ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ରାଜାଙ୍କ ନିମନ୍ତେ ଏକ ମାତାଙ୍କ ବାଣୀ

ଜଣେ ରାଜମାତା ତାଙ୍କ ପୁତ୍ର ରାଜାଙ୍କୁ ଚେତାଇ ଦିଅନ୍ତି ଯେ ଦ୍ରାକ୍ଷାରସ ଶାସକମାନଙ୍କୁ ଉପଦ୍ରୁତମାନଙ୍କ ଅଧିକାର ଭୁଲାଇଦିଏ, ତେଣୁ ସେ ନିର୍ବାକମାନଙ୍କ ପକ୍ଷରେ କହିବା ଉଚିତ। ତାʼପରେ ଜଣେ ଗୁଣବତୀ ସ୍ତ୍ରୀଙ୍କ ଚିତ୍ର — ସେ କ୍ଷେତ କିଣନ୍ତି, ଲାଭରେ ବେପାର କରନ୍ତି, ଅନ୍ଧାର ପରେ ମଧ୍ୟ କାମ କରନ୍ତି, ଏବଂ ନଗର ଦ୍ୱାରରେ ପ୍ରଶଂସିତ ହୁଅନ୍ତି।

ଅଧ୍ୟାୟ 31।

ରାଜା ଲମୂୟେଲଙ୍କ ବାକ୍ୟ—ଯେଉଁ ବାଣୀ ତାଙ୍କ ମାତା ତାଙ୍କୁ ଶିକ୍ଷା ଦେଲେ: କଅଣ, ହେ ମୋହର ପୁତ୍ର? କଅଣ, ହେ ମୋʼ ଗର୍ଭର ପୁତ୍ର? କଅଣ, ହେ ମୋʼ ବ୍ରତର ପୁତ୍ର? ତୁମ୍ଭର ବଳ ସ୍ତ୍ରୀମାନଙ୍କୁ ଦିଅ ନାହିଁ, କିଅବା ତୁମ୍ଭର ଗତି ରାଜାନାଶକମାନଙ୍କୁ ଦିଅ ନାହିଁ। ହେ ଲମୂୟେଲ, ଏହା ରାଜାମାନଙ୍କ ଯୋଗ୍ୟ ନୁହେଁ—ଦ୍ରାକ୍ଷାରସ ପାନ କରିବା ରାଜାମାନଙ୍କ ଯୋଗ୍ୟ ନୁହେଁ, କିଅବା ସୁରା ଲାଳସା କରିବା ଶାସନକର୍ତ୍ତାମାନଙ୍କ ଯୋଗ୍ୟ ନୁହେଁ। କାରଣ ସେମାନେ ପାନ କଲେ, ଯାହା ବିଧିବଦ୍ଧ ତାହା ପାସୋରିବେ, ପୁଣି ସମସ୍ତ ଦୁଃଖିତ ଲୋକଙ୍କ ଅଧିକାର ବିପର୍ଯ୍ୟସ୍ତ କରିବେ। ବିନଷ୍ଟ ହେଉଥିବା ଲୋକକୁ ସୁରା ଦିଅ, ପୁଣି ତିକ୍ତ ମନୋବେଦନାଗ୍ରସ୍ତ ଲୋକମାନଙ୍କୁ ଦ୍ରାକ୍ଷାରସ ଦିଅ। ସେମାନେ ପାନ କରି ଆପଣା ଦାରିଦ୍ର୍ୟ ପାସୋରନ୍ତୁ, ପୁଣି ଆପଣା ଦୁଃଖ ଆଉ ସ୍ମରଣ ନ କରନ୍ତୁ। ମୂକ ଲୋକ ନିମନ୍ତେ, ଅର୍ଥାତ୍‍ ନିଃସ୍ଵ ହୋଇ ପଡ଼ିଥିବା ସମସ୍ତଙ୍କ ଅଧିକାର ନିମନ୍ତେ ଆପଣା ମୁଖ ଫିଟାଅ। ଆପଣା ମୁଖ ଫିଟାଅ, ଧର୍ମରେ ବିଚାର କର, ପୁଣି ଦରିଦ୍ର ଓ ଦୀନହୀନ ଲୋକଙ୍କ ଅଧିକାର ରକ୍ଷା କର।

