ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଅଶ୍ରୁର ନିର୍ଝର

ଯିରିମିୟ ଇଚ୍ଛା କରନ୍ତି ଯେ ସେ ଅବିରତ କାନ୍ଦିପାରନ୍ତେ, କିମ୍ବା ସମ୍ପୂର୍ଣ୍ଣ ଚାଲିଯାଇପାରନ୍ତେ, କାରଣ ପଡ଼ୋଶୀ ଓ ଭାଇମାନେ ମିଥ୍ୟା କହିବାକୁ ଏକ କଳା କରିଦେଇଛନ୍ତି। ଆମ ପିତା କହନ୍ତି ଦେଶ ଶୂନ୍ୟ ଓ ଛିନ୍ନଭିନ୍ନ କରାଯିବ। ଗର୍ବ କରିବା ଯୋଗ୍ୟ ଏକମାତ୍ର ବିଷୟ ହେଉଛି ତାହାଙ୍କୁ ଜାଣିବା — ବିଶ୍ୱସ୍ତ ପ୍ରେମ, ନ୍ୟାୟ, ଧାର୍ମିକତା, ଯେଉଁଥିରେ ସେ ପ୍ରକୃତରେ ଆନନ୍ଦ କରନ୍ତି।

ଅଧ୍ୟାୟ 9।

ଆଃ, ମୋହର ମସ୍ତକ ଯଦି ଜଳର ଉତ୍ସ ଓ ମୋହର ଚକ୍ଷୁ ଯଦି ଅଶ୍ରୁର ନିର୍ଝର ହୁଅନ୍ତା, ତେବେ ମୁଁ ଆପଣା ଲୋକଙ୍କ କନ୍ୟାର ହତ ଲୋକଙ୍କ ନିମନ୍ତେ ଦିବାରାତ୍ର ରୋଦନ କରନ୍ତି। ଆଃ, ପ୍ରାନ୍ତରରେ ଯଦି ମୋହର ପଥିକର ଏକ ବସା ଥାଆନ୍ତା, ତେବେ ମୁଁ ଆପଣା ଲୋକଙ୍କୁ ଛାଡ଼ି ସେମାନଙ୍କଠାରୁ ଦୂରକୁ ଯାଇ ପାରନ୍ତି! କାରଣ ସେମାନେ ସମସ୍ତେ ବ୍ୟଭିଚାରୀ, ବିଶ୍ଵାସଘାତକମାନଙ୍କ ଦଳ।

ସେମାନେ ଆପଣା ଜିହ୍ଵାକୁ ଧନୁ ପରି ବଙ୍କାନ୍ତି; ଦେଶରେ ବିଶ୍ଵସ୍ତତା ନୁହେଁ, ମାତ୍ର ମିଥ୍ୟା ବଳବାନ ହୋଇଅଛି। ସେମାନେ ଏକ ଦୁଷ୍କର୍ମରୁ ଆଉ ଏକ ଦୁଷ୍କର୍ମକୁ ଯାଆନ୍ତି, ଆଉ ସେମାନେ ମୋତେ ଜାଣନ୍ତି ନାହିଁ ବୋଲି ଆମ୍ଭମାନଙ୍କ ପିତା କହନ୍ତି।

ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀଠାରୁ ସାବଧାନ ହେଉ, ପୁଣି କୌଣସି ଭ୍ରାତା ଉପରେ ବିଶ୍ଵାସ ନ କରୁ; କାରଣ ପ୍ରତ୍ୟେକ ଭ୍ରାତା ପ୍ରବଞ୍ଚକ, ଆଉ ପ୍ରତ୍ୟେକ ପ୍ରତିବାସୀ ପରନିନ୍ଦା କରୁ କରୁ ବୁଲେ।

ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀକୁ ପ୍ରବଞ୍ଚନା କରେ, ଆଉ କେହି ସତ୍ୟ କହେ ନାହିଁ; ସେମାନେ ମିଥ୍ୟା କହିବା ନିମନ୍ତେ ଆପଣା ଜିହ୍ଵାକୁ ଅଭ୍ୟସ୍ତ କରିଅଛନ୍ତି, ଆଉ ଅଧର୍ମ କରି କରି ଆପଣାମାନଙ୍କୁ କ୍ଲାନ୍ତ କରନ୍ତି। ତୁମ୍ଭର ବାସ ପ୍ରବଞ୍ଚନା ମଧ୍ୟରେ; ଆପଣାମାନଙ୍କ ପ୍ରବଞ୍ଚନା ଦ୍ଵାରା ସେମାନେ ମୋତେ ଜାଣିବାକୁ ଅସ୍ଵୀକାର କରନ୍ତି ବୋଲି ଆମ୍ଭମାନଙ୍କ ପିତା କହନ୍ତି।

ଏଥିପାଇଁ ସ୍ଵର୍ଗୀୟ ବାହିନୀଗଣର ପିତା ଏହା କହନ୍ତି: ଦେଖ, ଆମ୍ଭେ ସେମାନଙ୍କୁ ତୀକ୍ଷ୍ଣ କରିବା ଓ ପରୀକ୍ଷା କରିବା, କାରଣ ଆପଣା ଲୋକଙ୍କ କନ୍ୟା ସକାଶେ ଆଉ କିପରି ଆମ୍ଭେ କରିବା? ସେମାନଙ୍କ ଜିହ୍ଵା ଏକ ପ୍ରାଣଘାତକ ତୀର; ତାହା ପ୍ରବଞ୍ଚନା କହେ। ପ୍ରତ୍ୟେକ ଜଣ ଆପଣା ମୁଖରେ ଆପଣା ପ୍ରତିବାସୀକୁ ଶାନ୍ତିର କଥା କହେ, ମାତ୍ର ଆପଣା ହୃଦୟରେ ତାହା ନିମନ୍ତେ ଛକି ବସେ। ଏହିସବୁ ନିମନ୍ତେ ଆମ୍ଭେ କʼଣ ସେମାନଙ୍କୁ ଦଣ୍ଡ ଦେବା ନାହିଁ? ବୋଲି ଆମ୍ଭମାନଙ୍କ ପିତା କହନ୍ତି। ଏପ୍ରକାର ଏକ ଜାତି ଉପରେ ଆମ୍ଭେ କʼଣ ପ୍ରତିଶୋଧ ନେବା ନାହିଁ? “ଆମ୍ଭେ ପର୍ବତଗଣ ନିମନ୍ତେ ରୋଦନ ଓ ବିଳାପ କରିବା, ପୁଣି ପ୍ରାନ୍ତରର ଚରାସ୍ଥାନ ନିମନ୍ତେ ଶୋକଗାନ କରିବା, କାରଣ ସେସବୁ ଏପରି ଉଜାଡ଼ ହୋଇଅଛି ଯେ କେହି ତହିଁ ଦେଇ ଗମନ କରେ ନାହିଁ, ଆଉ ଗୋରୁପଲର ରଡ଼ି ଶୁଣା ଯାଏ ନାହିଁ। ଆକାଶର ପକ୍ଷୀଠାରୁ ପଶୁ ପର୍ଯ୍ୟନ୍ତ, ସମସ୍ତେ ପଳାଇ ଚାଲି ଯାଇଅଛନ୍ତି। ଆମ୍ଭେ ଯିରୂଶାଲମକୁ କାନ୍ଥଡ଼ାର ରାଶି, ଶୃଗାଳମାନଙ୍କ ବାସସ୍ଥାନ କରିବା; ପୁଣି ଯିହୁଦାର ନଗରସମୂହକୁ ନିବାସୀ-ଶୂନ୍ୟ ଧ୍ଵଂସସ୍ଥାନ କରିବା।”

ଏହା ବୁଝି ପାରିବା ନିମନ୍ତେ ଜ୍ଞାନବାନ ଲୋକ କିଏ? ଆଉ ଦେଶ କାହିଁକି ବିନଷ୍ଟ, ପ୍ରାନ୍ତର ପରି ଦଗ୍ଧ ଓ କେହି ତହିଁ ଦେଇ ଗମନ ନ କରିବା ବିଷୟ ବ୍ୟାଖ୍ୟା କରିବା ନିମନ୍ତେ ଆମ୍ଭମାନଙ୍କ ପିତାଙ୍କ ମୁଖ କାହା ନିକଟରେ କହିଅଛି?

