ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଆମ୍ଭମାନଙ୍କ ପିତାଙ୍କ ମହିମା ମନ୍ଦିର ତ୍ୟାଗ କରେ

କିରୂବମାନେ ଓ ଚକ୍ଷୁରେ ପରିପୂର୍ଣ୍ଣ ସେମାନଙ୍କ ଚକଗୁଡ଼ିକ ଉପରକୁ ଉଠନ୍ତି, ଓ ଯେଉଁ ମହିମା ମନ୍ଦିରକୁ ପୂର୍ଣ୍ଣ କରିଥିଲା ତାହା ବାହାରକୁ ଚାଲିଯାଏ, ପ୍ରଥମେ ଦ୍ୱାରବନ୍ଧକୁ, ତାʼପରେ ପୂର୍ବ ଦ୍ୱାରକୁ। ଶୁକ୍ଳବସ୍ତ୍ର ପରିହିତ ଜଣେ ପୁରୁଷ ନଗର ଉପରେ ଜ୍ୱଳନ୍ତ ଅଙ୍ଗାର ବିଞ୍ଚି ଦିଅନ୍ତି। ଯିହିଜିକଲ ଦେଖନ୍ତି ଆମର ପିତା ଆପଣା ଗୃହ ଛାଡ଼ି ଚାଲିଯାଉଛନ୍ତି।

ଅଧ୍ୟାୟ 10।

ଏଥିଉତ୍ତାରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, କିରୂବମାନଙ୍କ ମସ୍ତକ ଉପରିସ୍ଥ ଶୂନ୍ୟ ଉପରେ ସିଂହାସନର ଆକୃତି ତୁଲ୍ୟ ନୀଳକାନ୍ତମଣି ପରି ଗୋଟିଏ ପଦାର୍ଥ ଦୃଶ୍ୟମାନ ହେଲା।

ପୁଣି, ଆମ୍ଭମାନଙ୍କ ପିତା ସେହି ଶୁକ୍ଲ ବସ୍ତ୍ର ପରିହିତ ପୁରୁଷଙ୍କୁ କହିଲେ, “ତୁମ୍ଭେ କିରୂବମାନଙ୍କ ତଳସ୍ଥ ଘୂର୍ଣ୍ୟମାନ ଚକ୍ରସମୂହ ମଧ୍ୟକୁ ଯାଅ, ଆଉ କିରୂବମାନଙ୍କ ମଧ୍ୟରୁ ପ୍ରଜ୍ଵଳିତ ଅଙ୍ଗାରରେ ଆପଣା ହସ୍ତ ପୂର୍ଣ୍ଣ କରି ତାହା ନଗର ଉପରେ ବିଞ୍ଚ।” ତହିଁରେ ମୋʼ ଦୃଷ୍ଟିଗୋଚରରେ ସେ ଭିତରକୁ ଗଲା।

ଯେତେବେଳେ ସେହି ପୁରୁଷ ଭିତରକୁ ଗଲା, ସେତେବେଳେ କିରୂବମାନେ ମନ୍ଦିରର ଦକ୍ଷିଣ ପାର୍ଶ୍ଵରେ ଠିଆ ହୋଇଥିଲେ, ପୁଣି ଭିତର ପ୍ରାଙ୍ଗଣ ମେଘରେ ପରିପୂର୍ଣ୍ଣ ହେଲା। ଏଥିଉତ୍ତାରେ ଆମ୍ଭମାନଙ୍କ ପିତାଙ୍କ ମହିମା କିରୂବଠାରୁ ଉଠି ମନ୍ଦିରର ଦ୍ଵାରବନ୍ଧ ଉପରକୁ ଗଲା, ଆଉ ମନ୍ଦିର ମେଘରେ ପରିପୂର୍ଣ୍ଣ ହେଲା ଓ ପ୍ରାଙ୍ଗଣ ଆମ୍ଭମାନଙ୍କ ପିତାଙ୍କ ମହିମାର ତେଜରେ ପରିପୂର୍ଣ୍ଣ ହେଲା। ପୁଣି, କିରୂବମାନଙ୍କ ପକ୍ଷର ଶବ୍ଦ ବାହାର ପ୍ରାଙ୍ଗଣ ପର୍ଯ୍ୟନ୍ତ ଶୁଣାଗଲା, ତାହା ସର୍ବଶକ୍ତିମାନଙ୍କ କଥନକାରୀ ରବ ତୁଲ୍ୟ ଥିଲା।

