ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପିତା ହିଜକୀୟଙ୍କ ବିପଦରେ ଉତ୍ତର ଦିଅନ୍ତି

ହିଜକିୟ ସେହି ଭୟଦେଖାଇବା ପତ୍ରଟି ଆମ୍ଭମାନଙ୍କ ପିତାଙ୍କ ଗୃହକୁ ନେଇଯାଇ ତାହାଙ୍କ ସମ୍ମୁଖରେ ମେଲାଇ ରଖନ୍ତି। ଯିଶାଇୟ ଉତ୍ତର ଦିଅନ୍ତି ଯେ ଇସ୍ରାଏଲର ଧର୍ମସ୍ୱରୂପ ସେହି ଉପହାସ ଶୁଣିଛନ୍ତି ଓ ସେ ସନ୍‌ହେରୀବକୁ କଣ୍ଟା ଓ ଲଗାମ ଦେଇ ତାହାର ଦେଶକୁ ଫେରାଇ ନେବେ। ସେହି ରାତିରେ ଛାଉଣୀ ଆଘାତପ୍ରାପ୍ତ ହୁଏ; ସନ୍‌ହେରୀବ ନିଜ ଦେଶରେ ମରେ।

ଅଧ୍ୟାୟ 19।

ହିଜକୀୟ ରାଜା ଏହା ଶୁଣନ୍ତେ, ଆପଣା ବସ୍ତ୍ର ଚିରି ଚଟ ବସ୍ତ୍ର ପିନ୍ଧି ଆମ୍ଭମାନଙ୍କ ପିତାଙ୍କ ଗୃହକୁ ଗଲେ। ପୁଣି ସେ ରାଜଗୃହର ଅଧ୍ୟକ୍ଷ ଇଲୀୟାକୀମ୍, ଲେଖକ ଶିବ୍‍ନ ଓ ପ୍ରାଚୀନ ଯାଜକମାନଙ୍କୁ, ସମସ୍ତେ ଚଟ ବସ୍ତ୍ର ପିନ୍ଧି, ଆମୋସର ପୁତ୍ର ଯିଶାଇୟ ଭାବବାଦୀଙ୍କ ନିକଟକୁ ପ୍ରେରଣ କଲେ। ସେମାନେ ତାଙ୍କୁ କହିଲେ, “ହିଜକୀୟ କହନ୍ତି, ଆଜି ବିପଦ, ଅନୁଯୋଗ ଓ ଅପମାନର ଦିନ; ସନ୍ତାନମାନେ ଜନ୍ମର ମୁଖ ପର୍ଯ୍ୟନ୍ତ ଆସିଅଛନ୍ତି, ମାତ୍ର ପ୍ରସବ କରିବାକୁ ବଳ ନାହିଁ। ଅସ୍‍ସୀରୀୟାର ରାଜା ଆପଣା ପ୍ରଭୁ କର୍ତ୍ତୃକ ଜୀବନ୍ତ ପିତାଙ୍କୁ ନିନ୍ଦା କରିବା ନିମନ୍ତେ ଯେଉଁ ସେନାପତିକୁ ପଠାଇଅଛି, ତାହାର ସମସ୍ତ ବାକ୍ୟ ବୋଧହୁଏ ଆପଣଙ୍କ ପିତା ଶୁଣିବେ ଓ ସେ ଯେଉଁ ବାକ୍ୟ ଶୁଣିଅଛନ୍ତି, ତାହା ଦଣ୍ଡିତ କରିବେ। ଏଣୁ ଯେଉଁ ଅବଶିଷ୍ଟାଂଶ ବଞ୍ଚିଅଛି, ତାହା ନିମନ୍ତେ ପ୍ରାର୍ଥନା କରନ୍ତୁ।”

ତହୁଁ ହିଜକୀୟ ରାଜାଙ୍କ ଦାସମାନେ ଯିଶାଇୟଙ୍କ ନିକଟକୁ ଆସନ୍ତେ,

ଯିଶାଇୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣାମାନଙ୍କ ପ୍ରଭୁଙ୍କୁ କୁହ, ଆମ୍ଭମାନଙ୍କ ପିତା କହନ୍ତି, ଅସ୍‍ସୀରୀୟାର ରାଜାର ଦାସମାନେ ଆମ୍ଭକୁ ଯେଉଁ କଥାରେ ନିନ୍ଦା କରିଅଛନ୍ତି, ତୁମ୍ଭେ ଯେଉଁ ବାକ୍ୟ ଶୁଣିଅଛ, ତହିଁରେ ଭୀତ ହୁଅ ନାହିଁ। ଦେଖ, ଆମ୍ଭେ ତାହାଠାରେ ଏକ ଆତ୍ମା ସ୍ଥାପନ କରିବା; ତହିଁରେ ସେ ଏକ ଜନରବ ଶୁଣି ଆପଣା ଦେଶକୁ ଫେରିଯିବ, ପୁଣି ସେହିଠାରେ ଆମ୍ଭେ ତାହାକୁ ଖଡ଼୍‍ଗ ଦ୍ଵାରା ନିପାତ କରିବା।”

