ନିର୍ଦ୍ଦୋଷ ଲୋକର ପ୍ରାର୍ଥନା
ଦାଉଦଙ୍କ ପ୍ରାର୍ଥନା।
ଦାଉଦ ଜଣେ ନିର୍ଦ୍ଦୋଷ ଲୋକ ଭାବରେ ଶୁଣାଣି ମାଗନ୍ତି; ରାତିରେ ତାଙ୍କ ହୃଦୟ ପରୀକ୍ଷିତ ହୋଇଛି ଏବଂ ତାଙ୍କ ପାଦ ଖସିନାହିଁ। ଲୁଚି ବସିଥିବା ସିଂହ ତାଙ୍କୁ ଶିକାର କରୁଥିବା ବେଳେ, ସେ ଆଖିର ପିତୁଳା ପରି ରକ୍ଷିତ ହେବାକୁ ମାଗନ୍ତି, ଏବଂ ତାଙ୍କ ଶତ୍ରୁମାନଙ୍କୁ ଅତିକ୍ରମ କରି ତାଙ୍କ ପିତାଙ୍କ ମୁଖ ଦର୍ଶନ ଆଡ଼କୁ ଚାହାଁନ୍ତି।
17 1ହେ ମୋହର ପିତା, ନ୍ୟାୟର କଥା ଶୁଣନ୍ତୁ; ମୋʼ କ୍ରନ୍ଦନରେ ମନୋଯୋଗ କରନ୍ତୁ; ଛଳନାଶୂନ୍ୟ ଓଷ୍ଠରୁ ଉଚ୍ଚାରିତ ମୋʼ ପ୍ରାର୍ଥନାରେ କର୍ଣ୍ଣ ଦିଅନ୍ତୁ। 2ମୋʼ ନ୍ୟାୟ ବିଚାର ଆପଣଙ୍କ ଛାମୁରୁ ନିର୍ଗତ ହେଉ; ଯାହା ନ୍ୟାୟ, ତାହା ଆପଣଙ୍କ ଚକ୍ଷୁ ଦେଖୁ।
3ଆପଣ ମୋʼ ହୃଦୟ ଅନୁସନ୍ଧାନ କରିଅଛନ୍ତି, ରାତ୍ରିକାଳରେ ମୋତେ ପରୀକ୍ଷା କରିଅଛନ୍ତି, ଆପଣ ମୋତେ ପରୀକ୍ଷା କରି କିଛି ପାଇ ନାହାନ୍ତି; ମୋʼ ମୁଖ ଯେପରି ପାପ ନ କରେ, ଏହା ମୁଁ ସ୍ଥିର କରିଅଛି। 4ମନୁଷ୍ୟମାନଙ୍କ କର୍ମ ବିଷୟରେ, ଆପଣଙ୍କ ଓଷ୍ଠର ବାକ୍ୟ ଦ୍ଵାରା ମୁଁ ଦୌରାତ୍ମ୍ୟକାରୀମାନଙ୍କ ପଥରୁ ଆପଣାକୁ ରକ୍ଷା କରିଅଛି। 5ମୋʼ ପଦବିକ୍ଷେପ ଆପଣଙ୍କ ପଥରେ ଦୃଢ଼ ହୋଇ ରହିଅଛି; ମୋʼ ଚରଣ ଖସି ନାହିଁ।
6ହେ ମୋହର ପିତା, ମୁଁ ଆପଣଙ୍କୁ ଡାକୁଅଛି, କାରଣ ଆପଣ ମୋତେ ଉତ୍ତର ଦେବେ; ମୋʼ ପ୍ରତି କର୍ଣ୍ଣ ଦିଅନ୍ତୁ; ମୋʼ ବାକ୍ୟ ଶୁଣନ୍ତୁ। 7ଆପଣଙ୍କ ଦୟାର ଆଶ୍ଚର୍ଯ୍ୟ କର୍ମ ପ୍ରକାଶ କରନ୍ତୁ, ହେ ଆପଣ, ଯେ ଶତ୍ରୁମାନଙ୍କଠାରୁ ଆପଣଙ୍କଠାରେ ଶରଣ ନେଉଥିବା ଲୋକମାନଙ୍କୁ ଆପଣଙ୍କ ଦକ୍ଷିଣ ହସ୍ତ ଦ୍ଵାରା ରକ୍ଷା କରନ୍ତି। 8ମୋତେ ଚକ୍ଷୁର ତାରା ପରି ରକ୍ଷା କରନ୍ତୁ; ଆପଣଙ୍କ ପକ୍ଷର ଛାୟା ତଳେ ମୋତେ ଲୁଚାନ୍ତୁ, 9ମୋʼ ଉପରେ ଆକ୍ରମଣ କରୁଥିବା ଦୁଷ୍ଟମାନଙ୍କଠାରୁ, ମୋʼ ଚତୁର୍ଦ୍ଦିଗରେ ଘେରିଥିବା ମୋʼ ପ୍ରାଣଘାତକ ଶତ୍ରୁମାନଙ୍କଠାରୁ।
10ସେମାନେ ଆପଣା କଠିନ ହୃଦୟ ବନ୍ଦ କରିଅଛନ୍ତି; ସେମାନଙ୍କ ମୁଖ ଅହଙ୍କାରର କଥା କହେ। 11ସେମାନେ ଆମ୍ଭମାନଙ୍କୁ ଅନୁସନ୍ଧାନ କରି ଏବେ ଆମ୍ଭମାନଙ୍କୁ ଘେରିଅଛନ୍ତି; ଆମ୍ଭମାନଙ୍କୁ ଭୂମିରେ ପକାଇବା ପାଇଁ ସେମାନେ ଆପଣା ଚକ୍ଷୁ ସ୍ଥିର କରନ୍ତି। 12ସେ ଆପଣା ଶିକାର ବିଦୀର୍ଣ୍ଣ କରିବାକୁ କ୍ଷୁଧିତ ସିଂହ ପରି, ଗୁପ୍ତ ସ୍ଥାନରେ ଛକି ବସିଥିବା ଯୁବା ସିଂହ ପରି।
13ହେ ମୋହର ପିତା, ଉଠନ୍ତୁ! ତାହାକୁ ସମ୍ମୁଖୀନ ହୁଅନ୍ତୁ, ତାହାକୁ ନତ କରନ୍ତୁ! ଆପଣଙ୍କ ଖଡ୍ଗ ଦ୍ଵାରା ଦୁଷ୍ଟଠାରୁ ମୋʼ ପ୍ରାଣ ଉଦ୍ଧାର କରନ୍ତୁ, 14ହେ ମୋହର ପିତା, ଆପଣଙ୍କ ହସ୍ତ ଦ୍ଵାରା ଏହିପରି ଲୋକମାନଙ୍କଠାରୁ—ଏହି ଜଗତର ଲୋକମାନଙ୍କଠାରୁ, ଯେଉଁମାନଙ୍କ ପୁରସ୍କାର ଏହି ଜୀବନରେ ଅଛି। ଆପଣ ଆପଣଙ୍କ ସଞ୍ଚିତ ଧନରେ ସେମାନଙ୍କ ଉଦର ପୂର୍ଣ୍ଣ କରନ୍ତି; ସେମାନଙ୍କ ସନ୍ତାନମାନେ ପ୍ରଚୁର ପାଆନ୍ତି, ଆଉ ସେମାନେ ଆପଣା ଅବଶିଷ୍ଟ ସମ୍ପତ୍ତି ଆପଣା ଶିଶୁମାନଙ୍କ ପାଇଁ ଛାଡ଼ି ଯାଆନ୍ତି।
15ମାତ୍ର ମୁଁ ଧାର୍ମିକତାରେ ଆପଣଙ୍କ ମୁଖ ଦର୍ଶନ କରିବି; ଯେତେବେଳେ ମୁଁ ଜାଗ୍ରତ ହେବି, ସେତେବେଳେ ଆପଣଙ୍କ ସାଦୃଶ୍ୟ ଦେଖି ତୃପ୍ତ ହେବି।