ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ନଗରଦ୍ଵାରରେ ନ୍ୟାୟ

ପ୍ରହାର ଚାଳିଶି କୋରଡ଼ାରେ ସୀମିତ, ଯେପରି ତୁମ ଆଖି ଆଗରେ ଭାଇ ଅପମାନିତ ନ ହୁଏ। ଶସ୍ୟ ମର୍ଦ୍ଦନ କରୁଥିବା ବଳଦର ମୁହଁ ବନ୍ଧାଯିବ ନାହିଁ। ବିଧବାର ମୃତ ସ୍ୱାମୀର ନାମ ତାʼର ଭାଇ ରକ୍ଷା କରେ, ନଚେତ୍ ସେହି ଭାଇ ନଗରଦ୍ୱାରରେ ଲଜ୍ଜିତ ହୁଏ। ଓଜନ ଓ ମାପ ସଚ୍ଚୋଟ ହେବା ଆବଶ୍ୟକ।

ଅଧ୍ୟାୟ 25।

ଯଦି ଲୋକମାନଙ୍କ ମଧ୍ୟରେ ବିବାଦ ଉପସ୍ଥିତ ହୁଏ ଓ ସେମାନେ ବିଚାରସ୍ଥାନକୁ ଯାଆନ୍ତି, ତେବେ ବିଚାରକର୍ତ୍ତାମାନେ ସେମାନଙ୍କ ମଧ୍ୟରେ ବିଚାର କରି ନିର୍ଦ୍ଦୋଷ ଲୋକକୁ ନିର୍ଦ୍ଦୋଷ ଓ ଦୋଷୀ ଲୋକକୁ ଦୋଷୀ କରିବେ, ଯଦି ସେହି ଦୋଷୀ ଲୋକ ପ୍ରହାରର ଯୋଗ୍ୟ ହୁଏ, ତେବେ ବିଚାରକର୍ତ୍ତା ତାହାକୁ ଆପଣା ସମ୍ମୁଖରେ ଶୁଆଇ ତାହାର ଅପରାଧ ଅନୁସାରେ ସଂଖ୍ୟାନୁଯାୟୀ ପ୍ରହାର କରାଇବେ। ଚାଳିଶ ପ୍ରହାର, ତହିଁରୁ ଅଧିକ ନୁହେଁ; ଯଦି ସେ ଏଥିରୁ ଅଧିକ ପ୍ରହାର କରେ, ତେବେ ତୁମ୍ଭ ଦୃଷ୍ଟିରେ ତୁମ୍ଭର ଭାଇ ତୁଚ୍ଛୀକୃତ ହେବ।

ବଳଦ ଶସ୍ୟ ମର୍ଦ୍ଦନ କରିବା ସମୟରେ ତୁମ୍ଭେ ତାହାର ମୁହଁ ଥୋପ ଦେବ ନାହିଁ।

ଯଦି ଭାଇମାନେ ଏକତ୍ର ବାସ କରନ୍ତି ଓ ସେମାନଙ୍କ ମଧ୍ୟରୁ ଜଣେ ପୁତ୍ର ବିନା ମରିଯାଏ, ତେବେ ସେହି ମୃତ ଲୋକର ଭାର୍ଯ୍ୟା ବାହାରର ଅପର ଲୋକକୁ ବିବାହ କରିବ ନାହିଁ। ତାହାର ସ୍ଵାମୀର ଭାଇ ତାହାକୁ ଆପଣା ଭାର୍ଯ୍ୟାରୂପେ ଗ୍ରହଣ କରିବ, ତାହା ସହିତ ସହବାସ କରିବ ଓ ତାହା ପ୍ରତି ଦିଅରର କର୍ତ୍ତବ୍ୟ ପାଳନ କରିବ। ଯେଉଁ ପ୍ରଥମଜାତ ସନ୍ତାନକୁ ସେ ପ୍ରସବ କରିବ, ସେ ସେହି ମୃତ ଭାଇର ନାମ ଧରିବ, ଯେପରି ଇସ୍ରାଏଲ ମଧ୍ୟରୁ ତାହାର ନାମ ଲୁପ୍ତ ନ ହୁଏ।

ଯଦି ସେହି ଲୋକ ଆପଣା ଭାଇର ଭାର୍ଯ୍ୟାକୁ ଗ୍ରହଣ କରିବାକୁ ଇଚ୍ଛା ନ କରେ, ତେବେ ସେହି ସ୍ତ୍ରୀ ନଗରଦ୍ଵାରରେ ପ୍ରାଚୀନବର୍ଗଙ୍କ ନିକଟକୁ ଯାଇ କହିବ, “ମୋʼ ସ୍ଵାମୀର ଭାଇ ଇସ୍ରାଏଲ ମଧ୍ୟରେ ଆପଣା ଭାଇର ନାମ ରକ୍ଷା କରିବାକୁ ଅସମ୍ମତ ଅଟେ; ସେ ମୋʼ ପ୍ରତି ଦିଅରର କର୍ତ୍ତବ୍ୟ ପାଳନ କରିବାକୁ ଅନିଚ୍ଛୁକ ଅଟେ।” ସେତେବେଳେ ତାହାର ନଗରର ପ୍ରାଚୀନବର୍ଗ ତାହାକୁ ଡାକି କଥା କହିବେ। ଯଦି ସେ ଅଟଳ ହୋଇ କହେ, “ମୁଁ ତାହାକୁ ଗ୍ରହଣ କରିବାକୁ ଇଚ୍ଛା କରେ ନାହିଁ,” ତେବେ ତାହାର ଭାଇର ଭାର୍ଯ୍ୟା ପ୍ରାଚୀନବର୍ଗଙ୍କ ସମ୍ମୁଖରେ ତାହା ନିକଟକୁ ଯାଇ ତାହାର ପାଦରୁ ପାଦୁକା କାଢ଼ି ତାହାର ମୁଖରେ ଛେପ ପକାଇ କହିବ, “ଯେଉଁ ଲୋକ ଆପଣା ଭାଇର ଗୃହ ନିର୍ମାଣ କରିବାକୁ ଇଚ୍ଛା କରେ ନାହିଁ, ତାହା ପ୍ରତି ଏହିପରି କରାଯାଏ।” ଆଉ ଇସ୍ରାଏଲ ମଧ୍ୟରେ ତାହାର ବଂଶ “ପାଦୁକା-କଢ଼ା-ଲୋକର ଗୃହ” ବୋଲି ଖ୍ୟାତ ହେବ।

