ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଯୋଶୀୟ ପିତାଙ୍କ ସାକ୍ଷାତରେ ଯଥାର୍ଥ କର୍ମ କଲେ

ମନ୍ଦିର ମରାମତି ସମୟରେ ମହାଯାଜକ ବ୍ୟବସ୍ଥା ପୁସ୍ତକ ପାଆନ୍ତି, ଏବଂ ତାହା ଉଚ୍ଚସ୍ୱରରେ ପଢ଼ାଯିବା ବେଳେ ଯୋଶିୟ ନିଜ ବସ୍ତ୍ର ଚିରନ୍ତି। ସେ ଭବିଷ୍ୟଦ୍‌ବକ୍ତ୍ରୀ ହୁଲ୍‌ଦାଙ୍କ ନିକଟକୁ ଲୋକ ପଠାନ୍ତି, ଯିଏ ନିଶ୍ଚିତ କରନ୍ତି ଯେ ଆମ୍ଭମାନଙ୍କ ପିତାଙ୍କ ବିପତ୍ତି ଆସୁଛି, କିନ୍ତୁ କହନ୍ତି ଯେ ତାହାଙ୍କ ହୃଦୟ କୋମଳ ଥିବାରୁ ସେ ପ୍ରଥମେ କବରସ୍ଥ ହେବେ।

ଅଧ୍ୟାୟ 22।

ଯୋଶୀୟ ଆଠ ବର୍ଷ ବୟସରେ ରାଜା ହୋଇ ଯିରୂଶାଲମରେ ଏକତିରିଶ ବର୍ଷ ରାଜ୍ୟ କଲେ। ତାହାଙ୍କ ମାତା ବସ୍କତ୍‍ ନିବାସୀ ଅଦାୟାର କନ୍ୟା ଯିଦୀଦା। ସେ ପିତାଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ, ଆଉ ଆପଣା ପିତା ଦାଉଦଙ୍କ ସମସ୍ତ ପଥରେ ଚାଲି ଡାହାଣ କି ବାମ ଆଡ଼କୁ ଫେରିଲେ ନାହିଁ।

ଆପଣା ରାଜତ୍ଵର ଅଠର ବର୍ଷରେ ଯୋଶୀୟ ରାଜା ମଶୁଲ୍ଲମ୍‍ର ପୌତ୍ର, ଅସଲୀୟର ପୁତ୍ର ଶାଫନ୍‍ ଲେଖକକୁ ପିତାଙ୍କ ଗୃହକୁ ପଠାଇ କହିଲେ, ତୁମ୍ଭେ ହିଲ୍‍କୀୟ ମହାଯାଜକ ନିକଟକୁ ଯାଇ କୁହ, ଯେପରି ସେ ପିତାଙ୍କ ଗୃହକୁ ଅଣାଯାଇଥିବା, ଦ୍ଵାରପାଳମାନେ ଲୋକମାନଙ୍କଠାରୁ ସଂଗ୍ରହ କରିଥିବା ସମସ୍ତ ମୁଦ୍ରାର ଏକତ୍ର ଗଣନା କରନ୍ତି। ପୁଣି ପିତାଙ୍କ ଗୃହର କର୍ମ ଉପରେ ନିଯୁକ୍ତ କାର୍ଯ୍ୟଦର୍ଶକମାନଙ୍କ ହସ୍ତରେ ତାହା ସମର୍ପଣ କର; ଆଉ ସେମାନେ ପିତାଙ୍କ ଗୃହର ଭଗ୍ନ ସ୍ଥାନ ମରାମତି କରୁଥିବା କର୍ମକାରୀମାନଙ୍କୁ ତାହା ଦିଅନ୍ତୁ, ଅର୍ଥାତ୍‍, ସୂତ୍ରଧରମାନଙ୍କୁ, ନିର୍ମାଣକାରୀମାନଙ୍କୁ ଓ ରାଜମିସ୍ତ୍ରୀମାନଙ୍କୁ, ପୁଣି ଗୃହ ମରାମତି ନିମନ୍ତେ କାଷ୍ଠ ଓ ଖୋଦିତ ପ୍ରସ୍ତର କିଣିବା ପାଇଁ ତାହା ଦିଅନ୍ତୁ। ମାତ୍ର ସେମାନଙ୍କ ହସ୍ତରେ ସମର୍ପିତ ମୁଦ୍ରା ବିଷୟରେ ସେମାନଙ୍କଠାରୁ କୌଣସି ହିସାବ ନିଆଯାଉ ନାହିଁ, କାରଣ ସେମାନେ ବିଶ୍ଵସ୍ତ ଭାବରେ କର୍ମ କରନ୍ତି।

