ତାହାଙ୍କ ସ୍ପର୍ଶରେ ସୁସ୍ଥତା
ଯୀଶୁ ଜଣେ କୁଷ୍ଠରୋଗୀଙ୍କୁ ସ୍ପର୍ଶ କରନ୍ତି, ଇସ୍ରାଏଲ ଅପେକ୍ଷା ଜଣେ ରୋମୀୟ ଶତସେନାପତିଙ୍କଠାରେ ଅଧିକ ବିଶ୍ୱାସ ପାଆନ୍ତି, ଜଣେ ସ୍ୱେଚ୍ଛାରେ ଆସିଥିବା ଲୋକକୁ ଚେତାନ୍ତି ଯେ ତାଙ୍କର ଶୋଇବାକୁ ସ୍ଥାନ ନାହିଁ, ଯେଉଁ ଝଡ଼ ସେମାନଙ୍କୁ ବୁଡ଼ାଇଦେବ ବୋଲି ଶିଷ୍ୟମାନେ ନିଶ୍ଚିତ ଥିଲେ ତାହାକୁ ଶାନ୍ତ କରନ୍ତି, ଏବଂ ଦୁଇ ଜଣ ହିଂସ୍ର ଲୋକଙ୍କୁ ମୁକ୍ତ କରନ୍ତି। ତାʼପରେ ସମଗ୍ର ନଗର ତାଙ୍କୁ ଚାଲିଯିବାକୁ ବିନତି କରେ।
8 1ସେ ପର୍ବତରୁ ଓହ୍ଲାଇ ଆସନ୍ତେ, ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଗଲେ। 2ଆଉ ଦେଖ, ଜଣେ କୁଷ୍ଠରୋଗୀ ତାହାଙ୍କ ନିକଟକୁ ଆସି ତାହାଙ୍କ ସମ୍ମୁଖରେ ଆଣ୍ଠୁମାଡ଼ି ପଡ଼ି କହିଲା, “ହେ ପ୍ରଭୁ, ଯଦି ଆପଣ ଇଚ୍ଛା କରନ୍ତି, ତେବେ ମୋତେ ଶୁଚି କରିପାରନ୍ତି।”
3ସେଥିରେ ଯୀଶୁ ଆପଣା ହସ୍ତ ବିସ୍ତାର କରି ତାହାକୁ ସ୍ପର୍ଶ କରି କହିଲେ, “ମୁଁ ଇଚ୍ଛା କରୁଅଛି; ଶୁଚି ହୁଅ।” ସେତିକ୍ଷଣି ତାହାର କୁଷ୍ଠରୋଗ ଦୂର ହୋଇଗଲା। 4ପୁଣି ଯୀଶୁ ତାହାକୁ କହିଲେ, “କାହାକୁ କୁହ ନାହିଁ, ମାତ୍ର ଯାଇ ଯାଜକ ନିକଟରେ ଆପଣାକୁ ଦେଖାଅ, ଆଉ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ମୋଶା ଯାହା ଆଜ୍ଞା ଦେଇଅଛନ୍ତି, ସେହି ନୈବେଦ୍ୟ ଉତ୍ସର୍ଗ କର।”
ଯୀଶୁଙ୍କୁ ଚମତ୍କୃତ କରିଥିବା ବିଶ୍ଵାସ
5ସେ କଫର୍ନାହୂମରେ ପ୍ରବେଶ କରନ୍ତେ, ଜଣେ ଶତସେନାପତି ତାହାଙ୍କ ନିକଟକୁ ଆସି ବିନତି କରି 6କହିଲା, “ହେ ପ୍ରଭୁ, ମୋହର ଦାସ ପକ୍ଷାଘାତ ରୋଗରେ ଗୃହରେ ପଡ଼ିଅଛି, ଅତ୍ୟନ୍ତ ଯନ୍ତ୍ରଣା ଭୋଗ କରୁଅଛି।”
7ଯୀଶୁ ତାହାକୁ କହିଲେ, “ମୁଁ ଯାଇ ତାହାକୁ ସୁସ୍ଥ କରିବି।”
