ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପ୍ରଥମେ ଆପଣାକୁ ବିଚାର କର

ଅନ୍ୟର ଆଖିରୁ କୁଟା କାଢ଼ିବା ପୂର୍ବରୁ ନିଜ ଆଖିରୁ କଡ଼ି ବାହାର କର। ମାଗ, ଆଉ ତାହା ଦିଆଯାଏ। ଶିକ୍ଷକମାନଙ୍କୁ ଫଳ ଦ୍ୱାରା ବିଚାର କର। ତାʼପରେ କଠିନ ମୋଡ଼: ପ୍ରଭୁ, ପ୍ରଭୁ କହିବା ଏବଂ ଏପରିକି ଆଶ୍ଚର୍ଯ୍ୟ କର୍ମ କରିବା, ପିତାଙ୍କ ଇଚ୍ଛା ପାଳନ କରିବା ସହିତ ସମାନ ନୁହେଁ।

ଅଧ୍ୟାୟ 7।

“ବିଚାର କର ନାହିଁ, ଯେପରି ତୁମ୍ଭେମାନେ ବିଚାରିତ ନ ହୁଅ। କାରଣ ଯେଉଁ ବିଚାରରେ ତୁମ୍ଭେମାନେ ବିଚାର କରିବ, ସେହି ବିଚାରରେ ତୁମ୍ଭେମାନେ ବିଚାରିତ ହେବ, ଆଉ ଯେଉଁ ମାପରେ ମାପ ଦେବ, ସେହି ମାପରେ ତୁମ୍ଭମାନଙ୍କ ନିମନ୍ତେ ମପାଯିବ। ଆଉ ତୁମ୍ଭେ ଆପଣା ଭାଇର ଆଖିରେ ଥିବା କୁଟା କାହିଁକି ଦେଖୁଅଛ, କିନ୍ତୁ ଆପଣା ଆଖିରେ ଥିବା କଡ଼ି କାହିଁକି ଲକ୍ଷ୍ୟ କରୁ ନାହଁ? କିମ୍ବା ତୁମ୍ଭ ଆପଣା ଆଖିରେ କଡ଼ି ଥିବା ବେଳେ ତୁମ୍ଭେ ଆପଣା ଭାଇକୁ କିପରି କହି ପାର, ‘ଆସ, ତୁମ୍ଭ ଆଖିରୁ କୁଟା ବାହାର କରିଦିଏ’? ରେ କପଟୀ, ପ୍ରଥମେ ଆପଣା ଆଖିରୁ କଡ଼ି ବାହାର କର; ସେତେବେଳେ ତୁମ୍ଭ ଭାଇର ଆଖିରୁ କୁଟା ବାହାର କରିବା ନିମନ୍ତେ ତୁମ୍ଭେ ସ୍ପଷ୍ଟ ରୂପେ ଦେଖିବ।

“ଯାହା ପବିତ୍ର, ତାହା କୁକୁରମାନଙ୍କୁ ଦିଅ ନାହିଁ, କିମ୍ବା ଘୁଷୁରିମାନଙ୍କ ଆଗରେ ତୁମ୍ଭମାନଙ୍କ ମୁକ୍ତା ପକାଅ ନାହିଁ—ପଛେ ସେମାନେ ସେହିସବୁ ପାଦ ତଳେ ଦଳିପକାଇ ବୁଲିପଡ଼ି ତୁମ୍ଭମାନଙ୍କୁ ବିଦୀର୍ଣ୍ଣ କରିବେ।