ବ୍ୟବସ୍ଥା-ପୁସ୍ତକ ପ୍ରାପ୍ତ ହେଲା

ଏଥିରେ ହିଲ୍‍କୀୟ ମହାଯାଜକ ଶାଫନ୍‍ ଲେଖକକୁ କହିଲେ, “ମୁଁ ପିତାଙ୍କ ଗୃହରେ ବ୍ୟବସ୍ଥା-ପୁସ୍ତକ ପାଇଅଛି।” ଆଉ ହିଲ୍‍କୀୟ ସେହି ପୁସ୍ତକ ଶାଫନ୍‍କୁ ଦେଲେ, ପୁଣି ସେ ତାହା ପାଠ କଲା। ତହୁଁ ଶାଫନ୍‍ ଲେଖକ ରାଜାଙ୍କ ନିକଟକୁ ଆସି କହିଲା, “ଆପଣଙ୍କ ଦାସମାନେ ମନ୍ଦିରରେ ପ୍ରାପ୍ତ ମୁଦ୍ରା ଢାଳି ନେଇ ପିତାଙ୍କ ଗୃହର କର୍ମକାରୀ ଓ କାର୍ଯ୍ୟଦର୍ଶକମାନଙ୍କ ହସ୍ତରେ ତାହା ସମର୍ପଣ କରିଅଛନ୍ତି।” ଆହୁରି ଶାଫନ୍‍ ଲେଖକ ରାଜାଙ୍କୁ ଜଣାଇ କହିଲା, “ହିଲ୍‍କୀୟ ଯାଜକ ମୋତେ ଗୋଟିଏ ପୁସ୍ତକ ଦେଇଅଛନ୍ତି।” ଆଉ ଶାଫନ୍‍ ରାଜାଙ୍କ ସାକ୍ଷାତରେ ତାହା ପାଠ କଲା।

ପୁଣି ରାଜା ବ୍ୟବସ୍ଥା-ପୁସ୍ତକର ବାକ୍ୟ ଶୁଣନ୍ତେ, ଆପଣା ବସ୍ତ୍ର ଚିରିଲେ। ଆଉ ରାଜା ହିଲ୍‍କୀୟ ଯାଜକକୁ, ଶାଫନ୍‍ର ପୁତ୍ର ଅହୀକାମ୍‍କୁ, ମୀଖାୟର ପୁତ୍ର ଅକ୍‍ବୋର୍‍କୁ, ଶାଫନ୍‍ ଲେଖକକୁ ଓ ଅସାୟ ନାମକ ରାଜକର୍ମଚାରୀକୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ଯାଇ ମୋʼ ନିମନ୍ତେ, ଲୋକମାନଙ୍କ ନିମନ୍ତେ ଓ ସମଗ୍ର ଯିହୂଦା ନିମନ୍ତେ ଏହି ପ୍ରାପ୍ତ ପୁସ୍ତକର ବାକ୍ୟ ବିଷୟରେ ପିତାଙ୍କୁ ପଚାର; କାରଣ ଆମ୍ଭମାନଙ୍କ ବିରୁଦ୍ଧରେ ପ୍ରଜ୍ଵଳିତ ପିତାଙ୍କ କ୍ରୋଧ ଅତ୍ୟନ୍ତ ଉଗ୍ର, ଯେଣୁ ଆମ୍ଭମାନଙ୍କ ବିଷୟରେ ଯାହା ଯାହା ଲିଖିତ ଅଛି, ତଦନୁସାରେ ସକଳ କର୍ମ କରିବା ପାଇଁ ଆମ୍ଭମାନଙ୍କ ପିତୃପୁରୁଷମାନେ ଏହି ପୁସ୍ତକର ବାକ୍ୟ ମାନିଲେ ନାହିଁ।”

ତେଣୁ ହିଲ୍‍କୀୟ ଯାଜକ, ଅହୀକାମ୍‍, ଅକ୍‍ବୋର୍‍, ଶାଫନ୍‍ ଓ ଅସାୟ ହୁଲ୍‍ଦା ନାମକ ଭବିଷ୍ୟଦ୍‍ବକ୍ତ୍ରୀ ନିକଟକୁ ଗଲେ; ଏହି ସ୍ତ୍ରୀ ହର୍‍ହସ୍‍ର ପୌତ୍ର, ତିକ୍‍ବର ପୁତ୍ର, ବସ୍ତ୍ରାଗାରରକ୍ଷକ ଶଲ୍ଲୁମ୍‍ର ଭାର୍ଯ୍ୟା, ଆଉ ସେ ଯିରୂଶାଲମର ଦ୍ଵିତୀୟ ବିଭାଗରେ ବାସ କରୁଥିଲା; ପୁଣି ସେମାନେ ତାହା ସଙ୍ଗେ କଥାବାର୍ତ୍ତା କଲେ।

