ପିତା ଇସ୍ରାଏଲକୁ ତାହାର ଅଧିକାର ଦିଅନ୍ତି
ଆମର ପିତାଙ୍କ ଆଜ୍ଞା ଅନୁସାରେ ଗୁଲିବାଣ୍ଟ ଦ୍ୱାରା ଦେଶ ବିଭକ୍ତ ହୁଏ, କିନ୍ତୁ କାଲେବ ଆଗକୁ ଆସି ଏକ ନିର୍ଦ୍ଦିଷ୍ଟ ଭାଗ ମାଗନ୍ତି। ପଚାଶୀ ବର୍ଷ ବୟସରେ ସେ ଦୀର୍ଘକାୟ ଲୋକ ଥିବା ପାର୍ବତ୍ୟ ଅଞ୍ଚଳ ଚାହାଁନ୍ତି, ପଞ୍ଚଚାଳିଶ ବର୍ଷ ପୂର୍ବେ ଦିଆଯାଇଥିବା ଏକ ପ୍ରତିଜ୍ଞାର ବଳରେ। ଯିହୋଶୂୟ ତାଙ୍କୁ ହିବ୍ରୋଣ ଦିଅନ୍ତି।
14 1କିଣାନ ଦେଶରେ ଇସ୍ରାଏଲ ଲୋକମାନେ ଯେଉଁ ଅଧିକାର ପ୍ରାପ୍ତ ହେଲେ, ଏହା ସେହିସବୁ, ଯାହା ଇଲୀୟାସର ଯାଜକ, ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ ସନ୍ତାନଗଣର ପିତୃବଂଶୀୟ ବଂଶଗୁଡ଼ିକର ପ୍ରଧାନମାନେ ସେମାନଙ୍କ ମଧ୍ୟରେ ବିଭାଗ କଲେ। 2ପିତା ମୋଶାଙ୍କ ଦ୍ଵାରା ଯେପରି ଆଜ୍ଞା ଦେଇଥିଲେ, ସେହିପରି ନଅ ବଂଶ ଓ ଅର୍ଦ୍ଧ ବଂଶ ନିମନ୍ତେ ଗୁଲିବାଣ୍ଟ ଦ୍ଵାରା ସେମାନେ ଆପଣା ଆପଣା ଅଧିକାର ପ୍ରାପ୍ତ ହେଲେ। 3କାରଣ ମୋଶା ଦୁଇ ବଂଶ ଓ ଅର୍ଦ୍ଧ ବଂଶକୁ ଯର୍ଦ୍ଦନ ସେପାରିରେ ସେମାନଙ୍କ ଅଧିକାର ଦେଇଥିଲେ, ମାତ୍ର ଲେବୀୟମାନଙ୍କୁ ସେମାନଙ୍କ ମଧ୍ୟରେ କୌଣସି ଅଧିକାର ଦେଇ ନ ଥିଲେ। 4କାରଣ ଯୋଷେଫର ସନ୍ତାନମାନେ ମନଃଶି ଓ ଇଫ୍ରୟିମ, ଏହି ଦୁଇ ବଂଶ ହୋଇଥିଲେ। ଲେବୀୟମାନେ ଦେଶର କୌଣସି ଅଂଶ ପାଇଲେ ନାହିଁ, କେବଳ ବାସ କରିବା ନିମନ୍ତେ କେତେକ ନଗର ଓ ସେମାନଙ୍କ ପଶୁ ପୁଣି ସମ୍ପତ୍ତି ନିମନ୍ତେ ତହିଁ ତଳିଭୂମି ପାଇଲେ। 5ପିତା ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ଇସ୍ରାଏଲ ସନ୍ତାନଗଣ ସେହିପରି କରି ଦେଶ ବିଭାଗ କଲେ।
କାଲେବ ପିତାଙ୍କ ପ୍ରତିଜ୍ଞା ପ୍ରାପ୍ତ ହୁଅନ୍ତି
6ସେତେବେଳେ ଯିହୁଦା ସନ୍ତାନଗଣ ଗିଲ୍ଗଲ୍ରେ ଯିହୋଶୂୟଙ୍କ ନିକଟକୁ ଆସିଲେ, ଆଉ କନିସୀୟ ଯିଫୁନ୍ନିର ପୁତ୍ର କାଲେବ ତାହାଙ୍କୁ କହିଲା, “କାଦେଶ-ବର୍ଣ୍ଣେୟରେ ତୁମ୍ଭ ଓ ମୋʼ ବିଷୟରେ ପିତା ଆପଣା ଲୋକ ମୋଶାଙ୍କୁ ଯାହା କହିଥିଲେ, ତାହା ତୁମ୍ଭେ ଜାଣ। 7ପିତାଙ୍କ ସେବକ ମୋଶା ଦେଶ ଅନୁସନ୍ଧାନ କରିବା ନିମନ୍ତେ ମୋତେ କାଦେଶ-ବର୍ଣ୍ଣେୟରୁ ପଠାଇବା ସମୟରେ ମୁଁ ଚାଳିଶ ବର୍ଷ ବୟସ୍କ ଥିଲି, ଆଉ ମୋʼ ମନରେ ଯେପରି ଥିଲା, ସେହିପରି ମୁଁ ତାହାଙ୍କ ନିକଟକୁ ସମାଚାର ଆଣିଲି। 