ଜଣେ ଆନନ୍ଦିତ ଦାତା
ପାଉଲ ମାକିଦନିଆ ଆଗରେ ଆଗରୁ ଗର୍ବ କରିସାରିଛନ୍ତି ଯେ ଆଖାୟା ପ୍ରସ୍ତୁତ, ତେଣୁ ସେ କିଛି ଲୋକଙ୍କୁ ଆଗୁଆ ପଠାନ୍ତି। ସେ ଚାହାଁନ୍ତି ଦାନ ଇଚ୍ଛାରେ ଦିଆଯାଉ, ଚାପରେ କେବେ ଚିପି ବାହାର କରାଯାଉ ନାହିଁ, କାରଣ ଆମ ପିତା ଆନନ୍ଦରେ ଦେଉଥିବା ଲୋକକୁ ଭଲ ପାଆନ୍ତି, ଏବଂ ଏହି ଟଙ୍କା ସେହି ଲୋକମାନଙ୍କ ମଧ୍ୟରେ ଧନ୍ୟବାଦରେ ପରିଣତ ହୁଏ ଯେଉଁମାନଙ୍କୁ କରିନ୍ଥୀୟମାନେ କେବେ ଭେଟିବେ ନାହିଁ।
9 1ପବିତ୍ର ଲୋକମାନଙ୍କ ସେବା ବିଷୟରେ ତୁମ୍ଭମାନଙ୍କ ନିକଟକୁ ଲେଖିବା ମୋହର ଆବଶ୍ୟକ ନାହିଁ, 2କାରଣ ତୁମ୍ଭମାନଙ୍କ ଆଗ୍ରହ ମୁଁ ଜାଣେ, ଆଉ ଆଖାୟା ଗତ ବର୍ଷଠାରୁ ପ୍ରସ୍ତୁତ ହୋଇ ରହିଅଛି ବୋଲି ମୁଁ ମାକିଦନିଆର ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କ ବିଷୟରେ ଦର୍ପ କରିଥାଏ, ପୁଣି ତୁମ୍ଭମାନଙ୍କ ଉଦ୍ଯୋଗ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଉତ୍ସାହିତ କରିଅଛି। 3ଅତଏବ ମୁଁ ଭାଇମାନଙ୍କୁ ପ୍ରେରଣ କରୁଅଛି, ଯେପରି ଏହି ବିଷୟରେ ତୁମ୍ଭମାନଙ୍କ ସମ୍ବନ୍ଧରେ ଆମ୍ଭମାନଙ୍କ ଦର୍ପ ବ୍ୟର୍ଥ ନ ହୁଏ, ବରଂ ମୁଁ ଯେପରି କହିଥିଲି, ତୁମ୍ଭେମାନେ ସେପରି ପ୍ରସ୍ତୁତ ଥାଅ। 4ନୋହିଲେ ଯଦି ମାକିଦନିଆର ଲୋକମାନେ ମୋʼ ସହିତ ଆସି ତୁମ୍ଭମାନଙ୍କୁ ଅପ୍ରସ୍ତୁତ ଦେଖନ୍ତି, ତେବେ ଏପରି ଦୃଢ଼ ବିଶ୍ଵାସ ନିମନ୍ତେ ତୁମ୍ଭମାନଙ୍କ କଥା ତ ଦୂରେ ଥାଉ, ଆମ୍ଭେମାନେ ହିଁ ଲଜ୍ଜିତ ହେବୁ। 5ଏଣୁ ଭାଇମାନେ ଯେପରି ତୁମ୍ଭମାନଙ୍କ ନିକଟକୁ ଅଗ୍ରସର ହୋଇ ଯାଆନ୍ତି ଓ ତୁମ୍ଭେମାନେ ପ୍ରତିଜ୍ଞା କରିଥିବା ଉଦାର ଦାନ ଆଗରୁ ପ୍ରସ୍ତୁତ କରନ୍ତି, ଏଥିପାଇଁ ସେମାନଙ୍କୁ ଅନୁରୋଧ କରିବା ମୁଁ ଆବଶ୍ୟକ ବୋଲି ବିବେଚନା କଲି, ଯେପରି ତାହା ଅନିଚ୍ଛାରେ ଦତ୍ତ ବସ୍ତୁ ସ୍ଵରୂପ ନ ହୋଇ ସ୍ଵେଚ୍ଛାଦତ୍ତ ଦାନ ସ୍ଵରୂପେ ପ୍ରସ୍ତୁତ ଥାଏ।