ଆଉ ଆମ୍ଭମାନଙ୍କ ପିତା କହନ୍ତି: ଆମ୍ଭେ ସେମାନଙ୍କୁ ଯେଉଁ ବ୍ୟବସ୍ଥା ଦେଇଥିଲୁ, ତାହା ସେମାନେ ପରିତ୍ୟାଗ କରିବାରୁ, ପୁଣି ଆମ୍ଭ ରବ ନ ମାନି ତଦନୁସାରେ ନ ଚାଲିବାରୁ, ମାତ୍ର ଆପଣା ଆପଣା ପିତୃପୁରୁଷଗଣ ଯେପରି ଶିଖାଇଥିଲେ, ତଦନୁସାରେ ଆପଣା ଆପଣା ହୃଦୟର ଅବାଧ୍ୟତା ଅନୁଗମନ କରିବାରୁ ଓ ବାଲ୍‌ଦେବତାଗଣର ପଶ୍ଚାଦ୍‌ଗମନ କରିବାରୁ, ଏଣୁ ସ୍ଵର୍ଗୀୟ ବାହିନୀଗଣର ପିତା, ଇସ୍ରାଏଲର ଆମ୍ଭମାନଙ୍କ ପିତା ଏହା କହନ୍ତି: ଦେଖ, ଆମ୍ଭେ ଏହି ଲୋକମାନଙ୍କୁ ତିକ୍ତ ଖାଦ୍ୟ ଭୋଜନ କରାଇବା ଓ ସେମାନଙ୍କୁ ବିଷମିଶ୍ରିତ ଜଳ ପାନ କରାଇବା। ପୁଣି ସେମାନେ ଅବା ସେମାନଙ୍କ ପିତୃପୁରୁଷଗଣ ଯେଉଁ ଜାତିସମୂହକୁ କେବେ ଜାଣି ନ ଥିଲେ, ସେମାନଙ୍କ ମଧ୍ୟରେ ଆମ୍ଭେ ସେମାନଙ୍କୁ ଛିନ୍ନଭିନ୍ନ କରିବା, ଆଉ ଆମ୍ଭେ ସେମାନଙ୍କୁ ସଂହାର ନ କରିବା ପର୍ଯ୍ୟନ୍ତ ସେମାନଙ୍କ ପଛେ ପଛେ ଖଡ୍ଗ ପ୍ରେରଣ କରିବା।

ସ୍ଵର୍ଗୀୟ ବାହିନୀଗଣର ପିତା ଏହା କହନ୍ତି: ବିବେଚନା କର! ଶୋକ କରିବାରେ ନିପୁଣା ସ୍ତ୍ରୀଲୋକମାନଙ୍କୁ ଡାକ; ବିଳାପରେ ପାରଙ୍ଗତ ସ୍ତ୍ରୀମାନଙ୍କ ପାଇଁ ଲୋକ ପଠାଅ। ସେମାନେ ଶୀଘ୍ର ଆସି ଆମ୍ଭମାନଙ୍କ ନିମନ୍ତେ ଉଚ୍ଚସ୍ଵରରେ ବିଳାପ କରନ୍ତୁ, ଯେପରି ଆମ୍ଭମାନଙ୍କ ଚକ୍ଷୁରୁ ଅଶ୍ରୁ ବହିବ ଓ ଆମ୍ଭମାନଙ୍କ ଚକ୍ଷୁପତାରୁ ଜଳ ଝରିବ।