8ଶତସେନାପତି ଉତ୍ତର ଦେଲା, “ହେ ପ୍ରଭୁ, ଆପଣ ଯେ ମୋʼ ଗୃହ ଭିତରକୁ ଆସିବେ, ଏଥିପାଇଁ ମୁଁ ଯୋଗ୍ୟ ନୁହେଁ; କେବଳ ବାକ୍ୟ କୁହନ୍ତୁ, ତାହାହେଲେ ମୋହର ଦାସ ସୁସ୍ଥ ହେବ। 9କାରଣ ମୁଁ ମଧ୍ୟ ଅଧୀନସ୍ଥ ଲୋକ, ଆଉ ମୋʼ ଅଧୀନରେ ସୈନ୍ୟମାନେ ଅଛନ୍ତି; ମୁଁ ଜଣକୁ ‘ଯାଅ’ ବୋଲି କହିଲେ ସେ ଯାଏ, ଆଉ ଜଣକୁ ‘ଆସ’ ବୋଲି କହିଲେ ସେ ଆସେ, ପୁଣି ମୋହର ଦାସକୁ ‘ଏହା କର’ ବୋଲି କହିଲେ ସେ ତାହା କରେ।”
10ଏହା ଶୁଣି ଯୀଶୁ ଚମତ୍କୃତ ହେଲେ ଓ ଆପଣା ଅନୁଗାମୀମାନଙ୍କୁ କହିଲେ, “ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୁଁ ଇସ୍ରାଏଲ ମଧ୍ୟରେ ଏପରି ବିଶ୍ଵାସ କାହା ଠାରେ ପାଇ ନାହିଁ। 11ପୁଣି ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକେ ପୂର୍ବ ଓ ପଶ୍ଚିମ ଦିଗରୁ ଆସି ଆମ୍ଭମାନଙ୍କ ପିତାଙ୍କ ରାଜ୍ୟରେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସହିତ ଭୋଜନରେ ବସିବେ, 12କିନ୍ତୁ ରାଜ୍ୟର ସନ୍ତାନମାନେ ବାହାରର ଅନ୍ଧକାରକୁ ନିକ୍ଷିପ୍ତ ହେବେ; ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ।” 13ଆଉ ଯୀଶୁ ଶତସେନାପତିକୁ କହିଲେ, “ଯାଅ, ତୁମ୍ଭେ ଯେପରି ବିଶ୍ଵାସ କଲ, ସେପରି ତୁମ୍ଭ ପ୍ରତି ହେଉ।” ପୁଣି ସେହି ଦଣ୍ଡରେ ତାହାର ଦାସ ସୁସ୍ଥ ହେଲା।
ପିତରଙ୍କ ଗୃହରେ ଯୀଶୁ ସୁସ୍ଥ କରନ୍ତି
14ଯୀଶୁ ପିତରଙ୍କ ଗୃହରେ ପ୍ରବେଶ କରି, ପିତରଙ୍କ ଶାଶୂ ଜ୍ଵରରେ ଶଯ୍ୟାଗତ ହୋଇଥିବା ଦେଖିଲେ। 15ସେ ତାହାର ହସ୍ତ ସ୍ପର୍ଶ କରନ୍ତେ ତାହାର ଜ୍ଵର ଛାଡ଼ିଗଲା, ଆଉ ସେ ଉଠି ତାହାଙ୍କ ସେବା କଲା। 16ସନ୍ଧ୍ୟା ହୁଅନ୍ତେ ଲୋକମାନେ ଭୂତଗ୍ରସ୍ତ ଅନେକଙ୍କୁ ତାହାଙ୍କ ନିକଟକୁ ଆଣିଲେ; ପୁଣି ସେ ବାକ୍ୟ ଦ୍ଵାରା ଆତ୍ମାମାନଙ୍କୁ ବାହାର କରିଦେଲେ ଓ ପୀଡ଼ିତ ସମସ୍ତଙ୍କୁ ସୁସ୍ଥ କଲେ। 17ଏଥିରେ ଯିଶାଇୟ ଭାବବାଦୀଙ୍କ ଦ୍ଵାରା କଥିତ ଏହି ବାକ୍ୟ ସଫଳ ହେଲା, “ସେ ଆପେ ଆମ୍ଭମାନଙ୍କ ଦୁର୍ବଳତା ଗ୍ରହଣ କଲେ ଓ ଆମ୍ଭମାନଙ୍କ ରୋଗ ବହନ କଲେ।”