ଏକ ଗୁଣବତୀ ସ୍ତ୍ରୀ

ଏକ ଗୁଣବତୀ ସ୍ତ୍ରୀ—ତାହାକୁ କିଏ ପାଇ ପାରେ? କାରଣ ତାହାର ମୂଲ୍ୟ ମୁକ୍ତା ଅପେକ୍ଷା ଅନେକ ଅଧିକ। ତାହାର ସ୍ଵାମୀର ହୃଦୟ ତାହାଠାରେ ବିଶ୍ଵାସ କରେ, ପୁଣି ତାହାର କୌଣସି ବହୁମୂଲ୍ୟ ବସ୍ତୁର ଅଭାବ ହେବ ନାହିଁ। ସେ ଆପଣା ଜୀବନର ସମସ୍ତ ଦିନ ତାହା ପ୍ରତି ମଙ୍ଗଳ କରେ, ଅମଙ୍ଗଳ କରେ ନାହିଁ। ସେ ମେଷଲୋମ ଓ ମସିନା ଖୋଜେ, ପୁଣି ସ୍ଵଚ୍ଛନ୍ଦ ହସ୍ତରେ କାର୍ଯ୍ୟ କରେ। ସେ ବଣିକମାନଙ୍କ ଜାହାଜ ତୁଲ୍ୟ, ଦୂରରୁ ଆପଣା ଖାଦ୍ୟ ଆଣେ। ରାତ୍ରି ଥାଉ ଥାଉ ସେ ଉଠେ, ଆପଣା ପରିବାରକୁ ଖାଦ୍ୟ ଯୋଗାଏ, ପୁଣି ଆପଣା ଦାସୀମାନଙ୍କୁ ଅଂଶ ଦିଏ। ସେ ଗୋଟିଏ କ୍ଷେତ୍ର ବିଷୟ ବିବେଚନା କରି ତାହା କିଣେ; ଆପଣା ହସ୍ତର ଫଳରେ ସେ ଏକ ଦ୍ରାକ୍ଷାକ୍ଷେତ୍ର ରୋପଣ କରେ। ସେ ଆପଣାକୁ ବଳରେ ବେଷ୍ଟିତ କରେ, ପୁଣି ଆପଣା ବାହୁକୁ ସବଳ କରେ। ଆପଣା ବାଣିଜ୍ୟ ଲାଭଜନକ ବୋଲି ସେ ଜାଣେ; ରାତ୍ରିରେ ତାହାର ପ୍ରଦୀପ ଲିଭେ ନାହିଁ। ସେ ଆପଣା ହସ୍ତ ଟେକୁଆ ଦଣ୍ଡରେ ଲଗାଏ, ପୁଣି ତାହାର ହସ୍ତ ଟେକୁଆ ଧରେ। ସେ ଦରିଦ୍ର ଲୋକ ପ୍ରତି ଆପଣା ହସ୍ତ ମେଲାଏ, ପୁଣି ଦୀନହୀନ ଲୋକ ପ୍ରତି ଆପଣା ହସ୍ତ ବଢ଼ାଏ। ହିମପାତ ହେଲେ ସେ ଆପଣା ପରିବାର ବିଷୟରେ ଭୟ କରେ ନାହିଁ, କାରଣ ତାହାର ସମଗ୍ର ପରିବାର ସିନ୍ଦୂରବର୍ଣ୍ଣ ବସ୍ତ୍ର ପରିହିତ। ସେ ଆପଣା ନିମନ୍ତେ ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କରେ; ତାହାର ପରିଧେୟ ବସ୍ତ୍ର ସୂକ୍ଷ୍ମ କ୍ଷୌମ ଓ ବାଇଗଣୀ ବର୍ଣ୍ଣ। ତାହାର ସ୍ଵାମୀ ନଗରଦ୍ଵାରରେ ଖ୍ୟାତ, ଯେତେବେଳେ ସେ ଦେଶର ପ୍ରାଚୀନବର୍ଗ ମଧ୍ୟରେ ବସନ୍ତି। ସେ କ୍ଷୌମ ବସ୍ତ୍ର ପ୍ରସ୍ତୁତ କରି ବିକ୍ରୟ କରେ, ପୁଣି ବଣିକମାନଙ୍କୁ କଟୀବନ୍ଧନୀ ଯୋଗାଏ। ବଳ ଓ ସମ୍ଭ୍ରମ ତାହାର ପରିଧେୟ, ପୁଣି ସେ ଭବିଷ୍ୟତ ଦିନ ବିଷୟରେ ହସେ। ସେ ଜ୍ଞାନରେ ଆପଣା ମୁଖ ଫିଟାଏ, ପୁଣି ବିଶ୍ଵସ୍ତ ଉପଦେଶ ତାହାର ଜିହ୍ଵାରେ ଥାଏ। ସେ ଆପଣା ପରିବାରର ଗତି ଉପରେ ଦୃଷ୍ଟି ରଖେ, ପୁଣି ଆଳସ୍ୟର ଆହାର ଖାଏ ନାହିଁ। ତାହାର ସନ୍ତାନମାନେ ଉଠି ତାହାକୁ ଧନ୍ୟ ବୋଲି କହନ୍ତି; ତାହାର ସ୍ଵାମୀ ମଧ୍ୟ ତାହାର ପ୍ରଶଂସା କରି କହେ: “ଅନେକ କନ୍ୟା ଗୁଣବତୀ କର୍ମ କରିଅଛନ୍ତି, ମାତ୍ର ତୁମ୍ଭେ ସେ ସମସ୍ତଙ୍କୁ ଅତିକ୍ରମ କରିଅଛ।” ଲାବଣ୍ୟ ପ୍ରବଞ୍ଚନାମୟ ଓ ସୌନ୍ଦର୍ଯ୍ୟ ଅସାର, କିନ୍ତୁ ଯେଉଁ ସ୍ତ୍ରୀ ଆମ୍ଭମାନଙ୍କ ପିତାଙ୍କୁ ଭୟ କରେ—ସେ ପ୍ରଶଂସିତା ହେବ। ତାହାକୁ ତାହାର ହସ୍ତର ଫଳ ଦିଅ, ପୁଣି ତାହାର କର୍ମ ନଗରଦ୍ଵାରରେ ତାହାର ପ୍ରଶଂସା କରୁ।