ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ବିକ୍ଷିପ୍ତ କେଶର ଚିହ୍ନ

ସେ ଖଡ୍ଗରେ ଆପଣା ମୁଣ୍ଡ ଓ ଦାଢ଼ି ଖିଅର କରନ୍ତି ଓ କେଶକୁ ଓଜନ କରି ଭାଗ କରନ୍ତି; ପ୍ରତ୍ୟେକ ତୃତୀୟାଂଶ ନଗରର ଭାଗ୍ୟ ରୂପେ ପୋଡ଼ାଯାଏ, ଆଘାତ କରାଯାଏ କିମ୍ବା ଛିନ୍ନଭିନ୍ନ କରାଯାଏ। ଆମର ପିତା କହନ୍ତି, ଜାତିମାନଙ୍କ ମଧ୍ୟସ୍ଥଳରେ ସ୍ଥାପିତ ଯିରୂଶାଲମ ସେମାନଙ୍କଠାରୁ ଅଧିକ ବିଦ୍ରୋହ କଲା।

ଅଧ୍ୟାୟ 5।

“ହେ ମନୁଷ୍ୟପୁତ୍ର, ତୁମ୍ଭେ ଗୋଟିଏ ତୀକ୍ଷ୍ଣ ଖଡ୍ଗ କ୍ଷୌରକର କ୍ଷୁର ସ୍ଵରୂପ ନେଇ ଆପଣା ମସ୍ତକ ଓ ଦାଡ଼ି ଉପରେ ଚଳାଅ। ତତ୍ପରେ ତ୍ରାଜୁ ନେଇ କେଶକୁ ଭାଗ କର। ଅବରୋଧ ଦିନସବୁ ସମାପ୍ତ ହେଲେ ତୁମ୍ଭେ ତୃତୀୟାଂଶ ନଗର ମଧ୍ୟରେ ଅଗ୍ନିରେ ଦଗ୍ଧ କର। ତୃତୀୟାଂଶ ନେଇ ନଗରର ଚତୁର୍ଦିଗରେ ଖଡ୍ଗରେ ଆଘାତ କର। ପୁଣି ତୃତୀୟାଂଶ ବାୟୁରେ ବିକ୍ଷିପ୍ତ କର, ଆଉ ଆମ୍ଭେ ସେମାନଙ୍କ ପଛେ ପଛେ ଖଡ୍ଗ ବାହାର କରିବା। ପୁଣି ସେଥିରୁ ଅଳ୍ପ କେତେକ ନେଇ ଆପଣା ବସ୍ତ୍ରର ଅଞ୍ଚଳରେ ବାନ୍ଧି ରଖ। ଏହା ମଧ୍ୟରୁ ପୁନର୍ବାର କେତେକ ନେଇ ଅଗ୍ନି ମଧ୍ୟକୁ ନିକ୍ଷେପ କର, ଆଉ ତହିଁ ମଧ୍ୟରେ ଦଗ୍ଧ କର। ସେଠାରୁ ସମୁଦାୟ ଇସ୍ରାଏଲ ବଂଶ ମଧ୍ୟକୁ ଅଗ୍ନି ବ୍ୟାପିବ।’

ସାର୍ବଭୌମ ପିତା ଏହା କହନ୍ତି: ଏ ଯିରୂଶାଲମ ଅଟେ। ଆମ୍ଭେ ତାହାକୁ ଗୋଷ୍ଠୀସମୂହର ମଧ୍ୟସ୍ଥଳରେ ସ୍ଥାପନ କଲୁ, ଆଉ ତାହାର ଚତୁର୍ଦିଗରେ ଦେଶସବୁ ଥିଲା। ମାତ୍ର ସେ ଗୋଷ୍ଠୀସମୂହ ଅପେକ୍ଷା ଅଧିକ ଦୁଷ୍ଟତାରେ ଆମ୍ଭର ଶାସନ ବିରୁଦ୍ଧରେ, ଆଉ ଆପଣା ଚତୁର୍ଦିଗସ୍ଥିତ ଦେଶସବୁ ଅପେକ୍ଷା ଅଧିକରେ ଆମ୍ଭର ବିଧି ବିରୁଦ୍ଧରେ ବିଦ୍ରୋହ କଲା; କାରଣ ସେମାନେ ଆମ୍ଭର ଶାସନ ଅଗ୍ରାହ୍ୟ କଲେ ଆଉ ଆମ୍ଭର ବିଧି ଅନୁସାରେ ଚାଲିଲେ ନାହିଁ।

ଏଣୁ ସାର୍ବଭୌମ ପିତା ଏହା କହନ୍ତି: “ଆପଣା ଚତୁର୍ଦିଗସ୍ଥିତ ଗୋଷ୍ଠୀସମୂହ ଅପେକ୍ଷା ତୁମ୍ଭେ ଅଧିକ ବିଦ୍ରୋହୀ ହୋଇଥିବାରୁ, ଆଉ ଆମ୍ଭର ବିଧି ଅନୁସାରେ ଚାଲି ନ ଥିବାରୁ କି ଆମ୍ଭର ଶାସନ ପାଳନ ନ କରିଥିବାରୁ, ଏପରିକି ଆପଣା ଚତୁର୍ଦିଗସ୍ଥିତ ଗୋଷ୍ଠୀସମୂହର ଶାସନ ଅନୁସାରେ ସୁଦ୍ଧା କର୍ମ ନ କରିଥିବାରୁ, ଏଥିପାଇଁ ସାର୍ବଭୌମ ପିତା ଏହା କହନ୍ତି: ‘ଦେଖ, ଆମ୍ଭେ, ଆମ୍ଭେ ନିଜେ ତୁମ୍ଭ ପ୍ରତିକୂଳ ଅଟୁ, ଆଉ ଗୋଷ୍ଠୀସମୂହ ସାକ୍ଷାତରେ ତୁମ୍ଭ ମଧ୍ୟରେ ବିଚାର ସାଧନ କରିବା। ତୁମ୍ଭର ସକଳ ଘୃଣାଯୋଗ୍ୟ କର୍ମ ସକାଶୁ ଆମ୍ଭେ ତୁମ୍ଭ ମଧ୍ୟରେ ଯାହା ପୂର୍ବେ କେବେ କରି ନାହୁଁ ଆଉ ଭବିଷ୍ୟତରେ କେବେ କରିବା ନାହିଁ, ତାହା ହିଁ କରିବା। ଏଣୁ ତୁମ୍ଭ ମଧ୍ୟରେ ପିତାମାତା ଆପଣା ସନ୍ତାନଗଣକୁ ଭୋଜନ କରିବେ, ଆଉ ସନ୍ତାନଗଣ ଆପଣା ପିତାମାତାଙ୍କୁ ଭୋଜନ କରିବେ। ଆମ୍ଭେ ତୁମ୍ଭ ଉପରେ ବିଚାର ସାଧନ କରିବା ଆଉ ତୁମ୍ଭର ଅବଶିଷ୍ଟ ସମସ୍ତଙ୍କୁ ପ୍ରତି ବାୟୁରେ ବିକ୍ଷିପ୍ତ କରିବା।’

“ଆମ୍ଭେ ଜୀବିତ ଥିବା ନିଶ୍ଚୟ ବୋଲି ସାର୍ବଭୌମ ପିତା କହନ୍ତି, ତୁମ୍ଭେ ଆପଣାର ସକଳ ଘୃଣ୍ୟ ବସ୍ତୁ ଓ ଘୃଣାଯୋଗ୍ୟ ଆଚରଣ ଦ୍ଵାରା ଆମ୍ଭର ଧର୍ମଧାମ ଅଶୁଚି କରିଥିବାରୁ, ଆମ୍ଭେ ନିଜେ ମଧ୍ୟ ପ୍ରତ୍ୟାହାର କରିବା; ଆମ୍ଭର ଚକ୍ଷୁ କାହାରିକୁ ଦୟା କରିବ ନାହିଁ ଆଉ ଆମ୍ଭେ କିଛି କ୍ଷମା କରିବା ନାହିଁ। ‘ତୁମ୍ଭର ତୃତୀୟାଂଶ ତୁମ୍ଭ ମଧ୍ୟରେ ମହାମାରୀ କି ଦୁର୍ଭିକ୍ଷ ଦ୍ଵାରା ମରିବେ; ତୃତୀୟାଂଶ ତୁମ୍ଭ ଚତୁର୍ଦିଗରେ ଖଡ୍ଗ ଦ୍ଵାରା ପତିତ ହେବେ; ପୁଣି ତୃତୀୟାଂଶକୁ ଆମ୍ଭେ ପ୍ରତି ବାୟୁରେ ବିକ୍ଷିପ୍ତ କରିବା, ଆଉ ନିଷ୍କୋଷିତ ଖଡ୍ଗ ନେଇ ସେମାନଙ୍କ ପଛେ ପଛେ ଗୋଡ଼ାଇବା।

