ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପିତର ଛିନ୍ନଭିନ୍ନ ହୋଇଥିବା ଲୋକଙ୍କୁ ଲେଖନ୍ତି

ବିଶ୍ୱାସ ପାଇଁ ଦୁଃଖଭୋଗ କରୁଥିବା ଖ୍ରୀଷ୍ଟିୟାନମାନଙ୍କୁ ଉତ୍ସାହ, ଯାହା ସେମାନଙ୍କୁ ସେମାନଙ୍କର ଜୀବନ୍ତ ଆଶା ଏବଂ ଆମ୍ଭମାନଙ୍କ ପିତାଙ୍କ ମନୋନୀତ ଲୋକ ରୂପେ ସେମାନଙ୍କ ପରିଚୟ ବିଷୟରେ ସ୍ମରଣ କରାଏ।

ଅଧ୍ୟାୟ 1।

ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ପିତର, ପନ୍ତ, ଗାଲାତୀୟ, କାପ୍ପାଦକିଆ, ଆସିଆ ଓ ବୀଥୁନିଆ ଦେଇ ଛିନ୍ନଭିନ୍ନ ହୋଇଥିବା ମନୋନୀତ ପ୍ରବାସୀମାନଙ୍କ ନିକଟକୁ। ଆମ୍ଭମାନଙ୍କ ପିତାଙ୍କ ପୂର୍ବଜ୍ଞାନ ଅନୁସାରେ ମନୋନୀତ, ପବିତ୍ର ଆତ୍ମାଙ୍କ ଦ୍ଵାରା ପବିତ୍ରୀକୃତ, ଯୀଶୁ ଖ୍ରୀଷ୍ଟଙ୍କ ଆଜ୍ଞାବହ ହେବା ଓ ତାହାଙ୍କ ରକ୍ତରେ ସେଚିତ ହେବା ନିମନ୍ତେ, ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ଓ ଶାନ୍ତି ବହୁଳ ହେଉ।

ଜୀବନ୍ତ ଭରସାରେ ଜନ୍ମ

ଆମ୍ଭମାନଙ୍କ ପିତା, ପୁଣି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଧନ୍ୟ ହେଉନ୍ତୁ; ସେ ଆପଣା ମହା କୃପାରେ ମୃତମାନଙ୍କ ମଧ୍ୟରୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ଵାରା ଆମ୍ଭମାନଙ୍କୁ ଜୀବନ୍ତ ଭରସା ନିମନ୍ତେ ନୂତନ ଜନ୍ମ ଦେଲେ, ଯେଉଁ ଅଧିକାର କେବେ କ୍ଷୟ, କଳୁଷିତ କିମ୍ବା ମଳିନ ହୋଇ ନ ପାରେ, ତାହା ତୁମ୍ଭମାନଙ୍କ ନିମନ୍ତେ ସ୍ଵର୍ଗରେ ସଞ୍ଚିତ ହୋଇ ରହିଅଛି, ଯେଉଁ ପରିତ୍ରାଣ ଶେଷ କାଳରେ ପ୍ରକାଶିତ ହେବା ନିମନ୍ତେ ପ୍ରସ୍ତୁତ ଅଛି, ତାହା ନିମନ୍ତେ ତୁମ୍ଭେମାନେ ବିଶ୍ଵାସ ଦ୍ଵାରା ଆମ୍ଭମାନଙ୍କ ପିତାଙ୍କ ଶକ୍ତିରେ ରକ୍ଷିତ ହୋଇଅଛ। ଏଥିରେ ତୁମ୍ଭେମାନେ ମହାନନ୍ଦ କରୁଅଛ, ଯଦ୍ୟପି ବର୍ତ୍ତମାନ ଅଳ୍ପ କାଳ ନିମନ୍ତେ ନାନା ପରୀକ୍ଷା ଦ୍ଵାରା ତୁମ୍ଭମାନଙ୍କୁ ହୁଏତ ଦୁଃଖିତ ହେବାକୁ ପଡ଼ିଅଛି। ଏହା ଘଟିଅଛି, ଯେପରି ତୁମ୍ଭମାନଙ୍କ ବିଶ୍ଵାସ — ଯାହା ପରୀକ୍ଷିତ ହୋଇ ପ୍ରକୃତ ବୋଲି ପ୍ରମାଣିତ ହୋଇଅଛି, ଯାହା ନଷ୍ଟ ହୋଇଯାଉଥିବା ଅଗ୍ନିଶୋଧିତ ସୁବର୍ଣ୍ଣଠାରୁ ଅଧିକ ମୂଲ୍ୟବାନ — ଯୀଶୁ ଖ୍ରୀଷ୍ଟ ପ୍ରକାଶିତ ହେବା ସମୟରେ ପ୍ରଶଂସା, ମହିମା ଓ ସମ୍ମାନ ଆଣିବ। ତୁମ୍ଭେମାନେ ତାହାଙ୍କୁ କେବେ ଦେଖି ନ ଥିଲେ ହେଁ ତାହାଙ୍କୁ ପ୍ରେମ କରୁଅଛ; ବର୍ତ୍ତମାନ ତାହାଙ୍କୁ ନ ଦେଖିଲେ ହେଁ ତାହାଙ୍କଠାରେ ବିଶ୍ଵାସ କରୁଅଛ, ପୁଣି ଅକଥନୀୟ ଓ ମହିମାଯୁକ୍ତ ଆନନ୍ଦରେ ଉଲ୍ଲସିତ ହେଉଅଛ, କାରଣ ତୁମ୍ଭେମାନେ ଆପଣା ବିଶ୍ଵାସର ଫଳ, ଅର୍ଥାତ୍‍ ଆପଣା ଆତ୍ମାର ପରିତ୍ରାଣ ପ୍ରାପ୍ତ ହେଉଅଛ।

