ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପିତା ଆଶ୍ରୟ ନଗର ଯୋଗାନ୍ତି

ଆମ ପିତା ଛଅଟି ନଗର ପୃଥକ କରି ରଖନ୍ତି, ଯେପରି ଅଜାଣତରେ କାହାକୁ ବଧ କରିଥିବା ଲୋକ କେଉଁଠାକୁ ଦୌଡ଼ି ଯାଇପାରିବ ଓ ପ୍ରତିଶୋଧରେ ମରିବା ପୂର୍ବରୁ ତାହାର କଥା ଶୁଣାଯିବ। ନିୟମ ସ୍ପଷ୍ଟ: ନଗର-ଦ୍ୱାରରେ ନିଜ କଥା କୁହ, ବିଚାର ପର୍ଯ୍ୟନ୍ତ ରୁହ, ଏବଂ ମହାଯାଜକଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେଠାରେ ରହିଥାଅ।

ଅଧ୍ୟାୟ 20।

ଏଥିଉତ୍ତାରେ ଆମ୍ଭମାନଙ୍କ ପିତା ଯିହୋଶୂୟଙ୍କୁ କହିଲେ,

“ଇସ୍ରାଏଲ-ସନ୍ତାନମାନଙ୍କୁ କୁହ, ‘ମୁଁ ମୋଶାଙ୍କ ଦ୍ଵାରା ତୁମ୍ଭମାନଙ୍କୁ ଯେଉଁ ଆଶ୍ରୟ ନଗରମାନଙ୍କ ବିଷୟ କହିଥିଲି, ତାହା ଆପଣାମାନଙ୍କ ନିମନ୍ତେ ନିରୂପଣ କର, ଯେପରି ଅଜ୍ଞାତସାରରେ ଭ୍ରାନ୍ତିବଶତଃ କାହାକୁ ବଧ କରିଥିବା ବ୍ୟକ୍ତି ସେଠାକୁ ପଳାଇ ପାରିବ; ଏହା ରକ୍ତ-ପ୍ରତିହିଂସକଠାରୁ ତୁମ୍ଭମାନଙ୍କ ପାଇଁ ଆଶ୍ରୟସ୍ଥାନ ହେବ। ଯେକେହି ଏହି ନଗରମାନଙ୍କ ମଧ୍ୟରୁ ଗୋଟିକ ନିକଟକୁ ପଳାଇଯିବ, ସେ ନଗର-ଦ୍ଵାର-ପ୍ରବେଶ ସ୍ଥାନରେ ଠିଆ ହୋଇ ସେହି ନଗରର ପ୍ରାଚୀନବର୍ଗଙ୍କ ନିକଟରେ ଆପଣା କଥା ବ୍ୟକ୍ତ କରିବ; ତହିଁରେ ସେମାନେ ତାହାକୁ ନଗର ଭିତରକୁ ଆଣି ସ୍ଥାନ ଦେବେ, ପୁଣି ସେ ସେମାନଙ୍କ ମଧ୍ୟରେ ବାସ କରିବ। ଆଉ ଯଦି ରକ୍ତ-ପ୍ରତିହିଂସକ ତାହାର ପଛେ ପଛେ ଘଉଡ଼ାଇ ଆସେ, ତେବେ ସେମାନେ ସେହି ବଧକାରୀକୁ ତାହା ହସ୍ତରେ ସମର୍ପଣ କରିବେ ନାହିଁ; କାରଣ ସେ ଅଜ୍ଞାତସାରରେ ଆପଣା ପ୍ରତିବାସୀକୁ ଆଘାତ କରିଥିଲା, ପୂର୍ବରୁ ତାହା ପ୍ରତି କିଛି ହିଂସାଭାବ ରଖି ନ ଥିଲା। ମଣ୍ଡଳୀ ସମ୍ମୁଖରେ ବିଚାରିତ ନ ହେବା ପର୍ଯ୍ୟନ୍ତ ଓ ସେହି ସମୟରେ ଯେଉଁ ମହାଯାଜକ ସେବା କରୁଥିବେ, ତାହାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ସେହି ନଗରରେ ବାସ କରିବ; ତହିଁ ଉତ୍ତାରେ ସେହି ବଧକାରୀ ଯେଉଁ ନଗରରୁ ପଳାଇ ଆସିଥିଲା, ଆପଣାର ସେହି ନଗର ଓ ଆପଣା ଗୃହକୁ ଫେରିଯାଇ ପାରିବ।’”

ତହିଁରେ ସେମାନେ ନପ୍ତାଲି ପର୍ବତମୟ ଦେଶସ୍ଥିତ ଗାଲିଲୀର କେଦଶ, ଇଫ୍ରୟିମ ପର୍ବତମୟ ଦେଶସ୍ଥିତ ଶିଖିମ ଓ ଯିହୂଦା ପର୍ବତମୟ ଦେଶସ୍ଥିତ କିରୀୟଥ୍‍-ଅର୍ବ (ଅର୍ଥାତ୍‍ ହିବ୍ରୋଣ) ପୃଥକ୍‍ କଲେ। ପୁଣି ଯର୍ଦ୍ଦନ ସେପାରିରେ, ଯିରୀହୋର ପୂର୍ବଦିଗରେ, ସେମାନେ ରୂବେନ ବଂଶରୁ ପ୍ରାନ୍ତରସ୍ଥିତ ସମଭୂମିରେ ବେତ୍ସର, ଗାଦ ବଂଶରୁ ଗିଲୀୟଦସ୍ଥିତ ରାମୋତ୍‍ ଓ ମନଃଶି ବଂଶରୁ ବାଶନସ୍ଥିତ ଗୋଲନ ଦେଲେ। ଅଜ୍ଞାତସାରରେ କାହାକୁ ବଧ କରିଥିବା ବ୍ୟକ୍ତି ଯେପରି ସେଠାକୁ ପଳାଇ ପାରିବ ଓ ମଣ୍ଡଳୀ ସମ୍ମୁଖରେ ବିଚାରିତ ନ ହେବା ପର୍ଯ୍ୟନ୍ତ ରକ୍ତ-ପ୍ରତିହିଂସକ ହସ୍ତରେ ମରିବ ନାହିଁ, ଏଥିପାଇଁ ଏହିସବୁ ନଗର ସମସ୍ତ ଇସ୍ରାଏଲ-ସନ୍ତାନଙ୍କ ନିମନ୍ତେ ଓ ସେମାନଙ୍କ ମଧ୍ୟରେ ବାସ କରୁଥିବା ବିଦେଶୀମାନଙ୍କ ନିମନ୍ତେ ନିରୂପିତ ହେଲା।