ଯେଉଁମାନେ ମାଗନ୍ତି, ସେମାନଙ୍କୁ ପିତା ଦିଅନ୍ତି

“ମାଗ, ତହିଁରେ ତୁମ୍ଭମାନଙ୍କୁ ଦିଆଯିବ; ଅନ୍ଵେଷଣ କର, ତହିଁରେ ତୁମ୍ଭେମାନେ ପାଇବ; ଦ୍ଵାରରେ ଆଘାତ କର, ତହିଁରେ ତୁମ୍ଭମାନଙ୍କ ନିମନ୍ତେ ଫିଟାଇ ଦିଆଯିବ। କାରଣ ଯେକେହି ମାଗେ, ସେ ପାଏ; ଆଉ ଯେ ଅନ୍ଵେଷଣ କରେ, ସେ ପାଏ; ପୁଣି ଯେ ଦ୍ଵାରରେ ଆଘାତ କରେ, ତାହା ପାଇଁ ଫିଟାଇ ଦିଆଯିବ। କିମ୍ବା ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି, ଯାହାର ପୁତ୍ର ତାହାଠାରୁ ରୁଟି ମାଗିଲେ ତାହାକୁ ସେ ପଥର ଦେବ? ଅବା ମାଛ ମାଗିଲେ ତାହାକୁ ସେ ସାପ ଦେବ? ଅତଏବ ତୁମ୍ଭେମାନେ ମନ୍ଦ ହୋଇ ଆପଣା ସନ୍ତାନମାନଙ୍କୁ ଉତ୍ତମ ଦ୍ରବ୍ୟ ଦେବାକୁ ଜାଣ ଯଦି, ତେବେ ତୁମ୍ଭମାନଙ୍କ ସ୍ଵର୍ଗସ୍ଥ ପିତା ଯେଉଁମାନେ ତାହାଙ୍କୁ ମାଗନ୍ତି, ସେମାନଙ୍କୁ କେତେ ଅଧିକ ରୂପେ ଉତ୍ତମ ଦ୍ରବ୍ୟ ଦେବେ!

“ଅତଏବ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯେପରି ବ୍ୟବହାର କରନ୍ତୁ ବୋଲି ତୁମ୍ଭେମାନେ ଇଚ୍ଛା କର, ତୁମ୍ଭେମାନେ ସବୁ ବିଷୟରେ ସେମାନଙ୍କ ପ୍ରତି ସେପରି ବ୍ୟବହାର କର; କାରଣ ଏହା ହିଁ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶିକ୍ଷା।

“ସଙ୍କୀର୍ଣ୍ଣ ଦ୍ଵାର ଦେଇ ପ୍ରବେଶ କର; କାରଣ ବିନାଶକୁ ନେଇଯାଉଥିବା ଦ୍ଵାର ପ୍ରଶସ୍ତ ଓ ବାଟ ଚଉଡ଼ା, ପୁଣି ଅନେକେ ସେହି ଦ୍ଵାର ଦେଇ ପ୍ରବେଶ କରନ୍ତି। କିନ୍ତୁ ଜୀବନକୁ ନେଇଯାଉଥିବା ଦ୍ଵାର ସଙ୍କୀର୍ଣ୍ଣ ଓ ବାଟ ସରୁ, ପୁଣି ଅଳ୍ପ ଲୋକ ତାହା ପାଆନ୍ତି।

ସେମାନଙ୍କ ଫଳ ଦ୍ଵାରା ପରିଚିତ

“ଭଣ୍ଡ ଭାବବାଦୀମାନଙ୍କ ବିଷୟରେ ସାବଧାନ ହୁଅ; ସେମାନେ ମେଷ ବେଶରେ ତୁମ୍ଭମାନଙ୍କ ନିକଟକୁ ଆସନ୍ତି, କିନ୍ତୁ ଅନ୍ତରରେ ହିଂସ୍ର ବାଘ ଅଟନ୍ତି। ସେମାନଙ୍କ ଫଳ ଦ୍ଵାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ। କଣ୍ଟକ ବୁଦାରୁ କି ଅଙ୍ଗୁର, ଅବା ତୃଣ କଣ୍ଟକରୁ କି ଡିମ୍ବିରି ସଂଗ୍ରହ କରାଯାଏ? ସେହିପରି ପ୍ରତ୍ୟେକ ଉତ୍ତମ ବୃକ୍ଷ ଉତ୍ତମ ଫଳ ଫଳେ, କିନ୍ତୁ ମନ୍ଦ ବୃକ୍ଷ ମନ୍ଦ ଫଳ ଫଳେ। ଉତ୍ତମ ବୃକ୍ଷ ମନ୍ଦ ଫଳ ଫଳି ପାରେ ନାହିଁ, କିଅବା ମନ୍ଦ ବୃକ୍ଷ ଉତ୍ତମ ଫଳ ଫଳି ପାରେ ନାହିଁ। ଯେଉଁ ପ୍ରତ୍ୟେକ ବୃକ୍ଷ ଉତ୍ତମ ଫଳ ଫଳେ ନାହିଁ, ତାହା କଟାଯାଇ ନିଆଁରେ ପକାଯାଏ। ଅତଏବ ତୁମ୍ଭେମାନେ ସେମାନଙ୍କ ଫଳ ଦ୍ଵାରା ସେମାନଙ୍କୁ ଚିହ୍ନିବ।

