ପିତା ଆପଣା ନିୟମ ନୂତନ କରନ୍ତି
ନୂଆ ପ୍ରସ୍ତରଫଳକ କଟାଯାଇ ସିନ୍ଦୁକରେ ରଖାଯାଏ, ଏବଂ ଲେବିକୁ ପୃଥକ କରାଯାଏ, ଆମ୍ଭମାନଙ୍କ ପିତା ନିଜେ ସେମାନଙ୍କର ଅଧିକାର। ତାʼପରେ ପ୍ରଶ୍ନ: ଆମ୍ଭମାନଙ୍କ ପିତା ତୁମ୍ଭଠାରୁ କʼଣ ଚାହାଁନ୍ତି? ତାଙ୍କୁ ଭୟ କରିବା, ପ୍ରେମ କରିବା ଓ ସେବା କରିବା। ସେ ବିଦେଶୀକୁ ପ୍ରେମ କରନ୍ତି ଓ ତାକୁ ଖାଦ୍ୟ ଦିଅନ୍ତି, ତେଣୁ ତୁମ୍ଭେମାନେ ମଧ୍ୟ ବିଦେଶୀମାନଙ୍କୁ ପ୍ରେମ କର।
10 1ସେହି ସମୟରେ ଆମ୍ଭମାନଙ୍କ ପିତା ମୋତେ କହିଲେ, “ତୁମ୍ଭେ ପ୍ରଥମ ପଟା ପରି ଦୁଇ ପ୍ରସ୍ତର ପଟା ଖୋଳି ପର୍ବତ ଉପରକୁ ମୋʼ ନିକଟକୁ ଆସ, ପୁଣି ଏକ କାଷ୍ଠମୟ ସିନ୍ଦୁକ ନିର୍ମାଣ କର। 2ତୁମ୍ଭେ ଯେଉଁ ପ୍ରଥମ ପଟା ଭାଙ୍ଗିଲ, ସେଥିରେ ଯେଉଁ ବାକ୍ୟ ଥିଲା, ତାହା ଆମ୍ଭେ ଏହି ପଟାରେ ଲେଖିବା, ପୁଣି ତୁମ୍ଭେ ତାହା ସିନ୍ଦୁକରେ ରଖିବ।”
3ତେଣୁ ମୁଁ ଶିଟୀମ କାଷ୍ଠରେ ଏକ ସିନ୍ଦୁକ ନିର୍ମାଣ କରି ପ୍ରଥମ ପଟା ପରି ଦୁଇ ପ୍ରସ୍ତର ପଟା ଖୋଳି ହସ୍ତରେ ସେହି ଦୁଇ ପଟା ଘେନି ପର୍ବତ ଉପରକୁ ଗଲି। 4ଆଉ ସମାଜ ଦିନରେ ଆମ୍ଭମାନଙ୍କ ପିତା ପର୍ବତରେ ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କୁ ଯେଉଁ ଦଶ ଆଜ୍ଞା କହିଥିଲେ, ସେ ପୂର୍ବ ପରି ତାହା ପଟାରେ ଲେଖିଲେ। ପୁଣି ଆମ୍ଭମାନଙ୍କ ପିତା ତାହା ମୋତେ ଦେଲେ। 5ତହିଁରେ ମୁଁ ବୁଲି ପର୍ବତରୁ ଓହ୍ଲାଇ ଆସି ଆପଣା ନିର୍ମିତ ସିନ୍ଦୁକରେ ସେହି ପଟା ରଖିଲି; ଆମ୍ଭମାନଙ୍କ ପିତା ମୋତେ ଯେପରି ଆଜ୍ଞା ଦେଇଥିଲେ, ସେହିପରି ତାହା ସେଠାରେ ରହିଅଛି।
6ଏଥିଉତ୍ତାରେ ଇସ୍ରାଏଲ ସନ୍ତାନମାନେ ବେରୋତ-ବନେୟାକାନଠାରୁ ମୋସେରାକୁ ଯାତ୍ରା କଲେ; ସେଠାରେ ହାରୋଣ ମଲେ ଓ ତାଙ୍କୁ ସମାଧି ଦିଆଗଲା; ପୁଣି ତାଙ୍କର ପୁତ୍ର ଇଲୀୟାସର ତାଙ୍କ ପଦରେ ଯାଜକ ହେଲେ। 7ସେଠାରୁ ସେମାନେ ଗୁଦ୍ଗୋଦାକୁ, ପୁଣି ଗୁଦ୍ଗୋଦାରୁ ଜଳସ୍ରୋତମୟ ଦେଶ ଯଟ୍ବାଥାକୁ ଯାତ୍ରା କଲେ। 8ସେହି ସମୟରେ ଆମ୍ଭମାନଙ୍କ ପିତା ଲେବୀ ବଂଶକୁ ନିୟମ-ସିନ୍ଦୁକ ବହିବା ନିମନ୍ତେ, ଆପଣା ସମ୍ମୁଖରେ ଠିଆ ହୋଇ ଆପଣାର ସେବା କରିବା ନିମନ୍ତେ, ପୁଣି ଆପଣା ନାମରେ ଆଶୀର୍ବାଦ କରିବା ନିମନ୍ତେ ପୃଥକ କଲେ, ଯେପରି ସେମାନେ ଆଜି ପର୍ଯ୍ୟନ୍ତ କରୁଅଛନ୍ତି। 9ଏଣୁ ଆପଣା ଭ୍ରାତୃଗଣ ସହିତ ଲେବୀର କୌଣସି ଅଂଶ କି ଅଧିକାର ନାହିଁ; ଆମ୍ଭମାନଙ୍କ ପିତା ତାହାକୁ ଯେପରି ପ୍ରତିଜ୍ଞା କରିଥିଲେ, ସେହିପରି ଆମ୍ଭମାନଙ୍କ ପିତା ହିଁ ତାହାର ଅଧିକାର।
10ମୁଁ ପ୍ରଥମ ଥର ପରି ଚାଳିଶ ଦିନ ଓ ଚାଳିଶ ରାତ୍ରି ପର୍ବତ ଉପରେ ରହିଲି; ଆମ୍ଭମାନଙ୍କ ପିତା ପୁନର୍ବାର ମୋʼ କଥା ଶୁଣିଲେ; ଆମ୍ଭମାନଙ୍କ ପିତା ତୁମ୍ଭକୁ ବିନାଶ କରିବାକୁ ଇଚ୍ଛା କଲେ ନାହିଁ।
11ପୁଣି ଆମ୍ଭମାନଙ୍କ ପିତା ମୋତେ କହିଲେ, “ଉଠ, ଲୋକମାନଙ୍କ ଆଗେ ଆଗେ ଯାତ୍ରା କର, ଯେପରି ଆମ୍ଭେ ସେମାନଙ୍କ ପିତୃପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ଦେବା ପାଇଁ ଶପଥ କରିଥିଲୁ, ତାହା ସେମାନେ ଯାଇ ଅଧିକାର କରିବେ।”
ଆମ୍ଭମାନଙ୍କ ପିତା ତୁମ୍ଭଠାରୁ କଅଣ ଚାହାନ୍ତି
12ଏବେ ହେ ଇସ୍ରାଏଲ, ଆମ୍ଭମାନଙ୍କ ପିତା ତୁମ୍ଭଠାରୁ କଅଣ ଚାହାନ୍ତି? କେବଳ ଏହି ଯେ, ତୁମ୍ଭେ ଆପଣା ପିତାଙ୍କୁ ଭୟ କରିବ, ତାହାଙ୍କ ସମସ୍ତ ପଥରେ ଚାଲିବ, ତାହାଙ୍କୁ ପ୍ରେମ କରିବ, ପୁଣି ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କ ସେବା କରିବ, 13ଆଉ ତୁମ୍ଭର ମଙ୍ଗଳ ନିମନ୍ତେ ମୁଁ ଆଜି ତୁମ୍ଭକୁ ଆମ୍ଭମାନଙ୍କ ପିତାଙ୍କ ଯେଉଁ ଆଜ୍ଞା ଓ ତାହାଙ୍କ ବିଧିସକଳ ପାଳନ କରିବାକୁ ଆଦେଶ କରୁଅଛି, ତାହା ପାଳନ କରିବ? 14ଦେଖ, ସ୍ଵର୍ଗ, ସ୍ଵର୍ଗର ସ୍ଵର୍ଗ, ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତ ଆମ୍ଭମାନଙ୍କ ପିତାଙ୍କର। 15ତଥାପି ଆମ୍ଭମାନଙ୍କ ପିତା ତୁମ୍ଭ ପିତୃପୁରୁଷମାନଙ୍କୁ ପ୍ରେମ କଲେ, ପୁଣି ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶକୁ, ଅର୍ଥାତ୍ ତୁମ୍ଭମାନଙ୍କୁ ସମଗ୍ର ଗୋଷ୍ଠୀ ମଧ୍ୟରୁ ମନୋନୀତ କଲେ, ଯେପରି ଆଜି ଦେଖାଯାଉଅଛି। 16ଏଣୁ ତୁମ୍ଭେମାନେ ଆପଣା ଆପଣା ହୃଦୟର ଅଗ୍ରଚର୍ମ ଛେଦନ କର, ଆଉ ଶକ୍ତଗ୍ରୀବ ହୁଅ ନାହିଁ। a a v16 “ଆପଣା ହୃଦୟର ଅଗ୍ରଚର୍ମ ଛେଦନ କର” ବାକ୍ୟ, ଯାହା ହୃଦୟକୁ ବିରୋଧୀ ଓ ରୁଦ୍ଧ କରେ, ତାହା କାଟି ପକାଇବା — ଅର୍ଥାତ୍ ଆମ୍ଭମାନଙ୍କ ପିତାଙ୍କ ପ୍ରତି ହୃଦୟକୁ ସମ୍ପୂର୍ଣ୍ଣ ଭାବରେ ଉନ୍ମୁକ୍ତ କରିବା, ଏହା ଚିତ୍ରିତ କରେ। 17କାରଣ ଆମ୍ଭମାନଙ୍କ ପିତା ଦେବଗଣର ପରମେଶ୍ଵର ଓ ପ୍ରଭୁମାନଙ୍କ ପ୍ରଭୁ, ସେ ମହାନ, ପରାକ୍ରାନ୍ତ ଓ ଭୟଙ୍କର ପରମେଶ୍ଵର, ଯେ କାହାରି ମୁଖାପେକ୍ଷା କରନ୍ତି ନାହିଁ କି ଲାଞ୍ଚ ଗ୍ରହଣ କରନ୍ତି ନାହିଁ। 18ସେ ପିତୃହୀନ ଓ ବିଧଵାର ବିଚାର ନିଷ୍ପତ୍ତି କରନ୍ତି, ପୁଣି ବିଦେଶୀକୁ ଅନ୍ନ ଓ ବସ୍ତ୍ର ଦେଇ ତାହାକୁ ପ୍ରେମ କରନ୍ତି। 19ଏଣୁ ତୁମ୍ଭେମାନେ ମଧ୍ୟ ବିଦେଶୀକୁ ପ୍ରେମ କର, କାରଣ ତୁମ୍ଭେମାନେ ମିସର ଦେଶରେ ବିଦେଶୀ ଥିଲ। 20ତୁମ୍ଭେ ଆମ୍ଭମାନଙ୍କ ପିତାଙ୍କୁ ଭୟ କର, ତାହାଙ୍କ ସେବା କର, ତାହାଙ୍କଠାରେ ଆସକ୍ତ ହୁଅ, ପୁଣି ତାହାଙ୍କ ନାମରେ ଶପଥ କର। 21ସେ ତୁମ୍ଭର ପ୍ରଶଂସା, ତୁମ୍ଭର ପିତା, ଯେ ତୁମ୍ଭ ନିମନ୍ତେ ଏହିସବୁ ମହତ ଓ ଭୟଙ୍କର କାର୍ଯ୍ୟ କରିଅଛନ୍ତି, ଯାହା ତୁମ୍ଭ ଚକ୍ଷୁ ଦେଖିଅଛି। 22ତୁମ୍ଭର ପିତୃପୁରୁଷମାନେ ସତୁରି ଜଣ ହୋଇ ମିସରକୁ ଯାଇଥିଲେ; ଆଉ ଏବେ ଆମ୍ଭମାନଙ୍କ ପିତା ତୁମ୍ଭକୁ ଆକାଶର ତାରାଗଣ ପରି ଅସଂଖ୍ୟ କରିଅଛନ୍ତି।