ଯୀଶୁଙ୍କ ଅନୁଗମନର ମୂଲ୍ୟ
18ଯୀଶୁ ଆପଣା ଚାରିଆଡ଼େ ଲୋକସମୂହ ଦେଖି, ଅପର ପାରିକୁ ଯିବା ନିମନ୍ତେ ଆଜ୍ଞା ଦେଲେ। 19ପୁଣି ଜଣେ ଶାସ୍ତ୍ରୀ ଆସି ତାହାଙ୍କୁ କହିଲା, “ହେ ଗୁରୁ, ଆପଣ ଯେକୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁଗମନ କରିବି।”
20ଯୀଶୁ ତାହାକୁ କହିଲେ, “କୋକିଶିଆଳିମାନଙ୍କର ଗାତ ଅଛି ଓ ଆକାଶର ପକ୍ଷୀମାନଙ୍କର ବସା ଅଛି, କିନ୍ତୁ ମନୁଷ୍ୟପୁତ୍ରଙ୍କର ମସ୍ତକ ରଖିବା ପାଇଁ ସ୍ଥାନ ନାହିଁ।”
21ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଜଣେ ତାହାଙ୍କୁ କହିଲା, “ହେ ପ୍ରଭୁ, ମୋତେ ପ୍ରଥମେ ଯାଇ ମୋʼ ପିତାଙ୍କୁ କବର ଦେବାକୁ ଅନୁମତି ଦିଅନ୍ତୁ।”
22କିନ୍ତୁ ଯୀଶୁ ତାହାକୁ କହିଲେ, “ମୋହର ଅନୁଗମନ କର, ଆଉ ମୃତମାନେ ଆପଣା ଆପଣା ମୃତମାନଙ୍କୁ କବର ଦେଉନ୍ତୁ।”
ଯୀଶୁ ଝଡ଼କୁ ଶାନ୍ତ କରନ୍ତି
23ସେ ନୌକାରେ ଚଢ଼ନ୍ତେ, ତାହାଙ୍କ ଶିଷ୍ୟମାନେ ତାହାଙ୍କ ପଛେ ପଛେ ଗଲେ। 24ଆଉ ହଠାତ୍ ସମୁଦ୍ରରେ ଏପରି ପ୍ରଚଣ୍ଡ ଝଡ଼ ଉଠିଲା ଯେ, ତରଙ୍ଗ ନୌକାକୁ ଆଚ୍ଛନ୍ନ କଲା; କିନ୍ତୁ ସେ ନିଦ୍ରିତ ଥିଲେ। 25ସେଥିରେ ସେମାନେ ତାହାଙ୍କୁ ଜଗାଇ କହିଲେ, “ହେ ପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କରନ୍ତୁ, ଆମ୍ଭେମାନେ ମଲୁ।”
26ସେ ସେମାନଙ୍କୁ କହିଲେ, “ହେ ଅଳ୍ପ ବିଶ୍ଵାସୀମାନେ, ତୁମ୍ଭେମାନେ କାହିଁକି ଭୀତ ହେଉଅଛ?” ତତ୍ପରେ ସେ ଉଠି ପବନ ଓ ସମୁଦ୍ରକୁ ଧମକ ଦେଲେ, ଆଉ ମହା ଶାନ୍ତି ହେଲା।
27ସେଥିରେ ଲୋକମାନେ ଚମତ୍କୃତ ହୋଇ କହିଲେ, “ଏ କି ପ୍ରକାର ଲୋକ ଯେ, ପବନ ଓ ସମୁଦ୍ର ସୁଦ୍ଧା ଏହାଙ୍କ ଆଜ୍ଞା ମାନୁଅଛନ୍ତି?”