8ମାତ୍ର ମୋʼ ସଙ୍ଗରେ ଯାଇଥିବା ମୋହର ଅନୁସନ୍ଧାନକାରୀ ଭାଇମାନେ ଭୟରେ ଲୋକମାନଙ୍କ ହୃଦୟ ତରଳାଇ ଦେଲେ, ମାତ୍ର ମୁଁ ସମ୍ପୂର୍ଣ୍ଣ ରୂପେ ମୋହର ପିତାଙ୍କ ଅନୁଗମନ କଲି। 9ସେହି ଦିନ ମୋଶା ମୋʼ ନିକଟରେ ଶପଥ କରି କହିଲେ, ‘ଅବଶ୍ୟ ଯେଉଁ ଭୂମିରେ ତୁମ୍ଭ ପାଦ ଚାଲିଅଛି, ତାହା ଅନନ୍ତକାଳ ନିମନ୍ତେ ତୁମ୍ଭର ଓ ତୁମ୍ଭ ସନ୍ତାନମାନଙ୍କର ଅଧିକାର ହେବ, କାରଣ ତୁମ୍ଭେ ସମ୍ପୂର୍ଣ୍ଣ ରୂପେ ମୋହର ପିତାଙ୍କ ଅନୁଗମନ କରିଅଛ।’
10ପୁଣି ଦେଖ, ଇସ୍ରାଏଲ ଯେତେବେଳେ ପ୍ରାନ୍ତରରେ ଭ୍ରମଣ କରୁଥିଲେ, ସେତେବେଳେ ପିତା ମୋଶାଙ୍କୁ ଏହି କଥା କହିବା ସମୟଠାରୁ, ଆପଣା ପ୍ରତିଜ୍ଞାନୁସାରେ ପଇଁଚାଳିଶ ବର୍ଷ ପର୍ଯ୍ୟନ୍ତ ମୋତେ ଜୀବିତ ରଖିଅଛନ୍ତି। ଆଉ ଦେଖ, ଆଜି ମୁଁ ପଞ୍ଚାଅଶୀ ବର୍ଷ ବୟସ୍କ ହୋଇଅଛି। 11ମୋଶା ମୋତେ ଯେଉଁ ଦିନ ପଠାଇଥିଲେ, ସେହି ଦିନ ତୁଲ୍ୟ ଆଜି ମୁଁ ବଳବାନ ଅଛି; ସେତେବେଳେ ମୋହର ଯେଉଁ ବଳ ଥିଲା, ଏବେ ମଧ୍ୟ ମୋହର ସେହି ବଳ ଅଛି—ଯୁଦ୍ଧ ନିମନ୍ତେ, ପୁଣି ଯିବା ଓ ଆସିବା ନିମନ୍ତେ। 12ଏଣୁ ସେହି ଦିନ ପିତା ଯେଉଁ ପର୍ବତମୟ ଦେଶ ବିଷୟରେ କହିଥିଲେ, ତାହା ମୋତେ ଦିଅ। ସେଠାରେ ଅନାକୀୟମାନେ ଅଛନ୍ତି ଓ ବଡ଼ ବଡ଼ ପ୍ରାଚୀରବେଷ୍ଟିତ ନଗର ଅଛି ବୋଲି ତୁମ୍ଭେ ସେହି ଦିନ ଶୁଣିଥିଲ। ହୋଇପାରେ, ପିତା ମୋʼ ସଙ୍ଗରେ ରହିବେ, ଆଉ ତାହାଙ୍କ ବାକ୍ୟାନୁସାରେ ମୁଁ ସେମାନଙ୍କୁ ତଡ଼ିଦେବି।”
13ତେବେ ଯିହୋଶୂୟ ଯିଫୁନ୍ନିର ପୁତ୍ର କାଲେବକୁ ଆଶୀର୍ବାଦ କରି ତାହାକୁ ଅଧିକାର ନିମନ୍ତେ ହିବ୍ରୋଣ ଦେଲେ। 14ଏହିରୂପେ ଆଜିଯାଏ ହିବ୍ରୋଣ କନିସୀୟ ଯିଫୁନ୍ନିର ପୁତ୍ର କାଲେବର ଅଧିକାର ହୋଇ ରହିଅଛି, କାରଣ ସେ ସମ୍ପୂର୍ଣ୍ଣ ରୂପେ ଇସ୍ରାଏଲର ଈଶ୍ଵର ଆମ୍ଭମାନଙ୍କ ପିତାଙ୍କ ଅନୁଗମନ କଲା। 15ପୂର୍ବେ ହିବ୍ରୋଣର ନାମ କିରୀୟଥ-ଅର୍ବ ଥିଲା; ଏହି ଅର୍ବ ଅନାକୀୟମାନଙ୍କ ମଧ୍ୟରେ ମହାନ ପୁରୁଷ ଥିଲା। ତହିଁ ଉତ୍ତାରେ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା।