ଜ୍ଞାନ ମୁଖମଣ୍ଡଳ ଉଜ୍ଜ୍ଵଳ କରେ
ଯେଉଁ ରାଜା ନିଜ ଇଚ୍ଛାମତେ କରନ୍ତି, ତାଙ୍କ ସମ୍ମୁଖରେ ସତର୍କ ରହିବାକୁ ଜ୍ଞାନ ପରାମର୍ଶ ଦିଏ। ପବନକୁ କିମ୍ବା ମୃତ୍ୟୁ ଦିନକୁ କେହି ନିୟନ୍ତ୍ରଣ କରିପାରେ ନାହିଁ। ଦଣ୍ଡାଜ୍ଞାରେ ବିଳମ୍ବ ହେଲେ ଦୁଷ୍ଟତା ସାହସୀ ହୁଏ, ଏବଂ ଦୁଷ୍ଟର ପ୍ରାପ୍ୟ ପ୍ରାୟ ଧାର୍ମିକଙ୍କ ଭାଗ୍ୟରେ ପଡ଼େ। ଉପଦେଶକ ଆନନ୍ଦ ଉପଭୋଗକୁ ପ୍ରଶଂସା କରନ୍ତି, ଏବଂ ସ୍ୱୀକାର କରନ୍ତି ଯେ ପରମେଶ୍ୱରଙ୍କ କାର୍ଯ୍ୟ ଖୋଜି ବାହାର କରାଯାଇ ପାରେ ନାହିଁ।
8 1ଜ୍ଞାନୀ ତୁଲ୍ୟ କିଏ? କୌଣସି ବିଷୟର ଅର୍ଥ କିଏ ଜାଣେ? ମନୁଷ୍ୟର ଜ୍ଞାନ ତାହାର ମୁଖ ଉଜ୍ଜ୍ଵଳ କରେ, ପୁଣି ତାହାର ମୁଖର କଠୋରତା ପରିବର୍ତ୍ତିତ ହୁଏ।
2ମୁଁ କହୁଅଛି, ପରମେଶ୍ଵରଙ୍କ ଛାମୁରେ କରିଥିବା ଆପଣା ଶପଥ ସକାଶେ ରାଜାଙ୍କ ଆଜ୍ଞା ପାଳନ କର।
ରାଜାଙ୍କ କ୍ଷମତା ମଧ୍ୟରେ ଚଳିବା
3ତାହାଙ୍କ ଛାମୁରୁ ଯିବା ନିମନ୍ତେ ଚଞ୍ଚଳ ହୁଅ ନାହିଁ, କିଅବା ମନ୍ଦ ବିଷୟରେ ଅଟଳ ରୁହ ନାହିଁ; କାରଣ ରାଜା ଯାହା ଇଚ୍ଛା କରନ୍ତି, ତାହା କରନ୍ତି। 4ଯେଣୁ ରାଜାଙ୍କ ବାକ୍ୟ ସର୍ବୋଚ୍ଚ କ୍ଷମତାଯୁକ୍ତ, ଆଉ କିଏ ତାହାଙ୍କୁ କହିପାରେ, “ଆପଣ କଅଣ କରୁଅଛନ୍ତି?” 5ଯେ ଆଜ୍ଞା ପାଳନ କରେ, ସେ କୌଣସି ଅମଙ୍ଗଳ ଜାଣେ ନାହିଁ; ପୁଣି ଜ୍ଞାନୀ ଅନ୍ତଃକରଣ ସମୟ ଓ ବିଚାର ଜାଣେ। 6ପ୍ରତ୍ୟେକ ବିଷୟର ସମୟ ଓ ବିଚାର ଅଛି, ତଥାପି ମନୁଷ୍ୟର ଦୁଃଖ ତାହା ଉପରେ ଗୁରୁତର ହୁଏ। 7ଯେଣୁ କଅଣ ଘଟିବ, ତାହା କେହି ଜାଣେ ନାହିଁ, ପୁଣି ତାହା କିପରି ଘଟିବ, ଏହା ତାହାକୁ କିଏ କହିପାରେ? 8ବାୟୁକୁ ଅଟକାଇ ରଖିବା ପାଇଁ କାହାର କ୍ଷମତା ନାହିଁ, କିଅବା ମୃତ୍ୟୁ ଦିନ ଉପରେ କାହାର କ୍ଷମତା ନାହିଁ; ସେହି ଯୁଦ୍ଧରୁ କେହି ରେହାଇ ପାଏ ନାହିଁ, ପୁଣି ଯେଉଁମାନେ ଦୁଷ୍ଟତା କରନ୍ତି, ଦୁଷ୍ଟତା ସେମାନଙ୍କୁ ଉଦ୍ଧାର କରିବ ନାହିଁ। 9ମୁଁ ଏହିସବୁ ଦେଖିଲି, ପୁଣି ସୂର୍ଯ୍ୟ ତଳେ କରାଯାଉଥିବା ପ୍ରତ୍ୟେକ କର୍ମ ପ୍ରତି ଆପଣା ମନ ଦେଲି — ଏପରି ଗୋଟିଏ ସମୟ ଥିଲା, ଯେତେବେଳେ ଜଣେ ମନୁଷ୍ୟ ଅନ୍ୟ ଜଣକ ଉପରେ ତାହାର କ୍ଷତି ନିମନ୍ତେ କର୍ତ୍ତୃତ୍ୱ କଲା।