ଅସ୍‍ସୀରୀୟାର ରାଜା ଲାଖୀଶରୁ ପ୍ରସ୍ଥାନ କରିଅଛି, ଏହା ସେହି ସେନାପତି ଶୁଣନ୍ତେ, ସେ ଫେରିଯାଇ ତାହାକୁ ଲିବ୍‍ନା ବିରୁଦ୍ଧରେ ଯୁଦ୍ଧ କରୁଥିବା ଦେଖିଲା। ଏଥିମଧ୍ୟରେ କୂଶର ରାଜା ତିର୍ହକ ବିଷୟରେ, “ଦେଖ, ସେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରିଅଛି,” ଏହା ସେହି ରାଜା ଶୁଣନ୍ତେ, ସେ ପୁନର୍ବାର ହିଜକୀୟଙ୍କ ନିକଟକୁ ଦୂତମାନଙ୍କୁ ପଠାଇ କହିଲା, “ତୁମ୍ଭେମାନେ ଯିହୂଦାର ରାଜା ହିଜକୀୟଙ୍କୁ କୁହ, ଅସ୍‍ସୀରୀୟାର ରାଜା ହସ୍ତରେ ଯିରୂଶାଲମ ସମର୍ପିତ ହେବ ନାହିଁ ବୋଲି ପ୍ରତିଜ୍ଞା କରି ତୁମ୍ଭେ ଯେଉଁ ଈଶ୍ଵରଙ୍କ ଉପରେ ବିଶ୍ଵାସ କରୁଅଛ, ତୁମ୍ଭର ସେହି ଈଶ୍ଵର ତୁମ୍ଭକୁ ପ୍ରବଞ୍ଚନା ନ କରନ୍ତୁ। ଦେଖ, ଅସ୍‍ସୀରୀୟାର ରାଜାମାନେ ସମସ୍ତ ଦେଶ ପ୍ରତି କିପରି କରିଅଛନ୍ତି, ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛନ୍ତି, ତାହା ତୁମ୍ଭେ ଶୁଣିଅଛ; ତେବେ ତୁମ୍ଭେ କʼଣ ଉଦ୍ଧାର ପାଇବ? ଗୋଜନ୍, ହାରଣ, ରେତସଫ ଓ ତଲ୍‍ସରସ୍ଥ ଏଦନ ସନ୍ତାନଗଣ, ଏହିପରି ଯେଉଁ ଗୋଷ୍ଠୀସମୂହକୁ ମୋʼ ପୂର୍ବପୁରୁଷମାନେ ବିନାଶ କରିଅଛନ୍ତି, ସେମାନଙ୍କ ଦେବତାମାନେ କʼଣ ସେମାନଙ୍କୁ ଉଦ୍ଧାର କଲେ? ହମାତର ରାଜା, ଅର୍ପଦର ରାଜା, ପୁଣି ସଫର୍ବୟିମ, ହେନା ଓ ଇବ୍‍ବା ନଗରର ରାଜା କାହାନ୍ତି?”

