ଶେବ ରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କରେ
ଶେବ ତୂରୀ ବଜାଏ ଆଉ ଉତ୍ତର ବଂଶମାନେ ଚାଲିଯାଆନ୍ତି। ଯୋୟାବ ବାଟରେ ଲୁଚାଇ ରଖିଥିବା ଖଡ୍ଗରେ ଅମାସାକୁ ହତ୍ୟା କରେ, ତାʼପରେ ଆବେଲକୁ ଅବରୋଧ କରେ। ଜଣେ ଜ୍ଞାନବତୀ ସ୍ତ୍ରୀ ପ୍ରାଚୀର ଉପରୁ ଡାକି ପଚାରେ ସେ କାହିଁକି ଆମ ପିତାଙ୍କ ଅଧିକାରକୁ ଗ୍ରାସ କରିବ, ଆଉ ଗୋଟିଏ ନଗର ବଦଳରେ ଗୋଟିଏ ମୁଣ୍ଡ ପାଇଁ ବୁଝାମଣା କରେ।
20 1ସେଠାରେ ବିଖ୍ରିର ପୁତ୍ର ଶେବ ନାମକ ଜଣେ ବିନ୍ୟାମୀନୀୟ ପାପାଧମ ଲୋକ ଥିଲା। ସେ ତୂରୀ ବଜାଇ ଉଚ୍ଚସ୍ଵରରେ କହିଲା, “ଦାଉଦଙ୍କଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ, ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର କୌଣସି ଅଧିକାର ନାହିଁ! ହେ ଇସ୍ରାଏଲ, ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ଯାଅ!”
2ତେଣୁ ଇସ୍ରାଏଲର ସମସ୍ତ ଲୋକ ଦାଉଦଙ୍କୁ ତ୍ୟାଗ କରି ବିଖ୍ରିର ପୁତ୍ର ଶେବର ଅନୁଗମନ କଲେ; ମାତ୍ର ଯିହୂଦାର ଲୋକମାନେ ଯର୍ଦ୍ଦନଠାରୁ ଯିରୂଶାଲମ ପର୍ଯ୍ୟନ୍ତ ଆପଣାମାନଙ୍କ ରାଜାଙ୍କଠାରେ ଆସକ୍ତ ରହିଲେ।
3ଦାଉଦ ଯିରୂଶାଲମରେ ଆପଣା ଗୃହକୁ ଆସିଲେ, ପୁଣି ରାଜା ଗୃହ ରକ୍ଷା କରିବା ନିମନ୍ତେ ଯେଉଁ ଦଶ ଉପପତ୍ନୀଙ୍କୁ ଛାଡ଼ି ଯାଇଥିଲେ, ସେମାନଙ୍କୁ ନେଇ ପ୍ରହରୀ ଅଧୀନରେ ରଖିଲେ। ସେ ସେମାନଙ୍କର ଭରଣପୋଷଣ କଲେ, କିନ୍ତୁ ସେମାନଙ୍କ ସହିତ ଶୟନ କଲେ ନାହିଁ। ସେମାନେ ବିଧଵା ସ୍ଵରୂପ ହୋଇ ମରଣ ଦିନ ପର୍ଯ୍ୟନ୍ତ ଅବରୁଦ୍ଧ ହୋଇ ରହିଲେ।
4ଏଥିଉତ୍ତାରେ ରାଜା ଅମାସାକୁ କହିଲେ, “ତିନି ଦିନ ମଧ୍ୟରେ ଯିହୂଦାର ଲୋକମାନଙ୍କୁ ମୋʼ ନିକଟକୁ ଡାକ, ପୁଣି ତୁମ୍ଭେ ନିଜେ ଏଠାରେ ଉପସ୍ଥିତ ହୁଅ।”