6ଏହା ସ୍ମରଣ କର: ଯେ ଅଳ୍ପ ବୀଜ ବୁଣେ, ସେ ମଧ୍ୟ ଅଳ୍ପ ଶସ୍ୟ କାଟିବ, ଆଉ ଯେ ପ୍ରଚୁର ବୀଜ ବୁଣେ, ସେ ମଧ୍ୟ ପ୍ରଚୁର ଶସ୍ୟ କାଟିବ। 7ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସ୍ଥିର କରିଅଛି, ସେପରି ଦାନ କରୁ, ଅନିଚ୍ଛାରେ କିମ୍ବା ବାଧ୍ୟ ହୋଇ ନୁହେଁ, କାରଣ ଆମ୍ଭମାନଙ୍କ ପିତା ଆନନ୍ଦିତ ଦାତାଙ୍କୁ ପ୍ରେମ କରନ୍ତି। 8ଆମ୍ଭମାନଙ୍କ ପିତା ସମସ୍ତ ଅନୁଗ୍ରହ ତୁମ୍ଭମାନଙ୍କ ପ୍ରତି ଉପଚିତ କରିବାକୁ ସମର୍ଥ, ଯେପରି ତୁମ୍ଭେମାନେ ସର୍ବଦା ସମସ୍ତ ବିଷୟରେ ଆପଣାମାନଙ୍କ ସମସ୍ତ ପ୍ରୟୋଜନ ପ୍ରାପ୍ତ ହୋଇ ପ୍ରତ୍ୟେକ ସତ୍କର୍ମରେ ଉଛୁଳି ଉଠ। 9ଯେପରି ଲେଖା ଅଛି: “ସେ ବିସ୍ତାର କରି ଦରିଦ୍ରମାନଙ୍କୁ ଦାନ କରିଅଛନ୍ତି; ତାହାଙ୍କ ଧାର୍ମିକତା ଅନନ୍ତକାଳ ସ୍ଥାୟୀ।”
10ଯେ ବୁଣାଳିକୁ ବୀଜ ଓ ଖାଇବା ନିମନ୍ତେ ଆହାର ଯୋଗାଇ ଦିଅନ୍ତି, ସେ ତୁମ୍ଭମାନଙ୍କ ବୀଜ ଯୋଗାଇ ଦେଇ ବହୁଗୁଣିତ କରିବେ, ଆଉ ତୁମ୍ଭମାନଙ୍କ ଧାର୍ମିକତାର ଶସ୍ୟ ବୃଦ୍ଧି କରିବେ। 11ତୁମ୍ଭେମାନେ ସମସ୍ତ ବିଷୟରେ ଧନବାନ ହେବ, ଯେପରି ସମ୍ପୂର୍ଣ୍ଣ ଉଦାରତା ପ୍ରକାଶ ପାଏ, ଆଉ ତାହା ଆମ୍ଭମାନଙ୍କ ଦ୍ଵାରା ଆମ୍ଭମାନଙ୍କ ପିତାଙ୍କ ପ୍ରତି ଧନ୍ୟବାଦ ଉତ୍ପନ୍ନ କରେ। 12କାରଣ ତୁମ୍ଭେମାନେ ଏହି ଯେଉଁ ସେବା କରୁଅଛ, ତାହା କେବଳ ପବିତ୍ର ଲୋକମାନଙ୍କ ଅଭାବ ପୂରଣ କରେ ତାହା ନୁହେଁ, ବରଂ ଆମ୍ଭମାନଙ୍କ ପିତାଙ୍କ ପ୍ରତି ଅନେକ ଧନ୍ୟବାଦରେ ଉଛୁଳି ଉଠେ। 13ଏହି ସେବା ଦ୍ଵାରା ପ୍ରମାଣିତ ହୋଇ, ଖ୍ରୀଷ୍ଟଙ୍କ ସୁସମାଚାର ସ୍ଵୀକାର କରିବାରେ ତୁମ୍ଭମାନଙ୍କ ବଶ୍ୟତା ନିମନ୍ତେ, ପୁଣି ସେମାନଙ୍କ ସହିତ ଓ ସମସ୍ତଙ୍କ ସହିତ ତୁମ୍ଭମାନଙ୍କ ଉଦାର ଅଂଶଦାନ ନିମନ୍ତେ, ଅନ୍ୟମାନେ ଆମ୍ଭମାନଙ୍କ ପିତାଙ୍କ ପ୍ରଶଂସା କରିବେ। 14ଆଉ ଆମ୍ଭମାନଙ୍କ ପିତା ତୁମ୍ଭମାନଙ୍କୁ ଦେଇଥିବା ଅତ୍ୟଧିକ ଅନୁଗ୍ରହ ସକାଶୁ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁ କରୁ ସେମାନେ ତୁମ୍ଭମାନଙ୍କ ପାଇଁ ଉତ୍କଣ୍ଠିତ ହେବେ। 15ଆମ୍ଭମାନଙ୍କ ପିତାଙ୍କ ଅବର୍ଣ୍ଣନୀୟ ଦାନ ନିମନ୍ତେ ତାହାଙ୍କର ଧନ୍ୟବାଦ ହେଉ!