ହିଜକୀୟ ପିତାଙ୍କ ସମ୍ମୁଖରେ ତାହା ମେଲାଇ ଦିଅନ୍ତି

ଏଥିରେ ହିଜକୀୟ ଦୂତମାନଙ୍କ ହସ୍ତରୁ ସେହି ପତ୍ର ନେଇ ପାଠ କଲେ; ତହୁଁ ହିଜକୀୟ ଆମ୍ଭମାନଙ୍କ ପିତାଙ୍କ ଗୃହକୁ ଯାଇ ତାହାଙ୍କ ସମ୍ମୁଖରେ ତାହା ମେଲାଇ ଦେଲେ। ପୁଣି ହିଜକୀୟ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ପ୍ରାର୍ଥନା କରି କହିଲେ, “ହେ ଇସ୍ରାଏଲର ଈଶ୍ଵର, କିରୂବମାନଙ୍କ ଉପରେ ଉପବିଷ୍ଟ, ପୃଥିବୀସ୍ଥ ସମସ୍ତ ରାଜ୍ୟ ଉପରେ କେବଳ ତୁମ୍ଭେ ହିଁ ଈଶ୍ଵର; ତୁମ୍ଭେ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିଅଛ। ହେ ଆମ୍ଭମାନଙ୍କ ପିତା, ତୁମ୍ଭ କର୍ଣ୍ଣ ଡେରି ଶୁଣ; ତୁମ୍ଭ ଚକ୍ଷୁ ଫିଟାଇ ଦେଖ। ଜୀବନ୍ତ ପିତାଙ୍କୁ ନିନ୍ଦା କରିବା ନିମନ୍ତେ ସନ୍‍ହେରୀବ ଯେଉଁ ବାକ୍ୟ ପଠାଇଅଛି, ତାହା ଶୁଣ। ହେ ଆମ୍ଭମାନଙ୍କ ପିତା, ସତ୍ୟ, ଅସ୍‍ସୀରୀୟାର ରାଜାମାନେ ଗୋଷ୍ଠୀସମୂହକୁ ଓ ସେମାନଙ୍କ ଦେଶସବୁକୁ ବିନାଶ କରିଅଛନ୍ତି, ପୁଣି ସେମାନଙ୍କ ଦେବତାମାନଙ୍କୁ ଅଗ୍ନିରେ ନିକ୍ଷେପ କରିଅଛନ୍ତି; କାରଣ ସେମାନେ ଦେବତା ନ ଥିଲେ, ମାତ୍ର ମନୁଷ୍ୟ ହସ୍ତର କର୍ମ, କାଷ୍ଠ ଓ ପ୍ରସ୍ତର ଥିଲେ; ଏହେତୁ ସେମାନେ ସେମାନଙ୍କୁ ବିନାଶ କରିଅଛନ୍ତି। ଏଣୁ, ହେ ଆମ୍ଭମାନଙ୍କ ପିତା, ବିନତି କରୁଅଛି, ତାହା ହସ୍ତରୁ ଆମ୍ଭମାନଙ୍କୁ ରକ୍ଷା କର, ଯେପରି ପୃଥିବୀସ୍ଥ ସମସ୍ତ ରାଜ୍ୟ ଜାଣିବେ ଯେ, କେବଳ ତୁମ୍ଭେ ହିଁ ଈଶ୍ଵର।”

