ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପିତା ଯିରିମିୟଙ୍କୁ ଡିମ୍ବିରିଫଳର ଦୁଇ ଡାଲା ଦେଖାନ୍ତି

ମନ୍ଦିର ସମ୍ମୁଖରେ ଦୁଇ ଟୋକେଇ ଡିମିରିଫଳ ରଖାଯାଇଛି। ଭଲ ଫଳଗୁଡ଼ିକ ହେଉଛନ୍ତି ବାବିଲକୁ ପୂର୍ବରୁ ନିଆଯାଇଥିବା ନିର୍ବାସିତମାନେ — ଯେଉଁମାନଙ୍କୁ ଆମ୍ଭମାନଙ୍କ ପିତା ପୁଣି ରୋପଣ କରିବେ ଏବଂ ତାଙ୍କୁ ଜାଣିବା ପାଇଁ ଏକ ହୃଦୟ ଦେବେ। ମନ୍ଦ ଫଳଗୁଡ଼ିକ ହେଉଛନ୍ତି ସିଦିକିୟ ଓ ଯିରୂଶାଲମରେ ରହିଯାଇଥିବା ସେହି ଲୋକମାନେ, ଯେଉଁମାନେ ଭାବିଥିଲେ ସେମାନେ ରକ୍ଷା ପାଇଗଲେ।

ଅଧ୍ୟାୟ 24।

ବାବିଲର ରାଜା ନବୂଖଦ୍‍ନିତ୍ସର ଯିହୂଦାର ରାଜା ଯିହୋୟାକୀମ୍‍ଙ୍କ ପୁତ୍ର ଯିକନୀୟଙ୍କୁ ଯିହୂଦାର ଅଧିପତିଗଣ, ଶିଳ୍ପକାରଗଣ ଓ କର୍ମକାରଗଣ ସହିତ ଯିରୂଶାଲମରୁ ବାବିଲକୁ ବନ୍ଦୀ କରି ନେଇଗଲା ପରେ ପିତା ମୋତେ ପିତାଙ୍କ ମନ୍ଦିର ସମ୍ମୁଖରେ ରଖାଯାଇଥିବା ଡିମ୍ବିରିଫଳର ଦୁଇ ଡାଲା ଦେଖାଇଲେ। ଗୋଟିଏ ଡାଲାରେ ପ୍ରଥମେ ପାଚିଲା ଅତି ଉତ୍ତମ ଡିମ୍ବିରିଫଳ ଥିଲା; ଅନ୍ୟ ଡାଲାରେ ଏପରି ମନ୍ଦ ଡିମ୍ବିରିଫଳ ଥିଲା ଯେ ତାହା ଖାଇ ହୁଏ ନାହିଁ।

ସେତେବେଳେ ପିତା ମୋତେ ପଚାରିଲେ, “ହେ ଯିରିମିୟ, ତୁମ୍ଭେ କʼଣ ଦେଖୁଅଛ?” ମୁଁ କହିଲି, “ଡିମ୍ବିରିଫଳ; ଉତ୍ତମ ଫଳ ଅତି ଉତ୍ତମ, ପୁଣି ମନ୍ଦ ଫଳ ଏପରି ମନ୍ଦ ଯେ ତାହା ଖାଇ ହୁଏ ନାହିଁ।”

ସେତେବେଳେ ପିତାଙ୍କ ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,

“ଇସ୍ରାଏଲର ପିତା ଏହା କହନ୍ତି, ଏହି ଉତ୍ତମ ଡିମ୍ବିରିଫଳ ତୁଲ୍ୟ ଆମ୍ଭେ ଯିହୂଦାର ଯେଉଁ ବନ୍ଦୀମାନଙ୍କୁ ଏହି ସ୍ଥାନରୁ ବାବିଲୀୟମାନଙ୍କ ଦେଶକୁ ପଠାଇଅଛୁ, ସେମାନଙ୍କୁ ଉତ୍ତମ ବୋଲି ଜ୍ଞାନ କରିବା।

ପୁଣି ଆମ୍ଭେ ସେମାନଙ୍କ ମଙ୍ଗଳ ନିମନ୍ତେ ସେମାନଙ୍କ ଉପରେ ଦୃଷ୍ଟି ରଖିବା, ଆଉ ସେମାନଙ୍କୁ ଏହି ଦେଶକୁ ଫେରାଇ ଆଣିବା; ପୁଣି ସେମାନଙ୍କୁ ନିର୍ମାଣ କରିବା, ଭାଙ୍ଗିବା ନାହିଁ, ଆଉ ସେମାନଙ୍କୁ ରୋପଣ କରିବା, ଉତ୍ପାଟନ କରିବା ନାହିଁ। ଆଉ ଆମ୍ଭେ ସେମାନଙ୍କୁ ପିତା ବୋଲି ଆମ୍ଭକୁ ଜାଣିବା ପାଇଁ ଏକ ହୃଦୟ ଦେବା; ପୁଣି ସେମାନେ ଆମ୍ଭର ସନ୍ତାନ ହେବେ ଓ ଆମ୍ଭେ ସେମାନଙ୍କ ପିତା ହେବା, କାରଣ ସେମାନେ ସର୍ବାନ୍ତଃକରଣରେ ଆମ୍ଭ ନିକଟକୁ ଫେରି ଆସିବେ।

“ମାତ୍ର ଖାଇ ନ ହେବା ପର୍ଯ୍ୟନ୍ତ ଅତି ମନ୍ଦ ଡିମ୍ବିରିଫଳ ତୁଲ୍ୟ ଆମ୍ଭେ ଯିହୂଦାର ରାଜା ସିଦିକୀୟକୁ, ତାହାର ଅଧିପତିଗଣକୁ ଓ ଏହି ସ୍ଥାନରେ କିମ୍ବା ମିସର ଦେଶରେ ଅବଶିଷ୍ଟ ଯିରୂଶାଲମର ଲୋକମାନଙ୍କୁ ସେହିପରି କରିବା, ଏହା ପିତା କହନ୍ତି।

“ଆଉ ଆମ୍ଭେ ସେମାନଙ୍କୁ ପୃଥିବୀର ସମସ୍ତ ରାଜ୍ୟ ମଧ୍ୟରେ ଆତଙ୍କ, ବିପତ୍ତି, ନିନ୍ଦା, ଉପହାସର ପାତ୍ର, ପରିହାସ ଓ ଅଭିଶାପର ବିଷୟ କରିବା, ଆଉ ଆମ୍ଭେ ସେମାନଙ୍କୁ ଯେଉଁ ସ୍ଥାନକୁ ତଡ଼ି ଦେବା, ସେହି ସକଳ ସ୍ଥାନରେ ଏହା ଘଟିବ। ଆଉ ଆମ୍ଭେ ସେମାନଙ୍କୁ ଓ ସେମାନଙ୍କ ପିତୃପୁରୁଷଗଣଙ୍କୁ ଯେଉଁ ଦେଶ ଦେଇଅଛୁ, ସେହି ଦେଶରୁ ସେମାନେ ଉଚ୍ଛିନ୍ନ ନ ହେବା ପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପ୍ରେରଣ କରିବା।”