ମଧୁ ପରି ମିଷ୍ଟ ନଳାକାର ପୁସ୍ତକ
ସେ ପୁସ୍ତକ-ପଟ୍ଟଟି ଖାଆନ୍ତି ଓ ତାହା ମହୁ ପରି ମିଠା ଲାଗେ, ତାʼପରେ ତାଙ୍କୁ ତେଲ୍-ଆବୀବରେ ଥିବା ନିର୍ବାସିତମାନଙ୍କ ପାଖକୁ ନିଆଯାଏ, ଯେଉଁଠି ସେ ସାତ ଦିନ ସେମାନଙ୍କ ମଧ୍ୟରେ ସ୍ତବ୍ଧ ହୋଇ ବସି ରହନ୍ତି। ଆମର ପିତା ତାଙ୍କୁ ପ୍ରହରୀ କରନ୍ତି, ସତର୍କ କରିବା ପାଇଁ ଉତ୍ତରଦାୟୀ, ତାʼପରେ ତାଙ୍କ ଜିହ୍ୱା ବାନ୍ଧି ଦିଅନ୍ତି ଯେପରି ସେ କେବଳ ବାକ୍ୟ ଦିଆଗଲେ କହିବେ।
3 1ସେ ମୋତେ କହିଲେ, “ହେ ମନୁଷ୍ୟପୁତ୍ର, ଯାହା ପାଉଅଛ, ତାହା ଭୋଜନ କର। ଏହି ନଳାକାର ପୁସ୍ତକ ଭୋଜନ କରି ଇସ୍ରାଏଲ ବଂଶ ନିକଟକୁ ଯାଇ କଥା କୁହ।”
2ତେଣୁ ମୁଁ ଆପଣା ମୁଖ ମେଲିଲି, ଆଉ ସେ ଏହି ନଳାକାର ପୁସ୍ତକ ମୋତେ ଭୋଜନ କରିବାକୁ ଦେଲେ।
3ସେ ମୋତେ କହିଲେ, “ହେ ମନୁଷ୍ୟପୁତ୍ର, ଆମ୍ଭେ ତୁମ୍ଭକୁ ଯେଉଁ ନଳାକାର ପୁସ୍ତକ ଦେଉଅଛୁ, ତଦ୍ଵାରା ଆପଣା ଉଦର ଆହାର କରାଅ ଓ କୁକ୍ଷି ପୂର୍ଣ୍ଣ କର।” ତହୁଁ ମୁଁ ତାହା ଭୋଜନ କଲି, ଆଉ ତାହା ମୋହର ମୁଖରେ ମଧୁ ପରି ମିଷ୍ଟ ଲାଗିଲା।
4ତାʼପରେ ସେ ମୋତେ କହିଲେ, “ହେ ମନୁଷ୍ୟପୁତ୍ର, ଇସ୍ରାଏଲ ବଂଶ ନିକଟକୁ ଯାଇ ସେମାନଙ୍କୁ ଆମ୍ଭର ବାକ୍ୟ କୁହ।
5କାରଣ ତୁମ୍ଭେ ଦୁର୍ବୋଧ୍ୟ ବାକ୍ୟ ଓ କଠିନ ଭାଷା ବିଶିଷ୍ଟ ଗୋଟିଏ ଗୋଷ୍ଠୀ ନିକଟକୁ ପ୍ରେରିତ ହୋଇ ନାହଁ, ମାତ୍ର ଇସ୍ରାଏଲ ବଂଶ ନିକଟକୁ, 6ଦୁର୍ବୋଧ୍ୟ ବାକ୍ୟ ଓ କଠିନ ଭାଷା ବିଶିଷ୍ଟ, ଯେଉଁମାନଙ୍କ ବାକ୍ୟ ତୁମ୍ଭେ ବୁଝି ପାର ନାହିଁ, ଏପରି ଅନେକ ଗୋଷ୍ଠୀ ନିକଟକୁ ନୁହେଁ। ନିଶ୍ଚୟ, ଆମ୍ଭେ ଯଦି ତୁମ୍ଭକୁ ସେମାନଙ୍କ ନିକଟକୁ ପ୍ରେରଣ କରିଥାନ୍ତୁ, ତେବେ ସେମାନେ ତୁମ୍ଭ କଥା ଶୁଣନ୍ତେ। 