ସମସ୍ତ ବିଷୟ ନୂତନ
ପୁରାତନ ବ୍ୟବସ୍ଥା ଲୋପ ପାଇଛି, ଏବଂ ଆମ ପିତା ମନୁଷ୍ୟମାନଙ୍କ ସହିତ ବାସ କରିବାକୁ ଆସନ୍ତି। ସେ ନିଜେ ସେମାନଙ୍କର ପିତା, ଏବଂ ସେ ସେମାନଙ୍କ ମୁହଁରୁ ଲୁହ ପୋଛି ଦିଅନ୍ତି। ନଗରଟି ତଳକୁ ଓହ୍ଲାଇ ଆସେ। ତାହା ମପାଯାଇଛି, ରତ୍ନଖଚିତ, ଏବଂ ଚାରିଆଡ଼େ ଫାଟକ ଅଛି। ତା ଭିତରେ କୌଣସି ମନ୍ଦିର ନାହିଁ, କାରଣ ସେ ଓ ମେଷଶାବକ ହିଁ ତାହାର ମନ୍ଦିର। ଫାଟକ ବନ୍ଦ କରିବାକୁ ସେଠାରେ କେବେ ରାତ୍ରି ହୁଏ ନାହିଁ।
21 1ତତ୍ପରେ ମୁଁ ଏକ ନୂତନ ସ୍ଵର୍ଗ ଓ ନୂତନ ପୃଥିବୀ ଦେଖିଲି, କାରଣ ପ୍ରଥମ ସ୍ଵର୍ଗ ଓ ପ୍ରଥମ ପୃଥିବୀ ଲୋପ ପାଇଥିଲା, ପୁଣି ସମୁଦ୍ର ଆଉ ନ ଥିଲା। 2ଆଉ ମୁଁ ପବିତ୍ର ନଗରୀ, ନୂତନ ଯିରୂଶାଲମକୁ ସ୍ଵର୍ଗରୁ ପିତାଙ୍କ ନିକଟରୁ ଓହ୍ଲାଇ ଆସୁଥିବା ଦେଖିଲି, ତାହା ଆପଣା ବରଙ୍କ ନିମନ୍ତେ ବିଭୂଷିତା କନ୍ୟା ପରି ପ୍ରସ୍ତୁତ ଥିଲା।
3ପୁଣି ମୁଁ ସିଂହାସନରୁ ଏକ ଉଚ୍ଚ ସ୍ଵର ଶୁଣିଲି, ତାହା କହିଲା, “ଦେଖ, ଆମ୍ଭମାନଙ୍କ ପିତାଙ୍କ ବାସସ୍ଥାନ ମନୁଷ୍ୟମାନଙ୍କ ସହିତ ଅଛି। ସେ ସେମାନଙ୍କ ସହିତ ବାସ କରିବେ; ସେମାନେ ତାହାଙ୍କ ଲୋକ ହେବେ, ଆଉ ସେ ସ୍ଵୟଂ ସେମାନଙ୍କ ପିତା ହୋଇ ସେମାନଙ୍କ ସହିତ ରହିବେ।
4ଆମ୍ଭମାନଙ୍କ ପିତା ସେମାନଙ୍କ ଚକ୍ଷୁରୁ ସମସ୍ତ ଲୁହ ପୋଛି ଦେବେ, ଆଉ ମୃତ୍ୟୁ ଆଉ ରହିବ ନାହିଁ, ଶୋକ କି ରୋଦନ କି ଯନ୍ତ୍ରଣା ଆଉ ରହିବ ନାହିଁ, କାରଣ ପୂର୍ବକାର ବିଷୟସବୁ ଲୋପ ପାଇଅଛି।”
5ଆଉ ସିଂହାସନ ଉପରେ ଉପବିଷ୍ଟ ବ୍ୟକ୍ତି କହିଲେ, “ଦେଖ, ମୁଁ ସମସ୍ତ ବିଷୟ ନୂତନ କରୁଅଛି।” ପୁଣି ସେ କହିଲେ, “ଏହା ଲେଖ, କାରଣ ଏହି ବାକ୍ୟ ବିଶ୍ଵାସଯୋଗ୍ୟ ଓ ସତ୍ୟ।” 6ଆଉ ସେ ମୋତେ କହିଲେ, “ସମାପ୍ତ ହେଲା। ମୁଁ ଆଲ୍ଫା ଓ ଓମେଗା, ଆଦି ଓ ଅନ୍ତ। ଯେ ତୃଷିତ, ତାହାକୁ ମୁଁ ଜୀବନ-ଜଳର ନିର୍ଝରରୁ ବିନାମୂଲ୍ୟରେ ଦେବି। 7ଯେ ଜୟ କରେ, ସେ ଏହିସବୁ ଅଧିକାର କରିବ, ଆଉ ମୁଁ ତାହାର ପିତା ହେବି ଓ ସେ ମୋହର ପୁତ୍ର ହେବ। 