ପିତାଙ୍କ ପୁତ୍ର ଅନ୍ଧକାରର ସମ୍ମୁଖୀନ ହୁଅନ୍ତି
28ସେ ଅପର ପାରିରେ ଗାଦରୀୟମାନଙ୍କ ଅଞ୍ଚଳରେ ଉପସ୍ଥିତ ହୁଅନ୍ତେ, ଦୁଇ ଜଣ ଭୂତଗ୍ରସ୍ତ ଲୋକ ସମାଧିସ୍ଥାନରୁ ବାହାରି ତାହାଙ୍କ ସଙ୍ଗେ ସାକ୍ଷାତ କଲେ; ସେମାନେ ଏପରି ପ୍ରଚଣ୍ଡ ଥିଲେ ଯେ, ସେହି ବାଟ ଦେଇ କେହି ଯାଇପାରୁ ନ ଥିଲେ। 29ଆଉ ସେମାନେ ଚିତ୍କାର କରି କହିଲେ, “ହେ ଈଶ୍ଵରଙ୍କ ପୁତ୍ର, ଆପଣଙ୍କ ସଙ୍ଗେ ଆମ୍ଭମାନଙ୍କର କʼଣ ଅଛି? ଆପଣ କି ସମୟ ପୂର୍ବରୁ ଆମ୍ଭମାନଙ୍କୁ ଯନ୍ତ୍ରଣା ଦେବା ନିମନ୍ତେ ଏଠାକୁ ଆସିଅଛନ୍ତି?” 30ସେହି ସମୟରେ ସେମାନଙ୍କଠାରୁ କିଛି ଦୂରରେ ଏକ ବୃହତ୍ ଘୁଷୁରିପଲ ଚରୁଥିଲା। 31ପୁଣି ଭୂତମାନେ ତାହାଙ୍କୁ ବିନତି କରି କହିଲେ, “ଯଦି ଆପଣ ଆମ୍ଭମାନଙ୍କୁ ବାହାର କରିଦେବେ, ତେବେ ସେହି ଘୁଷୁରିପଲ ଭିତରକୁ ଆମ୍ଭମାନଙ୍କୁ ପଠାଇ ଦିଅନ୍ତୁ।”
32ସେ ସେମାନଙ୍କୁ କହିଲେ, “ଯାଅ।” ସେଥିରେ ସେମାନେ ବାହାରି ଘୁଷୁରିମାନଙ୍କ ଭିତରେ ପ୍ରବେଶ କଲେ; ଆଉ ସମସ୍ତ ଘୁଷୁରିପଲ ଗଡ଼ାଣିଆ ସ୍ଥାନରେ ଦୌଡ଼ି ଯାଇ ସମୁଦ୍ରରେ ପଡ଼ି ଜଳ ମଧ୍ୟରେ ମଲେ।
33ସେଥିରେ ଘୁଷୁରିଚରାଳୀମାନେ ପଳାଇ ନଗରକୁ ଯାଇ ସମସ୍ତ ବୃତ୍ତାନ୍ତ, ପୁଣି ସେହି ଭୂତଗ୍ରସ୍ତ ଲୋକମାନଙ୍କ ପ୍ରତି ଯାହା ଯାହା ଘଟିଥିଲା, ସେହିସବୁ ଜଣାଇଲେ। 34ଆଉ ସମଗ୍ର ନଗର ଯୀଶୁଙ୍କ ସଙ୍ଗେ ସାକ୍ଷାତ କରିବା ନିମନ୍ତେ ବାହାରିଆସିଲା; ପୁଣି ତାହାଙ୍କୁ ଦେଖି, ସେମାନେ ସେମାନଙ୍କ ସୀମାରୁ ପ୍ରସ୍ଥାନ କରିବା ନିମନ୍ତେ ତାହାଙ୍କୁ ବିନତି କଲେ।