ସାତ ଥର ପରିଷ୍କୃତ ରୂପା
ପ୍ରଧାନ ବାଦ୍ୟକରଙ୍କ ନିମନ୍ତେ। ଶିମିନୀତ୍ ସ୍ଵରରେ। ଦାଉଦଙ୍କ ଗୀତ।
ବିଶ୍ୱସ୍ତମାନେ ଲୋପ ପାଇଛନ୍ତି ଓ ସମସ୍ତେ ଦ୍ୱିଧା ହୃଦୟରେ ଚାଟୁକାରିତା କରନ୍ତି। ଗୀତରଚକ ଗର୍ବୀ ଜିହ୍ୱାସବୁ କାଟି ପକାଇବାକୁ ନିବେଦନ କରନ୍ତି, ଏବଂ ଉତ୍ତର ପାଆନ୍ତି: ଦୀନହୀନମାନେ ଆର୍ତ୍ତନାଦ କରୁଥିବାରୁ ଆମ ପିତା କହନ୍ତି ଯେ ସେ ଉଠିବେ। ତାଙ୍କ ବାକ୍ୟ ସାତଥର ପରିଷ୍କୃତ ରୂପା।
12 1ହେ ଆମ୍ଭମାନଙ୍କ ପିତା, ସାହାଯ୍ୟ କର, କାରଣ ବିଶ୍ଵସ୍ତ ଲୋକେ ଲୋପ ପାଇଅଛନ୍ତି; ମନୁଷ୍ୟସନ୍ତାନମାନଙ୍କ ମଧ୍ୟରୁ ଭକ୍ତମାନେ ଅନ୍ତର୍ହିତ ହୋଇଅଛନ୍ତି। 2ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀ ନିକଟରେ ମିଥ୍ୟା କହେ; ଚାଟୁବାକ୍ୟରେ ଓ ଦ୍ଵିଧା ଅନ୍ତଃକରଣରେ ସେମାନେ କଥା କହନ୍ତି। 3ଆମ୍ଭମାନଙ୍କ ପିତା ସମସ୍ତ ଚାଟୁବାକ୍ୟକାରୀ ଓଷ୍ଠ ଓ ଦର୍ପବାକ୍ୟବାଦୀ ପ୍ରତ୍ୟେକ ଜିହ୍ଵାକୁ ଉଚ୍ଛିନ୍ନ କରନ୍ତୁ, 4ଯେଉଁମାନେ କହନ୍ତି, “ଆମ୍ଭେମାନେ ଆପଣା ଜିହ୍ଵା ଦ୍ଵାରା ଜୟୀ ହେବୁ; ଆମ୍ଭମାନଙ୍କ ଓଷ୍ଠ ଆମ୍ଭମାନଙ୍କ ନିଜର—ଆମ୍ଭମାନଙ୍କ ପ୍ରଭୁ କିଏ?”
5“ଦୀନହୀନମାନେ ଲୁଣ୍ଠିତ ହେବାରୁ, ଦରିଦ୍ରମାନେ କାତରୋକ୍ତି କରିବାରୁ, ଆମ୍ଭେ ଏବେ ଉଠିବା,” ବୋଲି ଆମ୍ଭମାନଙ୍କ ପିତା କହନ୍ତି। “ଯେ ଇହା ଆକାଂକ୍ଷା କରେ, ତାହାକୁ ଆମ୍ଭେ ନିରାପଦରେ ରଖିବା।”
6ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ବିଶୁଦ୍ଧ ବାକ୍ୟ, ମୃତ୍ତିକାର ଉହ୍ମାଇରେ ତରଳାଯାଇ ସାତ ଥର ପରିଷ୍କୃତ ରୂପା। 7ହେ ଆମ୍ଭମାନଙ୍କ ପିତା, ତୁମ୍ଭେ ଦରିଦ୍ରମାନଙ୍କୁ ନିରାପଦରେ ରଖିବ; ତୁମ୍ଭେ ଏହି ବଂଶଠାରୁ ଆମ୍ଭମାନଙ୍କୁ ଅନନ୍ତକାଳ ରକ୍ଷା କରିବ। 8ମନୁଷ୍ୟସନ୍ତାନମାନଙ୍କ ମଧ୍ୟରେ ନୀଚତା ଉନ୍ନତ ହେବା ବେଳେ ଦୁଷ୍ଟମାନେ ଚାରିଆଡ଼େ ବୁଲାବୁଲି କରନ୍ତି।