ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପିତା ଯିରୂଶାଲମର ଅବରୋଧ ଚିହ୍ନିତ କରନ୍ତି

ଯିହିଜିକଲ ଆମର ପିତାଙ୍କ ଅବରୋଧକୁ ରାସ୍ତା-ନାଟକ ଭଳି ଅଭିନୟ କରନ୍ତି: ଯିରୂଶାଲମର ଚିତ୍ର ଖୋଦିତ ଏକ ଇଟା, କାନ୍ଥ ପାଇଁ ଲୁହାର ଏକ ତାୱା, ଏକ ପାର୍ଶ୍ୱରେ ୩୯୦ ଦିନ ଓ ଅନ୍ୟ ପାର୍ଶ୍ୱରେ ଚାଳିଶ ଦିନ ଶୋଇବା, ମାପି ଦିଆଯାଇଥିବା ରୁଟି ଓ ମପା ଜଳ। ମନୁଷ୍ୟ-ମଳରେ ରାନ୍ଧିବାକୁ ସେ ଆପତ୍ତି କରନ୍ତି ଓ ତା ବଦଳରେ ଗୋବର ପାଆନ୍ତି।

ଅଧ୍ୟାୟ 4।

“ହେ ମନୁଷ୍ୟପୁତ୍ର, ତୁମ୍ଭେ ଗୋଟିଏ ଇଟା ନେଇ ଆପଣା ସମ୍ମୁଖରେ ରଖ, ପୁଣି ତହିଁ ଉପରେ ଗୋଟିଏ ନଗର, ଅର୍ଥାତ୍‍ ଯିରୂଶାଲମ ଖୋଦନ କର। ପୁଣି ତାହା ବିରୁଦ୍ଧରେ ଅବରୋଧ ସ୍ଥାପନ କର; ତାହା ବିରୁଦ୍ଧରେ ଅବରୋଧ-ପ୍ରାଚୀର ନିର୍ମାଣ କର, ତାହା ବିରୁଦ୍ଧରେ ବନ୍ଧ ବାନ୍ଧ, ତାହା ବିରୁଦ୍ଧରେ ଛାଉଣି ସ୍ଥାପନ କର ଓ ତାହା ଚତୁର୍ଦ୍ଦିଗରେ ଯନ୍ତ୍ର ବସାଅ। ପୁଣି ତୁମ୍ଭେ ଗୋଟିଏ ଲୁହା ତାୱା ନେଇ ତୁମ୍ଭ ଓ ନଗର ମଧ୍ୟରେ ଲୌହ-ପ୍ରାଚୀର ସ୍ୱରୂପେ ତାହା ସ୍ଥାପନ କର; ଆଉ ତହିଁ ଆଡ଼େ ଆପଣା ମୁଖ ରଖ, ତାହା ଅବରୁଦ୍ଧ ହେବ ଓ ତୁମ୍ଭେ ତାହା ବିରୁଦ୍ଧରେ ଅବରୋଧ ଦୃଢ଼ କରିବ। ଏହା ଇସ୍ରାଏଲ ବଂଶ ନିମନ୍ତେ ଗୋଟିଏ ଚିହ୍ନ ଅଟେ।

“ପୁଣି ତୁମ୍ଭେ ଆପଣା ବାମ ପାର୍ଶ୍ୱରେ ଶୟନ କର ଓ ତହିଁ ଉପରେ ଇସ୍ରାଏଲ ବଂଶର ଅପରାଧ ରଖ; ଯେତେ ଦିନ ତୁମ୍ଭେ ତହିଁ ଉପରେ ଶୟନ କରିବ, ସେତେ ଦିନ ତୁମ୍ଭେ ସେମାନଙ୍କ ଅପରାଧ ବହିବ। କାରଣ ଆମ୍ଭେ ସେମାନଙ୍କ ଅପରାଧର ବର୍ଷସମୂହକୁ ଦିନର ସଂଖ୍ୟା ସ୍ୱରୂପେ, ଅର୍ଥାତ୍‍ ତିନି ଶହ ନବେ ଦିନ ତୁମ୍ଭ ପ୍ରତି ନିରୂପଣ କରିଅଛୁ; ତହିଁରେ ତୁମ୍ଭେ ଇସ୍ରାଏଲ ବଂଶର ଅପରାଧ ବହିବ।

“ପୁଣି ଏହିସବୁ ସମାପ୍ତ କଲା ଉତ୍ତାରେ ତୁମ୍ଭେ ଦ୍ୱିତୀୟ ଥର ଆପଣା ଡାହାଣ ପାର୍ଶ୍ୱରେ ଶୟନ କର ଓ ଚାଳିଶ ଦିନ ଯିହୂଦା ବଂଶର ଅପରାଧ ବହ; ଆମ୍ଭେ ତୁମ୍ଭ ପ୍ରତି ପ୍ରତି ବର୍ଷ ନିମନ୍ତେ ଏକ ଏକ ଦିନ ନିରୂପଣ କରିଅଛୁ। ପୁଣି ତୁମ୍ଭେ ଆପଣା ବାହୁ ଅନାବୃତ କରି ଯିରୂଶାଲମର ଅବରୋଧ ଆଡ଼େ ମୁଖ ରଖିବ ଓ ତାହା ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବ। ଆଉ ଦେଖ, ଆମ୍ଭେ ତୁମ୍ଭ ଅବରୋଧର ଦିନସମୂହ ସମାପ୍ତ ନ ହେବା ପର୍ଯ୍ୟନ୍ତ ତୁମ୍ଭେ ଯେପରି ଏ ପାର୍ଶ୍ୱରୁ ସେ ପାର୍ଶ୍ୱକୁ ଫେରି ନ ପାର, ଏଥିପାଇଁ ତୁମ୍ଭକୁ ରଜ୍ଜୁରେ ବାନ୍ଧିବା।

