ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ରାହାବ ଗୁପ୍ତଚରମାନଙ୍କୁ ଆଶ୍ରୟ ଦିଅନ୍ତି

ଦୁଇ ଗୁପ୍ତଚର ଯିରୀହୋର ଜଣେ ବେଶ୍ୟାର ଘରେ ଲୁଚନ୍ତି, ଏବଂ ବୁଦ୍ଧିର କଥା କହୁଥିବା ଜଣ ହେଉଛନ୍ତି ରାହାବ: ଆମର ପିତା ସୂଫ ସାଗରରେ ଯାହା କଲେ ସମଗ୍ର ନଗର ତାହା ଶୁଣିଛି ଏବଂ ପୂର୍ବରୁ ଭୟରେ ତରଳି ଯାଉଛି। ସେ ସେମାନଙ୍କ ଜୀବନ ବଦଳରେ ନିଜ ପରିବାରର ଜୀବନ ମାଗନ୍ତି, ଏବଂ ନିଜ ଝରକାରେ ଲାଲ ରଙ୍ଗର ଦଉଡ଼ି ଝୁଲାନ୍ତି।

ଅଧ୍ୟାୟ 2।

ନୂନର ପୁତ୍ର ଯିହୋଶୂୟ ଶିଟୀମରୁ ଦୁଇ ଜଣ ଲୋକଙ୍କୁ ଗୁପ୍ତଚର ରୂପେ ନିରବରେ ପ୍ରେରଣ କରି କହିଲେ, “ଯାଅ, ଦେଶ, ବିଶେଷ କରି ଯିରୀହୋ ଅନୁସନ୍ଧାନ କର।” ସେଥିରେ ସେମାନେ ଯାଇ ରାହାବ ନାମ୍ନୀ ଜଣେ ବେଶ୍ୟାର ଗୃହରେ ପ୍ରବେଶ କରି ସେଠାରେ ରହିଲେ।

ଯିରୀହୋର ରାଜାଙ୍କୁ କୁହାଗଲା, “ଦେଖନ୍ତୁ, ଦେଶ ଅନୁସନ୍ଧାନ କରିବା ନିମନ୍ତେ ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରୁ କେତେକ ଲୋକ ଆଜି ରାତ୍ରିରେ ଏଠାକୁ ଆସିଅଛନ୍ତି।”

ତହିଁରେ ଯିରୀହୋର ରାଜା ରାହାବ ନିକଟକୁ କହି ପଠାଇଲେ, “ଯେଉଁ ଲୋକମାନେ ତୁମ୍ଭ ନିକଟକୁ ଆସି ତୁମ୍ଭ ଗୃହରେ ପ୍ରବେଶ କରିଅଛନ୍ତି, ସେମାନଙ୍କୁ ବାହାର କରି ଆଣ; କାରଣ ସେମାନେ ସମୁଦାୟ ଦେଶ ଅନୁସନ୍ଧାନ କରିବା ନିମନ୍ତେ ଆସିଅଛନ୍ତି।”

