ପିତା ନିର୍ଯ୍ୟାତିତ ଲୋକଙ୍କ କ୍ରନ୍ଦନ ଦେଖନ୍ତି
ଅମଳକାରୀମାନଙ୍କ ଅଟକାଇ ରଖାଯାଇଥିବା ମଜୁରି ଚିତ୍କାର କରେ ଓ ସ୍ୱର୍ଗର ସୈନ୍ୟବାହିନୀର ପିତାଙ୍କ କର୍ଣ୍ଣରେ ପହଞ୍ଚେ; ସଞ୍ଚୟ କରି ରଖିଥିବା ଧନୀମାନଙ୍କୁ କାନ୍ଦିବାକୁ କୁହାଯାଏ। ଅନ୍ୟ ସମସ୍ତଙ୍କୁ କୁହାଯାଏ କୃଷକ ପରି ଅପେକ୍ଷା କର, ଦୁଃଖ ଭୋଗିଲେ ପ୍ରାର୍ଥନା କର, ପରସ୍ପର ନିକଟରେ ପାପ ସ୍ୱୀକାର କର, ଓ ବିପଥଗାମୀ ଲୋକର ପଛେ ପଛେ ଯାଅ।
5 1ହେ ଧନୀ ଲୋକମାନେ, ଏବେ ଆସ, ତୁମ୍ଭମାନଙ୍କ ଉପରକୁ ଆସୁଥିବା ଦୁର୍ଦ୍ଦଶା ହେତୁ ରୋଦନ ଓ ବିଳାପ କର। 2ତୁମ୍ଭମାନଙ୍କ ଧନ କ୍ଷୟ ପାଇଅଛି, ଆଉ ତୁମ୍ଭମାନଙ୍କ ବସ୍ତ୍ର କୀଟଭୁକ୍ତ ହୋଇଅଛି। 3ତୁମ୍ଭମାନଙ୍କ ସୁନା ଓ ରୂପା କଳଙ୍କିତ ହୋଇଅଛି; ସେହି କଳଙ୍କ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବ ଓ ଅଗ୍ନି ପରି ତୁମ୍ଭମାନଙ୍କ ମାଂସ ଦଗ୍ଧ କରିବ। ତୁମ୍ଭେମାନେ ଶେଷକାଳରେ ଧନ ସଞ୍ଚୟ କରିଅଛ। 4ଦେଖ: ଯେଉଁ ଶ୍ରମିକମାନେ ତୁମ୍ଭମାନଙ୍କ କ୍ଷେତ କାଟିଲେ, ସେମାନଙ୍କଠାରୁ ତୁମ୍ଭେମାନେ ଯେଉଁ ମଜୁରି ଅଟକାଇ ରଖିଲ, ତାହା କ୍ରନ୍ଦନ କରୁଅଛି, ଆଉ ଶସ୍ୟଛେଦକମାନଙ୍କ କ୍ରନ୍ଦନ ସ୍ଵର୍ଗୀୟ ବାହିନୀସମୂହର ପିତାଙ୍କ କର୍ଣ୍ଣରେ ପହଞ୍ଚିଅଛି। 5ତୁମ୍ଭେମାନେ ପୃଥିବୀରେ ବିଳାସ ଓ ସୁଖଭୋଗରେ ଜୀବନ ଅତିବାହିତ କଲ। ବଧ ଦିନରେ ତୁମ୍ଭେମାନେ ଆପଣା ଆପଣା ହୃଦୟ ହୃଷ୍ଟପୁଷ୍ଟ କଲ। 6ଯେ ତୁମ୍ଭମାନଙ୍କୁ ପ୍ରତିରୋଧ କରନ୍ତି ନାହିଁ, ସେହି ଧାର୍ମିକ ବ୍ୟକ୍ତିଙ୍କୁ ତୁମ୍ଭେମାନେ ଦୋଷୀ କରି ବଧ କରିଅଛ।
ଧୈର୍ଯ୍ୟଶୀଳ ହୃଦୟରେ ଅପେକ୍ଷା କର
7ଅତଏବ ହେ ଭାଇ ଓ ଭଉଣୀମାନେ, ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧର। କୃଷକ କଥା ଭାବ: ଭୂମି ଯେପର୍ଯ୍ୟନ୍ତ ଆଦ୍ୟ ଓ ଶେଷ ବୃଷ୍ଟି ନ ପାଏ, ସେ ତାହାର ବହୁମୂଲ୍ୟ ଫଳ ନିମନ୍ତେ ଧୈର୍ଯ୍ୟ ସହକାରେ ଅପେକ୍ଷା କରେ। 8ତୁମ୍ଭେମାନେ ମଧ୍ୟ ଧୈର୍ଯ୍ୟ ଧର। ଆପଣା ଆପଣା ହୃଦୟ ଦୃଢ଼ କର, କାରଣ ପ୍ରଭୁଙ୍କ ଆଗମନ ସନ୍ନିକଟ। 9ହେ ଭାଇ ଓ ଭଉଣୀମାନେ, ପରସ୍ପର ବିରୁଦ୍ଧରେ ବଚସା କର ନାହିଁ, ନ ହେଲେ ତୁମ୍ଭେମାନେ ବିଚାରିତ ହେବ। ଦେଖ—ବିଚାରକର୍ତ୍ତା ଦ୍ଵାର ନିକଟରେ ଠିଆ ହୋଇଅଛନ୍ତି। 