ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ସେ ପୁନରୁତ୍ଥିତ ହୋଇଅଛନ୍ତି

ସ୍ତ୍ରୀମାନେ ସୁଗନ୍ଧି ଦ୍ରବ୍ୟ ଆଣନ୍ତି, ପଥରଟି ଗଡ଼ାଇଦିଆଯାଇଥିବା ଦେଖନ୍ତି ଏବଂ ଜଣେ ଯୁବକ କହନ୍ତି ଯେ ସେ ଉଠିଛନ୍ତି, ଆଉ ସେମାନେ ଭୟରେ ଦୌଡ଼ି ପଳାନ୍ତି, କାହାକୁ କିଛି କହନ୍ତି ନାହିଁ। ଯୀଶୁ ମଗ୍ଦଲୀନୀ ମରିୟମଙ୍କୁ ଓ ଅନ୍ୟମାନଙ୍କୁ ଦର୍ଶନ ଦିଅନ୍ତି, ଯାହାଙ୍କ କଥା ଶିଷ୍ୟମାନେ ବିଶ୍ୱାସ କରିବାକୁ ମନା କରନ୍ତି, ତାʼପରେ ଏଗାରଜଣଙ୍କୁ ସମସ୍ତ ସୃଷ୍ଟି ନିକଟକୁ ପଠାନ୍ତି।

ଅଧ୍ୟାୟ 16।

ବିଶ୍ରାମବାର ଶେଷ ହୁଅନ୍ତେ ମଗ୍‌ଦଲୀନୀ ମରିୟମ, ଯାକୁବଙ୍କ ମାତା ମରିୟମ ଓ ଶଲୋମୀ ଯାଇ ଯୀଶୁଙ୍କୁ ଲେପନ କରିବା ନିମନ୍ତେ ସୁଗନ୍ଧି ଦ୍ରବ୍ୟ କିଣିଲେ। ସପ୍ତାହର ପ୍ରଥମ ଦିନ ଅତି ପ୍ରଭାତରେ ସୂର୍ଯ୍ୟୋଦୟ ହେବା ମାତ୍ରେ ସେମାନେ ସମାଧି ନିକଟକୁ ଗଲେ। ସେମାନେ ପରସ୍ପର କହିଲେ, “ଆମ୍ଭମାନଙ୍କ ନିମନ୍ତେ ସମାଧିର ଦ୍ଵାରରୁ ପଥରଟି କିଏ ଗଡ଼ାଇ ଦେବ?” କିନ୍ତୁ ଊର୍ଦ୍ଧ୍ଵକୁ ଚାହିଁ ସେମାନେ ଦେଖିଲେ ଯେ ଅତି ବୃହତ୍ ସେହି ପଥର ଗଡ଼ାଇ ଦିଆଯାଇଅଛି।

ପୁଣି ସମାଧି ଭିତରକୁ ପ୍ରବେଶ କରି ସେମାନେ ଶୁଭ୍ର ବସ୍ତ୍ର ପରିହିତ ଜଣେ ଯୁବକଙ୍କୁ ଡାହାଣ ପାଖରେ ବସିଥିବା ଦେଖିଲେ, ଆଉ ସେମାନେ ଆତଙ୍କିତ ହେଲେ। ସେ ସେମାନଙ୍କୁ କହିଲେ, “ଆତଙ୍କିତ ହୁଅ ନାହିଁ। ତୁମ୍ଭେମାନେ ଯେଉଁ କ୍ରୁଶରେ ହତ ନାସରତୀୟ ଯୀଶୁଙ୍କୁ ଖୋଜୁଅଛ, ସେ ପୁନରୁତ୍ଥିତ ହୋଇଅଛନ୍ତି, ସେ ଏଠାରେ ନାହାନ୍ତି। ଦେଖ, ଏହି ସ୍ଥାନରେ ସେମାନେ ତାହାଙ୍କୁ ଶୟନ କରାଇଥିଲେ। କିନ୍ତୁ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଓ ପିତରଙ୍କୁ କୁହ, ‘ସେ ତୁମ୍ଭମାନଙ୍କ ଆଗେ ଆଗେ ଗାଲିଲୀକୁ ଯାଉଅଛନ୍ତି; ସେ ତୁମ୍ଭମାନଙ୍କୁ ଯେପରି କହିଥିଲେ, ସେହିପରି ତୁମ୍ଭେମାନେ ସେଠାରେ ତାହାଙ୍କୁ ଦେଖିବ।’”

ସେତେବେଳେ ସେହି ସ୍ତ୍ରୀଲୋକମାନେ କମ୍ପିତ ଓ ବିସ୍ମିତ ହୋଇ ସମାଧିରୁ ପଳାୟନ କଲେ, ଆଉ ସେମାନେ କାହାକୁ କିଛି କହିଲେ ନାହିଁ, କାରଣ ସେମାନେ ଭୀତ ହୋଇଥିଲେ।

