ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପିତାଙ୍କ ଯାଜକ ଓ ଲେବୀୟମାନେ ଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତି

ଆମ ପିତାଙ୍କ ଯାଜକ ଓ ଲେବୀୟମାନଙ୍କ ପିଢ଼ି ପିଢ଼ି ଲିପିବଦ୍ଧ ହେବା ପରେ, ସମ୍ପୂର୍ଣ୍ଣ ପ୍ରାଚୀର ଉତ୍ସର୍ଗ କରାଯାଏ: ଦୁଇଟି ବଡ଼ ଗାୟକଦଳ ଉପରକୁ ଚଢ଼ି ପ୍ରାଚୀର ଉପରେ ବିପରୀତ ଦିଗରେ ଚାଲନ୍ତି, ଏବଂ ମନ୍ଦିରରେ ମିଳିତ ହୁଅନ୍ତି। ବଳିଦାନ ଓ ଗୀତରେ ଏପରି ଆନନ୍ଦ ହୁଏ ଯାହା ଯିରୂଶାଲମର ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଏ।

ଅଧ୍ୟାୟ 12।

ଶଲ୍ଟୀୟେଲଙ୍କ ପୁତ୍ର ଯିରୁବ୍ବାବିଲ ଓ ଯେଶୂୟଙ୍କ ସହିତ ଯେଉଁ ଯାଜକ ଓ ଲେବୀୟମାନେ ଆସିଲେ, ସେମାନେ ଏହି; ସରାୟ, ଯିରିମିୟ, ଏଜ୍ରା, ଅମରିୟ, ମଲ୍ଲୂକ, ହଟୂଶ, ଶଖନିୟ, ରହୂମ, ମରେମୋତ୍‍, ଇଦ୍ଦୋ, ଗିନ୍ନଥୋୟ, ଅବୀୟ, ମୀୟାମୀନ, ମାଦୀୟ, ବିଲ୍ଗା, ଶମୀୟୟ, ଯୋୟାରୀବ, ଯିଦୟୀୟ, ସଲ୍ଲୂ, ଆମୋକ, ହିଲ୍‍କୀୟ, ଯିଦୟୀୟ; ଏମାନେ ଯେଶୂୟଙ୍କ ସମୟରେ ଯାଜକମାନଙ୍କର ଓ ସେମାନଙ୍କ ଭ୍ରାତୃଗଣର ପ୍ରଧାନ ଥିଲେ।

ଲେବୀୟମାନେ ଏହି; ଯେଶୂୟ, ବିନ୍ନୂୟୀ, କଦ୍‍ମୀୟେଲ, ଶେରେବୀୟ, ଯିହୁଦା ଓ ମତ୍ତନିୟ; ଏହି ମତ୍ତନିୟ ଆପଣା ଭ୍ରାତୃଗଣ ସହିତ ଧନ୍ୟବାଦ ଗାନ କରିବାର ଭାର ବହିଲେ। ପୁଣି ବକ୍‍ବୁକୀୟ ଓ ଉନ୍ନୋ, ସେମାନଙ୍କର ଭ୍ରାତୃଗଣ, ସେବାକାର୍ଯ୍ୟ ପାଳିବା ବେଳେ ସେମାନଙ୍କ ସମ୍ମୁଖରେ ଠିଆ ହେଲେ। ଯେଶୂୟ ଯୋୟାକୀମଙ୍କୁ ଜନ୍ମ ଦେଲେ, ଯୋୟାକୀମ ଇଲୀୟାଶୀବଙ୍କୁ, ଇଲୀୟାଶୀବ ଯୋୟାଦାକୁ, ଯୋୟାଦା ଯୋନାଥନକୁ, ଓ ଯୋନାଥନ ଯଦ୍ଦୂୟକୁ ଜନ୍ମ ଦେଲେ।

