ଦ୍ରାକ୍ଷାଲତା ଓ ଉଦ୍ୟାନପାଳକ
ସେ ହିଁ ଦ୍ରାକ୍ଷାଲତା, ତାହାଙ୍କ ପିତା ମାଳୀ, ଏବଂ ଫଳ କେବଳ ତାହାଙ୍କ ସହ ଯୁକ୍ତ ହୋଇ ରହିଲେ ହିଁ ଆସେ। ସେ ସେମାନଙ୍କୁ ଦାସ ନୁହେଁ, ବନ୍ଧୁ ବୋଲି କହନ୍ତି ଏବଂ ନିଜ ପିତାଙ୍କଠାରୁ ଯାହା ସବୁ ଶୁଣିଛନ୍ତି ତାହା ସେମାନଙ୍କୁ ଜଣାନ୍ତି। ତାʼପରେ ଚେତାବନୀ: ଯେଉଁ ଜଗତ ତାହାଙ୍କୁ ଘୃଣା କଲା, ତାହା ସେମାନଙ୍କୁ ମଧ୍ୟ ଘୃଣା କରିବ।
15 1“ମୁଁ ସତ୍ୟ ଦ୍ରାକ୍ଷାଲତା, ପୁଣି ମୋହର ପିତା ଉଦ୍ୟାନପାଳକ ଅଟନ୍ତି। 2ମୋʼଠାରେ ଥିବା ଯେଉଁ ଶାଖା ଫଳ ନ ଫଳେ, ତାହାକୁ ସେ କାଟି ପକାନ୍ତି; ପୁଣି ଯେଉଁ ଶାଖା ଫଳ ଫଳେ, ତାହା ଅଧିକ ଫଳ ଫଳିବା ନିମନ୍ତେ ତାହାକୁ ସେ ପରିଷ୍କାର କରନ୍ତି। 3ମୁଁ ତୁମ୍ଭମାନଙ୍କୁ ଯେଉଁ ବାକ୍ୟ କହିଅଛି, ସେଥିସକାଶେ ତୁମ୍ଭେମାନେ ବର୍ତ୍ତମାନ ଶୁଚି ଅଟ। 4ମୋʼଠାରେ ରୁହ, ଆଉ ମୁଁ ତୁମ୍ଭମାନଙ୍କଠାରେ ରହିବି। ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ଆପେ ଫଳ ଫଳି ପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ମୋʼଠାରେ ନ ରହିଲେ ଫଳ ଫଳି ପାର ନାହିଁ। 5ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା। ଯେ ମୋʼଠାରେ ରହେ ଓ ମୁଁ ଯାହାଠାରେ ରହେ, ସେ ବହୁତ ଫଳ ଫଳେ; କାରଣ ମୋʼଠାରୁ ପୃଥକ୍ ହୋଇ ତୁମ୍ଭେମାନେ କିଛି କରି ପାର ନାହିଁ। 6ଯେ ମୋʼଠାରେ ନ ରହେ, ସେ ଶାଖା ପରି ବାହାରେ ପକାଯାଇ ଶୁଖିଯାଏ; ପୁଣି ଲୋକେ ଶାଖାସବୁ ସଂଗ୍ରହ କରି ନିଆଁରେ ପକାଇ ଦିଅନ୍ତି, ଆଉ ତାହା ଜଳିଯାଏ। 7ଯଦି ତୁମ୍ଭେମାନେ ମୋʼଠାରେ ରୁହ ଓ ମୋହର ବାକ୍ୟ ତୁମ୍ଭମାନଙ୍କଠାରେ ରହେ, ତେବେ ଯାହା ଇଚ୍ଛା କର, ତାହା ମାଗ, ଆଉ ତାହା ତୁମ୍ଭମାନଙ୍କ ନିମନ୍ତେ ହେବ। 8ଏଥିରେ ମୋହର ପିତା ମହିମାନ୍ଵିତ ହୁଅନ୍ତି, ଯେପରି ତୁମ୍ଭେମାନେ ବହୁତ ଫଳ ଫଳିବ ଓ ମୋହର ଶିଷ୍ୟ ବୋଲି ପ୍ରମାଣିତ ହେବ।
