ମନଃଶି ଯିହୂଦାକୁ ପିତାଙ୍କଠାରୁ ବିମୁଖ କରନ୍ତି
ମନଃଶି ସବୁକିଛି ଓଲଟାଇ ଦିଅନ୍ତି: ଉଚ୍ଚସ୍ଥଳୀ ପୁନର୍ନିର୍ମିତ, ମନ୍ଦିର ଭିତରେ ଆକାଶର ତାରାଗଣଙ୍କ ପାଇଁ ଯଜ୍ଞବେଦି, ନିଜ ପୁତ୍ରକୁ ଅଗ୍ନିରେ ଦଗ୍ଧ, ଭୂତୁଡ଼ିଆଙ୍କ ପରାମର୍ଶ, ଆଉ ନିର୍ଦ୍ଦୋଷ ରକ୍ତରେ ଯିରୂଶାଲମ ପରିପୂର୍ଣ୍ଣ। ଆମ୍ଭମାନଙ୍କ ପିତା କହନ୍ତି ଯେ ସେ ଏକ ଥାଳି ପୋଛିଲା ପରି ନଗରଟିକୁ ପୋଛି ଦେବେ। ଆମୋନ ନିଜ ପିତାଙ୍କ ପଥରେ ଚାଲେ ଓ ନିଜ ରାଜପ୍ରାସାଦରେ ହତ୍ୟା ହୁଏ।
21 1ମନଃଶି ବାର ବର୍ଷ ବୟସରେ ରାଜା ହେଲେ ଓ ଯିରୂଶାଲମରେ ପଞ୍ଚାବନ ବର୍ଷ ରାଜ୍ୟ କଲେ। ତାହାଙ୍କ ମାତାଙ୍କ ନାମ ହିଫ୍ସୀବା ଥିଲା। 2ଇସ୍ରାଏଲ ସନ୍ତାନଗଣଙ୍କ ସମ୍ମୁଖରୁ ଯେଉଁ ଗୋଷ୍ଠୀଗଣଙ୍କୁ ପିତା ତଡ଼ିଦେଇଥିଲେ, ସେମାନଙ୍କ ଘୃଣାଯୋଗ୍ୟ ବ୍ୟବହାର ଅନୁସରଣ କରି ସେ ପିତାଙ୍କ ଦୃଷ୍ଟିରେ କୁକର୍ମ କଲେ। 3ଆପଣା ପିତା ହିଜକୀୟ ଯେଉଁ ଉଚ୍ଚସ୍ଥଳୀସବୁ ବିନଷ୍ଟ କରିଥିଲେ, ସେ ତାହା ପୁନର୍ବାର ନିର୍ମାଣ କଲେ, ବାଲ୍ ଉଦ୍ଦେଶ୍ୟରେ ଯଜ୍ଞବେଦି ପ୍ରସ୍ତୁତ କଲେ ଓ ଇସ୍ରାଏଲର ରାଜା ଆହାବ ଯେପରି କରିଥିଲେ, ସେପରି ଆଶେରା ମୂର୍ତ୍ତି ନିର୍ମାଣ କଲେ, ପୁଣି ଆକାଶସ୍ଥ ସମସ୍ତ ବାହିନୀ ଆଗରେ ପ୍ରଣାମ କରି ସେମାନଙ୍କ ସେବା କଲେ।
4ଯେଉଁ ଗୃହ ବିଷୟରେ ପିତା କହିଥିଲେ, “ଯିରୂଶାଲମରେ ଆମ୍ଭେ ଆପଣା ନାମ ସ୍ଥାପନ କରିବା,” ସେହି ପିତାଙ୍କ ଗୃହରେ ସେ ଯଜ୍ଞବେଦି ନିର୍ମାଣ କଲେ।
5ପିତାଙ୍କ ଗୃହର ଉଭୟ ପ୍ରାଙ୍ଗଣରେ ସେ ଆକାଶସ୍ଥ ସମସ୍ତ ବାହିନୀ ଉଦ୍ଦେଶ୍ୟରେ ଯଜ୍ଞବେଦି ନିର୍ମାଣ କଲେ। 6ସେ ଆପଣା ପୁତ୍ରକୁ ଅଗ୍ନିରେ ବଳିଦାନ କଲେ, ମନ୍ତ୍ରକ୍ରିୟା ଓ ଗଣକତା କଲେ, ପୁଣି ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସଙ୍ଗେ ପରାମର୍ଶ କଲେ। ସେ ପିତାଙ୍କ ଦୃଷ୍ଟିରେ ଅନେକ କୁକର୍ମ କରି ତାହାଙ୍କୁ କ୍ରୋଧିତ କଲେ।
