ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ନଗରରେ ଦୁଷ୍ଟ ପରାମର୍ଶ

ନଗର-ଦ୍ୱାରରେ ଯିହିଜିକଲ ପଚିଶ ଜଣ ଅଧିକାରୀଙ୍କ ନାମ ନିଅନ୍ତି ଯେଉଁମାନଙ୍କ ନିରାପତ୍ତାର ଆତ୍ମବିଶ୍ୱାସୀ କଥା ମିଥ୍ୟା, ଓ ସେ ଭବିଷ୍ୟଦ୍‌ବାଣୀ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମରି ପଡ଼େ। ଭୟଭୀତ ହୋଇ ସେ ପଚାରନ୍ତି କେହି ବଞ୍ଚିବେ କି ନାହିଁ। ଆମର ପିତାଙ୍କ ପ୍ରତିଜ୍ଞା ଛିନ୍ନଭିନ୍ନ ନିର୍ବାସିତମାନଙ୍କ ପ୍ରତି ଯାଏ: ପ୍ରସ୍ତରମୟ ହୃଦୟ ବଦଳରେ ମାଂସମୟ ହୃଦୟ।

ଅଧ୍ୟାୟ 11।

ଆତ୍ମା ମୋତେ ଉଠାଇ ଆମ୍ଭମାନଙ୍କ ପିତାଙ୍କ ଗୃହର ପୂର୍ବ ଦ୍ଵାର ନିକଟକୁ, ଯାହା ପୂର୍ବ ଦିଗାଭିମୁଖ, ଆଣିଲେ। ଦ୍ଵାର ପ୍ରବେଶ ସ୍ଥାନରେ ପଚିଶ ଜଣ ପୁରୁଷ ଥିଲେ, ଆଉ ସେମାନଙ୍କ ମଧ୍ୟରେ ମୁଁ ଅସ୍ସୂରର ପୁତ୍ର ଯାସନୀୟ ଓ ବନାୟର ପୁତ୍ର ପଲଟୀୟ, ଏହି ଲୋକମାନଙ୍କ ଅଧ୍ୟକ୍ଷଦ୍ଵୟଙ୍କୁ ଦେଖିଲି।

ସେ ମୋତେ କହିଲେ, “ହେ ମନୁଷ୍ୟପୁତ୍ର, ଯେଉଁମାନେ ଏହି ନଗରରେ ଅନିଷ୍ଟ କଳ୍ପନା କରୁଅଛନ୍ତି ଓ ମନ୍ଦ ପରାମର୍ଶ ଦେଉଅଛନ୍ତି, ସେମାନେ ଏହି ଲୋକ, ସେମାନେ କହୁଅଛନ୍ତି, ‘ଗୃହ ନିର୍ମାଣ କରିବାର ସମୟ କʼଣ ପ୍ରାୟ ହୋଇ ନାହିଁ? ଏହି ନଗର ହଣ୍ଡା, ଆଉ ଆମ୍ଭେମାନେ ମାଂସ।’ ଏହେତୁ ସେମାନଙ୍କ ବିରୁଦ୍ଧରେ ଭାବବାଣୀ ପ୍ରଚାର କର; ହେ ମନୁଷ୍ୟପୁତ୍ର, ଭାବବାଣୀ ପ୍ରଚାର କର।”

ସେତେବେଳେ ଆମ୍ଭମାନଙ୍କ ପିତାଙ୍କ ଆତ୍ମା ମୋʼ ଉପରେ ଅଧିଷ୍ଠିତ ହେଲେ, ଆଉ ମୋତେ ଏହା କହିବାକୁ କହିଲେ, ‘ଆମ୍ଭମାନଙ୍କ ପିତା ଏହା କହୁଅଛନ୍ତି: ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ଏହିପରି କହୁଅଛ; ତୁମ୍ଭମାନଙ୍କ ମନରେ ଯାହା ଉଠୁଅଛି, ତାହା ଆମ୍ଭେ ଜାଣୁ।’ ତୁମ୍ଭେମାନେ ଏହି ନଗରରେ ଅନେକଙ୍କୁ ବଧ କରିଅଛ ଓ ଏଥିର ପଥସବୁ ହତ ଲୋକରେ ପରିପୂର୍ଣ୍ଣ କରିଅଛ।

ଏଣୁ ସାର୍ବଭୌମ ପିତା ଏହା କହୁଅଛନ୍ତି: ତୁମ୍ଭେମାନେ ଯେଉଁମାନଙ୍କୁ ବଧ କରିଅଛ ଓ ଏହି ନଗର ମଧ୍ୟରେ ରଖିଅଛ, ସେମାନେ ମାଂସ, ଆଉ ଏହି ନଗର ହଣ୍ଡା; ମାତ୍ର ତୁମ୍ଭେମାନେ ଏହା ମଧ୍ୟରୁ ବାହାର କରାଯିବ। ତୁମ୍ଭେମାନେ ଖଡ୍ଗକୁ ଭୟ କରିଅଛ, ଆଉ ଆମ୍ଭେ ତୁମ୍ଭମାନଙ୍କ ଉପରକୁ ଖଡ୍ଗ ଆଣିବା, ଏହା ସାର୍ବଭୌମ ପିତା କହୁଅଛନ୍ତି। ଆମ୍ଭେ ତୁମ୍ଭମାନଙ୍କୁ ଏହି ନଗରରୁ ବାହାର କରିବା, ଆଉ ବିଦେଶୀମାନଙ୍କ ହସ୍ତରେ ସମର୍ପଣ କରିବା, ପୁଣି ତୁମ୍ଭମାନଙ୍କ ବିରୁଦ୍ଧରେ ଦଣ୍ଡାଜ୍ଞା ସାଧନ କରିବା। ତୁମ୍ଭେମାନେ ଖଡ୍ଗ ଦ୍ଵାରା ପତିତ ହେବ। ଆମ୍ଭେ ଇସ୍ରାଏଲର ସୀମାରେ ତୁମ୍ଭମାନଙ୍କର ବିଚାର କରିବା, ଆଉ ଆମ୍ଭେ ଯେ ତୁମ୍ଭମାନଙ୍କ ପିତା, ଏହା ତୁମ୍ଭେମାନେ ଜାଣିବ। ଏହି ନଗର ତୁମ୍ଭମାନଙ୍କ ପାଇଁ ହଣ୍ଡା ହେବ ନାହିଁ, କିଅବା ତୁମ୍ଭେମାନେ ଏହା ମଧ୍ୟରେ ମାଂସ ହେବ ନାହିଁ। ଆମ୍ଭେ ଇସ୍ରାଏଲର ସୀମାରେ ତୁମ୍ଭମାନଙ୍କର ବିଚାର କରିବା, ସେତେବେଳେ ଆମ୍ଭେ ଯେ ତୁମ୍ଭମାନଙ୍କ ପିତା, ଏହା ତୁମ୍ଭେମାନେ ଜାଣିବ—ଯେଉଁ ତୁମ୍ଭେମାନେ ଆମ୍ଭର ବିଧି ଅନୁସରଣ କଲ ନାହିଁ କିଅବା ଆମ୍ଭର ଶାସନ ପାଳନ କଲ ନାହିଁ, ମାତ୍ର ଆପଣାମାନଙ୍କ ଚତୁର୍ଦିଗସ୍ଥ ଗୋଷ୍ଠୀୟମାନଙ୍କ ଶାସନ ଅନୁସାରେ ଆଚରଣ କଲ।

ପିତା ଏକ ନୂତନ ହୃଦୟର ପ୍ରତିଜ୍ଞା କରନ୍ତି

ଆଉ ମୁଁ ଭାବବାଣୀ ପ୍ରଚାର କରୁଥିବା ସମୟରେ, ବନାୟର ପୁତ୍ର ପଲଟୀୟ ମଲା। ସେତେବେଳେ ମୁଁ ମୁହଁ ମାଡ଼ି ପଡ଼ି ଉଚ୍ଚ ସ୍ଵରରେ ଡାକି କହିଲି, “ହାୟ, ହେ ସାର୍ବଭୌମ ପିତା! ଆପଣ କʼଣ ଇସ୍ରାଏଲର ଅବଶିଷ୍ଟାଂଶକୁ ନିଃଶେଷ ରୂପେ ବିନାଶ କରିବେ?”

ତହିଁରେ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,

ହେ ମନୁଷ୍ୟପୁତ୍ର, ତୁମ୍ଭର ଭ୍ରାତୃଗଣ—ତୁମ୍ଭର ଭ୍ରାତୃଗଣ, ତୁମ୍ଭର ନିଜ ଜ୍ଞାତିଗଣ, ସମଗ୍ର ଇସ୍ରାଏଲ ବଂଶ, ସେସମସ୍ତେ—ଯିରୂଶାଲମ ନିବାସୀମାନେ ଏହା କହିଅଛନ୍ତି, ‘ଈଶ୍ଵରଙ୍କଠାରୁ ଦୂରରେ ରୁହ; ଏହି ଦେଶ ଅଧିକାର ରୂପେ ଆମ୍ଭମାନଙ୍କୁ ଦତ୍ତ ହୋଇଅଛି।’

ଏହେତୁ କୁହ, ‘ସାର୍ବଭୌମ ପିତା ଏହା କହୁଅଛନ୍ତି: ଆମ୍ଭେ ଯଦ୍ୟପି ସେମାନଙ୍କୁ ଗୋଷ୍ଠୀୟମାନଙ୍କ ମଧ୍ୟରେ ଦୂରକୁ ପଠାଇ ଦେଶସମୂହରେ ଛିନ୍ନଭିନ୍ନ କରିଅଛୁ, ତଥାପି ସେମାନେ ଯେଉଁ ଦେଶସମୂହକୁ ଯାଇଅଛନ୍ତି, ସେଠାରେ ଆମ୍ଭେ ଅଳ୍ପ କାଳ ପାଇଁ ସେମାନଙ୍କ ପ୍ରତି ଏକ ଧର୍ମଧାମ ସ୍ଵରୂପ ହୋଇଅଛୁ।’

ଏଣୁ କୁହ, ‘ସାର୍ବଭୌମ ପିତା ଏହା କହୁଅଛନ୍ତି: ଆମ୍ଭେ ତୁମ୍ଭମାନଙ୍କୁ ଗୋଷ୍ଠୀୟମାନଙ୍କ ମଧ୍ୟରୁ ସଂଗ୍ରହ କରିବା, ତୁମ୍ଭେମାନେ ଯେଉଁ ଦେଶସମୂହରେ ଛିନ୍ନଭିନ୍ନ ହୋଇଥିଲ, ସେଥିରୁ ତୁମ୍ଭମାନଙ୍କୁ ଏକତ୍ର କରିବା, ଆଉ ତୁମ୍ଭମାନଙ୍କୁ ଇସ୍ରାଏଲ ଦେଶ ଦେବା।’

ଆଉ ସେମାନେ ସେଠାରେ ଉପସ୍ଥିତ ହେଲେ, ତହିଁ ମଧ୍ୟରୁ ଏଥିର ସମସ୍ତ ଘୃଣ୍ୟ ବସ୍ତୁ ଓ ସମସ୍ତ ଜୁଗୁପ୍ସିତ ବସ୍ତୁ ଦୂର କରିବେ। ଆମ୍ଭେ ସେମାନଙ୍କୁ ଏକ ହୃଦୟ ଦେବା ଓ ସେମାନଙ୍କ ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା। ଆମ୍ଭେ ସେମାନଙ୍କ ଶରୀରରୁ ପ୍ରସ୍ତରମୟ ହୃଦୟ ଦୂର କରି ସେମାନଙ୍କୁ ଏକ ମାଂସମୟ ହୃଦୟ ଦେବା, ଯେପରି ସେମାନେ ଆମ୍ଭର ବିଧି ଅନୁସରଣ କରିବେ ଓ ଆମ୍ଭର ଶାସନ ପାଳନ କରି ତାହା ମାନିବେ। ଆଉ ସେମାନେ ଆମ୍ଭର ସନ୍ତାନ ହେବେ, ପୁଣି ଆମ୍ଭେ ସେମାନଙ୍କ ପିତା ହେବା। ମାତ୍ର ଯେଉଁମାନଙ୍କ ହୃଦୟ ଆପଣାମାନଙ୍କ ଜୁଗୁପ୍ସିତ ବସ୍ତୁ ଓ ଘୃଣ୍ୟ କ୍ରିୟା ପଛରେ ଗୋଡ଼ାଏ—ସେମାନଙ୍କ ଆଚରଣ ଆମ୍ଭେ ସେମାନଙ୍କ ନିଜ ମସ୍ତକରେ ବର୍ତ୍ତାଇବା, ଏହା ସାର୍ବଭୌମ ପିତା କହୁଅଛନ୍ତି।

ତହିଁ ଉତ୍ତାରେ କିରୂବମାନେ ଆପଣାମାନଙ୍କ ପକ୍ଷ ଉଠାଇଲେ, ଆଉ ଚକ୍ରସବୁ ସେମାନଙ୍କ ପାର୍ଶ୍ଵରେ ଥିଲା, ପୁଣି ଇସ୍ରାଏଲର ପିତାଙ୍କ ମହିମା ସେମାନଙ୍କ ଊର୍ଦ୍ଧ୍ଵରେ ଥିଲା। ଆଉ ଆମ୍ଭମାନଙ୍କ ପିତାଙ୍କ ମହିମା ନଗର ମଧ୍ୟରୁ ଉଠି ନଗରର ପୂର୍ବ ଦିଗସ୍ଥ ପର୍ବତ ଉପରେ ଅବସ୍ଥିତ ହେଲା। ପୁଣି ଆତ୍ମା ମୋତେ ଉଠାଇ ଆମ୍ଭମାନଙ୍କ ପିତାଙ୍କ ଆତ୍ମାଙ୍କ ଦ୍ଵାରା ଦର୍ଶନରେ ବାବିଲ ଦେଶସ୍ଥ ନିର୍ବାସିତ ଲୋକଙ୍କ ନିକଟକୁ ଆଣିଲେ। ତହିଁ ଉତ୍ତାରେ ମୁଁ ଯେଉଁ ଦର୍ଶନ ଦେଖିଥିଲି, ତାହା ମୋʼ ନିକଟରୁ ଊର୍ଦ୍ଧ୍ଵକୁ ଉଠିଗଲା। ଆଉ ଆମ୍ଭମାନଙ୍କ ପିତା ମୋତେ ଯାହା ଯାହା ଦେଖାଇଥିଲେ, ସେହି ସମସ୍ତ କଥା ମୁଁ ନିର୍ବାସିତ ଲୋକଙ୍କୁ କହିଲି।