“ପୁଣି ତୁମ୍ଭେ ଗହମ, ଯବ, ଶିମ୍ବ, ମସୂର, କାଙ୍ଗୁ ଓ ଜୱାର ନେଇ ଗୋଟିଏ ପାତ୍ରରେ ରଖ, ଆଉ ତହିଁରୁ ଆପଣା ନିମନ୍ତେ ରୁଟି ପ୍ରସ୍ତୁତ କର; ଯେତେ ଦିନ ତୁମ୍ଭେ ଆପଣା ପାର୍ଶ୍ୱରେ ଶୟନ କରିବ, ସେହି ସମସ୍ତ ଦିନ, ଅର୍ଥାତ୍‍ ତିନି ଶହ ନବେ ଦିନ ତାହା ଭୋଜନ କରିବ। ପୁଣି ତୁମ୍ଭେ ଯେଉଁ ଖାଦ୍ୟ ଭୋଜନ କରିବ, ତାହା ତୌଲ କରି, ଦିନକୁ ପ୍ରାୟ କୋଡ଼ିଏ ଶେକଲ ପରିମାଣରେ ଭୋଜନ କରିବ; ନିରୂପିତ ସମୟେ ସମୟେ ତାହା ଭୋଜନ କରିବ। ଆଉ ତୁମ୍ଭେ ପରିମାଣ କରି ଜଳ ପାନ କରିବ, ଦିନକୁ ପ୍ରାୟ ଏକ ହିନର ଷଷ୍ଠାଂଶ; ନିରୂପିତ ସମୟେ ସମୟେ ତାହା ପାନ କରିବ। ଆଉ ତୁମ୍ଭେ ତାହା ଯବ ରୁଟି ତୁଲ୍ୟ ଭୋଜନ କରିବ ଓ ସେମାନଙ୍କ ସାକ୍ଷାତରେ ତାହା ମନୁଷ୍ୟର ମଳ ଉପରେ ସେକିବ।” ଆଉ ଆମ୍ଭମାନଙ୍କ ପିତା କହିଲେ, “ଆମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଯେଉଁ ଦେଶୀୟମାନଙ୍କ ମଧ୍ୟକୁ ତଡ଼ିଦେବା, ସେମାନଙ୍କ ମଧ୍ୟରେ ସେମାନେ ଏହିପରି ଅଶୁଚି ରୂପେ ଆପଣାମାନଙ୍କ ରୁଟି ଭୋଜନ କରିବେ।”

ସେତେବେଳେ ମୁଁ କହିଲି, “ହାୟ, ହେ ସର୍ବାଧିପତି ପିତା! ଦେଖ, ମୁଁ କେବେ ଆପଣାକୁ ଅଶୁଚି କରି ନାହିଁ; କାରଣ ବାଲ୍ୟକାଳଠାରୁ ଏ ପର୍ଯ୍ୟନ୍ତ ଆପେ ମଲା କିମ୍ବା ପଶୁ ଦ୍ୱାରା ବିଦୀର୍ଣ୍ଣ ହୋଇଥିବା କୌଣସି ବସ୍ତୁ ମୁଁ ଭୋଜନ କରି ନାହିଁ, ଆଉ ଘୃଣ୍ୟ ମାଂସ ମୋʼ ମୁଖରେ ପ୍ରବେଶ କରି ନାହିଁ।”

ତେବେ ସେ ମୋତେ କହିଲେ, “ଦେଖ, ମନୁଷ୍ୟର ମଳ ବଦଳେ ଆମ୍ଭେ ତୁମ୍ଭକୁ ଗୋମୟ ଦେଲୁ, ତହିଁ ଉପରେ ତୁମ୍ଭେ ଆପଣା ରୁଟି ପ୍ରସ୍ତୁତ କରିବ।”

ଆହୁରି ସେ ମୋତେ କହିଲେ, “ହେ ମନୁଷ୍ୟପୁତ୍ର, ଦେଖ, ଆମ୍ଭେ ଯିରୂଶାଲମରେ ଅନ୍ନରୂପ ଯଷ୍ଟି ଭାଙ୍ଗିବା; ତହିଁରେ ସେମାନେ ଉଦ୍‍ବିଗ୍ନ ହୋଇ ତୌଲ କରି ରୁଟି ଭୋଜନ କରିବେ ଓ ବିସ୍ମୟରେ ପରିମାଣ କରି ଜଳ ପାନ କରିବେ; କାରଣ ଅନ୍ନ ଓ ଜଳ ଅଭାବ ହେବ, ଆଉ ସେମାନେ ପରସ୍ପର ପ୍ରତି ବିସ୍ମୟରେ ଦୃଷ୍ଟି କରିବେ ଓ ଆପଣାମାନଙ୍କ ଅପରାଧରେ କ୍ଷୟ ପାଇବେ।”