ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପିତାଙ୍କ ଆଦେଶ

ବର୍ଷର ପ୍ରଥମ ଦିନରେ ସବୁକିଛି ଠିଆ କରାଯାଏ, ଅଭିଷିକ୍ତ କରାଯାଏ ଓ ସ୍ଥାନରେ ରଖାଯାଏ; ହାରୋଣ ଓ ତାଙ୍କ ପୁତ୍ରମାନେ ଧୁଆ ହୋଇ ବସ୍ତ୍ର ପରିହିତ ହୁଅନ୍ତି। ତାʼପରେ ମେଘ ତମ୍ବୁକୁ ଆଚ୍ଛାଦନ କରେ ଓ ଆମର ପିତାଙ୍କ ମହିମା ତାହାକୁ ଏପରି ପୂର୍ଣ୍ଣ କରେ ଯେ ମୋଶା ଭିତରକୁ ଯାଇପାରନ୍ତି ନାହିଁ। ଏଣିକି, ସେମାନେ କେବେ ଯାତ୍ରା କରିବେ ତାହା ମେଘ ସ୍ଥିର କରେ।

ଅଧ୍ୟାୟ 40।

ଏଥିଉତ୍ତାରେ ଆମ୍ଭମାନଙ୍କ ପିତା ମୋଶାଙ୍କୁ କହିଲେ,

“ପ୍ରଥମ ମାସର ପ୍ରଥମ ଦିନରେ ତୁମ୍ଭେ ସମାଗମ-ତମ୍ବୁ, ଅର୍ଥାତ୍‍ ଆବାସ ସ୍ଥାପନ କର। ତହିଁ ମଧ୍ୟରେ ସାକ୍ଷ୍ୟ-ସିନ୍ଦୁକ ରଖି ବିଚ୍ଛେଦବସ୍ତ୍ର ଦ୍ଵାରା ସେହି ସିନ୍ଦୁକକୁ ଆଚ୍ଛାଦନ କର। ମେଜ ଭିତରକୁ ଆଣି ତହିଁ ଉପରେ ସଜାଇବା ବସ୍ତୁସବୁ ସଜାଅ, ପୁଣି ଦୀପବୃକ୍ଷ ଭିତରକୁ ଆଣି ତହିଁର ପ୍ରଦୀପସବୁ ଜ୍ଵଳାଅ। ସାକ୍ଷ୍ୟ-ସିନ୍ଦୁକ ସମ୍ମୁଖରେ ସୁବର୍ଣ୍ଣ ଧୂପବେଦି ରଖ, ଆଉ ଆବାସ ଦ୍ଵାର ନିକଟରେ ଆଚ୍ଛାଦନ-ବସ୍ତ୍ର ଟଙ୍ଗାଅ। ପୁଣି ସମାଗମ-ତମ୍ବୁ, ଅର୍ଥାତ୍‍ ଆବାସ ଦ୍ଵାର ସମ୍ମୁଖରେ ହୋମବେଦି ରଖ, ଆଉ ସମାଗମ-ତମ୍ବୁ ଓ ବେଦି ମଧ୍ୟରେ ପ୍ରକ୍ଷାଳନ-ପାତ୍ର ରଖି ତହିଁ ମଧ୍ୟରେ ଜଳ ଦିଅ। ଚାରିଆଡ଼େ ପ୍ରାଙ୍ଗଣ ସ୍ଥାପନ କରି ପ୍ରାଙ୍ଗଣ-ଦ୍ଵାରରେ ଆଚ୍ଛାଦନ-ବସ୍ତ୍ର ଟଙ୍ଗାଅ।

“ପୁଣି ଅଭିଷେକାର୍ଥକ ତୈଳ ନେଇ ଆବାସ ଓ ତହିଁ ମଧ୍ୟସ୍ଥିତ ସମସ୍ତ ବସ୍ତୁ ଅଭିଷେକ କର; ତାହା ଓ ତହିଁର ସମସ୍ତ ସାମଗ୍ରୀ ପବିତ୍ର କର, ତହିଁରେ ତାହା ପବିତ୍ର ହେବ। ଆଉ ହୋମବେଦି ଓ ତହିଁର ସମସ୍ତ ପାତ୍ର ଅଭିଷେକ କର; ସେହି ବେଦି ପବିତ୍ର କର, ତହିଁରେ ବେଦି ମହାପବିତ୍ର ହେବ। ପୁଣି ପ୍ରକ୍ଷାଳନ-ପାତ୍ର ଓ ତହିଁର ବୈଠକି ଅଭିଷେକ କରି ତାହା ପବିତ୍ର କର।

“ତହୁଁ ତୁମ୍ଭେ ହାରୋଣ ଓ ତାହାର ପୁତ୍ରମାନଙ୍କୁ ସମାଗମ-ତମ୍ବୁ ଦ୍ଵାର ନିକଟକୁ ଆଣି ଜଳରେ ସେମାନଙ୍କୁ ସ୍ନାନ କରାଅ। ପୁଣି ହାରୋଣଙ୍କୁ ପବିତ୍ର ବସ୍ତ୍ର ପିନ୍ଧାଇ, ତାହାକୁ ଅଭିଷେକ ଓ ପବିତ୍ର କର, ଯେପରି ସେ ମୋʼ ଉଦ୍ଦେଶ୍ୟରେ ଯାଜକ କର୍ମ କରିବ। ଆଉ ତାହାର ପୁତ୍ରମାନଙ୍କୁ ଆଣି ସେମାନଙ୍କୁ ଅଙ୍ଗରଖା ପିନ୍ଧାଅ। ପୁଣି ତୁମ୍ଭେ ସେମାନଙ୍କ ପିତାକୁ ଯେପରି ଅଭିଷେକ କଲ, ସେପରି ସେମାନଙ୍କୁ ଅଭିଷେକ କର, ଯେପରି ସେମାନେ ମୋʼ ଉଦ୍ଦେଶ୍ୟରେ ଯାଜକ କର୍ମ କରିବେ। ସେମାନଙ୍କ ଅଭିଷେକ ସେମାନଙ୍କୁ ପୁରୁଷାନୁକ୍ରମେ ଅନନ୍ତକାଳୀନ ଯାଜକ ପଦ ଦେବ।”

ଆମ୍ଭମାନଙ୍କ ପିତା ଯେପରି ଆଜ୍ଞା ଦେଇଥିଲେ, ମୋଶା ସମସ୍ତ ସେହିପରି କଲେ। ଦ୍ଵିତୀୟ ବର୍ଷର ପ୍ରଥମ ମାସର ପ୍ରଥମ ଦିନରେ ଆବାସ ସ୍ଥାପିତ ହେଲା। ମୋଶା ଆବାସ ସ୍ଥାପନ କଲେ: ସେ ତହିଁର ଚୁଙ୍ଗୀସବୁ ବସାଇ, ତହିଁର ପଟାସବୁ ଲଗାଇ, ତହିଁର ଅର୍ଗଳସବୁ ଦେଇ ତହିଁର ସ୍ତମ୍ଭସବୁ ଠିଆ କଲେ। ଆଉ ଆମ୍ଭମାନଙ୍କ ପିତା ମୋଶାଙ୍କୁ ଆଜ୍ଞା ଦେଇଥିବା ପ୍ରକାରେ, ସେ ଆବାସ ଉପରେ ତମ୍ବୁ ବିସ୍ତାର କରି ତହିଁ ଉପରେ ତମ୍ବୁର ଆଚ୍ଛାଦନ ଦେଲେ। ପୁଣି ସେ ସାକ୍ଷ୍ୟ ନେଇ ସିନ୍ଦୁକ ମଧ୍ୟରେ ରଖି ସିନ୍ଦୁକ ଉପରେ ସାଙ୍ଗୀ ଲଗାଇ ସିନ୍ଦୁକ ଉପରେ ପାପାଚ୍ଛାଦନ ରଖିଲେ। ଆଉ ଆମ୍ଭମାନଙ୍କ ପିତା ମୋଶାଙ୍କୁ ଆଜ୍ଞା ଦେବା ପ୍ରକାରେ, ସେ ଆବାସ ମଧ୍ୟକୁ ସିନ୍ଦୁକ ଆଣି ଆଚ୍ଛାଦକ ବିଚ୍ଛେଦବସ୍ତ୍ର ଟଙ୍ଗାଇ ସାକ୍ଷ୍ୟ-ସିନ୍ଦୁକ ଆଚ୍ଛାଦନ କଲେ। ପୁଣି ସେ ସମାଗମ-ତମ୍ବୁ ମଧ୍ୟରେ, ଆବାସର ଉତ୍ତର ପାର୍ଶ୍ଵରେ, ବିଚ୍ଛେଦବସ୍ତ୍ର ବାହାରେ ମେଜ ରଖିଲେ, ଆଉ ଆମ୍ଭମାନଙ୍କ ପିତା ମୋଶାଙ୍କୁ ଆଜ୍ଞା ଦେଇଥିବା ପ୍ରକାରେ, ସେ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ତହିଁ ଉପରେ ରୁଟି ସଜାଇ ରଖିଲେ। ପୁଣି ସେ ସମାଗମ-ତମ୍ବୁ ମଧ୍ୟରେ, ମେଜ ସମ୍ମୁଖରେ, ଆବାସର ଦକ୍ଷିଣ ପାର୍ଶ୍ଵରେ ଦୀପବୃକ୍ଷ ରଖିଲେ, ଆଉ ଆମ୍ଭମାନଙ୍କ ପିତା ମୋଶାଙ୍କୁ ଆଜ୍ଞା ଦେଇଥିବା ପ୍ରକାରେ, ସେ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ପ୍ରଦୀପସବୁ ଜ୍ଵଳାଇଲେ। ପୁଣି ସେ ସମାଗମ-ତମ୍ବୁ ମଧ୍ୟରେ ବିଚ୍ଛେଦବସ୍ତ୍ର ସମ୍ମୁଖରେ ସୁବର୍ଣ୍ଣ ବେଦି ରଖିଲେ, ଆଉ ଆମ୍ଭମାନଙ୍କ ପିତା ମୋଶାଙ୍କୁ ଆଜ୍ଞା ଦେଇଥିବା ପ୍ରକାରେ, ସେ ତହିଁ ଉପରେ ସୁଗନ୍ଧି ଧୂପ ଜ୍ଵଳାଇଲେ। ତହୁଁ ସେ ଆବାସ ଦ୍ଵାର ନିକଟରେ ଆଚ୍ଛାଦନ-ବସ୍ତ୍ର ଟଙ୍ଗାଇଲେ। ଆଉ ଆମ୍ଭମାନଙ୍କ ପିତା ମୋଶାଙ୍କୁ ଆଜ୍ଞା ଦେବା ପ୍ରକାରେ, ସେ ସମାଗମ-ତମ୍ବୁ, ଅର୍ଥାତ୍‍ ଆବାସ ଦ୍ଵାର ନିକଟରେ ହୋମବେଦି ରଖି ତହିଁ ଉପରେ ହୋମବଳି ଓ ଭକ୍ଷ୍ୟ-ନୈବେଦ୍ୟ ଉତ୍ସର୍ଗ କଲେ। ପୁଣି ସେ ସମାଗମ-ତମ୍ବୁ ଓ ବେଦି ମଧ୍ୟରେ ପ୍ରକ୍ଷାଳନ-ପାତ୍ର ରଖି ତହିଁ ମଧ୍ୟରେ ପ୍ରକ୍ଷାଳନାର୍ଥେ ଜଳ ଦେଲେ, ଆଉ ମୋଶା, ହାରୋଣ ଓ ତାହାର ପୁତ୍ରମାନେ ତହିଁରୁ ଆପଣା ଆପଣା ହସ୍ତ ଓ ପାଦ ପ୍ରକ୍ଷାଳନ କଲେ। ଆମ୍ଭମାନଙ୍କ ପିତା ମୋଶାଙ୍କୁ ଆଜ୍ଞା ଦେବା ପ୍ରକାରେ, ସେମାନେ ଯେତେବେଳେ ସମାଗମ-ତମ୍ବୁ ମଧ୍ୟକୁ ପ୍ରବେଶ କଲେ ଅବା ବେଦି ନିକଟକୁ ଗଲେ, ସେତେବେଳେ ପ୍ରକ୍ଷାଳନ କଲେ। ପୁଣି ସେ ଆବାସ ଓ ବେଦିର ଚାରିଆଡ଼େ ପ୍ରାଙ୍ଗଣ ସ୍ଥାପନ କରି ପ୍ରାଙ୍ଗଣ-ଦ୍ଵାରରେ ଆଚ୍ଛାଦନ-ବସ୍ତ୍ର ଟଙ୍ଗାଇଲେ। ଏହିରୂପେ ମୋଶା କର୍ମ ସମାପ୍ତ କଲେ।

ତାହାଙ୍କ ମହିମା ଆବାସକୁ ପରିପୂର୍ଣ୍ଣ କରେ

ତହୁଁ ମେଘ ସମାଗମ-ତମ୍ବୁ ଆଚ୍ଛାଦନ କଲା, ଆଉ ଆମ୍ଭମାନଙ୍କ ପିତାଙ୍କ ମହିମା ଆବାସକୁ ପରିପୂର୍ଣ୍ଣ କଲା। ପୁଣି ମେଘ ତହିଁ ଉପରେ ଅବସ୍ଥାନ କରିବାରୁ ଓ ଆମ୍ଭମାନଙ୍କ ପିତାଙ୍କ ମହିମା ଆବାସକୁ ପରିପୂର୍ଣ୍ଣ କରିବାରୁ, ମୋଶା ସମାଗମ-ତମ୍ବୁ ମଧ୍ୟକୁ ପ୍ରବେଶ କରି ପାରିଲେ ନାହିଁ। ଆଉ ଯେତେବେଳେ ଆବାସ ଉପରୁ ମେଘ ଉଠିଲା, ସେତେବେଳେ ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କ ସମସ୍ତ ଯାତ୍ରାରେ ଅଗ୍ରସର ହେଲେ; ମାତ୍ର ଯଦି ମେଘ ନ ଉଠିଲା, ତେବେ ତାହା ଉଠିବା ଦିନ ପର୍ଯ୍ୟନ୍ତ ସେମାନେ ଅଗ୍ରସର ହେଲେ ନାହିଁ। କାରଣ ଇସ୍ରାଏଲ-ବଂଶର ସମସ୍ତ ଯାତ୍ରାରେ ସେମାନଙ୍କ ଦୃଷ୍ଟିଗୋଚରରେ, ଦିନ ବେଳେ ଆମ୍ଭମାନଙ୍କ ପିତାଙ୍କ ମେଘ ଆବାସ ଉପରେ ଥିଲା, ଆଉ ରାତ୍ରି ବେଳେ ତହିଁ ମଧ୍ୟରେ ଅଗ୍ନି ଥିଲା।