ଯୋୟାକୀମଙ୍କ ସମୟରେ ଏହି ଯାଜକମାନେ ପିତୃବଂଶର ପ୍ରଧାନ ଥିଲେ; ସରାୟ ବଂଶର ମରାୟ, ଯିରିମିୟ ବଂଶର ହନାନିୟ, ଏଜ୍ରା ବଂଶର ମଶୁଲ୍ଲମ, ଅମରିୟ ବଂଶର ଯିହୋହାନନ, ମଲ୍ଲୂଖୀ ବଂଶର ଯୋନାଥନ, ଶବନିୟ ବଂଶର ଯୋଷେଫ, ହାରୀମ ବଂଶର ଅଦ୍‍ନା, ମରାୟୋତ୍‍ ବଂଶର ହିଲ୍‍କୟ, ଇଦ୍ଦୋ ବଂଶର ଜିଖରୀୟ, ଗିନ୍ନଥୋନ ବଂଶର ମଶୁଲ୍ଲମ, ଅବୀୟ ବଂଶର ଜିଖ୍ରି, ମିନୀୟାମୀନ ଓ ମୋୟଦୀୟ ବଂଶର ପିଲ୍ଟୟ, ବିଲ୍ଗା ବଂଶର ଶମୂୟ, ଶମୀୟୟ ବଂଶର ଯିହୋନାଥନ, ଯୋୟାରୀବ ବଂଶର ମତ୍ତନୟ, ଯିଦୟୀୟ ବଂଶର ଉଷୀ, ସଲ୍ଲୟ ବଂଶର କଲ୍ଲୟ, ଆମୋକ ବଂଶର ଏବର, ହିଲ୍‍କୀୟ ବଂଶର ହଶବିୟ, ଯିଦୟୀୟ ବଂଶର ନଥନେଲ।

ଇଲୀୟାଶୀବ, ଯୋୟାଦା, ଯୋହାନନ ଓ ଯଦ୍ଦୂୟଙ୍କ ସମୟରେ ଲେବୀୟ ପିତୃବଂଶର ପ୍ରଧାନମାନେ ଲିଖିତ ହେଲେ, ଆଉ ପାରସିକ ଦାରୀୟାବସଙ୍କ ରାଜତ୍ଵକାଳରେ ଯାଜକମାନେ ମଧ୍ୟ ଲିଖିତ ହେଲେ। ଇଲୀୟାଶୀବଙ୍କ ପୁତ୍ର ଯୋହାନନଙ୍କ ସମୟ ପର୍ଯ୍ୟନ୍ତ ଲେବୀୟ ପିତୃବଂଶର ପ୍ରଧାନମାନେ ବଂଶାବଳୀ ପୁସ୍ତକରେ ଲିଖିତ ହେଲେ। a a v23 ଏଠାରେ ବଂଶାବଳୀ ପୁସ୍ତକ ଏକ ରାଜକୀୟ ସରକାରୀ ତାଲିକା, ବାଇବଲର ବଂଶାବଳୀ ପୁସ୍ତକ ନୁହେଁ। ଲେବୀୟ ପ୍ରଧାନମାନେ ହଶବିୟ, ଶେରେବୀୟ ଓ କଦ୍‍ମୀୟେଲଙ୍କ ପୁତ୍ର ଯେଶୂୟ ଥିଲେ; ପିତାଙ୍କ ଲୋକ ଦାଉଦଙ୍କ ଆଜ୍ଞାନୁସାରେ ଏମାନଙ୍କ ସମ୍ମୁଖରେ ସେମାନଙ୍କ ଭ୍ରାତୃଗଣ ଠିଆ ହୋଇ ପ୍ରଶଂସା ଓ ଧନ୍ୟବାଦ ଦେଇ ଏକ ଦଳ ଅନ୍ୟ ଦଳର ଉତ୍ତର ଦେଲେ। ମତ୍ତନିୟ, ବକ୍‍ବୁକୀୟ, ଓବଦୀୟ, ମଶୁଲ୍ଲମ, ଟଲ୍ମୋନ ଓ ଅକ୍‍କୂବ ଦ୍ଵାରଗୁଡ଼ିକ ନିକଟସ୍ଥ ଭଣ୍ଡାରଗୃହ ରକ୍ଷା କରୁଥିବା ଦ୍ଵାରପାଳ ଥିଲେ। ଯୋଷାଦକଙ୍କ ପୌତ୍ର ଯେଶୂୟଙ୍କ ପୁତ୍ର ଯୋୟାକୀମଙ୍କ ସମୟରେ, ଆଉ ଦେଶାଧ୍ୟକ୍ଷ ନିହିମିୟା ଓ ଯାଜକ ଏବଂ ଅଧ୍ୟାପକ ଏଜ୍ରାଙ୍କ ସମୟରେ ଏମାନେ ସେବା କଲେ।