7ମାତ୍ର ଇସ୍ରାଏଲ ବଂଶ ତୁମ୍ଭ କଥା ଶୁଣିବାକୁ ସମ୍ମତ ହେବେ ନାହିଁ, କାରଣ ସେମାନେ ଆମ୍ଭ କଥା ଶୁଣିବାକୁ ସମ୍ମତ ନୁହନ୍ତି; ଯେଣୁ ସମସ୍ତ ଇସ୍ରାଏଲ ବଂଶ କଠିନ କପାଳ ଓ ଜିଦ୍ଖୋର ଅନ୍ତଃକରଣ ବିଶିଷ୍ଟ ଅଟନ୍ତି। 8ଦେଖ, ଆମ୍ଭେ ତୁମ୍ଭର ମୁଖ ସେମାନଙ୍କ ମୁଖ ତୁଲ୍ୟ ଦୃଢ଼ ଓ ତୁମ୍ଭର କପାଳ ସେମାନଙ୍କ କପାଳ ତୁଲ୍ୟ ଦୃଢ଼ କରିଅଛୁ। 9ଆମ୍ଭେ ତୁମ୍ଭର କପାଳ ହୀରା ତୁଲ୍ୟ, ଚକ୍ମକି ପଥର ଅପେକ୍ଷା ଅଧିକ ଦୃଢ଼ କରିଅଛୁ। ତୁମ୍ଭେ ସେମାନଙ୍କୁ ଭୟ କର ନାହିଁ, କିଅବା ସେମାନଙ୍କ ମୁଖ ଦେଖି ଉଦ୍ବିଗ୍ନ ହୁଅ ନାହିଁ, କାରଣ ସେମାନେ ବିଦ୍ରୋହୀ ବଂଶ ଅଟନ୍ତି।”
10ସେ ମୋତେ କହିଲେ, “ହେ ମନୁଷ୍ୟପୁତ୍ର, ଆମ୍ଭେ ତୁମ୍ଭକୁ ଯେସବୁ ବାକ୍ୟ କହିବୁ, ସେହିସବୁ ଆପଣା ହୃଦୟରେ ଗ୍ରହଣ କର ଓ ଆପଣା କର୍ଣ୍ଣରେ ଶୁଣ। 11ତୁମ୍ଭର ନିଜ ଲୋକ ଯେଉଁ ନିର୍ବାସିତମାନେ, ସେମାନଙ୍କ ନିକଟକୁ ଯାଇ ସେମାନଙ୍କୁ କଥା କୁହ। ସେମାନେ ଶୁଣନ୍ତୁ ବା ଶୁଣିବାକୁ ଅସମ୍ମତ ହୁଅନ୍ତୁ, ତଥାପି ‘ସାର୍ବଭୌମ ପିତା ଏହା କହନ୍ତି’ ବୋଲି ସେମାନଙ୍କୁ କୁହ।”
12ତାʼପରେ ଆମ୍ଭମାନଙ୍କ ପିତାଙ୍କ ଆତ୍ମା ମୋତେ ଉଠାଇ ନେଲେ, ଆଉ ମୁଁ ଆପଣା ପଛରେ ଏକ ମହାନ ଗର୍ଜନର ଶବ୍ଦ ଶୁଣିଲି—“ଆପଣା ବାସସ୍ଥାନରୁ ଆମ୍ଭମାନଙ୍କ ପିତାଙ୍କ ମହିମା ଧନ୍ୟ ହେଉ!” 13ପରସ୍ପର ସ୍ପର୍ଶ କରୁଥିବା ଜୀବିତ ପ୍ରାଣୀମାନଙ୍କ ପକ୍ଷର ଶବ୍ଦ ଓ ସେମାନଙ୍କ ପାର୍ଶ୍ଵସ୍ଥିତ ଚକ୍ରଗୁଡ଼ିକର ଶବ୍ଦ, ଏକ ମହାନ ଗର୍ଜନର ଶବ୍ଦ ଶୁଣିଲି। 14ଆତ୍ମା ମୋତେ ଉଠାଇ ବହିନେଲେ, ଆଉ ମୁଁ ତିକ୍ତ ମନରେ ଗଲି, ମୋହର ଆତ୍ମା ମୋ ଅନ୍ତରରେ ଜ୍ଵଳିଲା, ଆଉ ଆମ୍ଭମାନଙ୍କ ପିତାଙ୍କ ହସ୍ତ ମୋ ଉପରେ ବଳବାନ ଥିଲା। 