ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପିତା ପିତରଙ୍କ ହସ୍ତ ଦ୍ଵାରା ସୁସ୍ଥ କରନ୍ତି

ମନ୍ଦିର ଫାଟକରେ ଭିକ ମାଗୁଥିବା ଜଣେ ଲୋକକୁ ତା ଜୀବନର ପ୍ରତିଦିନ ସେଠାକୁ ବୋହି ଅଣାଯାଇଛି। ପିତରଙ୍କ ପାଖରେ ମୁଦ୍ରା ନାହିଁ, ସେ ବଦଳରେ ତାର ହାତ ଧରନ୍ତି, ଆଉ ସେ ଲୋକ ଡେଇଁ ଡେଇଁ ଭିତରକୁ ଚାଲିଯାଏ। ଚକିତ ଜନତାକୁ ପିତର ଜୋର ଦେଇ କହନ୍ତି ଯେ ଏ ଶକ୍ତି ତାଙ୍କ ନିଜର ନୁହେଁ, ଆମ ପିତାଙ୍କର।

ଅଧ୍ୟାୟ 3।

ପିତର ଓ ଯୋହନ ଅପରାହ୍ନ ପ୍ରାୟ ତିନି ଘଣ୍ଟା ସମୟ, ଅର୍ଥାତ୍ ପ୍ରାର୍ଥନାର ସମୟରେ ମନ୍ଦିରକୁ ଯାଉଥିଲେ। ଜନ୍ମାବଧି ଛୋଟା ଥିବା ଜଣେ ବ୍ୟକ୍ତିକୁ ପ୍ରତିଦିନ ବହନ କରି ସୁନ୍ଦର ନାମକ ମନ୍ଦିର ଦ୍ଵାର ନିକଟରେ ରଖାଯାଉଥିଲା, ଯେପରି ସେ ମନ୍ଦିରରେ ପ୍ରବେଶ କରୁଥିବା ଲୋକମାନଙ୍କଠାରୁ ଭିକ୍ଷା ମାଗିପାରେ। ପିତର ଓ ଯୋହନଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଉଦ୍ୟତ ଦେଖି ସେ ସେମାନଙ୍କୁ ଅର୍ଥ ମାଗିଲା। ସେଥିରେ ପିତର ଯୋହନଙ୍କ ସହିତ ତାହା ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ କହିଲେ, “ଆମ୍ଭମାନଙ୍କ ପ୍ରତି ଦୃଷ୍ଟି କର।” ତହିଁରେ ସେ ସେମାନଙ୍କଠାରୁ କିଛି ପାଇବ ବୋଲି ଆଶା କରି ସେମାନଙ୍କ ପ୍ରତି ମନୋଯୋଗ କଲା। ପିତର କହିଲେ, “ମୋହର ରୂପା କି ସୁନା ନାହିଁ, କିନ୍ତୁ ମୋʼର ଯାହା ଅଛି, ତାହା ମୁଁ ତୁମ୍ଭକୁ ଦେଉଅଛି; ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଉଠ ଓ ଚାଲ।” ପୁଣି ସେ ତାହାର ଡାହାଣ ହାତ ଧରି ତାହାକୁ ଉଠାଇଲେ; ସେହିକ୍ଷଣି ତାହାର ପାଦ ଓ ଗୋଇଠି ଦୃଢ଼ ହେଲା। ଆଉ ସେ ଡେଇଁ ଉଠି ଠିଆ ହେଲା ଓ ଚାଲିବାକୁ ଲାଗିଲା, ପୁଣି ଚାଲୁ ଚାଲୁ ଓ ଡେଇଁ ଡେଇଁ ଆମ୍ଭମାନଙ୍କ ପିତାଙ୍କ ପ୍ରଶଂସା କରି ସେମାନଙ୍କ ସହିତ ମନ୍ଦିରରେ ପ୍ରବେଶ କଲା। ଆଉ ସମସ୍ତ ଲୋକ ତାହାକୁ ଚାଲୁଥିବା ଓ ଆମ୍ଭମାନଙ୍କ ପିତାଙ୍କ ପ୍ରଶଂସା କରୁଥିବା ଦେଖିଲେ। ପୁଣି ସେ ମନ୍ଦିରର ସୁନ୍ଦର ଦ୍ଵାର ନିକଟରେ ବସି ଭିକ୍ଷା ମାଗୁଥିବା ବ୍ୟକ୍ତି ବୋଲି ଚିହ୍ନି ତାହା ପ୍ରତି ଘଟିଥିବା ଘଟଣାରେ ଆଶ୍ଚର୍ଯ୍ୟ ଓ ବିସ୍ମୟରେ ପରିପୂର୍ଣ୍ଣ ହେଲେ।

ପିତର ପିତାଙ୍କ ସେବକଙ୍କୁ ଘୋଷଣା କରନ୍ତି

ଆଉ ସେ ପିତର ଓ ଯୋହନଙ୍କୁ ଧରିଥିବା ସମୟରେ ସମସ୍ତ ଲୋକ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ଶଲୋମନଙ୍କ ନାମକ ବାରଣ୍ଡାରେ ସେମାନଙ୍କ ନିକଟକୁ ଦୌଡ଼ି ଆସିଲେ। ଏହା ଦେଖି ପିତର ଲୋକମାନଙ୍କୁ କହିଲେ, “ହେ ଇସ୍ରାଏଲୀୟ ଲୋକମାନେ, ଏଥିରେ କାହିଁକି ଆଶ୍ଚର୍ଯ୍ୟ ହେଉଅଛ? କିମ୍ବା ଆମ୍ଭେମାନେ ଆପଣା ଶକ୍ତି କି ଧର୍ମନିଷ୍ଠା ଦ୍ଵାରା ଏହାକୁ ଚଲାଇଲୁ ବୋଲି ଭାବି ଆମ୍ଭମାନଙ୍କ ପ୍ରତି କାହିଁକି ଏକଦୃଷ୍ଟିରେ ଚାହୁଁଅଛ? ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ଈଶ୍ଵର, ଆମ୍ଭମାନଙ୍କ ପିତୃପୁରୁଷଙ୍କ ଈଶ୍ଵର ଆପଣା ସେବକ ଯୀଶୁଙ୍କୁ ମହିମାନ୍ଵିତ କଲେ, ଯାହାଙ୍କୁ ତୁମ୍ଭେମାନେ ସମର୍ପଣ କଲ ଓ ପୀଲାତ ତାହାଙ୍କୁ ମୁକ୍ତ କରିବା ନିମନ୍ତେ ବିଚାର କରିଥିବା ସମୟରେ ତାହାଙ୍କ ସମ୍ମୁଖରେ ଅସ୍ଵୀକାର କଲ। କିନ୍ତୁ ତୁମ୍ଭେମାନେ ସେହି ପବିତ୍ର ଓ ଧାର୍ମିକ ପୁରୁଷଙ୍କୁ ଅସ୍ଵୀକାର କରି ଜଣେ ନରଘାତକକୁ ତୁମ୍ଭମାନଙ୍କ ପାଇଁ ଦିଆଯିବାକୁ ମାଗିଲ। ତୁମ୍ଭେମାନେ ଜୀବନର ଅଧିପତିଙ୍କୁ ବଧ କଲ; ଆମ୍ଭମାନଙ୍କ ପିତା ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ। ଏ ବିଷୟରେ ଆମ୍ଭେମାନେ ସାକ୍ଷୀ ଅଟୁ। ଆଉ ତାହାଙ୍କ ନାମ, ତାହାଙ୍କ ନାମରେ ବିଶ୍ଵାସ ଦ୍ଵାରା, ଏହି ଲୋକକୁ ଦୃଢ଼ କରିଅଛି—ଯାହାକୁ ତୁମ୍ଭେମାନେ ଦେଖୁଅଛ ଓ ଜାଣୁଅଛ। ଆଉ ଯୀଶୁଙ୍କଠାରେ ବିଶ୍ଵାସ ତୁମ୍ଭ ସମସ୍ତଙ୍କ ସମ୍ମୁଖରେ ଏହାକୁ ଏହି ସମ୍ପୂର୍ଣ୍ଣ ସୁସ୍ଥତା ଦେଇଅଛି।

“ଆଉ ହେ ଭାଇମାନେ, ମୁଁ ଜାଣେ ଯେ, ତୁମ୍ଭମାନଙ୍କ ଅଧ୍ୟକ୍ଷମାନଙ୍କ ପରି ତୁମ୍ଭେମାନେ ମଧ୍ୟ ଅଜ୍ଞାନତା ଯୋଗୁଁ ଏହା କଲ। କିନ୍ତୁ ଆମ୍ଭମାନଙ୍କ ପିତା ସମସ୍ତ ଭାବବାଦୀଙ୍କ ମୁଖ ଦ୍ଵାରା ଯାହା ପୂର୍ବରୁ କହିଥିଲେ, ଅର୍ଥାତ୍ ତାହାଙ୍କ ଖ୍ରୀଷ୍ଟ ଦୁଃଖଭୋଗ କରିବେ ବୋଲି, ତାହା ସେ ଏହିପରି ସଫଳ କଲେ। ଅତଏବ ମନପରିବର୍ତ୍ତନ କରି ଫେର, ଯେପରି ତୁମ୍ଭମାନଙ୍କ ପାପ ମାର୍ଜିତ ହୁଏ, ପୁଣି ଆମ୍ଭମାନଙ୍କ ପିତାଙ୍କ ସାକ୍ଷାତରୁ ଯେପରି ବିଶ୍ରାମର କାଳ ଉପସ୍ଥିତ ହୁଏ, ଆଉ ତୁମ୍ଭମାନଙ୍କ ନିମନ୍ତେ ନିରୂପିତ ଖ୍ରୀଷ୍ଟ, ଅର୍ଥାତ୍ ଯୀଶୁଙ୍କୁ ସେ ଯେପରି ପ୍ରେରଣ କରନ୍ତି, ଯାହାଙ୍କୁ ସମସ୍ତ ବିଷୟର ପୁନଃସ୍ଥାପନ ହେବା ପର୍ଯ୍ୟନ୍ତ ସ୍ଵର୍ଗ ଗ୍ରହଣ କରିବାକୁ ହେବ, ଯେଉଁ ବିଷୟରେ ଆମ୍ଭମାନଙ୍କ ପିତା ପ୍ରାଚୀନକାଳରେ ଆପଣା ପବିତ୍ର ଭାବବାଦୀଙ୍କ ମୁଖ ଦ୍ଵାରା କହିଥିଲେ। ମୋଶା କହିଥିଲେ, ‘ତୁମ୍ଭମାନଙ୍କ ପିତା ତୁମ୍ଭମାନଙ୍କ ଭାଇମାନଙ୍କ ମଧ୍ୟରୁ ମୋʼ ପରି ଜଣେ ଭାବବାଦୀଙ୍କୁ ତୁମ୍ଭମାନଙ୍କ ନିମନ୍ତେ ଉତ୍ପନ୍ନ କରିବେ। ସେ ତୁମ୍ଭମାନଙ୍କୁ ଯାହା କିଛି କହିବେ, ସେ ସମସ୍ତ ବିଷୟରେ ତାହାଙ୍କ କଥା ଶୁଣ।’ ଯେକେହି ସେହି ଭାବବାଦୀଙ୍କ କଥା ନ ଶୁଣିବ, ସେ ଲୋକମାନଙ୍କ ମଧ୍ୟରୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛିନ୍ନ ହେବ।’ ଆଉ ଶାମୁୟେଲଙ୍କଠାରୁ ଆରମ୍ଭ କରି ଯେତେ ଭାବବାଦୀ କଥା କହିଅଛନ୍ତି, ସେମାନେ ସମସ୍ତେ ମଧ୍ୟ ଏହି କାଳ ବିଷୟରେ ଘୋଷଣା କରିଅଛନ୍ତି। ତୁମ୍ଭେମାନେ ଭାବବାଦୀମାନଙ୍କ ସନ୍ତାନ, ପୁଣି ଆମ୍ଭମାନଙ୍କ ପିତା ତୁମ୍ଭମାନଙ୍କ ପିତୃପୁରୁଷଙ୍କ ସହିତ ଯେଉଁ ନିୟମ ସ୍ଥାପନ କଲେ, ତାହାର ସନ୍ତାନ, ଯେତେବେଳେ ସେ ଅବ୍ରହାମଙ୍କୁ କହିଥିଲେ, ‘ତୁମ୍ଭ ବଂଶ ଦ୍ଵାରା ପୃଥିବୀର ସମସ୍ତ ଗୋଷ୍ଠୀ ଆଶୀର୍ବାଦ ପ୍ରାପ୍ତ ହେବେ।’ ଆମ୍ଭମାନଙ୍କ ପିତା ଆପଣା ସେବକଙ୍କୁ ଉତ୍ପନ୍ନ କରି, ତୁମ୍ଭମାନଙ୍କ ପ୍ରତ୍ୟେକଙ୍କୁ ଆପଣା ଆପଣା ଦୁଷ୍କର୍ମରୁ ଫେରାଇ ଆଶୀର୍ବାଦ କରିବା ନିମନ୍ତେ ତାହାଙ୍କୁ ପ୍ରଥମେ ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କଲେ।”