7ପିତା ଦାଉଦ ଓ ତାହାଙ୍କ ପୁତ୍ର ଶଲୋମନଙ୍କୁ ଯେଉଁ ଗୃହ ବିଷୟରେ କହିଥିଲେ, ସେହି ଗୃହରେ ସେ ଆପଣା ନିର୍ମିତ ଆଶେରାର ଖୋଦିତ ମୂର୍ତ୍ତି ସ୍ଥାପନ କଲେ, “ଇସ୍ରାଏଲର ସମସ୍ତ ଗୋଷ୍ଠୀ ମଧ୍ୟରୁ ଆମ୍ଭେ ଯାହା ମନୋନୀତ କରିଅଛୁ, ସେହି ଏହି ଗୃହରେ ଓ ଯିରୂଶାଲମରେ ଆମ୍ଭେ ଅନନ୍ତକାଳ ନିମନ୍ତେ ଆପଣା ନାମ ସ୍ଥାପନ କରିବା। 8ଆମ୍ଭେ ସେମାନଙ୍କ ପିତୃପୁରୁଷଗଣଙ୍କୁ ଯେଉଁ ଦେଶ ଦେଇଅଛୁ, ତହିଁରୁ ଇସ୍ରାଏଲର ଚରଣକୁ ଆମ୍ଭେ ଆଉ ଭ୍ରମଣ କରାଇବା ନାହିଁ, ଯଦି ସେମାନେ ଆମ୍ଭର ଆଜ୍ଞା ଦିଆ ସମସ୍ତ କଥା, ଅର୍ଥାତ୍ ଆମ୍ଭ ଦାସ ମୋଶା ସେମାନଙ୍କୁ ଆଜ୍ଞା ଦେଇଥିବା ସମସ୍ତ ବ୍ୟବସ୍ଥା ଯତ୍ନପୂର୍ବକ ପାଳନ କରନ୍ତି।”
9ମାତ୍ର ସେମାନେ ଶୁଣିଲେ ନାହିଁ; ପୁଣି ଇସ୍ରାଏଲ ସନ୍ତାନଗଣଙ୍କ ସମ୍ମୁଖରୁ ପିତା ଯେଉଁ ଗୋଷ୍ଠୀଗଣଙ୍କୁ ବିନଷ୍ଟ କରିଥିଲେ, ସେମାନଙ୍କ ଅପେକ୍ଷା ଅଧିକ କୁକର୍ମ କରିବାକୁ ମନଃଶି ସେମାନଙ୍କୁ ବିପଥଗାମୀ କଲେ।
10ଏଣୁ ପିତା ଆପଣା ଦାସ ଭାବବାଦୀଗଣଙ୍କ ଦ୍ଵାରା କହିଲେ,
11“ଯିହୂଦାର ରାଜା ମନଃଶି ଏହିସବୁ ଘୃଣାଯୋଗ୍ୟ କର୍ମ—ଆପଣା ପୂର୍ବବର୍ତ୍ତୀ ସମସ୍ତ ଇମୋରୀୟ ଲୋକଙ୍କ ଅପେକ୍ଷା ଅଧିକ କୁକର୍ମ—କରିଅଛନ୍ତି ଓ ଆପଣା ପ୍ରତିମାଗଣ ଦ୍ଵାରା ଯିହୂଦାକୁ ପାପ କରାଇଅଛନ୍ତି, ଏହେତୁ, 12ଇସ୍ରାଏଲର ଈଶ୍ଵର ପିତା ଏହି କଥା କହନ୍ତି: ଦେଖ, ଆମ୍ଭେ ଯିରୂଶାଲମ ଓ ଯିହୂଦା ଉପରେ ଏପରି ବିପଦ ଘଟାଇବା ଯେ, ତାହା ଯେକେହି ଶୁଣିବ, ତାହାର ଦୁଇ କର୍ଣ୍ଣ ଝାଁ ଝାଁ ହେବ।
13ଆମ୍ଭେ ଯିରୂଶାଲମ ଉପରେ ଶମରୀୟାର ପରିମାପକ ରଜ୍ଜୁ ଓ ଆହାବ ବଂଶର ଓଳମ ବିସ୍ତାର କରିବା; ପୁଣି ଲୋକେ ଯେପରି ଥାଳିଆ ପୋଛି ଓଲଟାଇ ରଖେ, ସେପରି ଆମ୍ଭେ ଯିରୂଶାଲମକୁ ପୋଛି ପକାଇବା। 14ଆମ୍ଭେ ଆପଣା ଅଧିକାରର ଅବଶିଷ୍ଟାଂଶକୁ ତ୍ୟାଗ କରିବା ଓ ସେମାନଙ୍କ ଶତ୍ରୁଗଣ ହସ୍ତରେ ସେମାନଙ୍କୁ ସମର୍ପଣ କରିବା; ପୁଣି ସେମାନେ ଆପଣାମାନଙ୍କ ସମସ୍ତ ଶତ୍ରୁ ନିମନ୍ତେ ମୃଗୟା ଓ ଲୁଟ ସ୍ଵରୂପ ହେବେ, 15କାରଣ ସେମାନଙ୍କ ପିତୃପୁରୁଷଗଣ ମିସରରୁ ବାହାରିବା ଦିନାବଧି ଆଜି ପର୍ଯ୍ୟନ୍ତ ସେମାନେ ଆମ୍ଭ ଦୃଷ୍ଟିରେ କୁକର୍ମ କରି ଆମ୍ଭକୁ କ୍ରୋଧିତ କରିଅଛନ୍ତି।”
