୍ଶ କରେ, ସେ ତାହାଙ୍କ ଚକ୍ଷୁର ତାରାକୁ ସ୍ପର୍ଶ କରେ:
9କାରଣ ଦେଖ, ମୁଁ ସେମାନଙ୍କ ଉପରେ ଆପଣା ହସ୍ତ ହଲାଇବି, ତହିଁରେ ସେମାନେ ଆପଣାମାନଙ୍କର ଦାସ୍ୟକର୍ମ କରିଥିବା ଲୋକମାନଙ୍କ ପ୍ରତି ଲୁଣ୍ଠିତ ଦ୍ରବ୍ୟ ହେବେ। ସେତେବେଳେ ତୁମ୍ଭେମାନେ ଜାଣିବ ଯେ, ସ୍ଵର୍ଗୀୟ ସୈନ୍ୟବାହିନୀର ପିତା ମୋତେ ପ୍ରେରଣ କରିଅଛନ୍ତି।
10ହେ ସିୟୋନ କନ୍ୟା, ଗାନ କର ଓ ଆନନ୍ଦ କର! କାରଣ ଦେଖ, ଆମ୍ଭେ ଆସି ତୁମ୍ଭ ମଧ୍ୟରେ ବାସ କରିବା, ଏହା ଆମ୍ଭମାନଙ୍କ ପିତା କହନ୍ତି।
11“ସେଦିନ ଅନେକ ଗୋଷ୍ଠୀ ଆମ୍ଭମାନଙ୍କ ପିତାଙ୍କ ସଙ୍ଗେ ଯୋଗ ଦେବେ ଓ ଆମ୍ଭର ସନ୍ତାନ ହେବେ। ଆଉ ଆମ୍ଭେ ତୁମ୍ଭ ମଧ୍ୟରେ ବାସ କରିବା, ପୁଣି ତୁମ୍ଭେ ଜାଣିବ ଯେ, ସ୍ଵର୍ଗୀୟ ସୈନ୍ୟବାହିନୀର ପିତା ମୋତେ ତୁମ୍ଭ ନିକଟକୁ ପ୍ରେରଣ କରିଅଛନ୍ତି। 12ପୁଣି ଆମ୍ଭମାନଙ୍କ ପିତା ପବିତ୍ର ଦେଶ ମଧ୍ୟରେ ଯିହୁଦାକୁ ଆପଣା ଅଂଶ ରୂପେ ଅଧିକାର କରିବେ, ଓ ପୁନର୍ବାର ଯିରୂଶାଲମକୁ ମନୋନୀତ କରିବେ।
13ହେ ସମସ୍ତ ପ୍ରାଣୀ, ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ନୀରବ ହୁଅ; କାରଣ ସେ ଆପଣା ପବିତ୍ର ବାସସ୍ଥାନରୁ ଉଠିଅଛନ୍ତି।”