ମାତ୍ର ସେହି ସ୍ତ୍ରୀ ସେହି ଦୁଇ ଜଣଙ୍କୁ ନେଇ ଲୁଚାଇ ରଖିଥିଲା ଓ କହିଲା, “ହଁ, ସେହି ଲୋକମାନେ ମୋʼ ନିକଟକୁ ଆସିଥିଲେ ସତ, କିନ୍ତୁ ସେମାନେ କେଉଁଠାରୁ ଆସିଥିଲେ, ତାହା ମୁଁ ଜାଣି ନ ଥିଲି। ଅନ୍ଧାର ବେଳେ ଦ୍ଵାର ବନ୍ଦ ହେବା ସମୟରେ ସେହି ଲୋକମାନେ ବାହାରିଗଲେ। ସେମାନେ କେଉଁ ଆଡ଼େ ଗଲେ, ତାହା ମୁଁ ଜାଣେ ନାହିଁ। ଶୀଘ୍ର ସେମାନଙ୍କ ପଛେ ଗୋଡ଼ାଅ, କାରଣ ତୁମ୍ଭେମାନେ ସେମାନଙ୍କୁ ଧରିପାରିବ।” ମାତ୍ର ସେ ସେମାନଙ୍କୁ ଛାତ ଉପରକୁ ନେଇ ସେଠାରେ ସଜାଇ ରଖିଥିବା ଶଣଗଛ ମଧ୍ୟରେ ଲୁଚାଇ ରଖିଥିଲା। ତହିଁରେ ସେହି ଲୋକମାନେ ଯର୍ଦ୍ଦନର ପଥ ଦେଇ ଘାଟ ପର୍ଯ୍ୟନ୍ତ ସେମାନଙ୍କ ପଛେ ଗୋଡ଼ାଇଲେ, ଆଉ ଗୋଡ଼ାଉଥିବା ଲୋକମାନେ ବାହାରିଯିବା ମାତ୍ରେ ଦ୍ଵାର ବନ୍ଦ ହୋଇଗଲା।

ଗୁପ୍ତଚରମାନେ ରାତ୍ରିରେ ଶୟନ କରିବା ପୂର୍ବରୁ ରାହାବ ଛାତ ଉପରେ ସେମାନଙ୍କ ନିକଟକୁ ଆସି ସେମାନଙ୍କୁ କହିଲା, “ସଦାପ୍ରଭୁ ଯେ ତୁମ୍ଭମାନଙ୍କୁ ଏହି ଦେଶ ଦେଇଅଛନ୍ତି, ତୁମ୍ଭମାନଙ୍କ ବିଷୟକ ତ୍ରାସ ଯେ ଆମ୍ଭମାନଙ୍କ ଉପରେ ପଡ଼ିଅଛି ଓ ଏହି ଦେଶନିବାସୀ ସମସ୍ତେ ଯେ ତୁମ୍ଭମାନଙ୍କ ସମ୍ମୁଖରେ ତରଳି ଯାଉଅଛନ୍ତି, ତାହା ମୁଁ ଜାଣେ। କାରଣ ତୁମ୍ଭେମାନେ ମିସରରୁ ବାହାରି ଆସିବା ସମୟରେ ସଦାପ୍ରଭୁ କିପରି ତୁମ୍ଭମାନଙ୍କ ସମ୍ମୁଖରେ ସୂଫ ସାଗରର ଜଳ ଶୁଷ୍କ କଲେ, ପୁଣି ତୁମ୍ଭେମାନେ ଯର୍ଦ୍ଦନର ପୂର୍ବ ପାରିସ୍ଥିତ ଯେଉଁ ଦୁଇ ଇମୋରୀୟ ରାଜା ସୀହୋନ ଓ ଓଗଙ୍କୁ ସମ୍ପୂର୍ଣ୍ଣ ବିନାଶ କଲ, ସେମାନଙ୍କ ପ୍ରତି ଯାହା କଲ, ତାହା ଆମ୍ଭେମାନେ ଶୁଣିଅଛୁ। ଏହା ଶୁଣିବା ମାତ୍ରେ ଆମ୍ଭମାନଙ୍କ ହୃଦୟ ତରଳିଗଲା ଓ ତୁମ୍ଭମାନଙ୍କ ସକାଶୁ କାହାରିଠାରେ ଆଉ ସାହସ ରହିଲା ନାହିଁ; କାରଣ ତୁମ୍ଭମାନଙ୍କ ଈଶ୍ଵର ସଦାପ୍ରଭୁ ଉପରିସ୍ଥ ସ୍ଵର୍ଗରେ ଓ ତଳସ୍ଥ ପୃଥିବୀରେ ଈଶ୍ଵର ଅଟନ୍ତି। ଏଣୁ ବିନୟ କରୁଅଛି, ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ମୋʼ ନିକଟରେ ଶପଥ କର, ମୁଁ ତୁମ୍ଭମାନଙ୍କ ପ୍ରତି ଦୟା କରିଅଛି, ତୁମ୍ଭେମାନେ ମଧ୍ୟ ମୋʼ ପିତୃଗୃହ ପ୍ରତି ଦୟା କରିବ ଓ ମୋତେ ଏକ ବିଶ୍ଵାସଯୋଗ୍ୟ ଚିହ୍ନ ଦେବ, ପୁଣି ମୋʼ ପିତା, ମାତା, ଭ୍ରାତା, ଭଗିନୀ ଓ ସେମାନଙ୍କ ସମସ୍ତ ସମ୍ପର୍କୀୟ ଲୋକଙ୍କ ପ୍ରାଣ ରକ୍ଷା କରିବ ଓ ମୃତ୍ୟୁରୁ ଆମ୍ଭମାନଙ୍କୁ ଉଦ୍ଧାର କରିବ।”