5ଏଣୁ ଅମାସା ଯିହୂଦାକୁ ଡାକିବା ପାଇଁ ଗଲା, ମାତ୍ର ରାଜା ତାହା ନିମନ୍ତେ ଯେଉଁ ସମୟ ନିରୂପଣ କରିଥିଲେ, ତାହାଠାରୁ ଅଧିକ ବିଳମ୍ବ କଲା। 6ତେଣୁ ଦାଉଦ ଅବୀଶୟକୁ କହିଲେ, “ଅବଶାଲୋମ ଅପେକ୍ଷା ବିଖ୍ରିର ପୁତ୍ର ଶେବ ଏବେ ଆମ୍ଭମାନଙ୍କର ଅଧିକ ଅନିଷ୍ଟ କରିବ। ତୁମ୍ଭେ ଆପଣା ପ୍ରଭୁଙ୍କ ଲୋକମାନଙ୍କୁ ନେଇ ତାହା ପଛେ ଗୋଡ଼ାଅ, ନୋହିଲେ ସେ ପ୍ରାଚୀରବେଷ୍ଟିତ ନଗରସମୂହରେ ପ୍ରବେଶ କରି ଆମ୍ଭମାନଙ୍କ ଦୃଷ୍ଟିରୁ ରକ୍ଷା ପାଇବ।”
7ତହିଁରେ ବିଖ୍ରିର ପୁତ୍ର ଶେବ ପଛେ ଗୋଡ଼ାଇବା ନିମନ୍ତେ ଯୋୟାବର ଲୋକମାନେ, କରେଥୀୟ ଓ ପଲେଥୀୟମାନେ, ପୁଣି ସମସ୍ତ ବୀର ଯିରୂଶାଲମରୁ ତାହା ପଛେ ବାହାରିଗଲେ। 8ସେମାନେ ଗିବୀୟୋନସ୍ଥିତ ବୃହତ ପ୍ରସ୍ତର ନିକଟରେ ଥିବା ବେଳେ ଅମାସା ସେମାନଙ୍କ ସଙ୍ଗେ ସାକ୍ଷାତ କଲା। ଯୋୟାବ ଆପଣା ସୈନ୍ୟବସ୍ତ୍ର ପରିଧାନ କରିଥିଲା, ପୁଣି ତାହା ଉପରେ ଖାପ ମଧ୍ୟରେ ଖଡ଼୍ଗ କଟିଦେଶରେ ବନ୍ଧା ହୋଇଥିଲା; ସେ ଅଗ୍ରସର ହେବା ବେଳେ ତାହା ଖସିପଡ଼ିଲା। 9ଯୋୟାବ ଅମାସାକୁ କହିଲା, “ହେ ମୋʼ ଭାଇ, ତୁମ୍ଭେ କି କୁଶଳ?” ପୁଣି ଯୋୟାବ ଅମାସାକୁ ଚୁମ୍ବନ କରିବା ନିମନ୍ତେ ଡାହାଣ ହସ୍ତରେ ତାହାର ଦାଢ଼ି ଧରିଲା। 10ମାତ୍ର ଅମାସା ଯୋୟାବ ହସ୍ତସ୍ଥିତ ଖଡ଼୍ଗ ବିଷୟ ଲକ୍ଷ୍ୟ କଲା ନାହିଁ। ତହିଁରେ ଯୋୟାବ ତାହାର ଉଦରରେ ଆଘାତ କଲା, ପୁଣି ତାହାର ଅନ୍ତ୍ର ଭୂମିରେ ବାହାରିପଡ଼ିଲା। ସେ ଦ୍ଵିତୀୟ ଥର ଆଘାତ ନ କରନ୍ତେ ଅମାସା ମଲା। ତହିଁ ଉତ୍ତାରେ ଯୋୟାବ ଓ ତାହାର ଭାଇ ଅବୀଶୟ ବିଖ୍ରିର ପୁତ୍ର ଶେବ ପଛେ ଗୋଡ଼ାଇଲେ। 11ଯୋୟାବର ଯୁବକମାନଙ୍କ ମଧ୍ୟରୁ ଜଣେ ଅମାସା ନିକଟରେ ଠିଆ ହୋଇ କହିଲା, “ଯେକେହି ଯୋୟାବକୁ ଓ ଯେକେହି ଦାଉଦଙ୍କୁ ଚାହେଁ, ସେ ଯୋୟାବର ଅନୁଗମନ କରୁ!” 