ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ମୋହର ପାପର ଭାର

ଦାଉଦଙ୍କ ଗୀତ, ସ୍ମରଣ କରାଇବା ନିମନ୍ତେ।

ଅସୁସ୍ଥ, କ୍ଷତ ପାଚି ଦୁର୍ଗନ୍ଧମୟ, ଶତ୍ରୁମାନେ ଷଡ଼ଯନ୍ତ୍ର କରୁଥିବା ବେଳେ ବନ୍ଧୁମାନଙ୍କ ଦ୍ୱାରା ପରିତ୍ୟକ୍ତ, ଦାଉଦ ତାଙ୍କ ଅବସ୍ଥାର ମୂଳ ତାଙ୍କ ନିଜ ପାପରେ ଦେଖନ୍ତି ଏବଂ ଅଭିଯୋଗକାରୀମାନଙ୍କୁ ପ୍ରତିଉତ୍ତର ଦିଅନ୍ତି ନାହିଁ। ସେ ବଧିର ଲୋକ ପରି ନୀରବ ରହନ୍ତି ଓ ତାଙ୍କ ପିତାଙ୍କ ପାଇଁ ଅପେକ୍ଷା କରନ୍ତି, ଯାହାଙ୍କଠାରୁ କେବଳ ସେ ଉତ୍ତର ଆଶା କରନ୍ତି।

ଅଧ୍ୟାୟ 38।

ହେ ମୋହର ପିତା, ତୁମ୍ଭ କ୍ରୋଧରେ ମୋତେ ଅନୁଯୋଗ କର ନାହିଁ, କିଅବା ତୁମ୍ଭ ପ୍ରଚଣ୍ଡ କୋପରେ ମୋତେ ଶାସ୍ତି ଦିଅ ନାହିଁ। କାରଣ ତୁମ୍ଭର ତୀରସବୁ ମୋʼ ଦେହରେ ଗଭୀର ଭାବେ ବିନ୍ଧିଅଛି, ପୁଣି ତୁମ୍ଭର ହସ୍ତ ମୋʼ ଉପରେ ଭାରୀ ଭାବେ ପଡ଼ିଅଛି। ତୁମ୍ଭ କ୍ରୋଧ ସକାଶୁ ମୋʼ ଶରୀରରେ ସ୍ଵାସ୍ଥ୍ୟ ନାହିଁ; ମୋʼ ପାପ ସକାଶୁ ମୋʼ ଅସ୍ଥିସମୂହରେ କୁଶଳ ନାହିଁ।

କାରଣ ମୋହର ପାପସବୁ ମୋʼ ମସ୍ତକ ଉପରେ ଉଠିଅଛି; ଗୁରୁଭାର ପରି ତାହା ମୋʼ ପକ୍ଷେ ଅତି ଭାରୀ। ମୋʼ କ୍ଷତସବୁ ମୋହର ମୂର୍ଖତା ସକାଶୁ ଦୁର୍ଗନ୍ଧ ହୋଇ ପଚିଅଛି। ମୁଁ ବକ୍ର ଓ ଅତ୍ୟନ୍ତ ନତ ହୋଇଅଛି; ସାରା ଦିନ ଶୋକ କରୁ କରୁ ବୁଲୁଅଛି। କାରଣ ମୋʼ କଟିଦେଶ ଜ୍ଵଳିଯାଉଅଛି, ପୁଣି ମୋʼ ମାଂସରେ କୁଶଳ ନାହିଁ।

ମୁଁ ଅବଶ ଓ ନିତାନ୍ତ ଚୂର୍ଣ୍ଣ ହୋଇଅଛି; ମୋʼ ହୃଦୟର ଅସ୍ଥିରତା ସକାଶୁ ଆର୍ତ୍ତନାଦ କରୁଅଛି। ହେ ସାର୍ବଭୌମ ପିତା, ମୋହର ସମସ୍ତ ବାଞ୍ଛା ତୁମ୍ଭ ସମ୍ମୁଖରେ ଅଛି, ପୁଣି ମୋହର ଦୀର୍ଘନିଶ୍ଵାସ ତୁମ୍ଭଠାରୁ ଗୁପ୍ତ ନୁହେଁ। ମୋʼ ହୃଦୟ ଦୁରୁଦୁରୁ ହେଉଅଛି, ମୋʼ ବଳ ମୋତେ ତ୍ୟାଗ କରୁଅଛି; ଏପରିକି ମୋʼ ଚକ୍ଷୁର ଜ୍ୟୋତିଃ ମଧ୍ୟ ମୋʼଠାରୁ ଅନ୍ତର୍ହିତ ହୋଇଅଛି। ମୋହର ମିତ୍ର ଓ ବନ୍ଧୁଗଣ ମୋʼ କ୍ଲେଶଠାରୁ ଦୂରରେ ରହୁଅଛନ୍ତି, ପୁଣି ମୋହର ଅତି ନିକଟ ଜ୍ଞାତିମାନେ ଦୂରରେ ଠିଆ ହୋଇଅଛନ୍ତି।