ଯେତେବେଳେ ନ୍ୟାୟ ବିଳମ୍ବିତ ବୋଲି ମନେ ହୁଏ
10ତତ୍ପରେ ମୁଁ ଦୁଷ୍ଟମାନଙ୍କୁ ସମାଧିସ୍ଥ ହୋଇ ବିଶ୍ରାମ ପାଇବାର ଦେଖିଲି; ସେମାନେ ପବିତ୍ର ସ୍ଥାନକୁ ଆସୁ ଥିଲେ ଓ ତହିଁରୁ ଯାଉ ଥିଲେ, ପୁଣି ଯେଉଁ ନଗରରେ ସେମାନେ ଏପରି କରିଥିଲେ, ସେଠାରେ ପ୍ରଶଂସିତ ହେଲେ। ଏହା ମଧ୍ୟ ଅସାର। a a v10 ପବିତ୍ର ସ୍ଥାନ ବୋଲି ଯିରୂଶାଲମର ମନ୍ଦିରକୁ ବୁଝାଏ। 11ମନ୍ଦ କର୍ମର ଦଣ୍ଡାଜ୍ଞା ଶୀଘ୍ର କାର୍ଯ୍ୟକାରୀ ନ ହେବାରୁ, ମନୁଷ୍ୟମାନଙ୍କ ଅନ୍ତଃକରଣ ମନ୍ଦ କର୍ମ କରିବା ନିମନ୍ତେ ସମ୍ପୂର୍ଣ୍ଣ ରୂପେ ଆସକ୍ତ ହୋଇଅଛି। 12ଯଦ୍ୟପି ପାପୀ ଶତ ଥର ମନ୍ଦ କର୍ମ କରି ଦୀର୍ଘ କାଳ ବଞ୍ଚେ, ତଥାପି ମୁଁ ଜାଣେ ଯେ, ଯେଉଁମାନେ ପରମେଶ୍ଵରଙ୍କୁ ଭୟ କରନ୍ତି, ଯେଉଁମାନେ ତାହାଙ୍କ ଛାମୁରେ ଭୟ କରନ୍ତି, ସେମାନଙ୍କର ମଙ୍ଗଳ ହେବ। 13ମାତ୍ର ଦୁଷ୍ଟର ମଙ୍ଗଳ ହେବ ନାହିଁ, ଅଥବା ସେ ଛାୟା ପରି ଆପଣା ଦିନ ଦୀର୍ଘ କରିବ ନାହିଁ, ଯେଣୁ ସେ ପରମେଶ୍ଵରଙ୍କୁ ଭୟ କରେ ନାହିଁ।
14ପୃଥିବୀରେ ଏକ ଅସାର ବିଷୟ ଘଟେ: ଧାର୍ମିକମାନଙ୍କ ପ୍ରତି ଦୁଷ୍ଟମାନଙ୍କ ଯୋଗ୍ୟ ଫଳ ଘଟେ, ପୁଣି ଦୁଷ୍ଟମାନଙ୍କ ପ୍ରତି ଧାର୍ମିକମାନଙ୍କ ଯୋଗ୍ୟ ଫଳ ଘଟେ। ମୁଁ କହିଲି, ଏହା ମଧ୍ୟ ଅସାର। 15ଏଣୁ ମୁଁ ଆନନ୍ଦର ପ୍ରଶଂସା କଲି: କାରଣ ସୂର୍ଯ୍ୟ ତଳେ ମନୁଷ୍ୟ ପକ୍ଷରେ ଭୋଜନ, ପାନ ଓ ଆନନ୍ଦ କରିବା ଅପେକ୍ଷା ଉତ୍ତମ ଆଉ କିଛି ନାହିଁ। ପରମେଶ୍ଵର ତାହାକୁ ସୂର୍ଯ୍ୟ ତଳେ ଯେଉଁ ଜୀବନର ଦିନ ଦେଇଅଛନ୍ତି, ସେହି ପରିଶ୍ରମ ମଧ୍ୟରେ ଏହା ତାହା ସଙ୍ଗେ ରହିବ।
16ଯେତେବେଳେ ମୁଁ ଜ୍ଞାନ ଜାଣିବା ପାଇଁ ଓ ପୃଥିବୀରେ କରାଯାଉଥିବା କାର୍ଯ୍ୟ ଦେଖିବା ପାଇଁ ଆପଣା ମନ ନିବେଶ କଲି, — ଯଦ୍ୟପି ମନୁଷ୍ୟ ଦିବାରାତ୍ର ଆପଣା ଚକ୍ଷୁରେ ନିଦ୍ରା ଦେଖେ ନାହିଁ — 17ସେତେବେଳେ ମୁଁ ପରମେଶ୍ଵରଙ୍କ ସମସ୍ତ କାର୍ଯ୍ୟ ଦେଖିଲି: ସୂର୍ଯ୍ୟ ତଳେ କରାଯାଉଥିବା କାର୍ଯ୍ୟ କେହି ଅନୁସନ୍ଧାନ କରି ପାରେ ନାହିଁ। ମନୁଷ୍ୟ ଯେତେ ପରିଶ୍ରମ ସହ ଅନୁସନ୍ଧାନ କଲେ ହେଁ, ତାହା ପାଇବ ନାହିଁ; ଆହୁରି ଜ୍ଞାନୀ ଲୋକ ତାହା ଜାଣିବା ବୋଲି କହିଲେ ହେଁ, ସେ ତାହା ଅନୁସନ୍ଧାନ କରି ପାରିବ ନାହିଁ।