ତହିଁରେ ସେହି ଲୋକମାନେ ତାହାକୁ କହିଲେ, “ତୁମ୍ଭମାନଙ୍କ ବଦଳେ ଆମ୍ଭମାନଙ୍କ ପ୍ରାଣ ଯାଉ! ଯଦି ତୁମ୍ଭେ ଆମ୍ଭମାନଙ୍କ ଏହି କାର୍ଯ୍ୟ ପ୍ରକାଶ ନ କର, ତେବେ ଆମ୍ଭମାନଙ୍କ ପିତା ଆମ୍ଭମାନଙ୍କୁ ଏହି ଦେଶ ଦେବା ସମୟରେ ଆମ୍ଭେମାନେ ତୁମ୍ଭ ପ୍ରତି ଦୟା ଓ ବିଶ୍ଵସ୍ତତା ପ୍ରକାଶ କରିବୁ।”

ତହୁଁ ସେ ଝରକା ଦେଇ ରଜ୍ଜୁ ସାହାଯ୍ୟରେ ସେମାନଙ୍କୁ ତଳକୁ ଓହ୍ଲାଇ ଦେଲା; କାରଣ ତାହାର ଗୃହ ନଗର-ପ୍ରାଚୀରରେ ଥିଲା ଓ ସେ ପ୍ରାଚୀରରେ ବାସ କରୁଥିଲା। ଆଉ ସେ ସେମାନଙ୍କୁ କହିଲା, “ଗୋଡ଼ାଉଥିବା ଲୋକମାନେ ଯେପରି ତୁମ୍ଭମାନଙ୍କ ସଙ୍ଗେ ସାକ୍ଷାତ ନ କରନ୍ତି, ଏଥିପାଇଁ ପର୍ବତକୁ ଯାଅ, ପୁଣି ଗୋଡ଼ାଉଥିବା ଲୋକମାନେ ଫେରିବା ପର୍ଯ୍ୟନ୍ତ ତିନି ଦିନ ସେଠାରେ ଲୁଚି ରୁହ, ତହିଁ ଉତ୍ତାରେ ଆପଣା ପଥରେ ଯାଅ।”

ତେବେ ସେହି ଲୋକମାନେ ତାହାକୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଶପଥ କରାଇଅଛ, ତହିଁରୁ ଆମ୍ଭେମାନେ ମୁକ୍ତ ହେବୁ; ଦେଖ, ଆମ୍ଭେମାନେ ଏହି ଦେଶରେ ପ୍ରବେଶ କରିବା ସମୟରେ ଯେଉଁ ଝରକା ଦେଇ ତୁମ୍ଭେ ଆମ୍ଭମାନଙ୍କୁ ଓହ୍ଲାଇ ଦେଲ, ତହିଁରେ ତୁମ୍ଭେ ଏହି ସିନ୍ଦୂରବର୍ଣ୍ଣ ରଜ୍ଜୁ ବାନ୍ଧିବ, ପୁଣି ତୁମ୍ଭ ପିତା, ମାତା, ଭ୍ରାତୃଗଣ ଓ ତୁମ୍ଭ ପିତୃଗୃହର ସମସ୍ତଙ୍କୁ ଗୃହ ମଧ୍ୟରେ ଆପଣା ନିକଟରେ ଏକତ୍ର କରିବ। ଯେକେହି ତୁମ୍ଭ ଗୃହଦ୍ଵାର ବାହାରି ବାଟକୁ ଯିବ, ତାହାର ରକ୍ତ ତାହାର ନିଜ ମସ୍ତକରେ ବର୍ତ୍ତିବ, ଆମ୍ଭେମାନେ ନିର୍ଦ୍ଦୋଷ ହେବୁ; ମାତ୍ର ତୁମ୍ଭ ସଙ୍ଗେ ଗୃହ ମଧ୍ୟରେ ଥିବା କାହାରି ଉପରେ ଯଦି କାହାରି ହସ୍ତ ପଡ଼େ, ତେବେ ତାହାର ରକ୍ତ ଆମ୍ଭମାନଙ୍କ ମସ୍ତକରେ ବର୍ତ୍ତିବ। ଆଉ ଯଦି ତୁମ୍ଭେ ଆମ୍ଭମାନଙ୍କ ଏହି କାର୍ଯ୍ୟ ପ୍ରକାଶ କର, ତେବେ ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଶପଥ କରାଇଅଛ, ତହିଁରୁ ଆମ୍ଭେମାନେ ମୁକ୍ତ ହେବୁ।”

ତହିଁରେ ସେ କହିଲା, “ତୁମ୍ଭମାନଙ୍କ ବାକ୍ୟାନୁସାରେ ହେଉ।” ଏଥିଉତ୍ତାରେ ସେ ସେମାନଙ୍କୁ ବିଦାୟ କଲା, ତହିଁରେ ସେମାନେ ପ୍ରସ୍ଥାନ କଲେ; ଆଉ ସେ ଝରକାରେ ସେହି ସିନ୍ଦୂରବର୍ଣ୍ଣ ରଜ୍ଜୁ ବାନ୍ଧିଲା।

ତହୁଁ ସେମାନେ ପ୍ରସ୍ଥାନ କରି ପର୍ବତକୁ ଯାଇ ଗୋଡ଼ାଉଥିବା ଲୋକମାନେ ଫେରିବା ପର୍ଯ୍ୟନ୍ତ ତିନି ଦିନ ସେଠାରେ ରହିଲେ; ଆଉ ଗୋଡ଼ାଉଥିବା ଲୋକମାନେ ସମୁଦାୟ ପଥରେ ସେମାନଙ୍କୁ ଖୋଜିଲେ, ମାତ୍ର ପାଇଲେ ନାହିଁ। ତହିଁ ଉତ୍ତାରେ ସେହି ଦୁଇ ଜଣ ଫେରି ପର୍ବତରୁ ଓହ୍ଲାଇ ପାର ହୋଇ ନୂନର ପୁତ୍ର ଯିହୋଶୂୟଙ୍କ ନିକଟରେ ଉପସ୍ଥିତ ହୋଇ ସେମାନଙ୍କ ପ୍ରତି ଯାହା ଯାହା ଘଟିଥିଲା, ସେହିସବୁ ତାହାଙ୍କୁ ଜଣାଇଲେ। ପୁଣି ସେମାନେ ଯିହୋଶୂୟଙ୍କୁ କହିଲେ, “ଆମ୍ଭମାନଙ୍କ ପିତା ନିଶ୍ଚୟ ସମୁଦାୟ ଦେଶ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି; ଆହୁରି, ସେହି ଦେଶନିବାସୀ ସମସ୍ତେ ଆମ୍ଭମାନଙ୍କ ସମ୍ମୁଖରେ ଭୟରେ ତରଳି ଯାଉଅଛନ୍ତି।”