ଅବୀୟଙ୍କ ସିଂହାସନ ଆରୋହଣ
ଅବୀୟ ଉପତ୍ୟକା ପାରି ଚିତ୍କାର କରି ନିଜ ପକ୍ଷ ରଖନ୍ତି: ଯିହୁଦା ପାଖରେ ଏବେ ବି ହାରୋଣଙ୍କ ଯାଜକ, ଦୈନିକ ନୈବେଦ୍ୟ ଓ ଦୀପ ଅଛି, ଅଥଚ ଇସ୍ରାଏଲ ପାଖରେ ବାଛୁରି ଓ ନିଜେ ନିଯୁକ୍ତ କରିଥିବା ଯାଜକ। ଆଗରୁ ଓ ପଛରୁ ଘେରି ଆକ୍ରମଣ ହେବାରୁ, ଯିହୁଦା ଆମ୍ଭମାନଙ୍କ ପିତାଙ୍କ ନିକଟରେ କ୍ରନ୍ଦନ କରେ ଓ ଜିତେ, କାରଣ ସେମାନେ ତାଙ୍କ ଉପରେ ନିର୍ଭର କରିଥିଲେ।
13 1ଯାରବୀୟାମ ରାଜାଙ୍କ ରାଜତ୍ଵର ଅଠର ବର୍ଷରେ ଅବୀୟ ଯିହୂଦାର ରାଜା ହେଲେ। 2ସେ ଯିରୂଶାଲମରେ ତିନି ବର୍ଷ ରାଜ୍ୟ କଲେ; ତାହାଙ୍କ ମାତାଙ୍କ ନାମ ମୀଖାୟା, ସେ ଗିବୀୟା ନିବାସୀ ଊରୀୟେଲଙ୍କ କନ୍ୟା ଥିଲେ। ଅବୀୟ ଓ ଯାରବୀୟାମ ମଧ୍ୟରେ ଯୁଦ୍ଧ ହେଲା। 3ଅବୀୟ ଯୁଦ୍ଧରେ ବଳବାନ ଚାରି ଲକ୍ଷ ମନୋନୀତ ବୀର ସୈନ୍ୟ ନେଇ ଯୁଦ୍ଧ ଆରମ୍ଭ କଲେ; ପୁଣି ଯାରବୀୟାମ ଆଠ ଲକ୍ଷ ମନୋନୀତ ବଳବାନ ବୀର ନେଇ ତାହାଙ୍କ ବିରୁଦ୍ଧରେ ବ୍ୟୂହ ରଚନା କଲେ।
4ଅବୀୟ ଇଫ୍ରୟିମ ପର୍ବତମୟ ଦେଶସ୍ଥ ସମାରୟିମ ପର୍ବତ ଉପରେ ଠିଆ ହୋଇ କହିଲେ, “ହେ ଯାରବୀୟାମ ଓ ସମସ୍ତ ଇସ୍ରାଏଲ, ମୋʼ କଥା ଶୁଣ। 5ଇସ୍ରାଏଲର ପରମେଶ୍ଵର ଆମ୍ଭମାନଙ୍କ ପିତା ଲବଣର ଏକ ନିୟମ ଦ୍ଵାରା ଦାଉଦ ଓ ତାହାଙ୍କ ସନ୍ତାନଗଣଙ୍କୁ ଇସ୍ରାଏଲର ରାଜତ୍ଵ ଅନନ୍ତକାଳ ନିମନ୍ତେ ଦେଇଅଛନ୍ତି, ଏହା କʼଣ ତୁମ୍ଭେମାନେ ଜାଣ ନାହିଁ? a a v5 ଲବଣର ନିୟମ ଏକ ଗମ୍ଭୀର ଓ ସ୍ଥାୟୀ ଚୁକ୍ତି ଥିଲା; ଲବଣ ଖାଦ୍ୟକୁ ସଂରକ୍ଷଣ କରୁଥିଲା ଓ ଏକ ସ୍ଥାୟୀ, ଅଭଙ୍ଗ ପ୍ରତିଜ୍ଞାର ପ୍ରତୀକ ଥିଲା। 6ତଥାପି ଦାଉଦଙ୍କ ପୁତ୍ର ଶଲୋମନଙ୍କ ଦାସ ନବାଟର ପୁତ୍ର ଯାରବୀୟାମ ଉଠି ଆପଣା ପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। 7ପୁଣି ଅଧମ ଲୋକମାନେ ତାହାଙ୍କ ଚାରିପାଖରେ ଏକତ୍ର ହୋଇ ଶଲୋମନଙ୍କ ପୁତ୍ର ରିହବୀୟାମଙ୍କ ବିରୁଦ୍ଧରେ ଆପଣାମାନଙ୍କୁ ବଳବାନ କଲେ; ସେତେବେଳେ ରିହବୀୟାମ ଯୁବା ଓ କୋମଳ ହୃଦୟ ହୋଇ ସେମାନଙ୍କ ପ୍ରତିରୋଧ କରିବାକୁ ଅସମର୍ଥ ଥିଲେ।
8ଏବେ ଦାଉଦଙ୍କ ସନ୍ତାନଗଣଙ୍କ ହସ୍ତଗତ ଆମ୍ଭମାନଙ୍କ ପିତାଙ୍କ ରାଜ୍ୟର ପ୍ରତିରୋଧ କରିବାକୁ ତୁମ୍ଭେମାନେ ସମର୍ଥ ବୋଲି ଭାବୁଅଛ; କାରଣ ତୁମ୍ଭେମାନେ ବହୁସଂଖ୍ୟକ ଲୋକ, ଆଉ ଯାରବୀୟାମ ତୁମ୍ଭମାନଙ୍କ ଦେବତା ହେବା ନିମନ୍ତେ ଯେଉଁ ସୁବର୍ଣ୍ଣ ବାଛୁରିମାନ ନିର୍ମାଣ କରିଅଛନ୍ତି, ସେସବୁ ତୁମ୍ଭମାନଙ୍କ ସଙ୍ଗରେ ଅଛି। 9ତୁମ୍ଭେମାନେ କʼଣ ଆମ୍ଭମାନଙ୍କ ପିତାଙ୍କ ଯାଜକମାନଙ୍କୁ, ଅର୍ଥାତ୍ ହାରୋଣଙ୍କ ସନ୍ତାନଗଣ ଓ ଲେବୀୟମାନଙ୍କୁ ତଡ଼ି ଦେଇ ଅନ୍ୟ ଦେଶୀୟ ଲୋକମାନଙ୍କ ପରି ଆପଣାମାନଙ୍କ ନିମନ୍ତେ ଯାଜକ ନିଯୁକ୍ତ କରି ନାହଁ? ଯେକେହି ଗୋଟିଏ ଯୁବା ବୃଷ ଓ ସାତୋଟି ମେଷ ନେଇ ଆସେ, ସେ ଯାହା ଦେବତା ନୁହେଁ, ସେହିସବୁର ଯାଜକ ହୋଇପାରେ।
10ମାତ୍ର ଆମ୍ଭମାନଙ୍କ ପିତା ଆମ୍ଭମାନଙ୍କର, ପୁଣି ଆମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରି ନାହୁଁ। ତାହାଙ୍କ ସେବାକାରୀ ଯାଜକମାନେ ହାରୋଣଙ୍କ ସନ୍ତାନ, ଆଉ ଲେବୀୟମାନେ ଆପଣା ଆପଣା କର୍ମରେ ନିଯୁକ୍ତ ଅଛନ୍ତି। 11ପ୍ରତି ପ୍ରଭାତ ଓ ସନ୍ଧ୍ୟାରେ ସେମାନେ ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ସୁଗନ୍ଧି ଧୂପ ଜ୍ଵଳାନ୍ତି; ପୁଣି ଶୁଦ୍ଧ ସୁବର୍ଣ୍ଣ ମେଜ ଉପରେ ଦର୍ଶନୀୟ ରୁଟି ଧାଡ଼ି ଧାଡ଼ି କରି ସଜାନ୍ତି ଓ ପ୍ରତି ସନ୍ଧ୍ୟାରେ ପ୍ରଜ୍ଵଳିତ ହେବା ନିମନ୍ତେ ସୁବର୍ଣ୍ଣ ଦୀପବୃକ୍ଷର ତତ୍ତ୍ଵାବଧାନ କରନ୍ତି। ଆମ୍ଭେମାନେ ଆମ୍ଭମାନଙ୍କ ପିତାଙ୍କ ରକ୍ଷଣୀୟ ରକ୍ଷା କରୁଅଛୁ, ମାତ୍ର ତୁମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରିଅଛ। 12ଦେଖ, ଆମ୍ଭମାନଙ୍କ ପିତା ଆମ୍ଭମାନଙ୍କ ସଙ୍ଗରେ ଆମ୍ଭମାନଙ୍କ ଅଗ୍ରଣୀ ଅଟନ୍ତି, ପୁଣି ତୁମ୍ଭମାନଙ୍କ ବିରୁଦ୍ଧରେ ରଣରଣି ବଜାଇବା ନିମନ୍ତେ ତାହାଙ୍କ ଯାଜକମାନଙ୍କ ହସ୍ତରେ ତୂରୀ ଅଛି। ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭମାନଙ୍କ ପିତୃପୁରୁଷଙ୍କ ପରମେଶ୍ଵର ଆମ୍ଭମାନଙ୍କ ପିତାଙ୍କ ବିରୁଦ୍ଧରେ ଯୁଦ୍ଧ କର ନାହିଁ, କାରଣ ତୁମ୍ଭେମାନେ କୃତକାର୍ଯ୍ୟ ହେବ ନାହିଁ।”
13ଯାରବୀୟାମ ସେମାନଙ୍କ ପଛ ଦିଗରୁ ଆସିବା ନିମନ୍ତେ ଚାରିଆଡ଼େ ଏକ ଗୋପନ ସୈନ୍ୟ ପଠାଇ ଦେଇଥିଲେ; ତେଣୁ ତାହାଙ୍କ ସୈନ୍ୟ ଯିହୂଦା ସମ୍ମୁଖରେ ଥିଲେ ଓ ଗୋପନ ସୈନ୍ୟ ସେମାନଙ୍କ ପଛରେ ଥିଲା। 14ଯିହୂଦା ଫେରି ଆପଣାମାନଙ୍କ ଆଗରେ ଓ ପଛରେ ଯୁଦ୍ଧ ହେଉଥିବା ଦେଖିଲେ, ଆଉ ଆମ୍ଭମାନଙ୍କ ପିତାଙ୍କ ନିକଟରେ ଆର୍ତ୍ତନାଦ କଲେ; ପୁଣି ଯାଜକମାନେ ତୂରୀ ବଜାଇଲେ। 15ସେତେବେଳେ ଯିହୂଦାର ଲୋକମାନେ ଜୟଧ୍ଵନି କଲେ; ଆଉ ଯିହୂଦାର ଲୋକମାନେ ଜୟଧ୍ଵନି କରିବା ସମୟରେ ଆମ୍ଭମାନଙ୍କ ପିତା ଅବୀୟ ଓ ଯିହୂଦା ସମ୍ମୁଖରେ ଯାରବୀୟାମ ଓ ସମସ୍ତ ଇସ୍ରାଏଲଙ୍କୁ ଆଘାତ କଲେ। 16ଇସ୍ରାଏଲ ସନ୍ତାନଗଣ ଯିହୂଦା ସମ୍ମୁଖରୁ ପଳାୟନ କଲେ, ଆଉ ଆମ୍ଭମାନଙ୍କ ପିତା ସେମାନଙ୍କୁ ଯିହୂଦା ହସ୍ତରେ ସମର୍ପଣ କଲେ। 17ଅବୀୟ ଓ ତାହାଙ୍କ ସୈନ୍ୟ ସେମାନଙ୍କୁ ମହାସଂହାରରେ ବଧ କଲେ; ତହିଁରେ ଇସ୍ରାଏଲର ପାଞ୍ଚ ଲକ୍ଷ ମନୋନୀତ ଲୋକ ହତ ହୋଇ ପଡ଼ିଲେ। 18ଏହିପରି ସେହି ସମୟରେ ଇସ୍ରାଏଲ ସନ୍ତାନଗଣ ନତ କରାଗଲେ, ପୁଣି ଯିହୂଦା ସନ୍ତାନଗଣ ଆପଣାମାନଙ୍କ ପିତୃପୁରୁଷଙ୍କ ପରମେଶ୍ଵର ଆମ୍ଭମାନଙ୍କ ପିତାଙ୍କ ଉପରେ ନିର୍ଭର କରିବାରୁ କୃତକାର୍ଯ୍ୟ ହେଲେ। 19ଅବୀୟ ଯାରବୀୟାମଙ୍କ ପଛେ ପଛେ ଗୋଡ଼ାଇ ତାହାଙ୍କଠାରୁ କେତେକ ନଗର, ଅର୍ଥାତ୍ ବେଥେଲ ଓ ତହିଁର ଉପନଗରସମୂହ, ଯିଶାନା ଓ ତହିଁର ଉପନଗରସମୂହ, ପୁଣି ଇଫ୍ରୋଣ ଓ ତହିଁର ଉପନଗରସମୂହ ହସ୍ତଗତ କଲେ।
20ଅବୀୟଙ୍କ ସମୟରେ ଯାରବୀୟାମ ଆଉ କେବେ ବଳ ପ୍ରାପ୍ତ ହେଲେ ନାହିଁ; ଆଉ ଆମ୍ଭମାନଙ୍କ ପିତା ତାହାଙ୍କୁ ଆଘାତ କଲେ, ତହିଁରେ ସେ ମଲେ। 21ମାତ୍ର ଅବୀୟ ବଳବାନ ହେଲେ। ସେ ଚଉଦ ଜଣ ଭାର୍ଯ୍ୟା ଗ୍ରହଣ କଲେ, ପୁଣି ବାଇଶ ପୁତ୍ର ଓ ଷୋହଳ କନ୍ୟା ଜନ୍ମାଇଲେ। 22ଅବୀୟଙ୍କ ଅବଶିଷ୍ଟ ବୃତ୍ତାନ୍ତ, ତାହାଙ୍କ ଆଚରଣ ଓ ବାକ୍ୟସବୁ ଇଦ୍ଦୋ ଭାବବାଦୀଙ୍କ ବ୍ୟାଖ୍ୟାନଗ୍ରନ୍ଥରେ ଲିଖିତ ଅଛି।