ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ନାଗ ବନ୍ଧାଗଲା

ଶୟତାନକୁ ହଜାର ବର୍ଷ ପାଇଁ ଶିକୁଳିରେ ବନ୍ଧାଯାଏ। ସେହି ସମୟରେ ପଶୁକୁ ଅସ୍ୱୀକାର କରିଥିବା ସାକ୍ଷୀମାନେ ରାଜତ୍ୱ କରନ୍ତି। ମୁକ୍ତ ହେବା ପରେ ଶୟତାନ ଶେଷ ଥର ପାଇଁ ଜାତିମାନଙ୍କୁ ଏକତ୍ର କରେ, ଏବଂ ଆମ ପିତାଙ୍କଠାରୁ ଅଗ୍ନି ଆସି ସେମାନଙ୍କୁ ଗ୍ରାସ କରେ। ତାʼପରେ ପୁସ୍ତକଗୁଡ଼ିକ ଖୋଲାଯାଏ, ଏବଂ ମୃତମାନେ ନିଜ ନିଜ କର୍ମ ଅନୁସାରେ ବିଚାରିତ ହୁଅନ୍ତି। ଶେଷରେ ମୃତ୍ୟୁକୁ ମଧ୍ୟ ବାହାରକୁ ଫିଙ୍ଗି ଦିଆଯାଏ।

ଅଧ୍ୟାୟ 20।

ମୁଁ ଜଣେ ଦୂତଙ୍କୁ ସ୍ଵର୍ଗରୁ ଓହ୍ଲାଇ ଆସୁଥିବା ଦେଖିଲି, ତାହାଙ୍କ ହସ୍ତରେ ଅଗାଧ ସ୍ଥାନର କୁଞ୍ଜି ଓ ଗୋଟିଏ ବୃହତ ଶୃଙ୍ଖଳ ଥିଲା। ସେ ସେହି ନାଗକୁ, ଅର୍ଥାତ୍ ସେହି ପୁରାତନ ସର୍ପ, ଯେ ଦିଆବଳ ଓ ଶୟତାନ, ତାହାକୁ ଧରି ଏକ ହଜାର ବର୍ଷ ପର୍ଯ୍ୟନ୍ତ ବାନ୍ଧିଲେ। ପୁଣି ସେ ତାହାକୁ ଅଗାଧ ସ୍ଥାନରେ ନିକ୍ଷେପ କରି ଦ୍ଵାର ବନ୍ଦ କରି ତାହା ଉପରେ ମୁଦ୍ରାଙ୍କ ଦେଲେ, ଯେପରି ଏକ ହଜାର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ସେ ଆଉ ଜାତିସମୂହକୁ ଭ୍ରାନ୍ତ ନ କରେ; ତତ୍ପରେ ତାହାକୁ ଅଳ୍ପ ସମୟ ପାଇଁ ମୁକ୍ତ କରାଯିବା ଆବଶ୍ୟକ।

ମୁଁ ସିଂହାସନସମୂହ ଦେଖିଲି; ସେଗୁଡ଼ିକ ଉପରେ ଉପବିଷ୍ଟ ଥିବା ବ୍ୟକ୍ତିମାନେ ବିଚାର କରିବାର ଅଧିକାର ପ୍ରାପ୍ତ ହେଲେ। ଆଉ ଯେଉଁମାନେ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଓ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ସକାଶେ ଶିରଚ୍ଛେଦିତ ହୋଇଥିଲେ, ସେମାନଙ୍କ ଆତ୍ମାକୁ ମଧ୍ୟ ମୁଁ ଦେଖିଲି — ସେମାନେ ସେହି ପଶୁ କିମ୍ବା ତାହାର ପ୍ରତିମାକୁ ପ୍ରଣାମ କରି ନ ଥିଲେ, କିଅବା ଆପଣା କପାଳ ଅବା ହସ୍ତରେ ତାହାର ଚିହ୍ନ ଗ୍ରହଣ କରି ନ ଥିଲେ। ସେମାନେ ସଜୀବ ହୋଇ ଖ୍ରୀଷ୍ଟଙ୍କ ସହିତ ଏକ ହଜାର ବର୍ଷ ରାଜତ୍ଵ କଲେ। (ଅବଶିଷ୍ଟ ମୃତମାନେ ଏକ ହଜାର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ଜୀବିତ ହେଲେ ନାହିଁ।) ଏହା ହିଁ ପ୍ରଥମ ପୁନରୁତ୍ଥାନ। ଯେ ଏହି ପ୍ରଥମ ପୁନରୁତ୍ଥାନର ଅଂଶୀ, ସେ ଧନ୍ୟ ଓ ପବିତ୍ର; ସେମାନଙ୍କ ଉପରେ ଦ୍ଵିତୀୟ ମୃତ୍ୟୁର କୌଣସି ଅଧିକାର ନାହିଁ, ବରଂ ସେମାନେ ଆମ୍ଭମାନଙ୍କ ପିତା ଓ ଖ୍ରୀଷ୍ଟଙ୍କ ଯାଜକ ହେବେ, ପୁଣି ତାହାଙ୍କ ସହିତ ଏକ ହଜାର ବର୍ଷ ରାଜତ୍ଵ କରିବେ।

ଶୟତାନ ମୁକ୍ତ କରାଗଲା

ଏକ ହଜାର ବର୍ଷ ଶେଷ ହେଲେ, ଶୟତାନ ଆପଣା କାରାଗାରରୁ ମୁକ୍ତ କରାଯିବ। ପୁଣି ସେ ପୃଥିବୀର ଚାରି କୋଣରେ ଥିବା ଜାତିମାନଙ୍କୁ, ଅର୍ଥାତ୍ ଗୋଗ ଓ ମାଗୋଗକୁ, ଭ୍ରାନ୍ତ କରିବା ନିମନ୍ତେ ବାହାରିଯିବ, ଆଉ ସେମାନଙ୍କୁ ଯୁଦ୍ଧ ନିମନ୍ତେ ଏକତ୍ର କରିବ; ସେମାନଙ୍କ ସଂଖ୍ୟା ସମୁଦ୍ରର ବାଲି ପରି। a a v8 ଗୋଗ ଓ ମାଗୋଗ ଦୁଇଟି ପ୍ରକୃତ ଜାତି ନୁହନ୍ତି, ବରଂ ଭାବବାଦୀ ଯିହିଜିକଲଙ୍କଠାରୁ ଗୃହୀତ ପ୍ରତୀକ ଅଟନ୍ତି, ଯାହା ଆମ୍ଭମାନଙ୍କ ପିତାଙ୍କ ଲୋକଙ୍କ ବିରୁଦ୍ଧରେ ଏକତ୍ରିତ ପୃଥିବୀର ସମସ୍ତ ବିଦ୍ରୋହୀ ଲୋକଙ୍କୁ ବୁଝାଏ। ସେମାନେ ପୃଥିବୀର ସମସ୍ତ ପ୍ରସ୍ଥ ଅତିକ୍ରମ କରି ସାଧୁମାନଙ୍କ ଛାଉଣି ଓ ପ୍ରିୟ ନଗରୀକୁ ଘେରିଲେ, କିନ୍ତୁ ଆମ୍ଭମାନଙ୍କ ପିତାଙ୍କଠାରୁ ସ୍ଵର୍ଗରୁ ଅଗ୍ନି ପଡ଼ି ସେମାନଙ୍କୁ ଗ୍ରାସ କଲା। ସେମାନଙ୍କୁ ଭ୍ରାନ୍ତ କରିଥିବା ଦିଆବଳ ଅଗ୍ନି ଓ ଗନ୍ଧକମୟ ହ୍ରଦରେ ନିକ୍ଷିପ୍ତ ହେଲା, ଯେଉଁଠାରେ ସେହି ପଶୁ ଓ ଭଣ୍ଡ ଭାବବାଦୀ ମଧ୍ୟ ଥିଲେ। ସେମାନେ ଯୁଗେ ଯୁଗେ ଦିବାରାତ୍ର ଯନ୍ତ୍ରଣା ଭୋଗ କରିବେ।

ବୃହତ ଶ୍ଵେତ ସିଂହାସନ

ମୁଁ ଗୋଟିଏ ବୃହତ ଶ୍ଵେତ ସିଂହାସନ ଓ ତହିଁ ଉପରେ ଉପବିଷ୍ଟ ବ୍ୟକ୍ତିଙ୍କୁ ଦେଖିଲି। ତାହାଙ୍କ ଛାମୁରୁ ପୃଥିବୀ ଓ ସ୍ଵର୍ଗ ପଳାୟନ କଲା; ସେମାନଙ୍କ ନିମନ୍ତେ ଆଉ କୌଣସି ସ୍ଥାନ ରହିଲା ନାହିଁ। b b v11 ଅନ୍ତିମ ବିଚାରର ସେହି ବୃହତ ଶ୍ଵେତ ସିଂହାସନ ଆମ୍ଭମାନଙ୍କ ପିତାଙ୍କ ସିଂହାସନ ଅଟେ। ଯେତେ ମନୁଷ୍ୟ କେବେ ବଞ୍ଚିଅଛନ୍ତି, ସମସ୍ତେ ତାହାଙ୍କ ସମ୍ମୁଖରେ ଠିଆ ହୁଅନ୍ତି। ପୁଣି ମୁଁ କ୍ଷୁଦ୍ର ଓ ମହତ ମୃତମାନଙ୍କୁ ସିଂହାସନ ସମ୍ମୁଖରେ ଠିଆ ହୋଇଥିବା ଦେଖିଲି। ଅନେକ ପୁସ୍ତକ ଉନ୍ମୋଚିତ ହେଲା, ଆଉ ଅନ୍ୟ ଏକ ପୁସ୍ତକ ଅର୍ଥାତ୍ ଜୀବନ ପୁସ୍ତକ ଉନ୍ମୋଚିତ ହେଲା। ସେହି ପୁସ୍ତକସମୂହରେ ଯାହା ଲିଖିତ ଥିଲା, ତଦନୁସାରେ ପ୍ରତ୍ୟେକ ଆପଣା ଆପଣା କ୍ରିୟାନୁସାରେ ମୃତମାନେ ବିଚାରିତ ହେଲେ। ସମୁଦ୍ର ଆପଣା ମଧ୍ୟସ୍ଥିତ ମୃତମାନଙ୍କୁ ସମର୍ପଣ କଲା; ମୃତ୍ୟୁ ଓ ପାତାଳ ଆପଣା ଆପଣା ମୃତମାନଙ୍କୁ ସମର୍ପଣ କଲେ; ଆଉ ପ୍ରତ୍ୟେକ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲା। ମୃତ୍ୟୁ ଓ ପାତାଳ ଅଗ୍ନିମୟ ହ୍ରଦରେ ନିକ୍ଷିପ୍ତ ହେଲେ। ଏହି ଅଗ୍ନିମୟ ହ୍ରଦ ହିଁ ଦ୍ଵିତୀୟ ମୃତ୍ୟୁ। ଯାହାର ନାମ ଜୀବନ ପୁସ୍ତକରେ ଲିଖିତ ହୋଇଥିବା ଦେଖାଗଲା ନାହିଁ, ସେ ଅଗ୍ନିମୟ ହ୍ରଦରେ ନିକ୍ଷିପ୍ତ ହେଲା।