ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପିତା ମାର୍ଗ ପ୍ରସ୍ତୁତ କରନ୍ତି

ଓଟ ଲୋମର ବସ୍ତ୍ର ପିନ୍ଧିଥିବା ଯୋହନ ବାପ୍ତିସ୍ମ ପାଇଁ ଆସୁଥିବା ଲୋକମାନଙ୍କୁ କହନ୍ତି ଯେ ଅବ୍ରହାମଙ୍କ ବଂଶଧର ହେବା କାହାକୁ ଉଦ୍ଧାର କରେ ନାହିଁ। ତାʼପରେ ଯୀଶୁ ମଧ୍ୟ ବାପ୍ତିସ୍ମ ମାଗନ୍ତି, ଏବଂ ଯୋହନ ଆପତ୍ତି କରନ୍ତି ଯେ ଏହା ଓଲଟା ହେବା କଥା। ସେ ତାହା ହେବାକୁ ଦିଅନ୍ତି, ଏବଂ ତାଙ୍କ ପିତାଙ୍କ ସ୍ୱର ତାଙ୍କ ପ୍ରିୟ ପୁତ୍ରଙ୍କୁ ନିଜର ବୋଲି ଘୋଷଣା କରେ।

ଅଧ୍ୟାୟ 3।

ସେହି ସମୟରେ ବାପ୍ତିଜକ ଯୋହନ ଆସି ଯିହୂଦା ପ୍ରାନ୍ତରରେ ଘୋଷଣା କରି କହିଲେ, “ମନ ପରିବର୍ତ୍ତନ କର, କାରଣ ଆମ୍ଭମାନଙ୍କ ପିତାଙ୍କ ରାଜ୍ୟ ସନ୍ନିକଟ ହୋଇଅଛି।” ଯାହାଙ୍କ ବିଷୟରେ ଭାବବାଦୀ ଯିଶାଇୟ କହିଥିଲେ, ସେ ତ ଏହି; ସେ କହିଥିଲେ, “ପ୍ରାନ୍ତରରେ ଉଚ୍ଚସ୍ଵରେ ଡାକୁଥିବା ଜଣକର ରବ, ପ୍ରଭୁଙ୍କ ମାର୍ଗ ପ୍ରସ୍ତୁତ କର, ତାହାଙ୍କ ପଥସବୁ ସଳଖ କର।”

ଯୋହନ ଓଟ ଲୋମର ବସ୍ତ୍ର ପରିଧାନ କରିଥିଲେ ଓ ଆପଣା କଟୀଦେଶରେ ଚର୍ମ ପଟୁକା ବାନ୍ଧିଥିଲେ; ପୁଣି, ପଙ୍ଗପାଳ ଓ ବନମଧୁ ତାହାଙ୍କର ଆହାର ଥିଲା। ସେତେବେଳେ ଯିରୂଶାଲମ, ସମଗ୍ର ଯିହୂଦା ଓ ଯର୍ଦ୍ଦନର ଚତୁଃପାର୍ଶ୍ଵବର୍ତ୍ତୀ ସମସ୍ତ ଅଞ୍ଚଳର ଲୋକେ ତାହାଙ୍କ ନିକଟକୁ ଯାଇ, ଆପଣା ଆପଣା ପାପ ସ୍ଵୀକାର କରି ଯର୍ଦ୍ଦନ ନଦୀରେ ତାହାଙ୍କ ଦ୍ଵାରା ବାପ୍ତିଜିତ ହେଲେ।

ଅନେକ ଫାରୂଶୀ ଓ ସାଦ୍ଦୂକୀ ବାପ୍ତିଜିତ ହେବା ନିମନ୍ତେ ଆସୁଥିବା ଦେଖି ସେ ସେମାନଙ୍କୁ କହିଲେ, “ହେ ସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ ତୁମ୍ଭମାନଙ୍କୁ କିଏ ଚେତନା ଦେଲା? ଅତଏବ, ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଫଳାଅ। ଆଉ, ‘ଅବ୍ରହାମ ଆମ୍ଭମାନଙ୍କ ପିତା’ ବୋଲି ଆପଣା ଆପଣା ମନରେ ଭାବିବାକୁ ସାହସ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆମ୍ଭମାନଙ୍କ ପିତା ଏହି ପଥରଗୁଡ଼ିକରୁ ଅବ୍ରହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରନ୍ତି। ବୃକ୍ଷସମୂହର ମୂଳରେ ତ କୁରାଢ଼ି ଲଗାଯାଇ ରହିଅଛି; ଅତଏବ, ଯେଉଁ ବୃକ୍ଷ ଉତ୍ତମ ଫଳ ନ ଫଳେ, ତାହା କଟାଯାଇ ଅଗ୍ନିରେ ନିକ୍ଷିପ୍ତ ହୁଏ।