ଏଥିରେ ସେ ସେମାନଙ୍କୁ କହିଲା, “ଇସ୍ରାଏଲର ପରମେଶ୍ଵର ଆମ୍ଭମାନଙ୍କ ପିତା ଏହି କଥା କହନ୍ତି: ଯେଉଁ ଜଣ ତୁମ୍ଭମାନଙ୍କୁ ମୋʼ ନିକଟକୁ ପଠାଇଲା, ତାହାକୁ ଜଣାଅ, ଆମ୍ଭମାନଙ୍କ ପିତା ଏହି କଥା କହନ୍ତି: ଦେଖ, ଯିହୂଦାର ରାଜା ଯେସମସ୍ତ ବାକ୍ୟ ପୁସ୍ତକରେ ପାଠ କରିଅଛନ୍ତି, ତଦନୁସାରେ ଆମ୍ଭେ ଏହି ସ୍ଥାନ ଓ ଏହାର ନିବାସୀମାନଙ୍କ ଉପରେ ଅମଙ୍ଗଳ ଘଟାଇବା। କାରଣ ସେମାନେ ଆମ୍ଭକୁ ପରିତ୍ୟାଗ କରି ଅନ୍ୟ ଦେବତାମାନଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ଵଳାଇଅଛନ୍ତି ଓ ଆପଣାମାନଙ୍କ ହସ୍ତକୃତ ସମସ୍ତ କର୍ମ ଦ୍ଵାରା ଆମ୍ଭକୁ ବିରକ୍ତ କରିଅଛନ୍ତି, ଏହେତୁ ଏହି ସ୍ଥାନ ବିରୁଦ୍ଧରେ ଆମ୍ଭର କ୍ରୋଧ ପ୍ରଜ୍ଵଳିତ ହେବ ଓ ନିର୍ବାଣ ହେବ ନାହିଁ।

ମାତ୍ର ଯେଉଁ ଯିହୂଦାର ରାଜା ତୁମ୍ଭମାନଙ୍କୁ ପିତାଙ୍କ ନିକଟରେ ପଚାରିବା ପାଇଁ ପଠାଇଲେ, ତାହାଙ୍କୁ ତୁମ୍ଭେମାନେ କୁହ: ତୁମ୍ଭେ ଯେଉଁ ବାକ୍ୟ ଶୁଣିଅଛ, ତଦ୍‍ବିଷୟରେ ଇସ୍ରାଏଲର ପରମେଶ୍ଵର ଆମ୍ଭମାନଙ୍କ ପିତା ଏହି କଥା କହନ୍ତି:

ଆମ୍ଭେ ଏହି ସ୍ଥାନ ଓ ଏହାର ନିବାସୀମାନଙ୍କ ବିରୁଦ୍ଧରେ ଯାହା କହିଲୁ, ଅର୍ଥାତ୍‍ ଏମାନେ ଉତ୍ସନ୍ନ ଓ ଅଭିଶାପର ବିଷୟ ହେବେ ବୋଲି ତୁମ୍ଭେ ଶୁଣନ୍ତେ, ତୁମ୍ଭର ହୃଦୟ କୋମଳ ହୋଇ ତୁମ୍ଭେ ପିତାଙ୍କ ସାକ୍ଷାତରେ ଆପଣାକୁ ନମ୍ର କଲ, ପୁଣି ଆପଣା ବସ୍ତ୍ର ଚିରି ଆମ୍ଭ ସମ୍ମୁଖରେ ରୋଦନ କଲ, ଏହେତୁ ଆମ୍ଭେ ମଧ୍ୟ ତୁମ୍ଭ କଥା ଶୁଣିଅଛୁ, ଏହା ପିତା କହନ୍ତି। ଏହେତୁ ଦେଖ, ଆମ୍ଭେ ତୁମ୍ଭ ପିତୃପୁରୁଷମାନଙ୍କ ନିକଟରେ ତୁମ୍ଭକୁ ସଂଗ୍ରହ କରିବା, ଆଉ ତୁମ୍ଭେ ଶାନ୍ତିରେ ଆପଣା କବରକୁ ସଂଗୃହୀତ ହେବ, ପୁଣି ଆମ୍ଭେ ଏହି ସ୍ଥାନ ଉପରେ ଯେସମସ୍ତ ଅମଙ୍ଗଳ ଘଟାଇବା, ତାହା ତୁମ୍ଭର ଚକ୍ଷୁ ଦେଖିବ ନାହିଁ।” ତହୁଁ ସେମାନେ ରାଜାଙ୍କ ନିକଟକୁ ଏହି ଉତ୍ତର ଘେନି ଆସିଲେ।