ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ବିଭକ୍ତ ହୃଦୟ ବିଶିଷ୍ଟ ଏକ ରାଜା

ଅମତ୍ସିୟ ଆମ ପିତାଙ୍କ ଦୃଷ୍ଟିରେ ଯାହା ଠିକ୍ ତାହା କରନ୍ତି, କିନ୍ତୁ ସମ୍ପୂର୍ଣ୍ଣ ହୃଦୟରେ ନୁହେଁ। ଚେତାବନୀ ପାଇ ସେ ଭଡ଼ାରେ ଅଣାଯାଇଥିବା ଇସ୍ରାଏଲୀୟ ସୈନ୍ୟମାନଙ୍କୁ ବିଦାୟ କରନ୍ତି, ଇଦୋମକୁ ପରାସ୍ତ କରନ୍ତି — ତାʼପରେ ଇଦୋମର ଦେବତାମାନଙ୍କୁ ଘରକୁ ଆଣି ସେମାନଙ୍କୁ ପୂଜା କରନ୍ତି। ପୁନର୍ବାର ଚେତାବନୀ ପାଇ ସେ ଭବିଷ୍ୟଦ୍‌ବକ୍ତାଙ୍କୁ ଚୁପ୍ କରାନ୍ତି, ଇସ୍ରାଏଲ ସହିତ ଯୁଦ୍ଧ ଲଗାନ୍ତି, ଏବଂ ରାଜା, ପ୍ରାଚୀର ଓ ଭଣ୍ଡାର ହରାନ୍ତି।

ଅଧ୍ୟାୟ 25।

ଅମତ୍‌ସୀୟ ପଚିଶ ବର୍ଷ ବୟସରେ ରାଜ୍ୟ କରିବାକୁ ଆରମ୍ଭ କଲେ ଓ ଯିରୂଶାଲମରେ ଅଣତିରିଶ ବର୍ଷ ରାଜ୍ୟ କଲେ। ତାହାଙ୍କ ମାତାଙ୍କ ନାମ ଯିହୋୟଦ୍ଦନ୍‌, ସେ ଯିରୂଶାଲମ ନିବାସିନୀ ଥିଲେ। ସେ ଆମ୍ଭମାନଙ୍କ ପିତାଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ତାହା କଲେ, କିନ୍ତୁ ସମ୍ପୂର୍ଣ୍ଣ ହୃଦୟରେ ନୁହେଁ। ରାଜ୍ୟ ତାହାଙ୍କ ହସ୍ତରେ ଦୃଢ଼ ହୁଅନ୍ତେ, ତାହାଙ୍କ ପିତା ରାଜାଙ୍କୁ ବଧ କରିଥିବା ଦାସମାନଙ୍କୁ ସେ ବଧ କଲେ।

ମାତ୍ର ବ୍ୟବସ୍ଥାରେ, ଅର୍ଥାତ୍‌ ମୋଶାଙ୍କ ପୁସ୍ତକରେ ଯେରୂପ ଲିଖିତ ଅଛି, ସେହିପରି ସେ ସେମାନଙ୍କ ସନ୍ତାନମାନଙ୍କୁ ବଧ କଲେ ନାହିଁ; ସେହି ସ୍ଥାନରେ ଆମ୍ଭମାନଙ୍କ ପିତା ଆଜ୍ଞା ଦେଇ କହିଥିଲେ, “ସନ୍ତାନମାନଙ୍କ ନିମନ୍ତେ ପିତାମାତା ମରିବେ ନାହିଁ, କିଅବା ପିତାମାତାଙ୍କ ନିମନ୍ତେ ସନ୍ତାନମାନେ ମରିବେ ନାହିଁ; ପ୍ରତ୍ୟେକ ଲୋକ ଆପଣା ପାପ ନିମନ୍ତେ ମରିବ।”