“ତେବେ ଆମ୍ଭର କ୍ରୋଧ ସମାପ୍ତ ହେବ, ଆଉ ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଆପଣା କୋପ ନିବୃତ୍ତ କରିବା ଓ ସାନ୍ତ୍ଵନା ପାଇବା। ଆମ୍ଭେ ସେମାନଙ୍କ ଉପରେ ଆପଣା କୋପ ସାଧନ କଲେ, ଆମ୍ଭେ ସେମାନଙ୍କ ପିତା ଆପଣା ଉଦ୍‍ଯୋଗରେ କଥା କହିଅଛୁ ବୋଲି ସେମାନେ ଜାଣିବେ।

“ଆଉ ତୁମ୍ଭ ଚତୁର୍ଦିଗସ୍ଥିତ ଗୋଷ୍ଠୀସମୂହ ମଧ୍ୟରେ, ପ୍ରତ୍ୟେକ ପଥିକର ସାକ୍ଷାତରେ ଆମ୍ଭେ ତୁମ୍ଭକୁ ଉଚ୍ଛିନ୍ନ ସ୍ଥାନ ଓ ନିନ୍ଦାର ବିଷୟ କରିବା। ଆମ୍ଭେ ଯେତେବେଳେ କ୍ରୋଧ, କୋପ ଓ ପ୍ରଚଣ୍ଡ ଭର୍ତ୍ସନା ସହିତ ତୁମ୍ଭ ଉପରେ ବିଚାର ସାଧନ କରିବା, ସେତେବେଳେ ତୁମ୍ଭେ ଆପଣା ଚତୁର୍ଦିଗସ୍ଥିତ ଗୋଷ୍ଠୀସମୂହ ନିକଟରେ ନିନ୍ଦା ଓ ପରିହାସର, ସତର୍କତା ଓ ଆତଙ୍କର ବିଷୟ ହେବ। ଆମ୍ଭେ ତୁମ୍ଭର ପିତା ଏହା କହିଅଛୁ। ଆମ୍ଭେ ଯେତେବେଳେ ତୁମ୍ଭ ବିନାଶ ନିମନ୍ତେ ପ୍ରେରିତ ଦୁର୍ଭିକ୍ଷର ମାରାତ୍ମକ ବାଣସବୁ ତୁମ୍ଭ ଉପରକୁ ନିକ୍ଷେପ କରିବା, ସେତେବେଳେ ଆମ୍ଭେ ତୁମ୍ଭ ଉପରେ ଅଧିକ ଦୁର୍ଭିକ୍ଷ ଯୋଗ କରିବା, ଆଉ ତୁମ୍ଭର ଅନ୍ନଭଣ୍ଡାର ଉଚ୍ଛିନ୍ନ କରିବା। ଆମ୍ଭେ ତୁମ୍ଭ ବିରୁଦ୍ଧରେ ଦୁର୍ଭିକ୍ଷ ଓ ବନ୍ୟ ପଶୁ ପ୍ରେରଣ କରିବା; ସେମାନେ ତୁମ୍ଭକୁ ନିଃସନ୍ତାନ କରିବେ। ମହାମାରୀ ଓ ରକ୍ତପାତ ତୁମ୍ଭ ମଧ୍ୟ ଦେଇ ଗମନ କରିବ, ଆଉ ଆମ୍ଭେ ତୁମ୍ଭ ଉପରକୁ ଖଡ୍ଗ ଆଣିବା। ଆମ୍ଭେ ତୁମ୍ଭର ପିତା ଏହା କହିଅଛୁ।’”