8କିନ୍ତୁ ଭୀରୁ, ଅବିଶ୍ଵାସୀ, ଘୃଣ୍ୟ, ନରଘାତକ, ବ୍ୟଭିଚାରୀ, ମାୟାବୀ, ପ୍ରତିମାପୂଜକ ଓ ସମସ୍ତ ମିଥ୍ୟାବାଦୀ—ସେମାନଙ୍କ ଅଂଶ ଅଗ୍ନି ଓ ଗନ୍ଧକରେ ଜ୍ଵଳୁଥିବା ହ୍ରଦରେ, ଏହା ହିଁ ଦ୍ଵିତୀୟ ମୃତ୍ୟୁ।”
9ଆଉ ସପ୍ତମ ଶେଷ ମହାମାରୀରେ ପରିପୂର୍ଣ୍ଣ ସାତଟି ପାତ୍ର ଧରିଥିବା ସାତ ଦୂତଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, “ଆସ, ମୁଁ ତୁମ୍ଭକୁ ବଧୂ, ଅର୍ଥାତ୍ ମେଷଶାବକ ଯୀଶୁଙ୍କ ଭାର୍ଯ୍ୟାଙ୍କୁ ଦେଖାଇବି।” 10ପୁଣି ସେ ମୋତେ ଆତ୍ମାରେ ଆବିଷ୍ଟ କରି ଏକ ବୃହତ୍ ଓ ଉଚ୍ଚ ପର୍ବତ ଉପରକୁ ନେଇଗଲେ, ଆଉ ପବିତ୍ର ନଗରୀ ଯିରୂଶାଲମକୁ ସ୍ଵର୍ଗରୁ ପିତାଙ୍କ ନିକଟରୁ ଓହ୍ଲାଇ ଆସୁଥିବା ମୋତେ ଦେଖାଇଲେ, 11ତାହା ଆମ୍ଭମାନଙ୍କ ପିତାଙ୍କ ମହିମା ପ୍ରକାଶ କରୁଥିଲା, ଅତି ବହୁମୂଲ୍ୟ ମଣି ପରି, ଅର୍ଥାତ୍ ସ୍ଫଟିକ ପରି ନିର୍ମଳ ସୂର୍ଯ୍ୟକାନ୍ତମଣି ପରି ଉଜ୍ଜ୍ଵଳ। 12ତାହାର ଏକ ବୃହତ୍ ଓ ଉଚ୍ଚ ପ୍ରାଚୀର ଥିଲା, ତହିଁରେ ବାର ଦ୍ଵାର ଥିଲା ଓ ଦ୍ଵାରରେ ବାର ଦୂତ ନିଯୁକ୍ତ ଥିଲେ, ପୁଣି ସେଠାରେ ଇସ୍ରାଏଲ-ସନ୍ତାନମାନଙ୍କ ବାର ବଂଶର ନାମ ଲିଖିତ ଥିଲା, 13ପୂର୍ବ ଦିଗରେ ତିନି ଦ୍ଵାର, ଉତ୍ତର ଦିଗରେ ତିନି ଦ୍ଵାର, ଦକ୍ଷିଣ ଦିଗରେ ତିନି ଦ୍ଵାର ଓ ପଶ୍ଚିମ ଦିଗରେ ତିନି ଦ୍ଵାର ଥିଲା। 14ପୁଣି ନଗରୀର ପ୍ରାଚୀରର ବାର ଭିତ୍ତିମୂଳ ଥିଲା, ତହିଁ ଉପରେ ମେଷଶାବକ ଯୀଶୁଙ୍କ ବାର ପ୍ରେରିତଙ୍କ ବାର ନାମ ଥିଲା।
15ଆଉ ମୋ ସହିତ କଥା କହୁଥିବା ବ୍ୟକ୍ତି ନଗରୀ, ତାହାର ଦ୍ଵାର ଓ ପ୍ରାଚୀର ମାପିବା ନିମନ୍ତେ ଏକ ସୁବର୍ଣ୍ଣ ମାପିବା-ଦଣ୍ଡ ଧରିଥିଲେ। 16ନଗରୀ ଚତୁଷ୍କୋଣ, ତାହାର ଦୈର୍ଘ୍ୟ ଓ ପ୍ରସ୍ଥ ସମାନ। ସେ ଆପଣା ଦଣ୍ଡରେ ତାହା ମାପିଲେ, ତାହା ପ୍ରାୟ ଚଉଦ ଶହ ମାଇଲ ଥିଲା—ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା ସମାନ। 