“ମୁଁ ତ ମନ ପରିବର୍ତ୍ତନ ନିମନ୍ତେ ତୁମ୍ଭମାନଙ୍କୁ ଜଳରେ ବାପ୍ତିଜିତ କରୁଅଛି, କିନ୍ତୁ ମୋʼ ପଛେ ଯେ ଆସୁଅଛନ୍ତି, ସେ ମୋʼଠାରୁ ଅଧିକ ଶକ୍ତିମାନ; ତାହାଙ୍କ ପାଦୁକା ବହିବା ନିମନ୍ତେ ମୁଁ ଯୋଗ୍ୟ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିଜିତ କରିବେ। ତାହାଙ୍କ ହସ୍ତରେ କୁଲା ଅଛି, ପୁଣି, ସେ ଆପଣା ଖଳା ସମ୍ପୂର୍ଣ୍ଣ ରୂପେ ପରିଷ୍କାର କରିବେ ଓ ଆପଣା ଗହମ କୋଠାଘରେ ସଞ୍ଚୟ କରିବେ, ମାତ୍ର ଅନିର୍ବାଣ ଅଗ୍ନିରେ ଅଗାଡ଼ି ପୋଡ଼ି ପକାଇବେ।” a a v12 ମଡ଼ାଯାଇଥିବା ଶସ୍ୟକୁ ବାୟୁ ମଧ୍ୟକୁ ଉଡ଼ାଇବା ନିମନ୍ତେ କୁଲା ବ୍ୟବହୃତ ହେଉଥିଲା; ଭାରୀ ଗହମ ପୁନର୍ବାର ଭୂମିରେ ପଡ଼େ, ମାତ୍ର ହାଲୁକା ଅଗାଡ଼ି ଉଡ଼ିଯାଏ।

ପିତା ଆପଣା ପୁତ୍ରଙ୍କୁ ସ୍ଵାଗତ କରନ୍ତି

ସେତେବେଳେ ଯୀଶୁ ଯୋହନଙ୍କ ଦ୍ଵାରା ବାପ୍ତିଜିତ ହେବା ନିମନ୍ତେ ଗାଲିଲୀରୁ ଯର୍ଦ୍ଦନ ନିକଟକୁ ତାହାଙ୍କ ପାଖକୁ ଆସିଲେ। କିନ୍ତୁ ଯୋହନ ତାହାଙ୍କୁ ବାରଣ କରିବାକୁ ଚେଷ୍ଟା କରି କହିଲେ, “ଆପଣଙ୍କ ଦ୍ଵାରା ମୋହର ବାପ୍ତିସ୍ମ ଗ୍ରହଣ କରିବା ଆବଶ୍ୟକ, ତଥାପି ଆପଣ କି ମୋʼ ନିକଟକୁ ଆସୁଅଛନ୍ତି?”

ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ବର୍ତ୍ତମାନ ଅନୁମତି ଦିଅ, କାରଣ ଏହି ପ୍ରକାରେ ସମସ୍ତ ଧାର୍ମିକତା ସାଧନ କରିବା ଆମ୍ଭମାନଙ୍କର ଉପଯୁକ୍ତ।” ସେଥିରେ ଯୋହନ ତାହାଙ୍କୁ ଅନୁମତି ଦେଲେ।

ଯୀଶୁ ବାପ୍ତିଜିତ ହୋଇ ସେହିକ୍ଷଣି ଜଳରୁ ଉଠିଆସିଲେ, ଆଉ ଦେଖ, ତାହାଙ୍କ ନିମନ୍ତେ ସ୍ଵର୍ଗ ଉନ୍ମୁକ୍ତ ହେଲା, ପୁଣି, ସେ ଆମ୍ଭମାନଙ୍କ ପିତାଙ୍କ ଆତ୍ମାଙ୍କୁ କପୋତ ତୁଲ୍ୟ ଅବତରଣ କରି ଆପଣା ଉପରେ ଅଧିଷ୍ଠିତ ହେଉଥିବା ଦେଖିଲେ।

ଆଉ ଦେଖ, ସ୍ଵର୍ଗରୁ ଏହି ବାଣୀ ହେଲା, “ଏ ମୋହର ପ୍ରିୟ ପୁତ୍ର, ଏହାଙ୍କଠାରେ ମୁଁ ପରମ ସନ୍ତୁଷ୍ଟ।”