ଲାଳସାରୁ ଜାତ ବିବାଦ
କଳହ ଭିତରେ ଯୁଦ୍ଧ କରୁଥିବା ଲାଳସାରୁ ଆସେ; ସେମାନେ ମାଗନ୍ତି ନାହିଁ ବୋଲି ପାଆନ୍ତି ନାହିଁ, ଓ ମାଗିଲେ ଭୁଲ ଭାବରେ ମାଗନ୍ତି। ଜଗତ ସହ ବନ୍ଧୁତା ଆମ ପିତାଙ୍କ ପ୍ରତି ଶତ୍ରୁତା, କିନ୍ତୁ ସେ ଅଧିକ ଅନୁଗ୍ରହ ଦିଅନ୍ତି। ତାହାଙ୍କ ନିକଟକୁ ଆସ, ଓ ଜୀବନ କୁହୁଡ଼ି ନୁହେଁ ବୋଲି ଭାବି କାଲି ପାଇଁ ଯୋଜନା କରିବା ବନ୍ଦ କର।
4 1ତୁମ୍ଭମାନଙ୍କ ମଧ୍ୟରେ ଯୁଦ୍ଧ ଓ କଳି କେଉଁଠାରୁ ଉତ୍ପନ୍ନ ହୁଏ? ଯେଉଁ ଲାଳସାସବୁ ତୁମ୍ଭମାନଙ୍କ ଅଙ୍ଗ ମଧ୍ୟରେ ଯୁଦ୍ଧ କରନ୍ତି, ତାହା କʼଣ ସେଥିରୁ ହୁଏ ନାହିଁ? 2ତୁମ୍ଭେମାନେ ଅଭିଳାଷ କର, ମାତ୍ର ପାଅ ନାହିଁ—ତେଣୁ ବଧ କର। ତୁମ୍ଭେମାନେ ଲାଳସା କର, ମାତ୍ର ପାଇ ନ ପାର—ତେଣୁ କଳି ଓ ଯୁଦ୍ଧ କର। ତୁମ୍ଭେମାନେ ମାଗ ନାହିଁ ବୋଲି ପାଅ ନାହିଁ। 3ତୁମ୍ଭେମାନେ ମାଗ, ତଥାପି ପାଅ ନାହିଁ, କାରଣ ଆପଣା ସୁଖଭୋଗରେ ବ୍ୟୟ କରିବା ନିମନ୍ତେ ତୁମ୍ଭେମାନେ ମନ୍ଦ ଭାବରେ ମାଗ। 4ହେ ବ୍ୟଭିଚାରୀ ଲୋକ! ଜଗତ ସହିତ ମିତ୍ରତା ଯେ ଆମ୍ଭମାନଙ୍କ ପିତାଙ୍କ ପ୍ରତି ଶତ୍ରୁତା, ଏହା କʼଣ ତୁମ୍ଭେମାନେ ଜାଣ ନାହିଁ? ଏଣୁ ଯେକେହି ଜଗତର ମିତ୍ର ହେବାକୁ ବାଛେ, ସେ ଆମ୍ଭମାନଙ୍କ ପିତାଙ୍କ ଶତ୍ରୁ ହୁଏ। 5କିମ୍ବା ସେ ଆମ୍ଭମାନଙ୍କ ଅନ୍ତରରେ ଯେଉଁ ଆତ୍ମାଙ୍କୁ ସ୍ଥାପନ କରିଅଛନ୍ତି, ସେହି ଆତ୍ମା ଈର୍ଷାଯୁକ୍ତ ଭାବରେ ଆକାଂକ୍ଷା କରନ୍ତି ବୋଲି ଯାହା ଧର୍ମଶାସ୍ତ୍ର କହେ, ତାହା କʼଣ ବୃଥା? 6କିନ୍ତୁ ସେ ଅଧିକ ଅନୁଗ୍ରହ ଦିଅନ୍ତି। ଏଣୁ ଧର୍ମଶାସ୍ତ୍ର କହେ, “ଆମ୍ଭମାନଙ୍କ ପିତା ଅହଙ୍କାରୀମାନଙ୍କୁ ପ୍ରତିରୋଧ କରନ୍ତି, ମାତ୍ର ନମ୍ରମାନଙ୍କୁ ଅନୁଗ୍ରହ ଦିଅନ୍ତି।”
7ଅତଏବ ତୁମ୍ଭେମାନେ ଆମ୍ଭମାନଙ୍କ ପିତାଙ୍କ ବଶୀଭୂତ ହୁଅ। ଶୟତାନକୁ ପ୍ରତିରୋଧ କର, ତେବେ ସେ ତୁମ୍ଭମାନଙ୍କଠାରୁ ପଳାୟନ କରିବ। 8ଆମ୍ଭମାନଙ୍କ ପିତାଙ୍କ ନିକଟବର୍ତ୍ତୀ ହୁଅ, ତେବେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ। ହେ ପାପୀମାନେ, ଆପଣା ହସ୍ତ ପରିଷ୍କାର କର; ହେ ଦ୍ଵିମନା ଲୋକମାନେ, ଆପଣା ହୃଦୟ ପବିତ୍ର କର। 9ଦୁଃଖ କର, ବିଳାପ କର ଓ କ୍ରନ୍ଦନ କର। ତୁମ୍ଭମାନଙ୍କ ହାସ୍ୟକୁ ବିଳାପରେ ଓ ଆନନ୍ଦକୁ ବିଷାଦରେ ପରିଣତ କର। 10ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ଆପଣାକୁ ନମ୍ର କର, ତେବେ ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ।
11ହେ ଭାଇ ଓ ଭଉଣୀମାନେ, ପରସ୍ପର ବିରୁଦ୍ଧରେ କଥା କୁହ ନାହିଁ। ଯେକେହି ଆପଣା ଭାଇ ବିରୁଦ୍ଧରେ କଥା କହେ, ଅବା ତାହାର ବିଚାର କରେ, ସେ ବ୍ୟବସ୍ଥା ବିରୁଦ୍ଧରେ କଥା କହେ ଓ ବ୍ୟବସ୍ଥାର ବିଚାର କରେ। କିନ୍ତୁ ଯଦି ତୁମ୍ଭେ ବ୍ୟବସ୍ଥାର ବିଚାର କର, ତେବେ ତୁମ୍ଭେ ବ୍ୟବସ୍ଥା ପାଳନ କରୁ ନାହଁ—ତୁମ୍ଭେ ତ ତାହାର ବିଚାର କରୁଅଛ। 12ବ୍ୟବସ୍ଥା ଦେଉଥିବା ଓ ବିଚାର କରୁଥିବା ବ୍ୟକ୍ତି କେବଳ ଜଣେ—ପରିତ୍ରାଣ କରିବାକୁ ଅବା ବିନାଶ କରିବାକୁ ସମର୍ଥ। ଆପଣା ପ୍ରତିବାସୀର ବିଚାର କରିବାକୁ ତୁମ୍ଭେ କିଏ?
ଆସନ୍ତାକାଲି ବିଷୟରେ ଗର୍ବ କର ନାହିଁ
13ଏବେ ଶୁଣ, ଯେଉଁମାନେ କହୁଅଛ, “ଆଜି ଅବା ଆସନ୍ତାକାଲି ଆମ୍ଭେମାନେ ଏହି ବା ସେହି ନଗରକୁ ଯିବୁ, ସେଠାରେ ଏକ ବର୍ଷ କ୍ଷେପଣ କରିବୁ, ବାଣିଜ୍ୟ କରିବୁ ଓ ଲାଭ କରିବୁ।” 14ଆସନ୍ତାକାଲି କʼଣ ଘଟିବ, ତାହା ତ ତୁମ୍ଭେମାନେ ଜାଣ ନାହିଁ। ତୁମ୍ଭମାନଙ୍କ ଜୀବନ କʼଣ? କାରଣ ତୁମ୍ଭେମାନେ ତ ଅଳ୍ପ ସମୟ ଦେଖାଯାଇ ତତ୍ପରେ ଅଦୃଶ୍ୟ ହେଉଥିବା କୁହୁଡ଼ି ସ୍ଵରୂପ। 15ତାହା ବଦଳରେ ତୁମ୍ଭମାନଙ୍କର କହିବା ଉଚିତ, “ଯଦି ଆମ୍ଭମାନଙ୍କ ପିତାଙ୍କ ଇଚ୍ଛା ହୁଏ, ତେବେ ଆମ୍ଭେମାନେ ବଞ୍ଚିବୁ ଓ ଏହା ବା ତାହା କରିବୁ।” 16କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ଆପଣା ଅହଙ୍କାରରେ ଗର୍ବ କରୁଅଛ। ଏପରି ସମସ୍ତ ଗର୍ବ ମନ୍ଦ। 17ଅତଏବ ଯେକେହି ଭଲ କାର୍ଯ୍ୟ କରିବାକୁ ଜାଣି ତାହା କରେ ନାହିଁ, ତାହା ପକ୍ଷରେ ତାହା ପାପ।