17ପୁଣି ସେ ତାହାର ପ୍ରାଚୀର ମାପିଲେ, ତାହା ପ୍ରାୟ ଦୁଇ ଶହ ଷୋହଳ ଫୁଟ ଥିଲା, ମନୁଷ୍ୟର ମାପ ଅନୁସାରେ, ଯାହା ଦୂତଙ୍କର ମଧ୍ୟ ଅଟେ। 18ପ୍ରାଚୀର ସୂର୍ଯ୍ୟକାନ୍ତମଣିରେ ନିର୍ମିତ ଥିଲା, ଆଉ ନଗରୀ କାଚ ପରି ନିର୍ମଳ ଶୁଦ୍ଧ ସୁବର୍ଣ୍ଣ ଥିଲା। 19ନଗରୀର ପ୍ରାଚୀରର ଭିତ୍ତିମୂଳସବୁ ସର୍ବପ୍ରକାର ବହୁମୂଲ୍ୟ ମଣିରେ ବିଭୂଷିତ ଥିଲା: ପ୍ରଥମ ଭିତ୍ତିମୂଳ ସୂର୍ଯ୍ୟକାନ୍ତ, ଦ୍ଵିତୀୟ ନୀଳମଣି, ତୃତୀୟ ତାମ୍ରମଣି, ଚତୁର୍ଥ ମରକତ, 20ପଞ୍ଚମ ବୈଦୁର୍ଯ୍ୟ, ଷଷ୍ଠ ଚୁନି, ସପ୍ତମ ପୀତମଣି, ଅଷ୍ଟମ ଗୋମେଦକ, ନବମ ପୁଷ୍ପରାଗ, ଦଶମ ହରିଦ୍ରାମଣି, ଏକାଦଶ ପଦ୍ମରାଗ ଓ ଦ୍ଵାଦଶ କୁରୁବିନ୍ଦ ଥିଲା। 21ପୁଣି ବାର ଦ୍ଵାର ବାର ମୁକ୍ତା ଥିଲା, ପ୍ରତ୍ୟେକ ଦ୍ଵାର ଏକ ଏକ ମୁକ୍ତାରେ ନିର୍ମିତ ଥିଲା। ଆଉ ନଗରୀର ରାଜଦାଣ୍ଡ କାଚ ପରି ନିର୍ମଳ ଶୁଦ୍ଧ ସୁବର୍ଣ୍ଣ ଥିଲା।
22ମୁଁ ନଗରୀରେ କୌଣସି ମନ୍ଦିର ଦେଖିଲି ନାହିଁ, କାରଣ ସର୍ବଶକ୍ତିମାନ ପରମାଧିପତି ପିତା ଓ ମେଷଶାବକ ଯୀଶୁ ହିଁ ତାହାର ମନ୍ଦିର। 23ନଗରୀକୁ ଆଲୋକ ଦେବା ନିମନ୍ତେ ସୂର୍ଯ୍ୟ କି ଚନ୍ଦ୍ରର ଆବଶ୍ୟକ ନାହିଁ, କାରଣ ଆମ୍ଭମାନଙ୍କ ପିତାଙ୍କ ମହିମା ତାହାକୁ ଆଲୋକିତ କରେ, ଆଉ ମେଷଶାବକ ଯୀଶୁ ହିଁ ତାହାର ପ୍ରଦୀପ। 24ଜାତିସମୂହ ତାହାର ଆଲୋକରେ ଗମନାଗମନ କରିବେ, ଆଉ ପୃଥିବୀର ରାଜାମାନେ ଆପଣା ଆପଣା ମହିମା ତହିଁ ମଧ୍ୟକୁ ଆଣିବେ। 25ଆଉ ତାହାର ଦ୍ଵାର ଦିବସରେ କେବେ ବନ୍ଦ ହେବ ନାହିଁ—କାରଣ ସେଠାରେ ରାତ୍ରି ହେବ ନାହିଁ। 26ପୁଣି ସେମାନେ ଜାତିସମୂହର ମହିମା ଓ ଗୌରବ ତହିଁ ମଧ୍ୟକୁ ଆଣିବେ। 27କୌଣସି ଅଶୁଚି ବସ୍ତୁ ତହିଁ ମଧ୍ୟରେ କେବେ ପ୍ରବେଶ କରିବ ନାହିଁ, କିଅବା ଘୃଣ୍ୟ କି ମିଥ୍ୟା କର୍ମ କରୁଥିବା କେହି ପ୍ରବେଶ କରିବ ନାହିଁ—କେବଳ ମେଷଶାବକ ଯୀଶୁଙ୍କ ଜୀବନ-ପୁସ୍ତକରେ ଯେଉଁମାନଙ୍କ ନାମ ଲିଖିତ, ସେମାନେ ପ୍ରବେଶ କରିବେ।