ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ହାଲ୍ଲିଲୂୟା

ଅଧିପତିମାନଙ୍କ ଉପରେ ଭରସା ରଖ ନାହିଁ, ଯେଉଁ ଦିନ ସେମାନେ ମରନ୍ତି ସେହି ଦିନ ସେମାନଙ୍କ ସଂକଳ୍ପ ମଧ୍ୟ ନଷ୍ଟ ହୁଏ। ଏହାର ବିକଳ୍ପ ହେଉଛନ୍ତି ଆମର ପିତା, ସେ ପ୍ରକୃତରେ ଯାହା କରନ୍ତି ତାହା ଦ୍ୱାରା ତାଲିକାଭୁକ୍ତ: ଉପଦ୍ରୁତମାନଙ୍କ ପାଇଁ ନ୍ୟାୟ, କ୍ଷୁଧିତମାନଙ୍କ ପାଇଁ ଅନ୍ନ, ବନ୍ଦୀମାନଙ୍କ ମୁକ୍ତି, ବିଦେଶୀ, ଅନାଥ ଓ ବିଧବାମାନଙ୍କ ପ୍ରତିପାଳନ।

ଅଧ୍ୟାୟ 146।

ହାଲ୍ଲିଲୂୟା! ହେ ମୋହର ପ୍ରାଣ, ଆମ୍ଭମାନଙ୍କ ପିତାଙ୍କ ପ୍ରଶଂସା କର।

ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ପିତାଙ୍କ ପ୍ରଶଂସା କରିବି; ମୋʼ ନିଶ୍ଵାସ ଥିବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ଗାନ କରିବି।

ଅଧିପତିମାନଙ୍କଠାରେ, ଯେ ତୁମ୍ଭକୁ ପରିତ୍ରାଣ କରିପାରେ ନାହିଁ, ଏପରି ମର୍ତ୍ତ୍ୟ ମନୁଷ୍ୟଠାରେ ଭରସା ରଖ ନାହିଁ। ତାହାର ପ୍ରାଣ ବାହାରିଯାଏ, ସେ ମୃତ୍ତିକାକୁ ଫେରିଯାଏ; ସେହି ଦିନ ତାହାର ସମସ୍ତ ସଂକଳ୍ପ ବିନଷ୍ଟ ହୁଏ। ଯାକୁବଙ୍କ ଈଶ୍ଵର ଯାହାର ସହାୟ, ଆମ୍ଭମାନଙ୍କ ପିତାଙ୍କଠାରେ ଯାହାର ଭରସା, ସେ ଧନ୍ୟ।

ସେ ସ୍ଵର୍ଗ ଓ ପୃଥିବୀର, ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳର ସୃଷ୍ଟିକର୍ତ୍ତା; ସେ ଅନନ୍ତକାଳ ବିଶ୍ଵସ୍ତତା ରକ୍ଷା କରନ୍ତି। ସେ ଉପଦ୍ରବଗ୍ରସ୍ତମାନଙ୍କ ପକ୍ଷରେ ନ୍ୟାୟ ସାଧନ କରନ୍ତି; ସେ କ୍ଷୁଧିତମାନଙ୍କୁ ଆହାର ଦିଅନ୍ତି। ଆମ୍ଭମାନଙ୍କ ପିତା ବନ୍ଦୀମାନଙ୍କୁ ମୁକ୍ତ କରନ୍ତି। ଆମ୍ଭମାନଙ୍କ ପିତା ଅନ୍ଧମାନଙ୍କ ଚକ୍ଷୁ ଫିଟାନ୍ତି; ଆମ୍ଭମାନଙ୍କ ପିତା ଅବନତମାନଙ୍କୁ ଉଠାନ୍ତି; ଆମ୍ଭମାନଙ୍କ ପିତା ଧାର୍ମିକମାନଙ୍କୁ ପ୍ରେମ କରନ୍ତି। ଆମ୍ଭମାନଙ୍କ ପିତା ବିଦେଶୀମାନଙ୍କୁ ରକ୍ଷା କରନ୍ତି; ସେ ପିତୃହୀନ ଓ ବିଧଵାକୁ ଧରି ରଖନ୍ତି, ମାତ୍ର ଦୁଷ୍ଟମାନଙ୍କ ପଥ ସେ ବିପର୍ଯ୍ୟସ୍ତ କରନ୍ତି।

ଆମ୍ଭମାନଙ୍କ ପିତା ଅନନ୍ତକାଳ ରାଜ୍ୟ କରିବେ—ହେ ସିୟୋନ, ତୁମ୍ଭର ପିତା ପୁରୁଷାନୁକ୍ରମେ ରାଜ୍ୟ କରିବେ। ହାଲ୍ଲିଲୂୟା!