9“ପିତା ଯେପରି ମୋତେ ପ୍ରେମ କରିଅଛନ୍ତି, ମୁଁ ମଧ୍ୟ ସେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି। ମୋହର ପ୍ରେମରେ ରୁହ। 10ମୁଁ ଯେପରି ମୋହର ପିତାଙ୍କ ଆଜ୍ଞା ପାଳନ କରିଅଛି ଓ ତାହାଙ୍କ ପ୍ରେମରେ ରହିଅଛି, ସେପରି ଯଦି ତୁମ୍ଭେମାନେ ମୋହର ଆଜ୍ଞା ପାଳନ କର, ତେବେ ତୁମ୍ଭେମାନେ ମୋହର ପ୍ରେମରେ ରହିବ। 11ମୋହର ଆନନ୍ଦ ଯେପରି ତୁମ୍ଭମାନଙ୍କଠାରେ ଥାଏ ଓ ତୁମ୍ଭମାନଙ୍କ ଆନନ୍ଦ ଯେପରି ସମ୍ପୂର୍ଣ୍ଣ ହୁଏ, ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ଏହିସବୁ କଥା କହିଅଛି।
12“ମୋହର ଆଜ୍ଞା ଏହି, ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ସେପରି ତୁମ୍ଭେମାନେ ପରସ୍ପରକୁ ପ୍ରେମ କର। 13ଆପଣା ବନ୍ଧୁମାନଙ୍କ ନିମନ୍ତେ ପ୍ରାଣ ଦେବା, ଏହାଠାରୁ ଅଧିକ ପ୍ରେମ କାହାର ନାହିଁ। 14ମୁଁ ତୁମ୍ଭମାନଙ୍କୁ ଯାହା ଆଜ୍ଞା ଦେଉଅଛି, ତାହା ଯଦି କର, ତେବେ ତୁମ୍ଭେମାନେ ମୋହର ବନ୍ଧୁ ଅଟ। 15ମୁଁ ତୁମ୍ଭମାନଙ୍କୁ ଆଉ ଦାସ ବୋଲି କହୁ ନାହିଁ, କାରଣ ପ୍ରଭୁ କʼଣ କରନ୍ତି, ତାହା ଦାସ ଜାଣେ ନାହିଁ; ମାତ୍ର ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହିଅଛି, କାରଣ ମୋହର ପିତାଙ୍କଠାରୁ ଯାହା ଯାହା ଶୁଣିଅଛି, ସେସମସ୍ତ ତୁମ୍ଭମାନଙ୍କୁ ଜଣାଇଅଛି। a a v15 ଯୀଶୁ ଆପଣା ପିତାଙ୍କଠାରୁ ଯାହା ଶୁଣିଅଛନ୍ତି, ସେସମସ୍ତ ସହଭାଗ କରି ଶିଷ୍ୟମାନଙ୍କୁ ଦାସରୁ ବନ୍ଧୁ ସ୍ଥାନକୁ ଆଣନ୍ତି — ଏହା ପ୍ରତ୍ୟେକ ପାଠକ ନିମନ୍ତେ ପିତାଙ୍କ ହୃଦୟର ଲକ୍ଷ୍ୟ, ପୁତ୍ରଙ୍କ ଦ୍ଵାରା ବନ୍ଧୁତା। 16ତୁମ୍ଭେମାନେ ମୋତେ ମନୋନୀତ କରି ନାହଁ, ମାତ୍ର ମୁଁ ତୁମ୍ଭମାନଙ୍କୁ ମନୋନୀତ କରିଅଛି, ପୁଣି ତୁମ୍ଭେମାନେ ଯାଇ ଫଳ ଫଳିବ ଓ ତୁମ୍ଭମାନଙ୍କ ଫଳ ସ୍ଥାୟୀ ହେବ, ଏଥିପାଇଁ ତୁମ୍ଭମାନଙ୍କୁ ନିଯୁକ୍ତ କରିଅଛି; ତେଣୁ ତୁମ୍ଭେମାନେ ମୋʼ ନାମରେ ପିତାଙ୍କଠାରୁ ଯାହା କିଛି ମାଗିବ, ତାହା ସେ ତୁମ୍ଭମାନଙ୍କୁ ଦେବେ। 17ତୁମ୍ଭେମାନେ ପରସ୍ପରକୁ ପ୍ରେମ କର, ଏହା ତୁମ୍ଭମାନଙ୍କ ପ୍ରତି ମୋହର ଆଜ୍ଞା।
ଯେତେବେଳେ ଜଗତ ତୁମ୍ଭମାନଙ୍କୁ ଘୃଣା କରେ