ସେ ଯେତେବେଳେ ସେହି ଶୁକ୍ଲ ବସ୍ତ୍ର ପରିହିତ ପୁରୁଷଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେ ଘୂର୍ଣ୍ୟମାନ ଚକ୍ରସମୂହ ମଧ୍ୟରୁ, କିରୂବମାନଙ୍କ ମଧ୍ୟରୁ ଅଗ୍ନି ନିଅ,” ସେତେବେଳେ ସେ ଭିତରକୁ ଯାଇ ଗୋଟିଏ ଚକ୍ର ପାଖରେ ଠିଆ ହେଲା।

ତହିଁରେ ଗୋଟିଏ କିରୂବ କିରୂବମାନଙ୍କ ମଧ୍ୟସ୍ଥ ଅଗ୍ନି ଆଡ଼କୁ ଆପଣା ହସ୍ତ ବଢ଼ାଇ କିଛି ନେଇ ସେହି ଶୁକ୍ଲ ବସ୍ତ୍ର ପରିହିତ ପୁରୁଷର ହସ୍ତରେ ଦେଲା, ଆଉ ସେ ତାହା ନେଇ ବାହାରକୁ ଗଲା। କିରୂବମାନଙ୍କ ପକ୍ଷ ତଳେ ମନୁଷ୍ୟ ହସ୍ତର ଆକୃତି ଦୃଶ୍ୟମାନ ହେଲା।

ପୁଣି, ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, କିରୂବମାନଙ୍କ ପାଖରେ ଚାରିଗୋଟି ଚକ୍ର ଥିଲା, ପ୍ରତ୍ୟେକ କିରୂବ ପାଖରେ ଗୋଟିଏ ଗୋଟିଏ ଚକ୍ର ଥିଲା, ଆଉ ସେହି ଚକ୍ରସବୁ ବୈଦୁର୍ଯ୍ୟମଣିର ଆଭା ତୁଲ୍ୟ ଥିଲା। ଆଉ ସେମାନଙ୍କ ଆକୃତି ବିଷୟରେ ସେହି ଚାରିଗୋଟି ଯାକ ଏକ ତୁଲ୍ୟ ଥିଲା, ଯେପରି ଚକ୍ର ମଧ୍ୟରେ ଚକ୍ର ଥାଏ। ସେମାନେ ଚାଲିବା ବେଳେ ବିନା ଫେରିବାରେ ଆପଣାମାନଙ୍କ ଚାରି ଦିଗ ମଧ୍ୟରୁ ଯେକୌଣସି ଦିଗକୁ ଯାଉଥିଲେ; ଅଗ୍ରସ୍ଥ ଚକ୍ର ଯେଉଁ ଆଡ଼କୁ ଅଭିମୁଖ ହେଉଥିଲା, ସେହି ଆଡ଼କୁ ଅନ୍ୟ ଚକ୍ର ବିନା ଫେରିବାରେ ଯାଉଥିଲା। ଆଉ ସେମାନଙ୍କ ସମଗ୍ର ଶରୀର, ପିଠି, ହସ୍ତ, ପକ୍ଷ ଓ ଚକ୍ର ଚତୁର୍ଦ୍ଦିଗରେ ଚକ୍ଷୁରେ ପରିପୂର୍ଣ୍ଣ ଥିଲା, ଅର୍ଥାତ୍ ସେହି ଚାରିଗୋଟି ଯାକର ଚକ୍ର ଏପରି ଥିଲା। ସେହି ଚକ୍ର ବିଷୟରେ ମୋʼ କର୍ଣ୍ଣଗୋଚରରେ ସେମାନଙ୍କୁ “ଘୂର୍ଣ୍ୟମାନ ଚକ୍ର” ବୋଲି ଡକାଗଲା। ପ୍ରତ୍ୟେକର ଚାରିଗୋଟି ମୁଖ ଥିଲା; ପ୍ରଥମ ମୁଖ କିରୂବର ମୁଖ, ଦ୍ଵିତୀୟ ମୁଖ ମନୁଷ୍ୟର ମୁଖ, ତୃତୀୟ ମୁଖ ସିଂହର ମୁଖ ଓ ଚତୁର୍ଥ ମୁଖ ଉତ୍କ୍ରୋଶ ପକ୍ଷୀର ମୁଖ ଥିଲା।

