ଆଉ ଗୋଟିଏ ମାରୀ
ଆଉ ଗୋଟିଏ ମାତ୍ର ମହାମାରୀ ବାକି। ମଧ୍ୟରାତ୍ରରେ ସିଂହାସନଠାରୁ ଚକି ପର୍ଯ୍ୟନ୍ତ ମିସରର ପ୍ରତ୍ୟେକ ପ୍ରଥମଜାତ ମରିବ, ଏବଂ ଏପରି ଏକ କ୍ରନ୍ଦନ ଉଠିବ ଯାହା ପୂର୍ବରୁ କେବେ ହୋଇନାହିଁ। ତଥାପି ଇସ୍ରାଏଲ ବିରୁଦ୍ଧରେ ଗୋଟିଏ କୁକୁର ମଧ୍ୟ ଗରଜିବ ନାହିଁ — ଆମ ପିତା ପାର୍ଥକ୍ୟକୁ ସ୍ପଷ୍ଟ କରନ୍ତି। ମୋଶା ପ୍ରଚଣ୍ଡ କ୍ରୋଧରେ ଫାରୋର ସମ୍ମୁଖରୁ ବାହାରିଯାଆନ୍ତି।
11 1ଆମ୍ଭମାନଙ୍କ ପିତା ମୋଶାଙ୍କୁ କହିଲେ, “ଆମ୍ଭେ ଫାରୋ ଓ ମିସର ଉପରେ ଆଉ ଗୋଟିଏ ମାରୀ ଆଣିବା। ତାʼପରେ ସେ ତୁମ୍ଭମାନଙ୍କୁ ଏଠାରୁ ଯିବାକୁ ଦେବ; ଯେତେବେଳେ ସେ ଛାଡ଼ିବ, ସେତେବେଳେ ସମ୍ପୂର୍ଣ୍ଣ ରୂପେ ତୁମ୍ଭମାନଙ୍କୁ ତଡ଼ିଦେବ। 2ଲୋକମାନଙ୍କୁ କୁହ, ପ୍ରତ୍ୟେକ ପୁରୁଷ ଆପଣା ପ୍ରତିବାସୀଠାରୁ ଓ ପ୍ରତ୍ୟେକ ସ୍ତ୍ରୀ ଆପଣା ପ୍ରତିବାସିନୀଠାରୁ ରୌପ୍ୟ ଓ ସୁବର୍ଣ୍ଣ ପାତ୍ର ମାଗୁ।”
3ଆଉ ଆମ୍ଭମାନଙ୍କ ପିତା ମିସରୀୟ ଲୋକଙ୍କ ଦୃଷ୍ଟିରେ ଲୋକମାନଙ୍କୁ ଅନୁଗ୍ରହପାତ୍ର କଲେ। ଅଧିକନ୍ତୁ ମୋଶା ମଧ୍ୟ ମିସର ଦେଶରେ, ଫାରୋଙ୍କ ଦାସମାନଙ୍କ ଓ ଲୋକମାନଙ୍କ ଦୃଷ୍ଟିରେ ଅତ୍ୟନ୍ତ ମହାନ ଥିଲେ।
4ମୋଶା କହିଲେ, “ଆମ୍ଭମାନଙ୍କ ପିତା ଏହା କହନ୍ତି: ଆମ୍ଭେ ମଧ୍ୟ ରାତ୍ରିରେ ମିସର ମଧ୍ୟଦେଇ ଗମନ କରିବା,
5ପୁଣି ମିସର ଦେଶର ପ୍ରତ୍ୟେକ ପ୍ରଥମଜାତ ସନ୍ତାନ, ଆପଣା ସିଂହାସନରେ ଉପବିଷ୍ଟ ଫାରୋଙ୍କ ପ୍ରଥମଜାତଠାରୁ ଆରମ୍ଭ କରି ଜଳ ଉପରେ ଥିବା ଦାସୀର ପ୍ରଥମଜାତ ପର୍ଯ୍ୟନ୍ତ, ଆଉ ପଶୁମାନଙ୍କ ପ୍ରତ୍ୟେକ ପ୍ରଥମଜାତ ମରିବ। 6ପୂର୍ବରେ କେବେ ହୋଇ ନାହିଁ ଓ ଆଉ କେବେ ହେବ ନାହିଁ, ଏପରି ମହାକ୍ରନ୍ଦନ ସମଗ୍ର ମିସର ଦେଶରେ ବ୍ୟାପିଯିବ। 7ମାତ୍ର ଇସ୍ରାଏଲ ସନ୍ତାନଗଣଙ୍କ ମଧ୍ୟରେ କୌଣସି ମନୁଷ୍ୟ କି ପଶୁ ବିରୁଦ୍ଧରେ ଗୋଟିଏ କୁକୁର ସୁଦ୍ଧା ଭୁକିବ ନାହିଁ, ଯେପରି ଆମ୍ଭମାନଙ୍କ ପିତା ମିସରଠାରୁ ଇସ୍ରାଏଲକୁ ପୃଥକ କରନ୍ତି ବୋଲି ତୁମ୍ଭେମାନେ ଜାଣିପାର। 8ତୁମ୍ଭର ଏହି ସମସ୍ତ ଦାସ ମୋʼ ନିକଟକୁ ଓହ୍ଲାଇ ଆସି ମୋତେ ପ୍ରଣାମ କରି କହିବେ, ‘ତୁମ୍ଭେ ଓ ତୁମ୍ଭର ଅନୁଗାମୀ ସମସ୍ତ ଲୋକ ପ୍ରସ୍ଥାନ କର।’ ତାʼପରେ ମୁଁ ବାହାରିଯିବି।” ଏହା କହି ମୋଶା ପ୍ରଜ୍ଵଳିତ କ୍ରୋଧରେ ଫାରୋଙ୍କ ନିକଟରୁ ବାହାରିଗଲେ।
9ଆମ୍ଭମାନଙ୍କ ପିତା ମୋଶାଙ୍କୁ କହିଲେ, “ଫାରୋ ତୁମ୍ଭ କଥା ଶୁଣିବ ନାହିଁ, ଯେପରି ମିସର ଦେଶରେ ଆମ୍ଭର ଆଶ୍ଚର୍ଯ୍ୟକର୍ମ ବହୁଗୁଣ ହୁଏ।”
10ମୋଶା ଓ ହାରୋଣ ଫାରୋଙ୍କ ସମ୍ମୁଖରେ ଏହି ସମସ୍ତ ଆଶ୍ଚର୍ଯ୍ୟକର୍ମ କଲେ, କିନ୍ତୁ ଆମ୍ଭମାନଙ୍କ ପିତା ଫାରୋଙ୍କ ହୃଦୟ କଠିନ କଲେ, ଆଉ ସେ ଇସ୍ରାଏଲ ସନ୍ତାନଗଣଙ୍କୁ ଆପଣା ଦେଶରୁ ଯିବାକୁ ଦେବା ପାଇଁ ଅସମ୍ମତ ହେଲା।