ଜଳ ଉପରେ ଆପଣା ଆହାର
ତୁମ୍ଭର ରୁଟି ଜଳ ଉପରେ ପଠାଅ ଓ ତୁମ୍ଭର ଅଂଶ ଅନେକଙ୍କୁ ବାଣ୍ଟି ଦିଅ, କାରଣ କି ବିପଦ ଆସୁଛି ତାହା ତୁମ୍ଭେ ଜାଣି ନ ପାର। ଯେ ପବନକୁ ଚାହିଁ ରହେ, ସେ କେବେ ବୁଣେ ନାହିଁ। ସକାଳେ ଓ ସନ୍ଧ୍ୟାରେ ବୁଣ, ଆଲୋକ ଉପଭୋଗ କର, ଆଗାମୀ ଅନ୍ଧକାର ଦିନସବୁ ମନେ ରଖ, ଏବଂ ଜାଣ ଯେ ପରମେଶ୍ୱର ଯୌବନକୁ ବିଚାରକୁ ଆଣିବେ।
11 1ଜଳ ଉପରେ ଆପଣା ଆହାର ପକାଅ, କାରଣ ଅନେକ ଦିନ ଉତ୍ତାରେ ତୁମ୍ଭେ ତାହା ପୁନର୍ବାର ପାଇବ। 2ସାତ ଜଣଙ୍କୁ, ଆଉ ଆଠ ଜଣଙ୍କୁ ମଧ୍ୟ ଏକ ଅଂଶ ଦିଅ, କାରଣ ଦେଶ ଉପରେ କି ବିପଦ ଆସିବ, ତାହା ତୁମ୍ଭେ ଜାଣ ନାହିଁ। 3ଯଦି ମେଘମାଳା ଜଳରେ ପରିପୂର୍ଣ୍ଣ ହୁଏ, ତେବେ ସେମାନେ ପୃଥିବୀ ଉପରେ ବୃଷ୍ଟି ଢାଳନ୍ତି; ଆଉ ଯଦି ବୃକ୍ଷ ଦକ୍ଷିଣ କିମ୍ବା ଉତ୍ତର ଦିଗକୁ ପଡ଼େ, ତେବେ ଯେଉଁ ସ୍ଥାନରେ ତାହା ପଡ଼େ, ସେହି ସ୍ଥାନରେ ହିଁ ତାହା ପଡ଼ି ରହିବ। 4ଯେ ବାୟୁ ପ୍ରତି ଦୃଷ୍ଟି କରେ, ସେ କଦାପି ବୀଜ ବୁଣିବ ନାହିଁ, ପୁଣି ଯେ ମେଘମାଳା ନିରୀକ୍ଷଣ କରେ, ସେ କଦାପି ଶସ୍ୟ କାଟିବ ନାହିଁ।
5ଯେପରି ବାୟୁର ପଥ, ଅବା ଗର୍ଭବତୀ ସ୍ତ୍ରୀର ଉଦରରେ କିପରି ଅସ୍ଥିସବୁ ଗଠିତ ହୁଏ, ତାହା ତୁମ୍ଭେ ଜାଣ ନାହିଁ, ସେହିପରି ସମସ୍ତ ବିଷୟର ନିର୍ମାଣକର୍ତ୍ତା ଈଶ୍ଵରଙ୍କ କାର୍ଯ୍ୟ ତୁମ୍ଭେ ଜାଣି ପାର ନାହିଁ।
6ପ୍ରାତଃକାଳରେ ଆପଣା ବୀଜ ବୁଣ, ପୁଣି ସନ୍ଧ୍ୟାକାଳରେ ଆପଣା ହସ୍ତକୁ ବିଶ୍ରାମ ଦିଅ ନାହିଁ, କାରଣ ଏହା କିମ୍ବା ତାହା, କେଉଁଟି ସଫଳ ହେବ, ଅଥବା ଉଭୟ ସମାନ ଭାବେ ଉତ୍ତମ ହେବ କି ନାହିଁ, ତାହା ତୁମ୍ଭେ ଜାଣ ନାହିଁ।
ଆଲୋକ ମଧୁର
7ଆଲୋକ ମଧୁର, ପୁଣି ସୂର୍ଯ୍ୟକୁ ଦେଖିବା ଚକ୍ଷୁ ନିମନ୍ତେ ମନୋରମ।
8ଅତଏବ ଯଦି ମନୁଷ୍ୟ ଅନେକ ବର୍ଷ ବଞ୍ଚେ, ତେବେ ସେ ସେହି ସମସ୍ତରେ ଆନନ୍ଦ କରୁ; ମାତ୍ର ସେ ଅନ୍ଧକାରମୟ ଦିନସବୁ ସ୍ମରଣ କରୁ, କାରଣ ସେସବୁ ଅନେକ ହେବ। ଯାହା କିଛି ଆସେ, ସେ ସମସ୍ତ କ୍ଷଣସ୍ଥାୟୀ।
9ହେ ଯୁବକ, ତୁମ୍ଭେ ଆପଣା ଯୌବନରେ ଆନନ୍ଦ କର, ପୁଣି ଆପଣା ଯୌବନ କାଳରେ ତୁମ୍ଭ ହୃଦୟ ତୁମ୍ଭକୁ ଆନନ୍ଦିତ କରୁ। ତୁମ୍ଭେ ଆପଣା ହୃଦୟର ପଥରେ ଓ ଆପଣା ଚକ୍ଷୁର ଦୃଷ୍ଟିରେ ଗମନ କର; ମାତ୍ର ଏହା ଜାଣ ଯେ, ଏସମସ୍ତ ବିଷୟ ନିମନ୍ତେ ଈଶ୍ଵର ତୁମ୍ଭକୁ ବିଚାରକୁ ଆଣିବେ।
10ଅତଏବ ଆପଣା ହୃଦୟରୁ ବିରକ୍ତି ଦୂର କର, ପୁଣି ଆପଣା ଶରୀରରୁ ଯନ୍ତ୍ରଣା ଦୂର କର, କାରଣ ଯୌବନ ଓ ଜୀବନର ଅରୁଣୋଦୟ କ୍ଷଣସ୍ଥାୟୀ।