ଆଉ ଅମତ୍‌ସୀୟ ଯିହୁଦାର ଲୋକମାନଙ୍କୁ ଏକତ୍ର କଲେ ଓ ସମଗ୍ର ଯିହୁଦା ଓ ବିନ୍ୟାମୀନ୍‌ର ପିତୃଗୃହାନୁସାରେ ସେମାନଙ୍କୁ ସହସ୍ରପତି ଓ ଶତପତିମାନଙ୍କ ଅଧୀନରେ ସଜ୍ଜିତ କଲେ। ପୁଣି ସେ କୋଡ଼ିଏ ବର୍ଷ ଓ ତତୋଧିକ ବୟସ୍କ ଲୋକମାନଙ୍କୁ ଗଣନା କଲେ, ଆଉ ବର୍ଚ୍ଛା ଓ ଢାଲ ଧରି ଯୁଦ୍ଧ କରିବାକୁ ଯୋଗ୍ୟ ତିନି ଲକ୍ଷ ବଛା ଲୋକ ପାଇଲେ। ଆହୁରି ସେ ପ୍ରାୟ ସାତ ହଜାର ପାଞ୍ଚ ଶହ ପାଉଣ୍ଡ ରୂପା ଦେଇ ଇସ୍ରାଏଲରୁ ଏକ ଲକ୍ଷ ବୀର ଯୋଦ୍ଧାଙ୍କୁ ଭଡ଼ାରେ ନେଲେ। ମାତ୍ର ଆମ୍ଭମାନଙ୍କ ପିତାଙ୍କ ଜଣେ ଲୋକ ତାହାଙ୍କ ନିକଟକୁ ଆସି କହିଲେ, “ହେ ରାଜନ୍‌, ଇସ୍ରାଏଲର ସୈନ୍ୟଦଳ ଆପଣଙ୍କ ସଙ୍ଗରେ ନ ଯାଉ, କାରଣ ଆମ୍ଭମାନଙ୍କ ପିତା ଇସ୍ରାଏଲ ସହିତ, ଅର୍ଥାତ୍‌ ଏହି ସମସ୍ତ ଇଫ୍ରୟିମ ସନ୍ତାନଙ୍କ ସହିତ ନାହାନ୍ତି। ଆପଣ ଯଦ୍ୟପି ସାହସରେ ଯୁଦ୍ଧ କରନ୍ତି, ତଥାପି ଆମ୍ଭମାନଙ୍କ ପିତା ଶତ୍ରୁ ସମ୍ମୁଖରେ ଆପଣଙ୍କୁ ନିପାତ କରିବେ; କାରଣ ସାହାଯ୍ୟ କରିବାକୁ ଓ ନିପାତ କରିବାକୁ ଆମ୍ଭମାନଙ୍କ ପିତାଙ୍କର ଶକ୍ତି ଅଛି।”

ତହିଁରେ ଅମତ୍‌ସୀୟ ଆମ୍ଭମାନଙ୍କ ପିତାଙ୍କ ସେହି ଲୋକଙ୍କୁ ପଚାରିଲେ, “ମାତ୍ର ମୁଁ ଇସ୍ରାଏଲର ସୈନ୍ୟଦଳକୁ ଯେଉଁ ପ୍ରାୟ ସାତ ହଜାର ପାଞ୍ଚ ଶହ ପାଉଣ୍ଡ ରୂପା ଦେଲି, ତାହା ବିଷୟରେ କଅଣ କରିବି?” ସେ ଉତ୍ତର ଦେଲେ, “ଆମ୍ଭମାନଙ୍କ ପିତା ଆପଣଙ୍କୁ ଏହାଠାରୁ ଅନେକ ଅଧିକ ଦେଇ ପାରନ୍ତି।”

ଏଥିରେ ଅମତ୍‌ସୀୟ ଇଫ୍ରୟିମରୁ ଆପଣା ନିକଟକୁ ଆସିଥିବା ସୈନ୍ୟଦଳକୁ ଗୃହକୁ ଫେରିଯିବା ନିମନ୍ତେ ବିଦାୟ କଲେ; ତହିଁରେ ସେମାନେ ଯିହୁଦା ବିରୁଦ୍ଧରେ କ୍ରୋଧରେ ପ୍ରଜ୍ଵଳିତ ହୋଇ ଅତ୍ୟନ୍ତ କୋପରେ ଆପଣା ଆପଣା ଗୃହକୁ ଫେରିଗଲେ।