16ଆହୁରି, ମନଃଶି ଯିହୂଦାକୁ ଯେଉଁ ପାପ କରାଇଲେ, ତାହା ବ୍ୟତୀତ ସେ ଏତେ ନିର୍ଦ୍ଦୋଷ ରକ୍ତ ଢାଳିଲେ ଯେ, ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଯିରୂଶାଲମକୁ ପରିପୂର୍ଣ୍ଣ କଲେ; ଏହିପରି ସେ ପିତାଙ୍କ ଦୃଷ୍ଟିରେ କୁକର୍ମ କଲେ।
17ମନଃଶିଙ୍କ କ୍ରିୟାର ଅବଶିଷ୍ଟ ବୃତ୍ତାନ୍ତ, ତାହାଙ୍କ କୃତ ସମସ୍ତ କର୍ମ ଓ ତାହାଙ୍କ କୃତ ପାପ କʼଣ ଯିହୂଦା-ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ? 18ଅନନ୍ତର ମନଃଶି ଆପଣା ପିତୃପୁରୁଷଗଣଙ୍କ ସହିତ ଶୟନ କଲେ ଓ ଆପଣା ଗୃହ-ଉଦ୍ୟାନରେ, ଅର୍ଥାତ୍ ଉଷର ଉଦ୍ୟାନରେ କବର ପାଇଲେ। ପୁଣି ତାହାଙ୍କ ପୁତ୍ର ଆମୋନ୍ ତାହାଙ୍କ ପଦରେ ରାଜା ହେଲେ।
ଆମୋନ୍ ରାଜ୍ୟ କରନ୍ତି ଓ ପିତାଙ୍କୁ ତ୍ୟାଗ କରନ୍ତି
19ଆମୋନ୍ ବାଇଶ ବର୍ଷ ବୟସରେ ରାଜା ହେଲେ ଓ ଯିରୂଶାଲମରେ ଦୁଇ ବର୍ଷ ରାଜ୍ୟ କଲେ। ତାହାଙ୍କ ମାତାଙ୍କ ନାମ ମଶୁଲ୍ଲେମତ୍, ସେ ଯଟ୍ବାନିବାସୀ ହାରୂସର କନ୍ୟା ଥିଲା। 20ଆପଣା ପିତା ମନଃଶି ଯେପରି କରିଥିଲେ, ସେପରି ସେ ପିତାଙ୍କ ଦୃଷ୍ଟିରେ କୁକର୍ମ କଲେ। 21ଆପଣା ପିତାଙ୍କ ସମସ୍ତ ପଥରେ ସେ ଚାଲିଲେ, ପୁଣି ଆପଣା ପିତା ଯେଉଁ ପ୍ରତିମାଗଣର ସେବା କରିଥିଲେ, ସେ ତାହାର ସେବା କରି ତାହା ଆଗରେ ପ୍ରଣାମ କଲେ; 22ଆଉ ସେ ଆପଣା ପିତୃପୁରୁଷଗଣଙ୍କ ଈଶ୍ଵର ପିତାଙ୍କୁ ତ୍ୟାଗ କଲେ ଓ ପିତାଙ୍କ ପଥରେ ଚାଲିଲେ ନାହିଁ। 23ଆମୋନ୍ଙ୍କ ଦାସମାନେ ତାହାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ରାଜାଙ୍କୁ ତାହାଙ୍କ ନିଜ ଗୃହରେ ବଧ କଲେ। 24ମାତ୍ର ଦେଶର ଲୋକମାନେ ଆମୋନ୍ ରାଜାଙ୍କ ବିରୁଦ୍ଧରେ ଚକ୍ରାନ୍ତକାରୀ ସମସ୍ତଙ୍କୁ ବଧ କଲେ ଓ ତାହାଙ୍କ ପୁତ୍ର ଯୋଶିୟଙ୍କୁ ତାହାଙ୍କ ପଦରେ ରାଜା କଲେ। 25ଆମୋନ୍ଙ୍କ କୃତ କର୍ମର ଅବଶିଷ୍ଟ ବୃତ୍ତାନ୍ତ କʼଣ ଯିହୂଦା-ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ? 26ଉଷର ଉଦ୍ୟାନସ୍ଥିତ ଆପଣା କବରରେ ସେ କବରପ୍ରାପ୍ତ ହେଲେ, ପୁଣି ତାହାଙ୍କ ପୁତ୍ର ଯୋଶିୟ ତାହାଙ୍କ ପଦରେ ରାଜ୍ୟ କଲେ।