ମହା ଆନନ୍ଦରେ ପ୍ରାଚୀର ପ୍ରତିଷ୍ଠିତ

ଯିରୂଶାଲମ ପ୍ରାଚୀରର ପ୍ରତିଷ୍ଠା ନିମନ୍ତେ ସେମାନେ ଲେବୀୟମାନେ ବାସ କରୁଥିବା ସମସ୍ତ ସ୍ଥାନରୁ ସେମାନଙ୍କୁ ଖୋଜି ଯିରୂଶାଲମକୁ ଆଣିଲେ, ଯେପରି ଧନ୍ୟବାଦ, ଗାନ, କରତାଳ, ନେବଲ ଓ ବୀଣା ସହିତ ଆନନ୍ଦରେ ପ୍ରତିଷ୍ଠା-ଉତ୍ସବ ପାଳନ କରନ୍ତି। ଗାୟକମାନେ ମଧ୍ୟ ଯିରୂଶାଲମର ଚତୁର୍ଦିଗସ୍ଥ ଅଞ୍ଚଳରୁ ଓ ନଟୋଫାତୀୟମାନଙ୍କ ଗ୍ରାମରୁ, ପୁଣି ବେଥ୍-ଗିଲ୍‍ଗଲରୁ ଓ ଗେବା ଏବଂ ଅସ୍ମାବତ୍‍ର ପଲ୍ଲୀଗ୍ରାମରୁ ଏକତ୍ର ହେଲେ; କାରଣ ଗାୟକମାନେ ଆପଣାମାନଙ୍କ ନିମନ୍ତେ ଯିରୂଶାଲମର ଚତୁର୍ଦିଗରେ ଗ୍ରାମ ନିର୍ମାଣ କରିଥିଲେ। ଯାଜକ ଓ ଲେବୀୟମାନେ ଆପଣାମାନଙ୍କୁ ଶୁଚି କଲା ଉତ୍ତାରେ ଲୋକମାନଙ୍କୁ, ଦ୍ଵାରଗୁଡ଼ିକୁ ଓ ପ୍ରାଚୀରକୁ ଶୁଚି କଲେ।