ଏଥିଉତ୍ତାରେ କିରୂବମାନେ ଉପରକୁ ଉଠିଲେ। ମୁଁ କବାର ନଦୀ ତୀରରେ ଯେଉଁ ଜୀବିତ ପ୍ରାଣୀମାନଙ୍କୁ ଦେଖିଥିଲି, ଏମାନେ ସେହିମାନେ ଥିଲେ। ପୁଣି, ଯେତେବେଳେ କିରୂବମାନେ ଚାଲିଲେ, ସେତେବେଳେ ଚକ୍ରସବୁ ସେମାନଙ୍କ ପାଖରେ ଚାଲିଲା; ଆଉ ଯେତେବେଳେ କିରୂବମାନେ ଭୂମିରୁ ଉଠିବା ନିମନ୍ତେ ଆପଣାମାନଙ୍କ ପକ୍ଷ ଉଠାଇଲେ, ସେତେବେଳେ ଚକ୍ରସବୁ ମଧ୍ୟ ସେମାନଙ୍କ ପାଖରୁ ଫେରିଲା ନାହିଁ। ସେମାନେ ଠିଆ ହେଲେ ଚକ୍ରସବୁ ଠିଆ ହେଲା, ଆଉ ସେମାନେ ଉଠିଲେ ଚକ୍ରସବୁ ସେମାନଙ୍କ ସଙ୍ଗେ ଉଠିଲା, କାରଣ ଜୀବିତ ପ୍ରାଣୀମାନଙ୍କର ଆତ୍ମା ସେଗୁଡ଼ିକ ମଧ୍ୟରେ ଥିଲା।

ଏଥିଉତ୍ତାରେ ଆମ୍ଭମାନଙ୍କ ପିତାଙ୍କ ମହିମା ଗୃହର ଦ୍ଵାରବନ୍ଧ ଉପରୁ ଚାଲିଯାଇ କିରୂବମାନଙ୍କ ଉପରେ ଠିଆ ହେଲା। ତହିଁରେ ମୋʼ ଦୃଷ୍ଟିଗୋଚରରେ କିରୂବମାନେ ଆପଣାମାନଙ୍କ ପକ୍ଷ ଉଠାଇ ଭୂମିରୁ ଉଠିଲେ, ଆଉ ସେମାନଙ୍କ ପାଖରେ ଚକ୍ରସବୁ ସଙ୍ଗେ ନେଇ ବାହାରକୁ ଗଲେ। ସେମାନେ ଆମ୍ଭମାନଙ୍କ ପିତାଙ୍କ ଗୃହର ପୂର୍ବ ଦ୍ଵାରର ପ୍ରବେଶ ସ୍ଥାନରେ ଠିଆ ହେଲେ, ଆଉ ଇସ୍ରାଏଲର ପିତାଙ୍କ ମହିମା ସେମାନଙ୍କ ଉପରେ ଉର୍ଦ୍ଧ୍ଵରେ ଥିଲା।

ମୁଁ କବାର ନଦୀ ତୀରରେ ଇସ୍ରାଏଲର ପିତାଙ୍କ ତଳେ ଯେଉଁ ଜୀବିତ ପ୍ରାଣୀମାନଙ୍କୁ ଦେଖିଥିଲି, ଏମାନେ ସେହିମାନେ ଥିଲେ, ଆଉ ଏମାନେ ଯେ କିରୂବ ଅଟନ୍ତି, ଏହା ମୁଁ ଜାଣିଲି। ପ୍ରତ୍ୟେକର ଚାରିଗୋଟି ମୁଖ, ଚାରିଗୋଟି ପକ୍ଷ ଓ ପକ୍ଷ ତଳେ ମନୁଷ୍ୟ ହସ୍ତର ଆକୃତି ଥିଲା। ମୁଁ କବାର ନଦୀ ତୀରରେ ଯେଉଁ ମୁଖ ଦେଖିଥିଲି, ସେମାନଙ୍କ ମୁଖ ସେହିସବୁ ତୁଲ୍ୟ ଥିଲା। ପ୍ରତ୍ୟେକେ ସମ୍ମୁଖ ଆଡ଼କୁ ସିଧା ଚାଲିଲେ।