ଯେଉଁମାନେ ମୋʼ ପ୍ରାଣ ଅନ୍ଵେଷଣ କରନ୍ତି, ସେମାନେ ଆପଣା ଫାନ୍ଦ ପାତନ୍ତି; ଯେଉଁମାନେ ମୋʼ ଅନିଷ୍ଟ ଚାହାନ୍ତି, ସେମାନେ ବିନାଶର କଥା କହନ୍ତି ଓ ସାରା ଦିନ ଛଳ କଳ୍ପନା କରନ୍ତି। ମାତ୍ର ମୁଁ ଶୁଣି ନ ପାରୁଥିବା ବଧିର ଲୋକ ପରି, ପୁଣି କହି ନ ପାରୁଥିବା ଓ ଆପଣା ମୁଖ ନ ଫିଟାଉଥିବା ଲୋକ ପରି ହୋଇଅଛି। ଯେ ଶୁଣେ ନାହିଁ, ପୁଣି ଯାହା ମୁଖରେ କୌଣସି ଉତ୍ତର ନାହିଁ, ମୁଁ ଏପରି ଲୋକ ପରି ହୋଇଅଛି। ମାତ୍ର ହେ ମୋହର ପିତା, ମୁଁ ତୁମ୍ଭ ଅପେକ୍ଷାରେ ଅଛି; ହେ ମୋହର ସାର୍ବଭୌମ ପିତା, ତୁମ୍ଭେ ହିଁ ଉତ୍ତର ଦେବ।

କାରଣ ମୁଁ କହିଲି, “ସେମାନେ ମୋʼ ଉପରେ କେବେ ଯେପରି ଉଲ୍ଲାସ ନ କରନ୍ତି—ମୋʼ ପାଦ ଖସିଗଲେ ଯେଉଁମାନେ ମୋʼ ବିରୁଦ୍ଧରେ ଗର୍ବ କରନ୍ତି।” କାରଣ ମୁଁ ପତନର ଉପକ୍ରମ ହୋଇଅଛି, ପୁଣି ମୋହର ବେଦନା ନିରନ୍ତର ମୋʼ ସମ୍ମୁଖରେ ଅଛି। ମୁଁ ଆପଣା ଅପରାଧ ସ୍ଵୀକାର କରୁଅଛି; ମୁଁ ଆପଣା ପାପ ସକାଶୁ ଉଦ୍‌ବିଗ୍ନ ହୋଇଅଛି। ମାତ୍ର ମୋହର ଶତ୍ରୁମାନେ ବଳବାନ ଓ ସବଳ ଅଟନ୍ତି, ପୁଣି ଅକାରଣରେ ମୋତେ ଘୃଣା କରୁଥିବା ଲୋକମାନେ ଅନେକ।

ଯେଉଁମାନେ ଉପକାର ବଦଳରେ ମୋତେ ଅପକାର ଦେବାକୁ ଚାହାନ୍ତି, ସେମାନେ ମୁଁ ମଙ୍ଗଳର ଅନୁଗାମୀ ହେବା ସକାଶୁ ମୋʼ ବିରୁଦ୍ଧରେ ଅଭିଯୋଗ କରନ୍ତି। ହେ ମୋହର ପିତା, ମୋତେ ପରିତ୍ୟାଗ କର ନାହିଁ; ହେ ମୋହର ପିତା, ମୋʼଠାରୁ ଦୂରରେ ଠିଆ ହୁଅ ନାହିଁ। ହେ ମୋହର ସାର୍ବଭୌମ ପିତା, ମୋହର ପରିତ୍ରାଣ, ମୋତେ ସାହାଯ୍ୟ କରିବାକୁ ଶୀଘ୍ର ଆସ।