18“ଜଗତ ଯଦି ତୁମ୍ଭମାନଙ୍କୁ ଘୃଣା କରେ, ତେବେ ତାହା ତୁମ୍ଭମାନଙ୍କ ପୂର୍ବରୁ ମୋତେ ଘୃଣା କରିଅଛି ବୋଲି ଜାଣ। 19ଯଦି ତୁମ୍ଭେମାନେ ଜଗତର ହୋଇଥାଆନ୍ତ, ତେବେ ଜଗତ ଆପଣାର ବୋଲି ତୁମ୍ଭମାନଙ୍କୁ ପ୍ରେମ କରିଥାଆନ୍ତା। କିନ୍ତୁ ତୁମ୍ଭେମାନେ ଜଗତର ନୁହଁ, ବରଂ ମୁଁ ତୁମ୍ଭମାନଙ୍କୁ ଜଗତ ମଧ୍ୟରୁ ମନୋନୀତ କରିଅଛି, ଏଥିପାଇଁ ଜଗତ ତୁମ୍ଭମାନଙ୍କୁ ଘୃଣା କରେ। 20ଦାସ ଆପଣା ପ୍ରଭୁଙ୍କଠାରୁ ଶ୍ରେଷ୍ଠ ନୁହେଁ ବୋଲି ମୁଁ ତୁମ୍ଭମାନଙ୍କୁ ଯାହା କହିଥିଲି, ତାହା ସ୍ମରଣ କର। ସେମାନେ ଯଦି ମୋତେ ତାଡ଼ନା କଲେ, ତେବେ ତୁମ୍ଭମାନଙ୍କୁ ମଧ୍ୟ ତାଡ଼ନା କରିବେ; ସେମାନେ ଯଦି ମୋହର ବାକ୍ୟ ପାଳନ କଲେ, ତେବେ ତୁମ୍ଭମାନଙ୍କ ବାକ୍ୟ ମଧ୍ୟ ପାଳନ କରିବେ। 21କିନ୍ତୁ ସେମାନେ ମୋʼ ନାମ ସକାଶେ ତୁମ୍ଭମାନଙ୍କ ପ୍ରତି ଏହିସବୁ କରିବେ, କାରଣ ଯେ ମୋତେ ପ୍ରେରଣ କରିଅଛନ୍ତି, ତାହାଙ୍କୁ ସେମାନେ ଜାଣନ୍ତି ନାହିଁ। 22ଯଦି ମୁଁ ଆସି ସେମାନଙ୍କୁ କହି ନ ଥାଆନ୍ତି, ତେବେ ସେମାନଙ୍କର ପାପ ନ ଥାଆନ୍ତା; ମାତ୍ର ବର୍ତ୍ତମାନ ସେମାନଙ୍କ ପାପ ବିଷୟରେ ସେମାନଙ୍କର କୌଣସି ଅଛୁଆଣ ନାହିଁ। 23ଯେ ମୋତେ ଘୃଣା କରେ, ସେ ମୋହର ପିତାଙ୍କୁ ମଧ୍ୟ ଘୃଣା କରେ। 24ଅନ୍ୟ କେହି ଯେଉଁସବୁ କର୍ମ କରି ନାହିଁ, ସେହିସବୁ କର୍ମ ଯଦି ମୁଁ ସେମାନଙ୍କ ମଧ୍ୟରେ କରି ନ ଥାଆନ୍ତି, ତେବେ ସେମାନଙ୍କର ପାପ ନ ଥାଆନ୍ତା। କିନ୍ତୁ ବର୍ତ୍ତମାନ ସେମାନେ ମୋତେ ଓ ମୋହର ପିତା ଉଭୟଙ୍କୁ ଦେଖିଅଛନ୍ତି ଓ ଘୃଣା କରିଅଛନ୍ତି। 25ମାତ୍ର, ‘ସେମାନେ ଅକାରଣରେ ମୋତେ ଘୃଣା କଲେ,’ ସେମାନଙ୍କ ବ୍ୟବସ୍ଥାରେ ଲିଖିତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିପାଇଁ ଏହା ଘଟିଲା।
26“ପିତାଙ୍କଠାରୁ ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁ ସାହାଯ୍ୟକାରୀଙ୍କୁ ପ୍ରେରଣ କରିବି, ସେହି ପିତାଙ୍କଠାରୁ ନିର୍ଗତ ସତ୍ୟମୟ ଆତ୍ମା ଆସିଲେ, ସେ ମୋʼ ବିଷୟରେ ସାକ୍ଷ୍ୟ ଦେବେ। b b v26 ଯୀଶୁ ଯେଉଁ ସାହାଯ୍ୟକାରୀଙ୍କ ପ୍ରତିଜ୍ଞା କରନ୍ତି, ସେ ହେଉଛନ୍ତି ପବିତ୍ର ଆତ୍ମା — ଯୀଶୁଙ୍କ ଦ୍ଵାରା ପିତାଙ୍କଠାରୁ ପ୍ରେରିତ, ଏଠାରେ “ସତ୍ୟମୟ ଆତ୍ମା” ବୋଲି ନାମିତ, କାରଣ ଯୀଶୁ ଯାହା ପ୍ରକାଶ କରିଅଛନ୍ତି, ସେସମସ୍ତ ମଧ୍ୟକୁ ସେ ଶିଷ୍ୟମାନଙ୍କୁ କଢ଼ାଇ ନିଅନ୍ତି।
27“ଆଉ ତୁମ୍ଭେମାନେ ମଧ୍ୟ ସାକ୍ଷ୍ୟ ଦେବ, କାରଣ ତୁମ୍ଭେମାନେ ଆରମ୍ଭରୁ ମୋʼ ସହିତ ରହିଅଛ।”