ସେ ମୋʼ ପ୍ରତି ଆପଣା କର୍ଣ୍ଣ ଡେରିଲେ
ଜଣେ ବଞ୍ଚିଯାଇଥିବା ଲୋକ ତାʼର ପିତାଙ୍କୁ ଧନ୍ୟବାଦ ଦିଏ। ସେ ଡାକିଲା ବେଳକୁ ମୃତ୍ୟୁର ରଜ୍ଜୁ କଷି ହୋଇ ଆସିଥିଲା, ଏବଂ ତାʼର ଡାକ ଶୁଣାଗଲା। ତେଣୁ ସେ ସ୍ଥିର କରେ ଯେ ଯେତେଦିନ ବଞ୍ଚିବ ସେତେଦିନ ଡାକୁଥିବ। ସେ ପଚାରେ ଯେ ପ୍ରତିବଦଳରେ କଅଣ ଦେଇପାରିବ, ଏବଂ ଉତ୍ତରରେ ପାନପାତ୍ର ଟେକେ ଓ ସମସ୍ତଙ୍କ ସମ୍ମୁଖରେ ନିଜର ମାନତ ପୂରଣ କରେ।
116 1ମୁଁ ମୋହର ପିତାଙ୍କୁ ପ୍ରେମ କରେ, କାରଣ ସେ ମୋହର ରବ, ଦୟା ନିମନ୍ତେ ମୋହର କାକୂକ୍ତି ଶୁଣନ୍ତି। 2ସେ ମୋʼ ପ୍ରତି ଆପଣା କର୍ଣ୍ଣ ଡେରିବାରୁ ମୁଁ ଯାବଜ୍ଜୀବନ ତାହାଙ୍କୁ ଡାକିବି। 3ମୃତ୍ୟୁର ରଜ୍ଜୁ ମୋତେ ଘେରିଲା; କବରର ଯନ୍ତ୍ରଣା ମୋତେ ଧରିଲା; ମୁଁ ସଙ୍କଟ ଓ ଶୋକରେ ଅଭିଭୂତ ହେଲି। 4ସେତେବେଳେ ମୁଁ ମୋହର ପିତାଙ୍କ ନାମ ଧରି ଡାକିଲି: “ହେ ମୋହର ପିତା, ମୁଁ ତୁମ୍ଭକୁ ବିନତି କରେ, ମୋହର ପ୍ରାଣକୁ ଉଦ୍ଧାର କର!” 5ଆମ୍ଭମାନଙ୍କ ପିତା ଅନୁଗ୍ରହମୟ ଓ ଧାର୍ମିକ ଅଟନ୍ତି; ଆମ୍ଭମାନଙ୍କ ପିତା କୃପାରେ ପରିପୂର୍ଣ୍ଣ। 6ମୋହର ପିତା ସରଳ ଲୋକଙ୍କୁ ରକ୍ଷା କରନ୍ତି; ଯେତେବେଳେ ମୁଁ ହୀନାବସ୍ଥାକୁ ଆସିଲି, ସେତେବେଳେ ସେ ମୋତେ ପରିତ୍ରାଣ କଲେ। 7ହେ ମୋହର ପ୍ରାଣ, ତୁମ୍ଭ ବିଶ୍ରାମକୁ ଫେରିଯାଅ, କାରଣ ମୋହର ପିତା ତୁମ୍ଭ ପ୍ରତି ଏଡ଼େ ମଙ୍ଗଳ କରିଅଛନ୍ତି। 8କାରଣ ତୁମ୍ଭେ ମୋହର ପ୍ରାଣକୁ ମୃତ୍ୟୁରୁ, ମୋହର ଚକ୍ଷୁକୁ ଲୋତକରୁ, ମୋହର ଚରଣକୁ ଝୁଣ୍ଟିବାରୁ ଉଦ୍ଧାର କରିଅଛ। 9ମୁଁ ଜୀବିତମାନଙ୍କ ଦେଶରେ ମୋହର ପିତାଙ୍କ ସମ୍ମୁଖରେ ଗମନାଗମନ କରିବି। 10ମୁଁ ବିଶ୍ଵାସ କଲି, ଏପରିକି ଯେତେବେଳେ ମୁଁ କହିଲି, “ମୁଁ ଅତିଶୟ କ୍ଳେଶଗ୍ରସ୍ତ”; 11ମୁଁ ଆପଣା ଉଦ୍ବିଗ୍ନତାରେ କହିଲି, “ପ୍ରତ୍ୟେକ ଲୋକ ମିଥ୍ୟାବାଦୀ।” 12ମୋʼ ପ୍ରତି ମୋହର ପିତାଙ୍କ ସମସ୍ତ ମଙ୍ଗଳ ନିମନ୍ତେ ମୁଁ ତାହାଙ୍କୁ କଅଣ ପ୍ରତିଦାନ ଦେବି? 13ମୁଁ ପରିତ୍ରାଣର ପାନପାତ୍ର ଉଠାଇ ମୋହର ପିତାଙ୍କ ନାମ ଧରି ଡାକିବି। 14ମୁଁ ମୋହର ପିତାଙ୍କ ସମସ୍ତ ଲୋକଙ୍କ ସମ୍ମୁଖରେ ତାହାଙ୍କ ପ୍ରତି ଆପଣା ବ୍ରତ ପୂର୍ଣ୍ଣ କରିବି। 15ମୋହର ପିତାଙ୍କ ଭକ୍ତମାନଙ୍କ ମୃତ୍ୟୁ ତାହାଙ୍କ ଦୃଷ୍ଟିରେ ବହୁମୂଲ୍ୟ। 16ହେ ମୋହର ପିତା, ମୁଁ ସତ୍ୟରେ ତୁମ୍ଭର ଦାସ; ମୁଁ ତୁମ୍ଭର ଦାସ, ତୁମ୍ଭ ଦାସୀର ପୁତ୍ର। ତୁମ୍ଭେ ମୋହର ବନ୍ଧନ ମୁକୁଳାଇ ଅଛ। 17ମୁଁ ତୁମ୍ଭ ଉଦ୍ଦେଶ୍ୟରେ ଧନ୍ୟବାଦର ବଳିଦାନ ଉତ୍ସର୍ଗ କରି ମୋହର ପିତାଙ୍କ ନାମ ଧରି ଡାକିବି। 18ମୁଁ ମୋହର ପିତାଙ୍କ ସମସ୍ତ ଲୋକଙ୍କ ସମ୍ମୁଖରେ ତାହାଙ୍କ ପ୍ରତି ଆପଣା ବ୍ରତ ପୂର୍ଣ୍ଣ କରିବି, 19ମୋହର ପିତାଙ୍କ ଗୃହର ପ୍ରାଙ୍ଗଣରେ, ହେ ଯିରୂଶାଲମ, ତୁମ୍ଭ ମଧ୍ୟରେ। ହାଲ୍ଲିଲୂୟା!