ସତ୍କର୍ମକାରୀ କେହି ନାହିଁ
ପ୍ରଧାନ ବାଦ୍ୟକରଙ୍କ ନିମନ୍ତେ; ମହଲତ୍ ସ୍ଵରରେ। ଦାଉଦଙ୍କ ଏକ ଜ୍ଞାନଗର୍ଭକ ଗୀତ।
ପ୍ରାୟ ଗୀତସଂହିତା ୧୪ ସହ ଅବିକଳ। ଆମ୍ଭମାନଙ୍କ ପିତା ସମଗ୍ର ମାନବଜାତିକୁ ନିରୀକ୍ଷଣ କରି ବୁଝୁଥିବା ଜଣେ ଲୋକକୁ ଖୋଜନ୍ତି, ଓ କାହାକୁ ପାଆନ୍ତି ନାହିଁ। ଯେଉଁମାନେ ତାହାଙ୍କ ଲୋକଙ୍କୁ ଗ୍ରାସ କରନ୍ତି, ସେମାନେ ଭୟର କିଛି ନ ଥିବା ସ୍ଥାନରେ ଆତଙ୍କଗ୍ରସ୍ତ ହୁଅନ୍ତି। ଏହା ସିୟୋନରୁ ପରିତ୍ରାଣର ଆକାଂକ୍ଷାରେ ଶେଷ ହୁଏ।
53 1ମୂର୍ଖ ଆପଣା ମନେ ମନେ କହେ, “ଈଶ୍ଵର ନାହାନ୍ତି।” ସେମାନେ ଭ୍ରଷ୍ଟ, ଘୃଣ୍ୟ କୁକର୍ମ କରନ୍ତି; ସତ୍କର୍ମକାରୀ କେହି ନାହିଁ।
2ବୁଝିବା ଲୋକ କେହି ଅଛନ୍ତି କି, ପିତାଙ୍କ ଅନ୍ଵେଷଣକାରୀ କେହି ଅଛନ୍ତି କି, ଏହା ଦେଖିବା ନିମନ୍ତେ ଆମ୍ଭମାନଙ୍କ ପିତା ସ୍ଵର୍ଗରୁ ସମଗ୍ର ମନୁଷ୍ୟଜାତି ପ୍ରତି ଦୃଷ୍ଟିପାତ କଲେ। 3ସେମାନେ ସମସ୍ତେ ବିପଥଗାମୀ ହୋଇଅଛନ୍ତି; ସେମାନେ ଏକତ୍ର ଭ୍ରଷ୍ଟ ହୋଇଅଛନ୍ତି; ସତ୍କର୍ମକାରୀ କେହି ନାହିଁ, ଜଣେ ହେଲେ ନାହିଁ।
4ଯେଉଁମାନେ ଅନ୍ନ ଭୋଜନ କଲା ପରି ମୋʼ ଲୋକମାନଙ୍କୁ ଗ୍ରାସ କରନ୍ତି, ପୁଣି ଆମ୍ଭମାନଙ୍କ ପିତାଙ୍କୁ ଡାକନ୍ତି ନାହିଁ, ସେହି ଅଧର୍ମାଚାରୀମାନଙ୍କର କʼଣ ଜ୍ଞାନ ନାହିଁ? 5ଯେଉଁଠାରେ ଭୟର କିଛି କାରଣ ନ ଥିଲା, ସେହିଠାରେ ସେମାନେ ଅତିଶୟ ଭୟଗ୍ରସ୍ତ ହେଲେ; କାରଣ ଆମ୍ଭମାନଙ୍କ ପିତା ତୁମ୍ଭ ବିରୁଦ୍ଧରେ ଛାଉଣି ସ୍ଥାପନ କରିଥିବା ଲୋକର ଅସ୍ଥିସବୁ ବିଞ୍ଚିଦେଲେ; ତୁମ୍ଭେ ସେମାନଙ୍କୁ ଲଜ୍ଜିତ କଲ, କାରଣ ଆମ୍ଭମାନଙ୍କ ପିତା ସେମାନଙ୍କୁ ଅଗ୍ରାହ୍ୟ କରିଅଛନ୍ତି।
6ଆଃ, ସିୟୋନଠାରୁ ଇସ୍ରାଏଲର ପରିତ୍ରାଣ ଆସନ୍ତା! ଯେତେବେଳେ ଆମ୍ଭମାନଙ୍କ ପିତା ଆପଣା ଲୋକମାନଙ୍କ ଦଶା ଫେରାଇ ଆଣିବେ, ସେତେବେଳେ ଯାକୁବ ଉଲ୍ଲସିତ ହେଉ, ଇସ୍ରାଏଲ ଆନନ୍ଦିତ ହେଉ।