10ହେ ଭାଇ ଓ ଭଉଣୀମାନେ, ଯେଉଁ ଭାବବାଦୀମାନେ ଆମ୍ଭମାନଙ୍କ ପିତାଙ୍କ ନାମରେ କଥା କହିଲେ, ସେମାନଙ୍କୁ ଦୁଃଖଭୋଗ ଓ ଧୈର୍ଯ୍ୟର ଆଦର୍ଶ ବୋଲି ଗ୍ରହଣ କର। 11ଦେଖ, ଯେଉଁମାନେ ଧୈର୍ଯ୍ୟ ଧରି ସହ୍ୟ କଲେ, ସେମାନଙ୍କୁ ଆମ୍ଭେମାନେ ଧନ୍ୟ ବୋଲି କହୁ। ଆୟୁବଙ୍କ ସହିଷ୍ଣୁତା ବିଷୟ ତୁମ୍ଭେମାନେ ଶୁଣିଅଛ ଓ ଆମ୍ଭମାନଙ୍କ ପିତା ଯାହା ସାଧନ କଲେ, ତାହା ଦେଖିଅଛ—ଆମ୍ଭମାନଙ୍କ ପିତା କୃପା ଓ ଦୟାରେ ପରିପୂର୍ଣ୍ଣ।
12ହେ ମୋହର ଭାଇ ଓ ଭଉଣୀମାନେ, ସର୍ବୋପରି, ଶପଥ କର ନାହିଁ—ସ୍ଵର୍ଗର କି ପୃଥିବୀର କି ଆଉ କୌଣସି ଶପଥ କର ନାହିଁ। ତୁମ୍ଭମାନଙ୍କ ହଁ ହଁ ହେଉ ଓ ନା ନା ହେଉ, ନ ହେଲେ ତୁମ୍ଭେମାନେ ବିଚାରରେ ପଡ଼ିବ।
ବିଶ୍ଵାସର ପ୍ରାର୍ଥନା ସୁସ୍ଥ କରେ
13ତୁମ୍ଭମାନଙ୍କ ମଧ୍ୟରେ କେହି କି ଦୁଃଖଭୋଗ କରୁଅଛି? ସେ ପ୍ରାର୍ଥନା କରୁ। କେହି କି ଆନନ୍ଦିତ ଅଛି? ସେ ପ୍ରଶଂସାଗାନ କରୁ। 14ତୁମ୍ଭମାନଙ୍କ ମଧ୍ୟରେ କେହି କି ପୀଡ଼ିତ ଅଛି? ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡାକୁ, ଆଉ ପ୍ରାଚୀନମାନେ ପ୍ରଭୁଙ୍କ ନାମରେ ତାହାକୁ ତୈଳ ଲଗାଇ ତାହା ନିମନ୍ତେ ପ୍ରାର୍ଥନା କରନ୍ତୁ। 15ବିଶ୍ଵାସର ପ୍ରାର୍ଥନା ସେହି ପୀଡ଼ିତ ବ୍ୟକ୍ତିକୁ ରକ୍ଷା କରିବ, ଆଉ ପ୍ରଭୁ ତାହାକୁ ଉଠାଇବେ। ଆଉ ଯଦି ସେ ପାପ କରିଥାଏ, ତେବେ ତାହାକୁ କ୍ଷମା କରାଯିବ। 16ଅତଏବ ତୁମ୍ଭେମାନେ ଯେପରି ସୁସ୍ଥ ହୁଅ, ଏଥିପାଇଁ ପରସ୍ପର ନିକଟରେ ଆପଣା ଆପଣା ପାପ ସ୍ଵୀକାର କର ଓ ପରସ୍ପର ନିମନ୍ତେ ପ୍ରାର୍ଥନା କର। ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଶକ୍ତିଶାଳୀ ଓ ଫଳଦାୟକ। 17ଏଲୀୟ ଆମ୍ଭମାନଙ୍କ ପରି ଜଣେ ମନୁଷ୍ୟ ଥିଲେ, ଆଉ ବୃଷ୍ଟି ନ ହେଉ ବୋଲି ସେ ଏକାନ୍ତ ଭାବରେ ପ୍ରାର୍ଥନା କଲେ; ଆଉ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ଦେଶରେ ବୃଷ୍ଟି ହେଲା ନାହିଁ। 18ତାʼପରେ ସେ ପୁନର୍ବାର ପ୍ରାର୍ଥନା କଲେ, ଆଉ ଆକାଶ ବୃଷ୍ଟି ଦେଲା, ପୁଣି ଭୂମି ଆପଣା ଫଳ ଉତ୍ପନ୍ନ କଲା।
19ହେ ମୋହର ଭାଇ ଓ ଭଉଣୀମାନେ, ଯଦି ତୁମ୍ଭମାନଙ୍କ ମଧ୍ୟରେ କେହି ସତ୍ୟରୁ ବିପଥଗାମୀ ହୁଏ, ଆଉ କେହି ଜଣେ ତାହାକୁ ଫେରାଇ ଆଣେ, 20ତେବେ ଏହା ଜାଣ: ଯେ କୌଣସି ପାପୀକୁ ତାହାର କୁମାର୍ଗରୁ ଫେରାଇ ଆଣେ, ସେ ତାହାର ପ୍ରାଣକୁ ମୃତ୍ୟୁରୁ ରକ୍ଷା କରେ ଓ ବହୁ ପାପ ଆଚ୍ଛାଦନ କରେ।