ସପ୍ତାହର ପ୍ରଥମ ଦିନ ପ୍ରଭାତରେ ଉଠି ଯୀଶୁ ପ୍ରଥମେ ମଗ୍‌ଦଲୀନୀ ମରିୟମଙ୍କୁ ଦର୍ଶନ ଦେଲେ, ଯାହାଙ୍କଠାରୁ ସେ ସାତୋଟି ଭୂତ ଛଡ଼ାଇଥିଲେ। a a v9 ପ୍ରାଚୀନତମ ପାଣ୍ଡୁଲିପିଗୁଡ଼ିକ ମାର୍କ ଲିଖିତ ସୁସମାଚାରକୁ ୮ ପଦରେ ଶେଷ କରନ୍ତି। ୯-୨୦ ପଦ ଅଧିକାଂଶ ପରବର୍ତ୍ତୀ ପ୍ରତିଲିପିରେ ମିଳେ ଓ ଅଧିକାଂଶ ଆଧୁନିକ ବାଇବଲ ପରି ଏଠାରେ ମୁଦ୍ରିତ ହୋଇଅଛି। ସେ ଯାଇ ଯୀଶୁଙ୍କ ସଙ୍ଗୀମାନଙ୍କୁ ସମ୍ବାଦ ଦେଲେ, ଯେଉଁମାନେ ଶୋକ ଓ ରୋଦନ କରୁଥିଲେ। ଯୀଶୁ ଜୀବିତ ଅଛନ୍ତି ଓ ତାହାଙ୍କ ଦ୍ଵାରା ଦୃଷ୍ଟ ହୋଇଅଛନ୍ତି ବୋଲି ଶୁଣି ସେମାନେ ବିଶ୍ଵାସ କଲେ ନାହିଁ।

ଏଥିଉତ୍ତାରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗ୍ରାମକୁ ଯାଉଥିବା ସମୟରେ ଯୀଶୁ ଅନ୍ୟ ରୂପରେ ସେମାନଙ୍କୁ ଦର୍ଶନ ଦେଲେ। ସେମାନେ ଫେରିଯାଇ ଅନ୍ୟମାନଙ୍କୁ ଏହା ଜଣାଇଲେ, କିନ୍ତୁ ସେମାନେ ସେମାନଙ୍କ କଥା ମଧ୍ୟ ବିଶ୍ଵାସ କଲେ ନାହିଁ।

ପରେ ସେହି ଏଗାର ଜଣ ଭୋଜନରେ ବସିଥିବା ସମୟରେ ଯୀଶୁ ସେମାନଙ୍କୁ ଦର୍ଶନ ଦେଲେ, ଆଉ ପୁନରୁତ୍ଥିତ ତାହାଙ୍କୁ ଦେଖିଥିବା ଲୋକମାନଙ୍କ କଥା ସେମାନେ ବିଶ୍ଵାସ କରି ନ ଥିବାରୁ ସେ ସେମାନଙ୍କ ଅବିଶ୍ଵାସ ଓ ହୃଦୟର କଠିନତା ସକାଶେ ସେମାନଙ୍କୁ ଅନୁଯୋଗ କଲେ।

ଆଉ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମଗ୍ର ଜଗତକୁ ଯାଇ ସମସ୍ତ ସୃଷ୍ଟି ନିକଟରେ ସୁସମାଚାର ଘୋଷଣା କର। ଯେ ବିଶ୍ଵାସ କରି ବାପ୍ତିଜିତ ହୁଏ, ସେ ପରିତ୍ରାଣ ପାଇବ; କିନ୍ତୁ ଯେ ବିଶ୍ଵାସ ନ କରେ, ସେ ଦଣ୍ଡାଜ୍ଞା ପ୍ରାପ୍ତ ହେବ। ଆଉ ବିଶ୍ଵାସ କରିବା ଲୋକମାନଙ୍କ ସଙ୍ଗରେ ଏହିସବୁ ଚିହ୍ନ ଥିବ: ସେମାନେ ମୋʼ ନାମରେ ଭୂତ ଛଡ଼ାଇବେ, ନୂତନ ଭାଷାରେ କଥା କହିବେ, ସେମାନେ ଆପଣା ହସ୍ତରେ ସର୍ପ ଉଠାଇବେ; ଯଦି ସେମାନେ କୌଣସି ମାରାତ୍ମକ ବିଷ ପାନ କରନ୍ତି, ତେବେ ତାହା ସେମାନଙ୍କର କ୍ଷତି କରିବ ନାହିଁ; ସେମାନେ ପୀଡ଼ିତମାନଙ୍କ ଉପରେ ହସ୍ତାର୍ପଣ କରିବେ, ଆଉ ସେମାନେ ସୁସ୍ଥ ହେବେ।”

ଏହିପରି ସେମାନଙ୍କ ସହିତ କଥାବାର୍ତ୍ତା କରିସାରିବା ପରେ ପ୍ରଭୁ ଯୀଶୁ ସ୍ଵର୍ଗକୁ ଗୃହୀତ ହେଲେ ଓ ଆମ୍ଭମାନଙ୍କ ପିତାଙ୍କ ଦକ୍ଷିଣ ପାର୍ଶ୍ଵରେ ଉପବେଶନ କଲେ। b b v19 ପୁତ୍ର ଆପଣା କାର୍ଯ୍ୟ ସମାପ୍ତ କରିବା ପରେ ସେ ଆପଣା ପିତାଙ୍କ ପାର୍ଶ୍ଵକୁ — ପିତାଙ୍କ ସହିତ ଭାଗୀଦାର ହୋଇଥିବା ସମ୍ମାନର ସ୍ଥାନକୁ — ଫେରିଗଲେ। ପୁଣି ସେମାନେ ବାହାରିଯାଇ ସର୍ବତ୍ର ପ୍ରଚାର କଲେ, ଆଉ ପ୍ରଭୁ ସେମାନଙ୍କ ସହିତ କାର୍ଯ୍ୟ କରି ସଙ୍ଗେ ଥିବା ଚିହ୍ନ ଦ୍ଵାରା ତାହାଙ୍କ ବାକ୍ୟ ଦୃଢ଼ କଲେ।