କେବଳ ଯେଉଁମାନେ ପିତାଙ୍କ ଇଚ୍ଛା ସାଧନ କରନ୍ତି

“ମୋତେ ‘ପ୍ରଭୁ, ପ୍ରଭୁ’ ବୋଲି କହୁଥିବା ପ୍ରତ୍ୟେକ ଲୋକ ଆମ୍ଭମାନଙ୍କ ପିତାଙ୍କ ରାଜ୍ୟରେ ପ୍ରବେଶ କରିବ ନାହିଁ, କିନ୍ତୁ ଯେ ମୋହର ସ୍ଵର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ। ସେହି ଦିନ ଅନେକେ ମୋତେ କହିବେ, ‘ପ୍ରଭୁ, ପ୍ରଭୁ, ଆମ୍ଭେମାନେ କି ଆପଣଙ୍କ ନାମରେ ଭାବବାଣୀ କହି ନ ଥିଲୁ, ଆପଣଙ୍କ ନାମରେ ଭୂତ ଛଡ଼ାଇ ନ ଥିଲୁ, ଆପଣଙ୍କ ନାମରେ ଅନେକ ଆଶ୍ଚର୍ଯ୍ୟ କର୍ମ କରି ନ ଥିଲୁ?’ ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ‘ମୁଁ ତୁମ୍ଭମାନଙ୍କୁ କେବେ ହେଁ ଜାଣି ନ ଥିଲି; ରେ ଅଧର୍ମାଚାରୀମାନେ, ମୋʼ ନିକଟରୁ ଦୂର ହୁଅ।’

ପଥର ଉପରେ ଗୃହ ନିର୍ମାଣ କର

“ଅତଏବ ଯେକେହି ମୋହର ଏହିସବୁ ବାକ୍ୟ ଶୁଣି ସେସବୁ ପାଳନ କରେ, ସେ ପଥର ଉପରେ ଆପଣା ଗୃହ ନିର୍ମାଣ କରିଥିବା ବୁଦ୍ଧିମାନ ବ୍ୟକ୍ତି ପରି ହେବ। ବୃଷ୍ଟି ହେଲା, ବନ୍ୟା ଆସିଲା, ବାୟୁ ବହିଲା, ଆଉ ସେହି ଗୃହ ଉପରେ ଧକ୍କା ମାରିଲା, କିନ୍ତୁ ତାହା ପଡ଼ିଲା ନାହିଁ, କାରଣ ତାହା ପଥର ଉପରେ ସ୍ଥାପିତ ହୋଇଥିଲା। ପୁଣି ଯେକେହି ମୋହର ଏହିସବୁ ବାକ୍ୟ ଶୁଣି ସେସବୁ ପାଳନ କରେ ନାହିଁ, ସେ ବାଲି ଉପରେ ଆପଣା ଗୃହ ନିର୍ମାଣ କରିଥିବା ନିର୍ବୋଧ ବ୍ୟକ୍ତି ପରି ହେବ। ବୃଷ୍ଟି ହେଲା, ବନ୍ୟା ଆସିଲା, ବାୟୁ ବହିଲା, ଆଉ ସେହି ଗୃହକୁ ଆଘାତ କଲା, ତହିଁରେ ତାହା ପଡ଼ିଗଲା—ପୁଣି ତାହାର ପତନ ଭୟଙ୍କର ହେଲା।”

ଯୀଶୁ ଏହିସବୁ ବାକ୍ୟ କହିସାରିଲା ଉତ୍ତାରେ ଲୋକସମୂହ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ଵିତ ହେଲେ, କାରଣ ସେ ସେମାନଙ୍କ ଶାସ୍ତ୍ରୀମାନଙ୍କ ପରି ନ ଶିଖାଇ ଅଧିକାରପ୍ରାପ୍ତ ବ୍ୟକ୍ତି ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ।