ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପାଉଲ ତୀମଥିଙ୍କ ନିକଟକୁ ଲେଖନ୍ତି

ମୃତ୍ୟୁର ନିକଟରେ ଲେଖାଯାଇଥିବା ପାଉଲଙ୍କ ଶେଷ ପତ୍ର, ଯେଉଁଥିରେ ସେ ତୀମଥିଙ୍କ ହାତରେ ମଶାଲ ସମର୍ପଣ କରି ତାହାଙ୍କୁ ବାକ୍ୟ ପ୍ରଚାର କରିବାକୁ ଆଦେଶ ଦିଅନ୍ତି।

ଅଧ୍ୟାୟ 1।

ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଜୀବନର ପ୍ରତିଜ୍ଞା ଅନୁସାରେ ଆମ୍ଭମାନଙ୍କ ପିତାଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ପ୍ରେରିତ ଯେ ମୁଁ ପାଉଲ, ମୋହର ପ୍ରିୟ ସନ୍ତାନ ତୀମଥିଙ୍କ ନିକଟକୁ; ଆମ୍ଭମାନଙ୍କ ପିତା ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, କୃପା ଓ ଶାନ୍ତି ବର୍ତ୍ତୁ।

ଆମ୍ଭମାନଙ୍କ ପିତା ତୁମ୍ଭକୁ ଦେଇଥିବା ଅଗ୍ନିଶିଖାକୁ ପ୍ରଜ୍ଵଳିତ କର

ମୋହର ପୂର୍ବପୁରୁଷମାନଙ୍କ ପରି ମୁଁ ଶୁଦ୍ଧ ବିବେକରେ ଯେଉଁ ପିତାଙ୍କ ସେବା କରୁଅଛି, ତାହାଙ୍କୁ ମୁଁ ଧନ୍ୟବାଦ ଦେଉଅଛି, ଆଉ ମୋହର ପ୍ରାର୍ଥନାରେ ଦିବାରାତ୍ର ନିରନ୍ତର ତୁମ୍ଭକୁ ସ୍ମରଣ କରୁଅଛି। ତୁମ୍ଭର ଲୋତକ ସ୍ମରଣ କରି, ଯେପରି ଆନନ୍ଦରେ ପରିପୂର୍ଣ୍ଣ ହୁଏ, ଏଥିପାଇଁ ତୁମ୍ଭକୁ ଦେଖିବାକୁ ବହୁ ବାଞ୍ଛା କରୁଅଛି। ତୁମ୍ଭର ଯେଉଁ ନିଷ୍କପଟ ବିଶ୍ଵାସ ପ୍ରଥମେ ତୁମ୍ଭ ଜେଜେମା ଲୋୟୀ ଓ ମାତା ଇଉନୀକୀଙ୍କଠାରେ ଜୀବନ୍ତ ଥିଲା, ତାହା ଏବେ ତୁମ୍ଭଠାରେ ମଧ୍ୟ ଅଛି ବୋଲି ମୁଁ ନିଶ୍ଚିତ ଜାଣି ତାହା ସ୍ମରଣ କରୁଅଛି।

ଏଣୁ ମୋʼ ହସ୍ତାର୍ପଣ ଦ୍ଵାରା ତୁମ୍ଭଠାରେ ଥିବା ଆମ୍ଭମାନଙ୍କ ପିତାଙ୍କ ଦାନକୁ ପ୍ରଜ୍ଵଳିତ କରିବା ନିମନ୍ତେ ମୁଁ ତୁମ୍ଭକୁ ସ୍ମରଣ କରାଉଅଛି। କାରଣ ଆମ୍ଭମାନଙ୍କ ପିତା ଆମ୍ଭମାନଙ୍କୁ ଭୟର ଆତ୍ମା ଦେଇ ନାହାନ୍ତି, ମାତ୍ର ଶକ୍ତି, ପ୍ରେମ ଓ ଆତ୍ମସଂଯମର ଆତ୍ମା ଦେଇଅଛନ୍ତି। ଅତଏବ ଆମ୍ଭମାନଙ୍କ ପ୍ରଭୁଙ୍କ ସାକ୍ଷ୍ୟ ବିଷୟରେ, କିମ୍ବା ତାହାଙ୍କ ବନ୍ଦୀ ଯେ ମୁଁ, ମୋʼ ବିଷୟରେ ଲଜ୍ଜିତ ନ ହୋଇ, ଆମ୍ଭମାନଙ୍କ ପିତାଙ୍କ ଶକ୍ତି ଅନୁସାରେ ସୁସମାଚାର ନିମନ୍ତେ ଦୁଃଖଭୋଗର ସହଭାଗୀ ହୁଅ। ସେ ଆମ୍ଭମାନଙ୍କୁ ପରିତ୍ରାଣ କଲେ ଓ ଏକ ପବିତ୍ର ଆହ୍ଵାନରେ ଆହ୍ଵାନ କଲେ, ଆମ୍ଭମାନଙ୍କ କର୍ମାନୁସାରେ ନୁହେଁ, ମାତ୍ର ଆପଣା ସଂକଳ୍ପ ଓ ଅନୁଗ୍ରହ ଅନୁସାରେ, ଯାହା କାଳ ଆରମ୍ଭ ହେବା ପୂର୍ବରୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ଦିଆଯାଇଥିଲା, ଆଉ ଏବେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଆବିର୍ଭାବ ଦ୍ଵାରା ତାହା ପ୍ରକାଶିତ ହେଲା, ଯେ ମୃତ୍ୟୁକୁ ଲୋପ କରି ସୁସମାଚାର ଦ୍ଵାରା ଜୀବନ ଓ ଅମରତାକୁ ଆଲୋକିତ କଲେ। ଏହି ସୁସମାଚାର ନିମନ୍ତେ ମୁଁ ପ୍ରଚାରକ, ପ୍ରେରିତ ଓ ଶିକ୍ଷକ ରୂପେ ନିଯୁକ୍ତ ହେଲି। ସେଥିପାଇଁ ମୁଁ ଏପରି ଦୁଃଖଭୋଗ କରୁଅଛି। କିନ୍ତୁ ମୁଁ ଲଜ୍ଜିତ ହୁଏ ନାହିଁ, କାରଣ ମୁଁ ଯାହାଙ୍କଠାରେ ବିଶ୍ଵାସ କରିଅଛି, ତାହାଙ୍କୁ ଜାଣେ, ଆଉ ମୋʼ ନିକଟରେ ଗଚ୍ଛିତ ବିଷୟକୁ ସେ ସେହି ଦିନ ପର୍ଯ୍ୟନ୍ତ ରକ୍ଷା କରିବାକୁ ସମର୍ଥ ବୋଲି ନିଶ୍ଚିତ ଜାଣେ।

ମୋʼଠାରୁ ଯେଉଁ ହିତଜନକ ବାକ୍ୟସମୂହ ଶୁଣିଅଛ, ତାହାର ଆଦର୍ଶକୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ବିଶ୍ଵାସ ଓ ପ୍ରେମରେ ଧରି ରଖ। ଆମ୍ଭମାନଙ୍କ ଅନ୍ତରରେ ବାସ କରୁଥିବା ପବିତ୍ର ଆତ୍ମାଙ୍କ ଦ୍ଵାରା ତୁମ୍ଭ ନିକଟରେ ଗଚ୍ଛିତ ସେହି ଉତ୍ତମ ବିଷୟକୁ ରକ୍ଷା କର।

ତୁମ୍ଭେ ଏହା ଜାଣ, ଆସିଆ ପ୍ରଦେଶସ୍ଥ ସମସ୍ତେ ମୋʼଠାରୁ ବିମୁଖ ହେଲେ, ସେମାନଙ୍କ ମଧ୍ୟରେ ଫୂଗେଲ୍ଲ ଓ ହର୍ମଗେନା ମଧ୍ୟ ଅଛନ୍ତି। ପ୍ରଭୁ ଅନୀସିଫରଙ୍କ ପରିବାରକୁ କୃପା ଦେଉନ୍ତୁ, କାରଣ ସେ ବାରମ୍ବାର ମୋତେ ଆଶ୍ଵାସନା ଦେଲେ, ଆଉ ମୋହର ଶୃଙ୍ଖଳ ବିଷୟରେ ଲଜ୍ଜିତ ହେଲେ ନାହିଁ। ବରଂ, ସେ ରୋମ୍‌ରେ ଉପସ୍ଥିତ ହୁଅନ୍ତେ ଯତ୍ନ ସହକାରେ ମୋତେ ଅନ୍ଵେଷଣ କରି ପାଇଲେ। ପ୍ରଭୁ ଅନୁଗ୍ରହ କରନ୍ତୁ, ଯେପରି ସେ ସେହି ଦିନ ପ୍ରଭୁଙ୍କଠାରୁ କୃପା ପ୍ରାପ୍ତ ହୁଅନ୍ତି। ଆଉ ସେ ଏଫିସରେ କେତେ ସେବା କଲେ, ତାହା ତୁମ୍ଭେ ଉତ୍ତମ ରୂପେ ଜାଣ।