ପିତା ସନ୍‍ହେରୀବର ଅହଙ୍କାର ନତ କରନ୍ତି

ତେବେ ଆମୋସର ପୁତ୍ର ଯିଶାଇୟ ହିଜକୀୟଙ୍କ ନିକଟକୁ ପଠାଇ କହିଲେ, “ଇସ୍ରାଏଲର ଈଶ୍ଵର ଆମ୍ଭମାନଙ୍କ ପିତା ଏହା କହନ୍ତି, ଅସ୍‍ସୀରୀୟାର ରାଜା ସନ୍‍ହେରୀବ ବିଷୟରେ ତୁମ୍ଭେ ଆମ୍ଭ ନିକଟରେ ଯାହା ପ୍ରାର୍ଥନା କରିଅଛ, ତାହା ଆମ୍ଭେ ଶୁଣିଅଛୁ। ତାହା ବିରୁଦ୍ଧରେ ଆମ୍ଭମାନଙ୍କ ପିତା ଏହା କହନ୍ତି, ସିୟୋନର ଅନୂଢ଼ା କନ୍ୟା ତୁମ୍ଭକୁ ତୁଚ୍ଛ କରି ପରିହାସ କରୁଅଛି; ଯିରୂଶାଲମର କନ୍ୟା ତୁମ୍ଭ ପଛେ ଆପଣା ମସ୍ତକ ହଲାଉଅଛି। ତୁମ୍ଭେ କାହାକୁ ନିନ୍ଦା କରି ଧର୍ମ ନିନ୍ଦା କରିଅଛ? ଆଉ କାହା ବିରୁଦ୍ଧରେ ଆପଣା ରବ ଉଠାଇ ଅହଙ୍କାରରେ ଆପଣା ଚକ୍ଷୁ ଊର୍ଦ୍ଧ୍ଵକୁ ତୋଳିଅଛ? ଇସ୍ରାଏଲର ଧର୍ମସ୍ଵରୂପଙ୍କ ବିରୁଦ୍ଧରେ! ତୁମ୍ଭେ ଆପଣା ଦୂତମାନଙ୍କ ଦ୍ଵାରା ସର୍ବାଧିପତି ପିତାଙ୍କୁ ନିନ୍ଦା କରିଅଛ, ପୁଣି କହିଅଛ, ଆପଣା ବହୁ ରଥ ସଙ୍ଗେ ଆମ୍ଭେ ପର୍ବତମାନର ଶିଖର, ଲିବାନୋନର ପ୍ରାନ୍ତସ୍ଥ ଆରୋହଣ କରିଅଛୁ; ଆମ୍ଭେ ତହିଁର ଉଚ୍ଚତମ ଏରସ ବୃକ୍ଷ, ତହିଁର ଉତ୍କୃଷ୍ଟ ଦେବଦାରୁ ବୃକ୍ଷ କାଟି ପକାଇଅଛୁ; ପୁଣି ଆମ୍ଭେ ତହିଁର ପ୍ରାନ୍ତସ୍ଥ ଉଚ୍ଚତମ ସ୍ଥାନରେ, ତହିଁର ନିବିଡ଼ ବନରେ ପ୍ରବେଶ କରିଅଛୁ। ଆମ୍ଭେ କୂପ ଖୋଳି ବିଦେଶୀୟ ଜଳ ପାନ କରିଅଛୁ; ଆପଣା ପାଦତଳ ଦ୍ଵାରା ଆମ୍ଭେ ମିସରର ସମସ୍ତ ନଦୀ ଶୁଷ୍କ କରିଅଛୁ। ତୁମ୍ଭେ କʼଣ ଶୁଣି ନାହଁ? ବହୁ କାଳ ପୂର୍ବରୁ ଆମ୍ଭେ ତାହା କରିଅଛୁ; ପ୍ରାଚୀନ କାଳରୁ ଆମ୍ଭେ ତାହା ସଙ୍କଳ୍ପ କରିଅଛୁ। ଏବେ ଆମ୍ଭେ ତାହା ସଫଳ କରିଅଛୁ, ଯେପରି ତୁମ୍ଭେ ପ୍ରାଚୀରବେଷ୍ଟିତ ନଗରସମୂହକୁ ଭଗ୍ନ ରାଶିରେ ପରିଣତ କରିବ। ସେଥିପାଇଁ ସେମାନଙ୍କ ନିବାସୀମାନେ ବଳହୀନ ହୋଇ ବିସ୍ମିତ ଓ ଲଜ୍ଜିତ ହେଲେ। ସେମାନେ କ୍ଷେତ୍ରସ୍ଥ ତୃଣ ତୁଲ୍ୟ, କୋମଳ ହରିତ ଅଙ୍କୁର ତୁଲ୍ୟ, ଗୃହଛାତ ଉପରେ ଉତ୍ପନ୍ନ ଘାସ ତୁଲ୍ୟ, ବଢ଼ିବା ପୂର୍ବରୁ ଝଲସି ଯାଉଥିବା ପରି ହେଲେ। ମାତ୍ର ତୁମ୍ଭର ବସିବା, ତୁମ୍ଭର ବାହାରିଯିବା ଓ ତୁମ୍ଭର ଭିତରକୁ ଆସିବା, ପୁଣି ଆମ୍ଭ ବିରୁଦ୍ଧରେ ତୁମ୍ଭର କ୍ରୋଧ କରିବା ଆମ୍ଭେ ଜାଣୁ। ଆମ୍ଭ ବିରୁଦ୍ଧରେ ତୁମ୍ଭର କ୍ରୋଧ କରିବା ଓ ଆମ୍ଭ କର୍ଣ୍ଣରେ ପ୍ରବେଶ କରିଥିବା ତୁମ୍ଭର ଔଦ୍ଧତ୍ୟ ସକାଶୁ ଆମ୍ଭେ ତୁମ୍ଭ ନାସିକାରେ ଆପଣା ଅଙ୍କୁଶ ଓ ତୁମ୍ଭ ଓଷ୍ଠରେ ଆପଣା ଲଗାମ ଦେବା, ପୁଣି ତୁମ୍ଭେ ଯେଉଁ ପଥ ଦେଇ ଆସିଅଛ, ସେହି ପଥ ଦେଇ ତୁମ୍ଭକୁ ଫେରାଇ ଦେବା।