କାରଣ ସିୟୋନଠାରୁ ବିଳାପର ରବ ଶୁଣା ଯାଉଅଛି: ଆମ୍ଭେମାନେ କିପରି ବିନଷ୍ଟ ହୋଇଅଛୁ! ଆମ୍ଭେମାନେ ନିତାନ୍ତ ଲଜ୍ଜିତ, କାରଣ ଆମ୍ଭେମାନେ ଦେଶ ଛାଡ଼ିଅଛୁ, କାରଣ ସେମାନେ ଆମ୍ଭମାନଙ୍କ ବାସସ୍ଥାନସମୂହ ଭୂମିସାତ୍ କରିଅଛନ୍ତି। ହେ ସ୍ତ୍ରୀଗଣ, ଏବେ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଶୁଣ; ତୁମ୍ଭମାନଙ୍କ କର୍ଣ୍ଣ ତାହାଙ୍କ ମୁଖର ବାକ୍ୟ ଗ୍ରହଣ କରୁ। ଆପଣା ଆପଣା କନ୍ୟାମାନଙ୍କୁ ବିଳାପ ଓ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସିନୀକୁ ଶୋକଗାନ ଶିଖାଅ। କାରଣ ମୃତ୍ୟୁ ଆମ୍ଭମାନଙ୍କ ଝରକା ଦେଇ ଉପରକୁ ଚଢ଼ିଅଛି; ତାହା ଆମ୍ଭମାନଙ୍କ ଅଟ୍ଟାଳିକାସମୂହରେ ପ୍ରବେଶ କରିଅଛି, ବାଟରୁ ବାଳକମାନଙ୍କୁ ଓ ଛକରୁ ଯୁବକମାନଙ୍କୁ ଉଚ୍ଛିନ୍ନ କରିଅଛି।

କୁହ: ଆମ୍ଭମାନଙ୍କ ପିତା ଏହା କହନ୍ତି: ମନୁଷ୍ୟମାନଙ୍କ ଶବ ଖୋଲା କ୍ଷେତ୍ରରେ ଖତ ପରି, ଲଣ୍ଡାକାରୀ ପଛେ ପଡ଼ିଥିବା ଶସ୍ୟ ଅଣ୍ଟା ପରି ପଡ଼ିବ, ଆଉ ସେସବୁ ସଂଗ୍ରହ କରିବାକୁ କେହି ନ ଥିବ।

ଆମ୍ଭମାନଙ୍କ ପିତା ଏହା କହନ୍ତି: ଜ୍ଞାନବାନ ଆପଣା ଜ୍ଞାନରେ ଦର୍ପ ନ କରୁ, ବଳବାନ ଆପଣା ବଳରେ ଦର୍ପ ନ କରୁ, ଧନୀ ଆପଣା ଧନରେ ଦର୍ପ ନ କରୁ; ମାତ୍ର ଯେ ଦର୍ପ କରେ, ସେ ଏଥିରେ ଦର୍ପ କରୁ: ଯେ ସେ ଆମ୍ଭକୁ ବୁଝେ ଓ ଜାଣେ— ଯେ ଆମ୍ଭେ ତୁମ୍ଭର ପିତା, ଯେ ପୃଥିବୀରେ ଦୟା, ନ୍ୟାୟ ଓ ଧାର୍ମିକତା କାର୍ଯ୍ୟ କରୁ; କାରଣ ଏହିସବୁ ବିଷୟରେ ଆମ୍ଭେ ସନ୍ତୁଷ୍ଟ ହେଉ ବୋଲି ଆମ୍ଭମାନଙ୍କ ପିତା କହନ୍ତି।

ଦେଖ, ଯେଉଁ ସମୟରେ ଆମ୍ଭେ କେବଳ ଶରୀରରେ ସୁନ୍ନତ ହୋଇଥିବା ସମସ୍ତଙ୍କୁ ଦଣ୍ଡ ଦେବା, ଏପରି ସମୟ ଆସୁଅଛି ବୋଲି ଆମ୍ଭମାନଙ୍କ ପିତା କହନ୍ତି। ମିସର, ଯିହୁଦା, ଇଦୋମ, ଅମ୍ମୋନ-ସନ୍ତାନଗଣ, ମୋୟାବ ଓ ଯେଉଁମାନେ ଆପଣା କେଶର ଅଗ୍ରଭାଗ କାଟି ପ୍ରାନ୍ତରରେ ବାସ କରନ୍ତି, ସେମାନଙ୍କ ସମସ୍ତଙ୍କୁ ଦଣ୍ଡ ଦେବା। କାରଣ ଏହି ସମସ୍ତ ଜାତି ଅସୁନ୍ନତ, ଆଉ ସମୁଦାୟ ଇସ୍ରାଏଲ-ବଂଶ ହୃଦୟରେ ଅସୁନ୍ନତ।