ତେବେ ମୁଁ ଯିହୁଦାର ଅଧିପତିମାନଙ୍କୁ ପ୍ରାଚୀର ଉପରକୁ ଆଣି ଦୁଇ ବୃହତ ଧନ୍ୟବାଦକାରୀ ଦଳ ନିଯୁକ୍ତ କଲି; ଗୋଟିଏ ଦଳ ପ୍ରାଚୀର ଉପରେ ଦକ୍ଷିଣ ଦିଗରେ ଖତଦ୍ଵାର ଆଡ଼କୁ ଗଲେ। ପୁଣି ସେମାନଙ୍କ ପଛେ ହୋଶୟୀୟ ଓ ଯିହୁଦାର ଅର୍ଦ୍ଧେକ ଅଧିପତି ଗଲେ, ଆଉ ସେମାନଙ୍କ ସଙ୍ଗେ ଅସରିୟ, ଏଜ୍ରା, ମଶୁଲ୍ଲମ, ଯିହୁଦା, ବିନ୍ୟାମୀନ, ଶମୀୟୟ ଓ ଯିରିମିୟ, ଆଉ ତୂରୀଧାରୀ କେତେକ ଯାଜକପୁତ୍ର ଗଲେ; ଆସଫର ବଂଶ ସକ୍କୂରର ବଂଶ ମୀଖାୟର ବଂଶ ମତ୍ତନିୟର ବଂଶ ଶମୀୟୟର ବଂଶ ଯୋନାଥନର ପୁତ୍ର ଜିଖରୀୟ, ପୁଣି ତାହାର ଭ୍ରାତୃଗଣ — ଶମୀୟୟ, ଅସରେଲ, ମିଲଲୟ, ଗିଲଲୟ, ମାୟ, ନଥନେଲ, ଯିହୁଦା ଓ ହନାନି — ପିତାଙ୍କ ଲୋକ ଦାଉଦଙ୍କ ବାଦ୍ୟଯନ୍ତ୍ର ସହିତ ଗଲେ; ଆଉ ଅଧ୍ୟାପକ ଏଜ୍ରା ସେମାନଙ୍କ ଅଗ୍ରଗାମୀ ହୋଇ ଚାଲିଲେ। ପୁଣି ଉତ୍ସଦ୍ଵାର ନିକଟରେ ସେମାନେ ଆପଣାମାନଙ୍କ ସମ୍ମୁଖସ୍ଥ ଦାଉଦ-ନଗରର ସୋପାନ ଦେଇ ସିଧା ଉପରକୁ ପ୍ରାଚୀରର ଚଢ଼ଣିରେ ଦାଉଦ-ଗୃହ ଉପର ଦେଇ ପୂର୍ବ ଦିଗସ୍ଥ ଜଳଦ୍ଵାର ପର୍ଯ୍ୟନ୍ତ ଗଲେ।

ଅନ୍ୟ ଧନ୍ୟବାଦକାରୀ ଦଳ ବାମ ଦିଗରେ ଗଲେ, ଆଉ ମୁଁ ଅର୍ଦ୍ଧେକ ଲୋକ ସହିତ ସେମାନଙ୍କ ପଛେ ପ୍ରାଚୀର ଉପରେ ତୁନ୍ଦୁରୁ-ଦୁର୍ଗ ଉପର ଦେଇ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ, ପୁଣି ଇଫ୍ରୟିମ-ଦ୍ଵାର, ପୁରାତନ ଦ୍ଵାର, ମତ୍ସ୍ୟ-ଦ୍ଵାର, ହନନେଲ-ଦୁର୍ଗ ଓ ହମେୟା-ଦୁର୍ଗ ଉପର ଦେଇ ମେଷ-ଦ୍ଵାର ପର୍ଯ୍ୟନ୍ତ ଗଲୁ, ଆଉ ପ୍ରହରୀ-ଦ୍ଵାର ନିକଟରେ ଠିଆ ହେଲୁ। ଏହିରୂପେ ଦୁଇ ଧନ୍ୟବାଦକାରୀ ଦଳ ଆମ୍ଭମାନଙ୍କ ପିତାଙ୍କ ଗୃହରେ ଠିଆ ହେଲେ; ଆଉ ମୁଁ ମଧ୍ୟ ଓ ମୋʼ ସଙ୍ଗେ ଥିବା ଅର୍ଦ୍ଧେକ ଅଧିକାରୀ ଠିଆ ହେଲୁ, ଆଉ ଇଲୀୟାକୀମ, ମାସେୟ, ମିନୀୟାମୀନ, ମୀଖାୟ, ଇଲୀୟୋ-ଐନୟ, ଜିଖରୀୟ ଓ ହନାନିୟ, ଏହି ଯାଜକମାନେ ତୂରୀ ଧରି ଠିଆ ହେଲେ; ଆଉ ମାସେୟ, ଶମୀୟୟ, ଇଲୀୟାସର, ଉଷୀ, ଯିହୋହାନନ, ମଲ୍‍କୀୟ, ଏଲମ ଓ ଏଷର ଠିଆ ହେଲେ। ପୁଣି ଯିଷ୍ରହୀୟଙ୍କ ପରିଚାଳନାରେ ଗାୟକମାନେ ଉଚ୍ଚସ୍ଵରରେ ଗାନ କଲେ। ସେହି ଦିନ ସେମାନେ ମହା ବଳିଦାନ ଉତ୍ସର୍ଗ କରି ଆନନ୍ଦ କଲେ, କାରଣ ଆମ୍ଭମାନଙ୍କ ପିତା ସେମାନଙ୍କୁ ମହା ଆନନ୍ଦ ଦେଲେ; ସ୍ତ୍ରୀ ଓ ବାଳକମାନେ ମଧ୍ୟ ଆନନ୍ଦ କଲେ, ଆଉ ଯିରୂଶାଲମର ଆନନ୍ଦ-ଧ୍ଵନି ଦୂରରୁ ଶୁଣାଗଲା।