ଆଉ, ହେ ହିଜକୀୟ, ତୁମ୍ଭ ପ୍ରତି ଏହି ଚିହ୍ନ ହେବ: ଏ ବର୍ଷ ତୁମ୍ଭେମାନେ ସ୍ଵୟଂ-ଉତ୍ପନ୍ନ ଶସ୍ୟ ଖାଇବ, ଓ ଦ୍ଵିତୀୟ ବର୍ଷ ତହିଁରୁ ଯାହା ଜନ୍ମେ, ତାହା ଖାଇବ; ପୁଣି ତୃତୀୟ ବର୍ଷ ତୁମ୍ଭେମାନେ ବୁଣ ଓ କାଟ, ଦ୍ରାକ୍ଷାକ୍ଷେତ୍ର ରୋପଣ କର ଓ ତହିଁର ଫଳ ଖାଅ। ଆଉ ଯିହୂଦା ବଂଶର ରକ୍ଷାପ୍ରାପ୍ତ ଅବଶିଷ୍ଟାଂଶ ପୁନର୍ବାର ତଳେ ଚେର ମାଡ଼ି ଉପରେ ଫଳ ଫଳିବେ। କାରଣ ଯିରୂଶାଲମରୁ ଏକ ଅବଶିଷ୍ଟାଂଶ ଓ ସିୟୋନ ପର୍ବତରୁ ରକ୍ଷାପ୍ରାପ୍ତ ଏକ ଦଳ ବାହାରିବେ। ବାହିନୀଗଣର ପିତାଙ୍କ ଉଦ୍‍ଯୋଗ ଏହା ସାଧନ କରିବ।

“ଏହେତୁ ଅସ୍‍ସୀରୀୟାର ରାଜା ବିଷୟରେ ଆମ୍ଭମାନଙ୍କ ପିତା ଏହା କହନ୍ତି, ସେ ଏହି ନଗରରେ ପ୍ରବେଶ କରିବ ନାହିଁ, କି ଏଠାରେ ବାଣ ନିକ୍ଷେପ କରିବ ନାହିଁ, କି ଢାଲ ଘେନି ଏହା ସମ୍ମୁଖକୁ ଆସିବ ନାହିଁ, କି ଏହା ବିରୁଦ୍ଧରେ ବନ୍ଧ ବାନ୍ଧିବ ନାହିଁ। ସେ ଯେଉଁ ପଥ ଦେଇ ଆସିଅଛି, ସେହି ପଥ ଦେଇ ଫେରିଯିବ; ପୁଣି ସେ ଏହି ନଗରରେ ପ୍ରବେଶ କରିବ ନାହିଁ, ଏହା ଆମ୍ଭମାନଙ୍କ ପିତା କହନ୍ତି। କାରଣ ଆମ୍ଭେ ଆପଣା ନିମନ୍ତେ ଓ ଆପଣା ଦାସ ଦାଉଦ ନିମନ୍ତେ ଏହି ନଗରକୁ ରକ୍ଷା କରି ଉଦ୍ଧାର କରିବା।”

ସେହି ରାତ୍ରିରେ ଆମ୍ଭମାନଙ୍କ ପିତାଙ୍କ ଦୂତ ବାହାରିଯାଇ ଅସ୍‍ସୀରୀୟ ଛାଉଣିରେ ଏକ ଲକ୍ଷ ପଞ୍ଚାଅଶୀ ହଜାର ଲୋକଙ୍କୁ ଆଘାତ କଲେ। ପ୍ରତ୍ୟୁଷରେ ଲୋକମାନେ ଉଠନ୍ତେ, ଦେଖ, ସେସମସ୍ତେ ମୃତ ଶବ ହୋଇ ପଡ଼ିଅଛନ୍ତି। ଏଣୁ ଅସ୍‍ସୀରୀୟାର ରାଜା ସନ୍‍ହେରୀବ ପ୍ରସ୍ଥାନ କରି ଫେରିଗଲା। ସେ ନୀନିବୀକୁ ଫେରିଯାଇ ସେଠାରେ ବାସ କଲା। ଆଉ ସେ ଆପଣା ଦେବତା ନିସ୍ରୋକର ମନ୍ଦିରରେ ପ୍ରଣାମ କରୁଥିବା ସମୟରେ, ତାହାର ପୁତ୍ର ଅଦ୍ରମେଲକ୍ ଓ ଶରେତ୍ସର ତାହାକୁ ଖଡ଼୍‍ଗ ଦ୍ଵାରା ବଧ କରି ଅରାରଟ ଦେଶକୁ ପଳାଇଗଲେ। ତହିଁ ଉତ୍ତାରେ ତାହାର ପୁତ୍ର ଏସର୍ହଦ୍ଦୋନ୍ ତାହା ପଦରେ ରାଜ୍ୟ କଲା।