15ତହୁଁ ମୁଁ କବାର ନଦୀ ନିକଟସ୍ଥ ତେଲ୍-ଆବୀବ୍ରେ ବାସ କରୁଥିବା ନିର୍ବାସିତମାନଙ୍କ ନିକଟକୁ ଆସିଲି, ଆଉ ସେଠାରେ ସେମାନଙ୍କ ମଧ୍ୟରେ ବିହ୍ଵଳ ହୋଇ ସାତ ଦିନ ବସି ରହିଲି।
ପିତା ଜଣେ ପ୍ରହରୀ ନିଯୁକ୍ତ କରନ୍ତି
16ସାତ ଦିନର ଅନ୍ତେ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ମୋ ନିକଟରେ ଉପସ୍ଥିତ ହେଲା—
17“ହେ ମନୁଷ୍ୟପୁତ୍ର, ଆମ୍ଭେ ତୁମ୍ଭକୁ ଇସ୍ରାଏଲ ବଂଶ ନିମନ୍ତେ ଜଣେ ପ୍ରହରୀ କରିଅଛୁ। ଏଣୁ ତୁମ୍ଭେ ଆମ୍ଭ ମୁଖରୁ ବାକ୍ୟ ଶୁଣିଲେ, ଆମ୍ଭ ତରଫରୁ ସେମାନଙ୍କୁ ଚେତନା ଦିଅ। 18ଆମ୍ଭେ ଯଦି ଦୁଷ୍ଟ ଲୋକକୁ ‘ତୁ ନିଶ୍ଚୟ ମରିବୁ’ ବୋଲି କହୁ, ଆଉ ତୁମ୍ଭେ ତାହାର ପ୍ରାଣ ରକ୍ଷା କରିବା ନିମନ୍ତେ ତାହାକୁ ଚେତନା ନ ଦିଅ, କିଅବା ସେହି ଦୁଷ୍ଟକୁ ତାହାର କୁମାର୍ଗରୁ ଫେରାଇବା ପାଇଁ ଚେତନା ଦେବା କଥା ନ କୁହ, ତେବେ ସେହି ଦୁଷ୍ଟ ଲୋକ ଆପଣା ଅଧର୍ମ ନିମନ୍ତେ ମରିବ, ମାତ୍ର ଆମ୍ଭେ ତାହାର ରକ୍ତ ତୁମ୍ଭ ହସ୍ତରୁ ଲୋଡ଼ିବୁ।
19ମାତ୍ର ତୁମ୍ଭେ ଯଦି ଦୁଷ୍ଟ ଲୋକକୁ ଚେତନା ଦିଅ, ଆଉ ସେ ଆପଣା ଦୁଷ୍ଟତାରୁ କିଅବା ଆପଣା କୁମାର୍ଗରୁ ନ ଫେରେ, ତେବେ ସେ ଆପଣା ଅଧର୍ମ ନିମନ୍ତେ ମରିବ, ମାତ୍ର ତୁମ୍ଭେ ଆପଣା ପ୍ରାଣ ରକ୍ଷା କରିଥିବ।
20ପୁନଶ୍ଚ, ଜଣେ ଧାର୍ମିକ ଲୋକ ଯେତେବେଳେ ଆପଣା ଧାର୍ମିକତାରୁ ଫେରି ଅଧର୍ମ କରେ, ଆଉ ଆମ୍ଭେ ତାହା ସମ୍ମୁଖରେ ବିଘ୍ନ ରଖୁ, ସେତେବେଳେ ସେ ମରିବ। ତୁମ୍ଭେ ତାହାକୁ ଚେତନା ନ ଦେବାରୁ ସେ ଆପଣା ପାପ ନିମନ୍ତେ ମରିବ, ଆଉ ତାହାର କୃତ ଧର୍ମକର୍ମ ବିସ୍ମୃତ ହେବ, ପୁଣି ଆମ୍ଭେ ତାହାର ରକ୍ତ ତୁମ୍ଭ ହସ୍ତରୁ ଲୋଡ଼ିବୁ। 