ପିତାଙ୍କ ସେବା କରୁଥିବା ଲୋକଙ୍କ ପ୍ରତି ଯତ୍ନ

ସେହି ଦିନ ଉପହାର, ପ୍ରଥମଜାତ ଫଳ ଓ ଦଶମାଂଶ ନିମନ୍ତେ ଥିବା ଭଣ୍ଡାରଗୃହ ଉପରେ କେତେକ ଲୋକ ନିଯୁକ୍ତ କରାଗଲେ, ଯେପରି ବ୍ୟବସ୍ଥାନୁସାରେ ଯାଜକ ଓ ଲେବୀୟମାନଙ୍କ ପ୍ରାପ୍ୟ ଅଂଶ ନଗରର କ୍ଷେତ୍ରରୁ ସଂଗ୍ରହ କରନ୍ତି; କାରଣ ସେବାକାରୀ ଯାଜକ ଓ ଲେବୀୟମାନଙ୍କ ସକାଶେ ଯିହୁଦା ଆନନ୍ଦ କଲା। ପୁଣି ଦାଉଦ ଓ ତାହାଙ୍କ ପୁତ୍ର ଶଲୋମନଙ୍କ ଆଜ୍ଞାନୁସାରେ ଗାୟକ ଓ ଦ୍ଵାରପାଳମାନଙ୍କ ପରି ସେମାନେ ଆପଣାମାନଙ୍କ ପିତାଙ୍କ ପ୍ରତି କର୍ତ୍ତବ୍ୟ ଓ ଶୁଚିକରଣ ବିଷୟକ କର୍ତ୍ତବ୍ୟ ପାଳନ କଲେ। କାରଣ ପୂର୍ବକାଳରେ, ଦାଉଦ ଓ ଆସଫଙ୍କ ସମୟରେ, ଆମ୍ଭମାନଙ୍କ ପିତାଙ୍କ ପ୍ରତି ପ୍ରଶଂସା ଓ ଧନ୍ୟବାଦର ଗାନ କରିବା ନିମନ୍ତେ ଗାୟକମାନଙ୍କ ଅଧ୍ୟକ୍ଷ ଥିଲେ। ଯିରୁବ୍ବାବିଲ ଓ ନିହିମିୟାଙ୍କ ସମୟରେ ସମଗ୍ର ଇସ୍ରାଏଲ ଗାୟକ ଓ ଦ୍ଵାରପାଳମାନଙ୍କୁ ପ୍ରତିଦିନର ପ୍ରାପ୍ୟ ଅଂଶ ଦେଲେ, ଆଉ ଲେବୀୟମାନଙ୍କ ନିମନ୍ତେ ପବିତ୍ର ବସ୍ତୁ ପୃଥକ କଲେ; ପୁଣି ଲେବୀୟମାନେ ହାରୋଣ-ସନ୍ତାନମାନଙ୍କ ନିମନ୍ତେ ପବିତ୍ର ବସ୍ତୁ ପୃଥକ କଲେ।