12ଅମାସା ପଥ ମଧ୍ୟରେ ଆପଣା ରକ୍ତରେ ଗଡ଼ି ପଡ଼ିଥିଲା। ସେହି ଲୋକ ସମସ୍ତ ସୈନ୍ୟଙ୍କୁ ସେଠାରେ ଠିଆ ହେବାର ଦେଖି, ପୁଣି ଯେକେହି ତାହା ନିକଟକୁ ଆସିଲା, ପ୍ରତ୍ୟେକେ ଠିଆ ହେଉଥିବାରୁ, ସେ ଅମାସାକୁ ପଥରୁ କ୍ଷେତ୍ରକୁ ଟାଣି ନେଇ ତାହା ଉପରେ ଗୋଟିଏ ବସ୍ତ୍ର ପକାଇଦେଲା। 13ଅମାସାକୁ ପଥରୁ ଦୂର କରାଯିବା ମାତ୍ରେ ବିଖ୍ରିର ପୁତ୍ର ଶେବ ପଛେ ଗୋଡ଼ାଇବା ନିମନ୍ତେ ସମସ୍ତ ଲୋକ ଯୋୟାବର ଅନୁଗମନ କଲେ। 14ଶେବ ଇସ୍ରାଏଲର ସମସ୍ତ ଗୋଷ୍ଠୀ ମଧ୍ୟ ଦେଇ ଆବେଲ-ବେଥ୍-ମାଖା ପର୍ଯ୍ୟନ୍ତ ଗଲା; ପୁଣି ବିଖ୍ରୀୟମାନେ ସମସ୍ତେ ଏକତ୍ର ହୋଇ ତାହା ପଛେ ଯାଇ ତାହା ସଙ୍ଗେ ମିଳିଲେ। 15ତେବେ ସେମାନେ ଆସି ଆବେଲ-ବେଥ୍-ମାଖାରେ ତାହାକୁ ଅବରୋଧ କଲେ; ସେମାନେ ନଗର ବିରୁଦ୍ଧରେ ଏକ ଜାଙ୍ଗାଲ ବାନ୍ଧି ବାହାର ପ୍ରାଚୀର ବିରୁଦ୍ଧରେ ଠିଆ ହେଲେ, ପୁଣି ଯୋୟାବର ସମସ୍ତ ସୈନ୍ୟ ପ୍ରାଚୀର ପକାଇଦେବା ନିମନ୍ତେ ତାହାକୁ ଆଘାତ କଲେ।
16ସେତେବେଳେ ଜଣେ ଜ୍ଞାନବତୀ ସ୍ତ୍ରୀ ନଗର ମଧ୍ୟରୁ ଡାକି କହିଲା, “ଶୁଣ! ଶୁଣ! ଯୋୟାବକୁ କୁହ, ‘ତୁମ୍ଭେ ଏଠାକୁ ଆସ, ଆମ୍ଭେ ତୁମ୍ଭ ସଙ୍ଗେ କଥା ହେବୁ।’” 17ସେ ତାହା ନିକଟକୁ ଆସନ୍ତେ, ସେହି ସ୍ତ୍ରୀ ପଚାରିଲା, “ତୁମ୍ଭେ କି ଯୋୟାବ?” ସେ କହିଲା, “ମୁଁ ସେହି।” ତହିଁରେ ସେ କହିଲା, “ଆପଣା ଦାସୀର କଥା ଶୁଣ।” ସେ କହିଲା, “ମୁଁ ଶୁଣୁଅଛି।”
18ତେବେ ସେ କହିଲା, “ପୂର୍ବକାଳରେ ଲୋକେ କହିବାକୁ ଅଭ୍ୟସ୍ତ ଥିଲେ, ‘ଆବେଲରେ ଅବଶ୍ୟ ପରାମର୍ଶ ପଚାର,’ ପୁଣି ସେରୂପେ ବିଷୟର ମୀମାଂସା ହେଉଥିଲା। 