ମାତ୍ର ଅମତ୍‌ସୀୟ ସାହସ ଅବଲମ୍ବନ କରି ଆପଣା ଲୋକମାନଙ୍କୁ ବାହାର କରି ଲବଣ ଉପତ୍ୟକାକୁ ଯାଇ ସେୟୀରର ଦଶ ହଜାର ଲୋକଙ୍କୁ ବଧ କଲେ। ଆଉ ଯିହୁଦା ସନ୍ତାନମାନେ ଆଉ ଦଶ ହଜାର ଲୋକଙ୍କୁ ଜୀଅନ୍ତା ଧରି ଶୈଳଶିଖରକୁ ନେଇଗଲେ ଓ ଶୈଳଶିଖରରୁ ସେମାନଙ୍କୁ ତଳକୁ ପକାଇ ଦେଲେ, ତହିଁରେ ସମସ୍ତେ ଖଣ୍ଡ ଖଣ୍ଡ ହୋଇ ଭଗ୍ନ ହେଲେ। ଏହି ସମୟରେ ଅମତ୍‌ସୀୟ ଯେଉଁ ସୈନ୍ୟଦଳକୁ ଯୁଦ୍ଧରେ ଯୋଗ ଦେବାକୁ ନ ଦେଇ ଫେରାଇ ପଠାଇଥିଲେ, ସେମାନେ ଶମରୀୟାଠାରୁ ବେଥ୍‌-ହୋରଣ ପର୍ଯ୍ୟନ୍ତ ଯିହୁଦାର ନଗରସମୂହ ଆକ୍ରମଣ କଲେ ଓ ତିନି ହଜାର ଲୋକଙ୍କୁ ବଧ କଲେ, ପୁଣି ବହୁତ ଲୁଟଦ୍ରବ୍ୟ ନେଇଗଲେ।

ଅନନ୍ତର ଅମତ୍‌ସୀୟ ଇଦୋମୀୟମାନଙ୍କୁ ବଧ କରି ଫେରିଆସିଲା ଉତ୍ତାରେ ସେୟୀର ସନ୍ତାନମାନଙ୍କ ଦେବତାମାନଙ୍କୁ ଆଣି ଆପଣା ଦେବତା କରି ସ୍ଥାପନ କଲେ ଓ ସେମାନଙ୍କ ସମ୍ମୁଖରେ ଆପେ ପ୍ରଣାମ କଲେ ଓ ସେମାନଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ଵଳାଇଲେ। ଏଥିପାଇଁ ଅମତ୍‌ସୀୟଙ୍କ ବିରୁଦ୍ଧରେ ଆମ୍ଭମାନଙ୍କ ପିତାଙ୍କ କ୍ରୋଧ ପ୍ରଜ୍ଵଳିତ ହେଲା ଓ ସେ ଜଣେ ଭାବବାଦୀଙ୍କୁ ତାହାଙ୍କ ନିକଟକୁ ପ୍ରେରଣ କଲେ, ଆଉ ସେ ପଚାରିଲେ, “ଯେଉଁ ଦେବତାମାନେ ଆପଣା ଲୋକଙ୍କୁ ଆପଣଙ୍କ ହସ୍ତରୁ ରକ୍ଷା କରି ପାରିଲେ ନାହିଁ, ସେମାନଙ୍କର ଅନ୍ଵେଷଣ ଆପଣ କାହିଁକି କଲେ?”

ସେ ଏହା କହୁଥିବା ବେଳେ ରାଜା ତାହାଙ୍କୁ କହିଲେ, “ଆମ୍ଭେମାନେ କି ତୁମ୍ଭକୁ ରାଜାର ମନ୍ତ୍ରୀ କରିଅଛୁ? କ୍ଷାନ୍ତ ହୁଅ! କାହିଁକି ବଧ ହେବ?” ତହିଁରେ ଭାବବାଦୀ କ୍ଷାନ୍ତ ହେଲେ, ମାତ୍ର କହିଲେ, “ଆପଣ ଏହି କର୍ମ କରିଅଛନ୍ତି ଓ ମୋହର ପରାମର୍ଶ ଶୁଣି ନାହାନ୍ତି, ଏଥିପାଇଁ ଆମ୍ଭମାନଙ୍କ ପିତା ଆପଣଙ୍କୁ ବିନାଶ କରିବାକୁ ସ୍ଥିର କରିଅଛନ୍ତି ବୋଲି ମୁଁ ଜାଣେ।”

ତେବେ ଯିହୁଦାର ରାଜା ଅମତ୍‌ସୀୟ ଆପଣା ପରାମର୍ଶଦାତାମାନଙ୍କ ସହିତ ମନ୍ତ୍ରଣା କରି ଇସ୍ରାଏଲର ରାଜା ଯେହୂଙ୍କ ପୌତ୍ର, ଯିହୋୟାହସ୍‌ଙ୍କ ପୁତ୍ର ଯୋୟାଶ୍‌ଙ୍କ ନିକଟକୁ ପଠାଇ କହିଲେ, “ଆସ, ଆମ୍ଭେମାନେ ପରସ୍ପର ମୁଖ ଦେଖାଦେଖି ହେବା।”

ତହିଁରେ ଇସ୍ରାଏଲର ରାଜା ଯୋୟାଶ୍‌ ଯିହୁଦାର ରାଜା ଅମତ୍‌ସୀୟଙ୍କୁ ଉତ୍ତର ଦେଲେ, “ଲିବାନୋନସ୍ଥିତ ଏକ କଣ୍ଟକବୃକ୍ଷ ଲିବାନୋନସ୍ଥିତ ଏକ ଏରସ ବୃକ୍ଷ ନିକଟକୁ ପଠାଇ କହିଲା, ‘ତୁମ୍ଭ କନ୍ୟାକୁ ମୋʼ ପୁତ୍ର ସଙ୍ଗେ ବିବାହ ଦିଅ।’ ମାତ୍ର ଲିବାନୋନସ୍ଥିତ ଏକ ବନ୍ୟ ପଶୁ ପାର ହୋଇ ଯାଇ ସେହି କଣ୍ଟକବୃକ୍ଷକୁ ଦଳିତ କଲା। ତୁମ୍ଭେ କହୁଅଛ, ‘ଦେଖ, ମୁଁ ଇଦୋମକୁ ପରାସ୍ତ କରିଅଛି,’ ଆଉ ତୁମ୍ଭ ହୃଦୟ ଗର୍ବିତ ହୋଇ ଦର୍ପ କରୁଅଛି। ତୁମ୍ଭେ ଘରେ ରୁହ। ତୁମ୍ଭେ ଓ ତୁମ୍ଭ ସଙ୍ଗେ ଯିହୁଦା କାହିଁକି ଅମଙ୍ଗଳ ଡାକି ପତିତ ହେବ?”

ମାତ୍ର ଅମତ୍‌ସୀୟ ଶୁଣିଲେ ନାହିଁ; କାରଣ ସେମାନେ ଇଦୋମର ଦେବତାମାନଙ୍କର ଅନ୍ଵେଷଣ କରିଥିବାରୁ ସେମାନଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ନିମନ୍ତେ ଏହା ଆମ୍ଭମାନଙ୍କ ପିତାଙ୍କଠାରୁ ହେଲା। ତେଣୁ ଇସ୍ରାଏଲର ରାଜା ଯୋୟାଶ୍‌ ଯାତ୍ରା କଲେ; ପୁଣି ସେ ଓ ଯିହୁଦାର ରାଜା ଅମତ୍‌ସୀୟ ଯିହୁଦା ଦେଶସ୍ଥିତ ବେଥ୍‌-ଶେମଶରେ ପରସ୍ପର ମୁଖ ଦେଖାଦେଖି ହେଲେ। ଆଉ ଇସ୍ରାଏଲ ସମ୍ମୁଖରେ ଯିହୁଦା ପରାସ୍ତ ହେଲା, ତହିଁରେ ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁକୁ ପଳାଇଲା।

ପୁଣି ଇସ୍ରାଏଲର ରାଜା ଯୋୟାଶ୍‌ ବେଥ୍‌-ଶେମଶ ନିକଟରେ ଯିହୁଦାର ରାଜା, ଯିହୋୟାହସ୍‌ଙ୍କ ପୌତ୍ର, ଯୋୟାଶ୍‌ଙ୍କ ପୁତ୍ର ଅମତ୍‌ସୀୟଙ୍କୁ ଧରି ଯିରୂଶାଲମକୁ ନେଇଗଲେ ଓ ଇଫ୍ରୟିମ ଦ୍ଵାରଠାରୁ କୋଣ ଦ୍ଵାର ପର୍ଯ୍ୟନ୍ତ ପ୍ରାୟ ଛଅ ଶହ ଫୁଟ ଯିରୂଶାଲମର ପ୍ରାଚୀର ଭାଙ୍ଗି ପକାଇଲେ। ଆଉ ଓବେଦ୍‌-ଇଦୋମଙ୍କ ତତ୍ତ୍ଵାଧୀନରେ ଆମ୍ଭମାନଙ୍କ ପିତାଙ୍କ ଗୃହରେ ଯେସମସ୍ତ ସୁନା ଓ ରୂପା ଓ ପାତ୍ର ମିଳିଲା, ସେହିସବୁ ଓ ରାଜଗୃହର ଧନାଗାର ଓ ବନ୍ଧକ ଲୋକମାନଙ୍କୁ ନେଇ ସେ ଶମରୀୟାକୁ ଫେରିଗଲେ।

ଇସ୍ରାଏଲର ରାଜା ଯିହୋୟାହସ୍‌ଙ୍କ ପୁତ୍ର ଯୋୟାଶ୍‌ଙ୍କ ମୃତ୍ୟୁ ଉତ୍ତାରେ ଯିହୁଦାର ରାଜା ଯୋୟାଶ୍‌ଙ୍କ ପୁତ୍ର ଅମତ୍‌ସୀୟ ପନ୍ଦର ବର୍ଷ ବଞ୍ଚିଲେ। ଏବେ ଅମତ୍‌ସୀୟଙ୍କ ଅବଶିଷ୍ଟ କାର୍ଯ୍ୟ, ଆଦ୍ୟରୁ ଅନ୍ତ ପର୍ଯ୍ୟନ୍ତ, କʼଣ ଯିହୁଦା ଓ ଇସ୍ରାଏଲର ରାଜାମାନଙ୍କ ପୁସ୍ତକରେ ଲିଖିତ ନାହିଁ? ଅମତ୍‌ସୀୟ ଆମ୍ଭମାନଙ୍କ ପିତାଙ୍କ ଅନୁଗମନରୁ ବିମୁଖ ହେଲା ଦିନଠାରୁ ଲୋକମାନେ ଯିରୂଶାଲମରେ ତାହାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ, ତହିଁରେ ସେ ଲାଖୀଶକୁ ପଳାଇଲେ; ମାତ୍ର ସେମାନେ ତାହାଙ୍କ ପଛେ ପଛେ ଲାଖୀଶକୁ ଲୋକ ପଠାଇ ସେହି ସ୍ଥାନରେ ତାହାଙ୍କୁ ବଧ କଲେ। ପୁଣି ସେମାନେ ତାହାଙ୍କୁ ଅଶ୍ଵ ଉପରେ ବୋହି ଆଣି ଯିହୁଦା ନଗରରେ ତାହାଙ୍କ ପିତୃଲୋକମାନଙ୍କ ସହିତ ତାହାଙ୍କୁ କବର ଦେଲେ।