21ମାତ୍ର ତୁମ୍ଭେ ଯଦି ଧାର୍ମିକ ଲୋକକୁ ପାପ ନ କରିବା ପାଇଁ ଚେତନା ଦିଅ, ଆଉ ସେ ପାପ ନ କରେ, ତେବେ ସେ ଚେତନାର ବାକ୍ୟ ଗ୍ରହଣ କରିବାରୁ ବଞ୍ଚିବ, ଆଉ ତୁମ୍ଭେ ଆପଣା ପ୍ରାଣ ରକ୍ଷା କରିଥିବ।”
22ସେଠାରେ ଆମ୍ଭମାନଙ୍କ ପିତାଙ୍କ ହସ୍ତ ମୋ ଉପରେ ଥିଲା, ଆଉ ସେ ମୋତେ କହିଲେ, “ଉଠ, ପଦାକୁ ଯାଅ, ଆଉ ସେଠାରେ ଆମ୍ଭେ ତୁମ୍ଭ ସଙ୍ଗେ କଥା କହିବୁ।”
23ତେଣୁ ମୁଁ ଉଠି ପଦାକୁ ଗଲି, ଆଉ ସେଠାରେ ଆମ୍ଭମାନଙ୍କ ପିତାଙ୍କ ମହିମା, ଅର୍ଥାତ୍ ମୁଁ କବାର ନଦୀ ନିକଟରେ ଯେଉଁ ମହିମା ଦେଖିଥିଲି, ତତ୍ତୁଲ୍ୟ ମହିମା ଠିଆ ହୋଇ ରହିଥିଲା, ତହୁଁ ମୁଁ ମୁହଁ ମାଡ଼ି ପଡ଼ିଲି।
24ତାʼପରେ ଆତ୍ମା ମୋʼଠାରେ ପ୍ରବେଶ କରି ମୋତେ ପାଦରେ ଠିଆ କରାଇଲେ, ପୁଣି ମୋ ସଙ୍ଗେ କଥା କହି କହିଲେ, “ଯାଅ, ଆପଣା ଗୃହ ଭିତରେ ଆପଣାକୁ ବନ୍ଦ କରି ରଖ। 25ହେ ମନୁଷ୍ୟପୁତ୍ର, ଦେଖ, ଲୋକମାନେ ତୁମ୍ଭ ଉପରେ ରଜ୍ଜୁ ବାନ୍ଧିବେ ଓ ତଦ୍ଦ୍ଵାରା ତୁମ୍ଭକୁ ବନ୍ଧନ କରିବେ, ତହିଁରେ ତୁମ୍ଭେ ଲୋକମାନଙ୍କ ମଧ୍ୟକୁ ବାହାରିବାକୁ ପାରିବ ନାହିଁ।
26ଆଉ ଆମ୍ଭେ ତୁମ୍ଭର ଜିହ୍ଵା ତୁମ୍ଭ ତାଳୁରେ ଲଗାଇ ଦେବୁ, ତହିଁରେ ତୁମ୍ଭେ ମୂକ ହୋଇ ସେମାନଙ୍କୁ ଅନୁଯୋଗ କରିବାକୁ ଅସମର୍ଥ ହେବ, କାରଣ ସେମାନେ ବିଦ୍ରୋହୀ ବଂଶ ଅଟନ୍ତି। 27ମାତ୍ର ଯେତେବେଳେ ଆମ୍ଭେ ତୁମ୍ଭ ସଙ୍ଗେ କଥା କହିବୁ, ସେତେବେଳେ ଆମ୍ଭେ ତୁମ୍ଭର ମୁଖ ମେଲାଇ ଦେବୁ, ଆଉ ତୁମ୍ଭେ ସେମାନଙ୍କୁ କହିବ, ‘ସାର୍ବଭୌମ ପିତା ଏହା କହନ୍ତି।’ ଯେ ଶୁଣିବ, ସେ ଶୁଣୁ; ଆଉ ଯେ ଅସମ୍ମତ ହେବ, ସେ ଅସମ୍ମତ ହେଉ—କାରଣ ସେମାନେ ବିଦ୍ରୋହୀ ବଂଶ ଅଟନ୍ତି।”