ଯେଉଁ ଭାବବାଦୀମାନେ ତୁମ୍ଭମାନଙ୍କ ନିମନ୍ତେ ନିରୂପିତ ଅନୁଗ୍ରହ ବିଷୟରେ କହିଥିଲେ, ସେମାନେ ଏହି ପରିତ୍ରାଣ ବିଷୟରେ ଯତ୍ନ ସହକାରେ ଅନୁସନ୍ଧାନ ଓ ଅନ୍ଵେଷଣ କଲେ, ସେମାନଙ୍କ ଅନ୍ତରସ୍ଥିତ ଖ୍ରୀଷ୍ଟଙ୍କ ଆତ୍ମା ଯେତେବେଳେ ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ତତ୍ପରବର୍ତ୍ତୀ ମହିମା ବିଷୟରେ ପୂର୍ବରୁ ସାକ୍ଷ୍ୟ ଦେଉଥିଲେ, ସେତେବେଳେ ସେ କେଉଁ ସମୟ ଓ ଅବସ୍ଥା ପ୍ରତି ସୂଚାଉଥିଲେ, ତାହା ସେମାନେ ଅନ୍ଵେଷଣ କଲେ। ସେମାନଙ୍କ ନିକଟରେ ଏହା ପ୍ରକାଶିତ ହେଲା ଯେ, ସେମାନେ ଆପଣାମାନଙ୍କର ନୁହେଁ, ମାତ୍ର ତୁମ୍ଭମାନଙ୍କର ସେବା କରୁଥିଲେ, ଯେତେବେଳେ ସେମାନେ ଏହିସବୁ ବିଷୟ କହିଥିଲେ, ଯାହା ବର୍ତ୍ତମାନ ସ୍ଵର୍ଗରୁ ପ୍ରେରିତ ପବିତ୍ର ଆତ୍ମାଙ୍କ ଦ୍ଵାରା ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିଥିବା ଲୋକମାନଙ୍କ ଦ୍ଵାରା ତୁମ୍ଭମାନଙ୍କୁ ଜ୍ଞାତ କରାଯାଇଅଛି। ଦୂତମାନେ ସୁଦ୍ଧା ଏହିସବୁ ବିଷୟ ନିରୀକ୍ଷଣ କରିବାକୁ ବାଞ୍ଛା କରନ୍ତି।

ପବିତ୍ର ହେବା ନିମନ୍ତେ ଆହୂତ

ଅତଏବ ତୁମ୍ଭେମାନେ ଆପଣା ମନକୁ କର୍ମ ନିମନ୍ତେ ପ୍ରସ୍ତୁତ କରି ଓ ସମ୍ପୂର୍ଣ୍ଣ ରୂପେ ସଚେତନ ହୋଇ, ଯୀଶୁ ଖ୍ରୀଷ୍ଟ ପ୍ରକାଶିତ ହେବା ସମୟରେ ତୁମ୍ଭମାନଙ୍କ ନିକଟକୁ ଅଣାଯିବାକୁ ଥିବା ଅନୁଗ୍ରହ ଉପରେ ସମ୍ପୂର୍ଣ୍ଣ ଭରସା କର। ଆଜ୍ଞାବହ ସନ୍ତାନ ସ୍ଵରୂପ ହୋଇ, ତୁମ୍ଭେମାନେ ଆପଣା ଅଜ୍ଞାନତା ସମୟରେ ପୂର୍ବେ ଯେଉଁ କୁଅଭିଳାଷମାନଙ୍କର ଅନୁଗାମୀ ହୋଇଥିଲ, ସେଥିଦ୍ଵାରା ଗଠିତ ହୁଅ ନାହିଁ। ମାତ୍ର ତୁମ୍ଭମାନଙ୍କୁ ଆହ୍ଵାନ କରିଥିବା ବ୍ୟକ୍ତି ଯେପରି ପବିତ୍ର, ସେହିପରି ତୁମ୍ଭେମାନେ ଆପଣାମାନଙ୍କ ସମସ୍ତ ଆଚରଣରେ ପବିତ୍ର ହୁଅ;

କାରଣ ଲେଖାଅଛି, “ତୁମ୍ଭେମାନେ ପବିତ୍ର ହୁଅ, ଯେଣୁ ଆମ୍ଭେ ପବିତ୍ର।”

ପୁଣି, ଯେଉଁ ପିତା ମୁଖାପେକ୍ଷା ନ କରି ପ୍ରତ୍ୟେକର କର୍ମ ଅନୁସାରେ ବିଚାର କରନ୍ତି, ତୁମ୍ଭେମାନେ ଯେବେ ତାହାଙ୍କୁ ଆହ୍ଵାନ କରୁଅଛ, ତେବେ ଏହି ପ୍ରବାସ କାଳ ସଭୟ ଭାବରେ ଯାପନ କର। ତୁମ୍ଭେମାନେ ଜାଣ ଯେ, କ୍ଷୟଣୀୟ ବସ୍ତୁ ରୂପ ରୌପ୍ୟ ଓ ସୁବର୍ଣ୍ଣ ଦ୍ଵାରା ତୁମ୍ଭେମାନେ ଆପଣା ପିତୃପୁରୁଷଙ୍କଠାରୁ ପ୍ରାପ୍ତ ଅସାର ଆଚରଣରୁ ଉଦ୍ଧାର ପାଇ ନ ଥିଲ, ମାତ୍ର ନିର୍ଦ୍ଦୋଷ ଓ ନିଷ୍କଳଙ୍କ ମେଷଶାବକ ସ୍ଵରୂପ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତ ଦ୍ଵାରା ଉଦ୍ଧାର ପାଇଲ। ସେ ଜଗତର ପତ୍ତନ ପୂର୍ବରୁ ମନୋନୀତ ହୋଇଥିଲେ, ମାତ୍ର ତୁମ୍ଭମାନଙ୍କ ସକାଶେ ଏହି ଶେଷ କାଳରେ ପ୍ରକାଶିତ ହେଲେ। ତାହାଙ୍କ ଦ୍ଵାରା ତୁମ୍ଭେମାନେ ଆମ୍ଭମାନଙ୍କ ପିତାଙ୍କଠାରେ ବିଶ୍ଵାସ କରୁଅଛ, ଯେ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ମହିମାନ୍ଵିତ କଲେ, ଯେପରି ତୁମ୍ଭମାନଙ୍କ ବିଶ୍ଵାସ ଓ ଭରସା ଆମ୍ଭମାନଙ୍କ ପିତାଙ୍କଠାରେ ରହେ।

ତୁମ୍ଭେମାନେ ଭ୍ରାତୃଗଣଙ୍କ ପ୍ରତି ଅକପଟ ପ୍ରେମ ନିମନ୍ତେ ସତ୍ୟର ଆଜ୍ଞାବହ ହୋଇ ଆପଣା ଆତ୍ମାକୁ ପବିତ୍ର କରିଥିବାରୁ, ନିର୍ମଳ ହୃଦୟରେ ପରସ୍ପରକୁ ଏକାନ୍ତ ଭାବରେ ପ୍ରେମ କର। କାରଣ ତୁମ୍ଭେମାନେ କ୍ଷୟଣୀୟ ବୀଜରୁ ନୁହେଁ, ମାତ୍ର ଅକ୍ଷୟ ବୀଜରୁ, ଅର୍ଥାତ୍‍ ଆମ୍ଭମାନଙ୍କ ପିତାଙ୍କ ଜୀବନ୍ତ ଓ ନିତ୍ୟସ୍ଥାୟୀ ବାକ୍ୟ ଦ୍ଵାରା ପୁନର୍ବାର ଜନ୍ମ ହୋଇଅଛ। କାରଣ, “ସମସ୍ତ ମନୁଷ୍ୟ ତୃଣ ସଦୃଶ, ପୁଣି ସେମାନଙ୍କ ସମସ୍ତ ଶୋଭା କ୍ଷେତ୍ରର ପୁଷ୍ପ ସଦୃଶ; ତୃଣ ଶୁଷ୍କ ହୁଏ ଓ ପୁଷ୍ପ ଝଡ଼ିପଡ଼େ, ମାତ୍ର ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଅନନ୍ତକାଳ ସ୍ଥାୟୀ।” ଆଉ ଏହି ବାକ୍ୟ ତୁମ୍ଭମାନଙ୍କ ନିକଟରେ ପ୍ରଚାରିତ ହୋଇଥିଲା।