ଯଦି ଦୁଇ ଜଣ ଲୋକ ପରସ୍ପର ବିବାଦ କରନ୍ତି ଓ ଜଣକର ଭାର୍ଯ୍ୟା ଆପଣା ସ୍ଵାମୀକୁ ପ୍ରହାରକାରୀ ହସ୍ତରୁ ଉଦ୍ଧାର କରିବାକୁ ଆସେ, ପୁଣି ହସ୍ତ ବଢ଼ାଇ ତାହାର ଗୁପ୍ତାଙ୍ଗ ଧରେ, ତେବେ ତୁମ୍ଭେ ତାହାର ହସ୍ତ ଛେଦନ କରିବ। ତୁମ୍ଭ ଚକ୍ଷୁ ଦୟା ନ କରୁ।

ତୁମ୍ଭ ଥଳୀରେ ବଡ଼ ଓ ସାନ, ଏହି ଦୁଇ ପ୍ରକାର ବଟଖରା ରଖିବ ନାହିଁ। ତୁମ୍ଭ ଗୃହରେ ବଡ଼ ଓ ସାନ, ଏହି ଦୁଇ ପ୍ରକାର ପରିମାଣ-ପାତ୍ର ରଖିବ ନାହିଁ। ତୁମ୍ଭର ସମ୍ପୂର୍ଣ୍ଣ ଓ ନ୍ୟାୟ-ବଟଖରା ଥାଉ; ତୁମ୍ଭର ସମ୍ପୂର୍ଣ୍ଣ ଓ ନ୍ୟାୟ-ପରିମାଣ ଥାଉ, ଯେପରି ତୁମ୍ଭ ପିତା ତୁମ୍ଭକୁ ଯେଉଁ ଦେଶ ଦେଉଅଛନ୍ତି, ତହିଁ ମଧ୍ୟରେ ତୁମ୍ଭର ଦିନ ଦୀର୍ଘ ହେବ। କାରଣ ଏହିପରି କର୍ମ କରୁଥିବା ପ୍ରତ୍ୟେକ ଲୋକ, ଅର୍ଥାତ୍ ଅନ୍ୟାୟ ଆଚରଣ କରୁଥିବା ପ୍ରତ୍ୟେକ ଲୋକ ତୁମ୍ଭ ପିତାଙ୍କ ନିକଟରେ ଘୃଣ୍ୟ ଅଟେ।

ତୁମ୍ଭେ ମିସରରୁ ବାହାରି ଆସିବା ସମୟରେ ଅମାଲେକ ପଥ ମଧ୍ୟରେ ତୁମ୍ଭ ପ୍ରତି ଯାହା କଲା, ତାହା ସ୍ମରଣ କର, ଅର୍ଥାତ୍ ତୁମ୍ଭେ ଯେତେବେଳେ କ୍ଳାନ୍ତ ଓ ପରିଶ୍ରାନ୍ତ ଥିଲ, ସେତେବେଳେ ସେ କିପରି ପଥ ମଧ୍ୟରେ ତୁମ୍ଭ ସଙ୍ଗେ ସାକ୍ଷାତ କରି ତୁମ୍ଭ ପଛରେ ଥିବା ଅବଶିଷ୍ଟ ଦୁର୍ବଳ ଲୋକ ସମସ୍ତଙ୍କୁ ସଂହାର କଲା, ପୁଣି ଆମ୍ଭମାନଙ୍କ ପିତାଙ୍କୁ ଭୟ କଲା ନାହିଁ। ଏଣୁ ତୁମ୍ଭ ପିତା ତୁମ୍ଭକୁ ଅଧିକାର କରିବା ନିମନ୍ତେ ଅଧିକାରସ୍ଵରୂପେ ଯେଉଁ ଦେଶ ଦେଉଅଛନ୍ତି, ତହିଁ ମଧ୍ୟରେ ଯେତେବେଳେ ତୁମ୍ଭ ପିତା ତୁମ୍ଭ ଚତୁର୍ଦ୍ଦିଗସ୍ଥ ସମସ୍ତ ଶତ୍ରୁଠାରୁ ତୁମ୍ଭକୁ ବିଶ୍ରାମ ଦେବେ, ସେତେବେଳେ ତୁମ୍ଭେ ଆକାଶ ତଳୁ ଅମାଲେକର ସ୍ମରଣ ଲୋପ କରିବ। ଭୁଲିଯାଅ ନାହିଁ।