19ମୁଁ ଇସ୍ରାଏଲ ମଧ୍ୟରେ ଶାନ୍ତିପ୍ରିୟ ଓ ବିଶ୍ଵସ୍ତ ଲୋକମାନଙ୍କ ମଧ୍ୟବର୍ତ୍ତୀ। ଆପଣ ଇସ୍ରାଏଲ ମଧ୍ୟରେ ଏକ ନଗର, ଏକ ମାତାକୁ ବିନାଶ କରିବାକୁ ଚେଷ୍ଟା କରୁଅଛନ୍ତି। ଆପଣ କାହିଁକି ଆମ୍ଭମାନଙ୍କ ପିତାଙ୍କ ଅଧିକାର ଗ୍ରାସ କରିବେ?” a a v19 ‘ମାତୃନଗର’ ଥିଲା ଏକ ପ୍ରଧାନ ଆଞ୍ଚଳିକ କେନ୍ଦ୍ର, ଯାହା ଉପରେ କ୍ଷୁଦ୍ର ନଗରସମୂହ ମାର୍ଗଦର୍ଶନ ଓ ସୁରକ୍ଷା ନିମନ୍ତେ ନିର୍ଭର କରୁଥିଲେ।
20ଯୋୟାବ ଉତ୍ତର ଦେଲା, “ଗ୍ରାସ କରିବା କି ବିନାଶ କରିବା ମୋʼଠାରୁ କେବେ ହେଁ, କେବେ ହେଁ ଦୂରେ ଥାଉ! 21କଥା ସେପରି ନୁହେଁ। ମାତ୍ର ଇଫ୍ରୟିମ ପର୍ବତମୟ ଦେଶର ବିଖ୍ରିର ପୁତ୍ର ଶେବ ନାମକ ଜଣେ ଲୋକ ରାଜାଙ୍କ ବିରୁଦ୍ଧରେ, ଦାଉଦଙ୍କ ବିରୁଦ୍ଧରେ ଆପଣା ହସ୍ତ ଉଠାଇଅଛି। କେବଳ ତାହାକୁ ସମର୍ପଣ କର, ତେବେ ମୁଁ ନଗରରୁ ଫେରିଯିବି।” ତହିଁରେ ସେହି ସ୍ତ୍ରୀ ଯୋୟାବକୁ କହିଲା, “ଦେଖ, ପ୍ରାଚୀର ଉପର ଦେଇ ତାହାର ମସ୍ତକ ତୁମ୍ଭ ନିକଟକୁ ପକାଯିବ।”
22ଏଥିଉତ୍ତାରେ ସେହି ସ୍ତ୍ରୀ ଆପଣା ଜ୍ଞାନରେ ସମସ୍ତ ଲୋକଙ୍କ ନିକଟକୁ ଗଲା। ତହିଁରେ ସେମାନେ ବିଖ୍ରିର ପୁତ୍ର ଶେବର ମସ୍ତକ କାଟି ଯୋୟାବ ନିକଟକୁ ପକାଇଦେଲେ। ତେଣୁ ସେ ତୂରୀ ବଜାଇଲା, ପୁଣି ଲୋକମାନେ ନଗରରୁ ଛିନ୍ନଭିନ୍ନ ହୋଇ ପ୍ରତ୍ୟେକେ ଆପଣା ଆପଣା ଗୃହକୁ ଗଲେ। ପୁଣି ଯୋୟାବ ଯିରୂଶାଲମକୁ ରାଜାଙ୍କ ନିକଟକୁ ଫେରିଗଲା।
23ଯୋୟାବ ଇସ୍ରାଏଲର ସମଗ୍ର ସୈନ୍ୟ ଉପରେ ନିଯୁକ୍ତ ଥିଲା; ପୁଣି ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଉପରେ ନିଯୁକ୍ତ ଥିଲା; 24ଅଦୋରାମ ବେଠିକର୍ମ ଉପରେ ନିଯୁକ୍ତ ଥିଲା; ଅହୀଲୂଦ୍ର ପୁତ୍ର ଯିହୋଶାଫଟ୍ ଇତିହାସ-ଲେଖକ ଥିଲା; 25ଶବା ଲେଖକ ଥିଲା; ପୁଣି ସାଦୋକ ଓ ଅବୀୟାଥର ଯାଜକ ଥିଲେ; 26ଆଉ ଯାୟୀରୀୟ ଈରା ମଧ୍ୟ ଦାଉଦଙ୍କ ଯାଜକ ଥିଲା।